ୟୁରିନାରୀ ଟ୍ରାକ୍ଟ ଇନଫେକସନ୍ କ’ଣ? ଏହାର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ। (Urinary tract infections: Symptoms and Diagnosis in Odia)

ୟୁରିନାରୀ ଟ୍ରାକ୍ଟ ଇନଫେକସନ୍‌(ୟୁଟିଆଇ) ସମସ୍ୟା ଦ୍ୱାରା ମହିଳାମାନେ ଖୁବ୍ ଅଧିକ ପ୍ରଭାବିତ ହୋଇଥା’ନ୍ତି। ପରିସଂଖ୍ୟାନ ଅନୁସାରେ ନିଜ ଜୀବନକାଳ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ମହିଳା ଏହାଦ୍ୱାରା ଥରୁଟିଏ ନିଶ୍ଚିତ ଭାବେ ପ୍ରଭାବିତ ହୋଇଥା’ନ୍ତି। ଅପରିଷ୍କାର ଶୌଚାଳୟ ବ୍ୟବହାର କରିବା, ଶୌଚ ପରେ ପରିଷ୍କାର ପରିଚ୍ଛନ୍ନ ନ ହେବା ଏହାର ମୁଖ୍ୟ କାରଣ। ବିଶେଷକରି ୱେଷ୍ଟର୍ଣ୍ଣ ଟଏଲେଟ୍ ବ୍ୟବହାର କଲେ ଏହି ସମସ୍ୟା ଅଧିକ ହୋଇଥାଏ। ୧୫-୪୦ ବର୍ଷ ମଧ୍ୟରେ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ। ସମୟ ଥାଉ ଥାଉ ଏହାର ଚିକିତ୍ସା କରାନଗଲେ ଏହି ରୋଗ ଭୟଙ୍କର ହୋଇଥାଏ। ଏହା କିଡ୍‌ନିକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ଥାଏ। ସମସ୍ୟା ବଢ଼ିଲେ କିଡ୍‌ନି କାମ କରିବା ବନ୍ଦ କରିଦିଏ।

ବ୍ଲାଡର, କିଡ୍‌ନି ଓ ତାକୁ ସଂଯୋଗ କରୁଥିବା ଟ୍ୟୁବସ୍‌ରେ ବ୍ୟାକ୍ଟେରିଆ ସଂକ୍ରମଣ ହେଲେ ୟୁଟିଆଇ ହୋଇଥାଏ। ମହିଳାମାନଙ୍କର ଗୁପ୍ତାଙ୍ଗ ଖୁବ୍ ସମ୍ବେଦନଶୀଳ ହୋଇଥାଏ। ତେଣୁ ଏହା ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ୟୁରେଥ୍ରା ଅର୍ଥାତ୍ ଯେଉଁ ଟ୍ୟୁବ୍ ଦେଇ ପରିସ୍ରା ନିର୍ଗତ ହୋଇଥାଏ, ତାହା ଭଲ ଭାବେ ସଫା ନ ହେଲେ ସଂକ୍ରମଣ ସେହି ମାର୍ଗ ଦେଇ ୟୁରିନାରୀ ଟ୍ରାକ୍ଟରେ ପ୍ରବେଶ କରିଥାଏ। ପରେ ବ୍ଲାଡର ମଧ୍ୟରେ ବ୍ୟାପେ। ଅବଶ୍ୟ ଆମର ୟୁରିନାରୀ ସିଷ୍ଟମରେ ନିଜର ସୁରକ୍ଷା ବ୍ୟବସ୍ଥା ଥାଏ, କିନ୍ତୁ ବେଳେବେଳେ ତାହା ବାହାରର ବ୍ୟାକ୍ଟେରିଆକୁ ବିରୋଧ କରିବାରେ ବିଫଳ ହୋଇଥାଏ। ଏପରି ହେଲେ ବ୍ୟାକ୍ଟେରିଆ ଆମ ଶରୀରକୁ କବ୍‌ଜା କରିବା ସହିତ ମୂତ୍ରାଶୟ ଭିତରେ ଏକ ପୂର୍ଣ୍ଣ ବିକଶିତ ସଂକ୍ରମଣରେ ପରିବର୍ତ୍ତିତ ହୋଇଥାଏ।

ଲକ୍ଷଣ (Symptoms of Urinary tract infections in Odia)

ପରିସ୍ରା କରିବା ସମୟରେ ଖୁବ୍ ଜ୍ୱଳାପୋଡ଼ା ହେବା

ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହେବା। ଖୁବ୍ ଅଳ୍ପ ପରିସ୍ରା ହେବା

