କରୋନା ସମୟରେ ନବଜାତ ଶିଶୁଙ୍କ ଯତ୍ନକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ଶିଶୁର ଯତ୍ନ କିଭଳି ନେଲେ କରୋନା ସଂକ୍ରମଣରୁ ଦୂରେଇ ରଖାଯାଇପାରିବ? ମା’ମାନେ ସ୍ତନ୍ୟପାନ କରାଇ ପାରିବେ କି ନାହିଁ? ଏଭଳି ବହୁତ କିଛି। ତେବେ ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ନିର୍ମଳ କୁମାର ମହାକୁଡ଼ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

  • ହାତ ଧୋଇବାକୁ କାହିଁକି ଗୁରୁତ୍ୱ ଦିଆଯାଉଛି?
  • ମା’ମାନେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ?
  • ବାପା, ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
  • ବାପା, ମା’ଙ୍କ ପାଇଁ ଟିପ୍ସ

ନବଜାତ ଶିଶୁମାନଙ୍କର ଯତ୍ନ ପୂର୍ବରୁ ଯେଉଁ ଭଳି ଭାବେ ନିଆଯାଉଥିଲା କରୋନା ଭଳି ମହାମାରୀ ସମୟରେ ବି ସେହିଭଳି ଭାବେ ଯତ୍ନ ନେବା ଜରୁରୀ। ଶିଶୁ ହସ୍ପିଟାଲରେ ଜନ୍ମ ହେବା ପରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଶିଶୁକୁ ଘରକୁ ଆଣିବା ଦରକାର। ଘରକୁ ଆସିବା ପରେ ଶିଶୁକୁ ଘରେ ଯେପରି ସଂକ୍ରମଣ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଦରକାର ଅଛି।

ଶିଶୁକୁ ସ୍ୱତନ୍ତ୍ର ଏକ ଘରେ ରଖିବା ସହ ପିଲାର ସଂସ୍ପର୍ଶରେ ଯେପରି ଅଧିକ ଲୋକ ନ ଆସନ୍ତି, ତା’ ପ୍ରତି ଧ୍ୟାନ ଦେବା ଜରୁରୀ। କାରଣ ପିଲାର ସଂସ୍ପର୍ଶରେ ଆସୁଥିବା ଲୋକ କରୋନା ପଜିଟିଭ ନା ନେଗେଟିଭ ତାହା ଆମେ ଜାଣି ନାହୁଁ, ତେଣୁ ପିଲାଙ୍କୁ ବାହାର ଲୋକଙ୍କଠାରୁ ଦୂରେଇ ରଖିବା ଆବଶ୍ୟକ। ଫଳରେ ଶିଶୁ କରୋନା ଭୂତାଣୁରୁ ରକ୍ଷା ପାଇବା ସହ ଅନ୍ୟାନ୍ୟ ସଂକ୍ରମଣରୁ ସୁରକ୍ଷିତ ରହିପାରିବ।

ହାତ ଧୋଇବା କାହିଁକି ଗୁରୁତ୍ୱପୂର୍ଣ୍ଣ? (Why hand washing is so important in Odia)

ଲିପିଡ୍‌ ମେମ୍ବ୍ରନରେ ତିଆରି ହୋଇଛି କରୋନା ଭାଇରସ। ଡିଟରଜେଣ୍ଟ ବା ସାବୁନ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ମରିଯାଏ।

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ହାତକୁ ପରିଷ୍କାର ପରିଚ୍ଛନ ରଖିବା ସମସ୍ତଙ୍କ ପାଇଁ ଜରୁରୀ। କାରଣ ହାତ ବାଟ ଦେଇ ସିଧାସଳଖ ଆମ ଶରୀରକୁ ବିଭିନ୍ନ ପ୍ରକାର ଜୀବାଣୁ ଯାଇଥା’ନ୍ତି। ଏବେ କରୋନା ଭାଇରସ ସଂକମ୍ରଣ ହେଉଥିବାରୁ ନିଜ ହାତକୁ ସଫା ରଖିବା ଆହୁରି ଜରୁରୀ ହୋଇପଡ଼ିଛି। ତେଣୁ ହାତକୁ ସାବୁନରେ ୨୦ ସେକେଣ୍ଡ ଯାଏଁ ଧୋଇଲେ ହାତରୁ ଜୀବାଣୁ ମରିଯାଏ।

ମା’ମାନେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ?

