ଚୀନରୁ ସୃଷ୍ଟ ଭୟଙ୍କର କୋରୋନା ଭାଇରାସ ଏବେ ବିଶ୍ୱର ୧୦୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍ସୀ ଭାବେ ଘୋଷଣା କରିଛି। ଆସନ୍ତୁ ଜାଣିବା ଏହି କୋରାନା ଭାଇରସରୁ ବର୍ତ୍ତିବେ କିପରି?

corona

ଜାତିସଂଘର ମାର୍ଗଦର୍ଶିକା ଅନୁସାରେ କୋରୋନାରୁ ବର୍ତ୍ତିବା ଲାଗି ସବୁଠାରୁ ବଡ଼ ଉପାୟ ହେଲା ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା। ଏହାଛଡ଼ା ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନ୍ ଦ୍ୱାରା, ଆଲକୋହଲ ଯୁକ୍ତ ହ୍ୟାଣ୍ଡୱାସ ଦ୍ୱାରା ତାକୁ ବାରମ୍ବାର ଧୂଅନ୍ତୁ। ଏହାଦ୍ୱାରା ହାତରେ ଥିବା ଭାଇରସ ନଷ୍ଟ ହୋଇଯିବ। ବିଶେଷ କରି ପାପୁଲିର ପଛପାଖକୁ ଘସି ଘସି ଧୋଇବା ଦରକାର। ଯଦି ଆପଣ ଥଣ୍ଡା, ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥାନ୍ତି ତା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ନାହିଁ। କାଶ/ଛିଙ୍କ ସମୟରେ ମୁହଁକୁ ଟିସ୍ୟୁ ପେପର ଦ୍ୱାରା ଘୋଡ଼ାଇ ରଖନ୍ତୁ। ବ୍ୟବହୃତ ଟିସ୍ୟୁ ପେପରକୁ ଯଥାଶୀଘ୍ର ଢାଙ୍କୁଣୀ ଥିବା ଡଷ୍ଟବିନ୍‌ରେ ପକାଇ ଦିଅନ୍ତୁ। ସେହିଭଳି କାଶୁଥିବା କିମ୍ବା ଛିଙ୍କୁଥିବା ଲୋକଙ୍କଠାରୁ ଅତି କମ୍‌ରେ ୧ ମିଟର ଦୂରତା ବଜାୟ ରଖନ୍ତୁ। ହାତ ନ ଧୋଇ ବାରମ୍ବାର ନିଜର ମୁହଁକୁ ଛୁଅନ୍ତୁ ନାହିଁ। କାରଣ ହାତଦ୍ୱାରା ଭାଇରସ ଆପଣଙ୍କର ଆଖି, ନାକ କିମ୍ବା ପାଟି ମଧ୍ୟରେ ପ୍ରବେଶ କରିପାରେ। ସେଠାରୁ ସଂପୂର୍ଣ୍ଣ ଶରୀରରେ ସଂକ୍ରମିତ ହୋଇ ଆପଣଙ୍କୁ ରୋଗୀ କରିଦେଇପାରେ।

coronavirus

କୋରୋନାର ଚିକିତ୍ସା କ’ଣ?

ଜାତିସଂଘର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସର ଚିକିତ୍ସା ପାଇଁ କୌଣସି ଭ୍ୟାକ୍ସିନ୍ କିମ୍ବା ଆଣ୍ଟିଭାଇରାଲ ଔଷଧ ଆବିଷ୍କାର କରାଯାଇନାହିଁ। କିଛି ଔଷଧର କ୍ଲିନିକାଲ ଟ୍ରାଏଲ କରାଯାଉଛି। ତେବେ ଆକ୍ରାନ୍ତ ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ୍। ସେଠାରେ ଆଇସୋଲେସନ୍‌ରେ ରଖି ସେମାନଙ୍କର ଚିକିତ୍ସା କରାଗଲେ ରୋଗୀମାନେ ଆରୋଗ୍ୟ ଲାଭ କରିଥାନ୍ତି।