ପିଠି କିମ୍ବା ତଳିପେଟରେ ଯନ୍ତ୍ରଣା ବା ଚାପ ଅନୁଭବ କରିବା

ପରିସ୍ରା ହଳଦିଆ ଏବଂ ଦୁର୍ଗନ୍ଧ ହେବା

ଖୁବ୍ କ୍ଲାନ୍ତ ଅନୁଭବ କରିବା

ପ୍ରବଳ ଜ୍ୱର ହେବା (ସଂକ୍ରମଣ କିଡ୍‌ନିରେ ପହଞ୍ଚିବା ପରେ ଏପରି ହୋଇଥାଏ)

ପରିସ୍ରାରେ ରକ୍ତ ପଡ଼ିବା

ପରୀକ୍ଷା

ଯଦି ଆପଣ ୟୁଟିଆଇ ହୋଇଥିବା ନେଇ ସନ୍ଦେହ କରୁଛନ୍ତି ତା’ ହେଲେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଡାକ୍ତର ଆପଣଙ୍କୁ ପରିସ୍ରାର ପରୀକ୍ଷା କରାଇବା ପାଇଁ କହିବେ। ଆବଶ୍ୟକ ହେଲେ ବ୍ୟାକ୍ଟେରିଆକୁ ନଷ୍ଟ କରିବାକୁ ଆଣ୍ଟିବାଇଓଟିକ୍ସ ବି ଦେବେ। ସାଧାରଣତଃ ୟୁଟିଆଇ ହୋଇଥିଲେ କିଛି ନିର୍ଦ୍ଦିଷ୍ଟ ଅବଧି ପାଇଁ ଔଷଧ ଦିଆଯାଇଥାଏ। ସେତିକି ଦିନ ଔଷଧକୁ ଠିକ୍ ଭାବେ ଖାଇବାକୁ ପଡ଼ିବ। ନ ହେଲେ ଏହା ବାରମ୍ବାର ହୋଇଥାଏ।

drinking water for health

ସାବଧାନତା

ୟୁଟିଆଇ ରୋଗ କଥା ଆସିଲେ ଚିକିତ୍ସା ଅପେକ୍ଷା ସାବଧାନତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ବାରମ୍ବାର ଔଷଧ ଖାଇଲେ ତାର ମଧ୍ୟ କିଡ୍‌ନି ଉପରେ କୁପ୍ରଭାବ ପଡ଼ିଥାଏ।

ୟୁଟିଆଇରୁ ରକ୍ଷା ପାଇବା ପାଇଁ ହେଲେ ମହିଳାମାନେ ସେମାନଙ୍କର ଗୁପ୍ତାଙ୍ଗକୁ ପରିଚ୍ଛନ୍ନ ରଖିବା ଆବଶ୍ୟକ।

ଗୁପ୍ତାଙ୍ଗକୁ ସବୁବେଳେ ସଫା ଏବଂ ଶୁଖିଲା ରଖନ୍ତୁ। ଓଦା ରହିବା କାରଣରୁ ସେଠାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ।

ଶୌଚ ହେବା ପରେ ସବୁବେଳେ ପାଣିକୁ ପୋଛିବା ପାଇଁ ଟିସ୍ୟୁ ପେପର ବ୍ୟବହାର କରନ୍ତୁ।

ଟଏଲେଟ୍ ଲାଗିଲେ ଅଧିକ ସମୟ ଧରି ତାକୁ ଚାପି ରହନ୍ତୁ ନାହିଁ।

ୟୁଟିଆଇ ହେଲେ ମୂତ୍ରାଶୟରେ ଅଧିକ ବ୍ୟାକ୍ଟେରିଆ ଜମା ହୋଇ ରହିଥାଏ। ତେଣୁ ଏହାକୁ ବାହାର କରିବାକୁ ପ୍ରଚୁର ପାଣି ପିଅନ୍ତୁ। ଯେପରିକି ପରିସ୍ରା ମାଧ୍ୟମରେ ବ୍ୟାକ୍ଟେରିଆ ବାହାରକୁ ବାହାରିଯିବ।

କେବଳ ସେତିକି ନୁହେଁ, ଶାରୀରିକ ସଂପର୍କ ରକ୍ଷା ପରେ ମଧ୍ୟ ପରିଚ୍ଛନ୍ନ ରହନ୍ତୁ। ଅନେକ ସମୟରେ ଶାରୀରିକ ସଂପର୍କ ରକ୍ଷା ପରେ ୟୁଟିଆଇ ହେବାର ଆଶଙ୍କା ବୃଦ୍ଧିପାଏ।

-ନିଜର ଟଏଲେଟ୍‌କୁ ସଫା ରଖନ୍ତୁ। ସର୍ବସାଧାରଣ ଶୌଚାଳୟ କିମ୍ବା ଅପରିଷ୍କାର ସ୍ଥାନରେ କେବେହେଲେ ଟଏଲେଟ୍ ଯାଆନ୍ତୁ ନାହିଁ।

Everything you need to know about urinary tract infections (UTI) in Odia language. Odia Health Tips.