କରୋନା ସମୟରେ ମା’ମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ହେବ। ମା’ମାନେ ନିଜକୁ ଆଇସୋଲେସନ୍‌ରେ ରଖିବା ସହ ଘର ବାହାରକୁ ନ ଯିବାକୁ ଚେଷ୍ଟା କଲେ ସୁରକ୍ଷିତ ରହିବେ। ଫଳରେ ବିନା କିଛି ଦ୍ୱିଧାରେ ସେମାନେ ନିଜ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇପାରିବେ। ଯଦି ଜଣେ ମା’ ବାହାରେ କୌଣସି ବସ୍ତୁକୁ ଛୁଇଁଥିବେ ବା ଅପରିସ୍କାର ଜିନିଷ ସଂସ୍ପର୍ଶରେ ଆସିଥିବେ ତେବେ ହାତ ଧୋଇବା ଦରକାର।

indian-parents

ବାପା ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପିଲାମାନେ ଜନ୍ମ ହେବାର ୩ ବର୍ଷ ପର୍ଯ୍ୟନ୍ତ ଥଣ୍ଡା, ଜ୍ଵର, କାଶ, ଆଲର୍ଜି, ଚର୍ମ ଜନିତ ସମସ୍ୟା, ଝାଡ଼ାବାନ୍ତି କିମ୍ବା ନିମୋନିଆ ଭଳି ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ। ଏହି ସମୟରେ ବାପା ମା’ଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କରୋନା ଭୟରେ ବାପା ମା’ ବାରମ୍ବାର ମେଡିକାଲ ଆସିପାରିବେ ନାହିଁ। ଏଥିପାଇଁ ବାପା ମା’ମାନେ ଟେଲି ମେଡିସିନର ସାହାଯ୍ୟ ନେଇପାରିବେ। ଫଳରେ ଘରେ ରହିବି ବାପା ମା’ମାନେ ଶିଶୁଙ୍କର ସଠିକ୍‌ ଯତ୍ନ ନେଇ ପାରିବେ। ଏହି ପ୍ରଣାଳୀରେ ଯଦି ସୁଫଳ ନ ମିଳେ ତା’ହେଲେ ଡାକ୍ତରଙ୍କ ସହ ପରାମର୍ଶ କରି ମେଡିକାଲ ଯିବା ଦରକାର।

ମେଡିକାଲ ଯିବାକୁ ବାପା ମା’ମାନେ ଭୟଭିତ ନ ହୋଇ ସାମାଜିକ ଦୂରତା ଅବଲମ୍ବନ କରି ଯାଇପାରିବେ। ପିଲାମାନଙ୍କର ସଠିକ୍‌ ସମୟରେ ଚିକିତ୍ସା ନ କଲେ ରୋଗ ବଢ଼ିପାରେ।

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଯାଏଁ କୌଣସି ଔଷଧ ବାହାରି ନାହିଁ। ତେଣୁ ଏହି ସଂକ୍ରମଣରୁ ନିଜକୁ ବଞ୍ଚେଇ ରଖିବାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସହାୟକ ହୋଇଥାଏ। ଏଥିପାଇଁ ପିଲାମାନଙ୍କୁ ସଠିକ୍‌ ଖାଦ୍ୟ, ପୁଷ୍ଟିକର ଖାଦ୍ୟ, ଫଳ, ଜୁସ୍‌ ଓ ବ୍ୟାୟାମ କରିବାକୁ ପରାମର୍ଶ ଦେବା ଦରକାର।

corona_covid 19 child

ବାପା ମା’ଙ୍କ ପାଇଁ ଟିପ୍ସ (Tips for parents in Odia)

କରୋନା ଭଳି ମହାମାରୀ ରୋଗ ବିଷୟରେ ପିଲାଙ୍କୁ ବୁଝାଇବା ଦରକାର। ପିଲାଙ୍କୁ ବାପା ମା’ମାନେ ବୁଝାଇଦେବା ଯେ, କାଶିଲା କି ଛିଙ୍କିଲା ବେଳେ ହାତରେ କି ରୁମାଲରେ ଯଦି ନାକ ପୋଛିବ, ତାହା ହେଲେ ହାତରେ ଓ ରୁମାଲରେ ଭାଇରସ୍ ରହିବ। ସେଥିପାଇଁ ସବୁବେଳେ ହାତ ସାବୁନରେ ଧୋଇବା କଥା। ଏହାଛଡ଼ା ପିଲାମାନଙ୍କୁ ସାମାଜିକ ଦୂରତା ସମ୍ପର୍କରେ ଶିକ୍ଷା ଦେବା ଦରକାର।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିର୍ମଳ କୁମାର ମହାକୁଡ଼ଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: A brief medical advice, in Odia language, on Child care during covid-19 based on the interview with Dr. Nirmal Kumar Mahakud, Pediatrics.