ଶିଶୁମାନଙ୍କର ଓଠ ଏବଂ ପାଟିର ଉପରଭାଗରେ (ତାଳୁ) ଗ୍ରହଣ ଖଣ୍ଡିଆର ଚିକିତ୍ସା ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି।

operation

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏବଂ ସମ୍ ହସ୍ପିଟାଲଠାରେ “ଫ୍ୟୁଚର୍ ଅଫ୍ ସ୍ମାଇଲ୍ସ ମିଶନ୍” ମାଧ୍ୟମରେ ଆସନ୍ତା ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଗ୍ରହଣ ଖଣ୍ଡିଆର ଅସ୍ତ୍ରୋପଚାର କରାଯିବ।

ବେଙ୍ଗାଲୁରୁସ୍ଥିତ ଇଙ୍ଗା ହେଲ୍‌ଥ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏବଂ ଅପରେସନ୍ ସ୍ମାଇଲ୍ସ ସହଯୋଗ ଓ ସୋଆ ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ସହଭାଗିତାରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କର ଅସ୍ତ୍ରୋପଚାର କରାଯିବ।

ଏହି ମିଶନ୍ ମାଧ୍ୟମରେ ଶହେ ଜଣରୁ ଅଧିକ ଗରିବ ଏବଂ ଅସହାୟ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କର ସଂପୂର୍ଣ୍ଣ ମାଗଣାରେ ଅପରେସନ୍ କରାଯିବ। ଏହି ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଅପରେସନ୍ ସ୍ମାଇଲ୍ସ ସଂସ୍ଥା ଏବଂ ଇଙ୍ଗା ହେଲ୍‌ଥ ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ଔଷଧ, ଆବଶ୍ୟକୀୟ ସରଞ୍ଜାମ ଏବଂ ଯନ୍ତ୍ରପାତି ଯୋଗାଇ ଦିଆଯିବ।

cleft Lip Repair

ୟୁଏସ୍ଏ, ୟୁକେ, କାନାଡା, ନେଦରଲାଣ୍ଡ, ସ୍ୱିଡେନ୍, ଅଷ୍ଟ୍ରେଲିଆ, ଚାଇନା, ଫିଲିପାଇନ୍ସ, ମରୋକୋ, ଘାନା ତଥା ଭାରତରୁ ଆସିଥିବା ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କର ଚିକିତ୍ସା ଓ ଅସ୍ତ୍ରୋପଚାର କରି ସେମାନଙ୍କ ଜୀବନରେ ଏକ ପରିବର୍ତନ ଆଣିବେ।

‘ଅପରେସନ୍ ସ୍ମାଇଲ୍ସ’ ହେଉଛି ଏକ ଆନ୍ତର୍ଜାତିକ ସେବା ପ୍ରଦାନକାରୀ ସଂସ୍ଥା  ଯିଏକି ଦୀର୍ଘ ୩୫ ବର୍ଷ ଧରି ସାରା ବିଶ୍ୱର ବିଭିନ୍ନ ଅଂଚଳରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କୁ ଚିକିତ୍ସା ପ୍ରଦାନ କରୁଛି।

ଏହି ସଂସ୍ଥା ୨୦୧୫ ଡିସେମ୍ବର ମାସରୁ ଭାରତରେ ଗ୍ରହଣ ଖଣ୍ଡିଆ ଆକ୍ରାନ୍ତ ଶିଶୁମାନଙ୍କୁ ସାହାଯ୍ୟ, ସହଯୋଗ ଏବଂ ସୁସ୍ଥ କରିବା ପାଇଁ ଇଙ୍ଗା ହେଲ୍‌ଥ ଫାଉଣ୍ଡେସନ୍ ସହିତ ସହଯୋଗିତାର ହାତ ମିଶାଇଛି।

ଏହି ଅସ୍ତ୍ରୋପଚାରଗୁଡ଼ିକ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଅପରେସନ୍ ଥିଏଟରରେ କରାଯିବ ଏବଂ ସମ୍ ହସ୍ପିଟାଲ୍ ସମସ୍ତ ସହଯୋଗ କରିବ।