ଶେଖ ଫରିଦ୍ଉଦ୍ଦିନ

suicide cause

ଭୁବନେଶ୍ୱର ପରି ସଚେତନ ଓ ସଂସ୍କୃତି ସମ୍ପନ୍ନ ମହାନଗରୀରେ ଜଣେ ଛାତ୍ର ମୋବାଇଲ ଫୋନ ବ୍ୟବହାର ସହ ପରିବାରର ଆକଟ ଘଟଣାକୁ ନେଇ ଅଭାବନୀୟ ଭାବେ ଜୀବନ ହାରି ଦେଇଛି। ପିଲାଟିର ଜୀବନକୁ ନେଇ ବାପାମାଆଙ୍କ ଯେଉଁ ସ୍ୱପ୍ନ ଥିଲା ସେ ସବୁ ଧୂଳିରେ ମିଶିଯାଇଛି। ଅନେକ ସମୟରେ ପ୍ରଶ୍ନପତ୍ର ଲିକ ଯୋଗୁଁ ଦେଶରେ ଛାତ୍ରଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିବାରୁ ସ୍ୱାଭାବିକ ଭାବେ ତାହା ସେମାନଙ୍କ ଉପରେ ଚାପ ବଢ଼ାଇଛି। ପ୍ରକୃତରେ ସମଗ୍ର ଦେଶରେ ଛାତ୍ରଛାତ୍ରୀଙ୍କ ଉପରେ ଚାପ ବଢ଼ୁଥିବାରୁ ସେମାନଙ୍କ ଭିତରେ ଆତ୍ମହତ୍ୟା ସମସ୍ୟା ବୃଦ୍ଧି ପାଉଛି। ହିସାବ କରି ଦେଖାଯାଇଛି ଯେ ଭାରତରେ ପ୍ରତି ଏକଘଣ୍ଟାରେ ଜଣେ ଛାତ୍ରଙ୍କର ଆତ୍ମହତ୍ୟା ଘଟୁଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୬ରେ ୯୪୭୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୦୦୭ରୁ ୨୦୧୬ ଭିତରେ ସେମାନଙ୍କ ଭିତରେ ଆତ୍ମହତ୍ୟା ସଂଖ୍ୟା ୭୫ ହଜାର ଥିଲେ। ପ୍ରତି ଆତ୍ମହତ୍ୟାର କାରଣ ଖୋଜି ସମସ୍ୟାର ସରଳ ସମାଧାନ ବାହାର କରିବା ସମ୍ଭବ ନୁହେଁ। କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୨୦୧୬ରେ ହୋଇଥିବା ଆତ୍ମହତ୍ୟାର ଏକ ଚତୁର୍ଥାଂଶ ଏବଂ ୨୦୦୭ରୁ ୨୦୧୬ ମଧ୍ୟରେ ୨୩ ହଜାରଟି ଆତ୍ମହତ୍ୟାର କାରଣ ଥିଲା ପରୀକ୍ଷାରେ ଅସଫଳତା। ପରୀକ୍ଷା ଫେଲ ବାଦ ଛାତ୍ରଛାତ୍ରୀମାନେ ରାଗିଂ ଓ ଅନ୍ୟାନ୍ୟ କାରଣରୁ ମାନସିକ ଚାପର ଶିକାର ହେଉଛନ୍ତି।

suicide

ଦେଶର ଶିକ୍ଷା କ୍ଷେତ୍ରରେ ବହୁ ସମସ୍ୟା ରହିଛି। ଏସବୁର ସମାଧାନ ପାଇଁ ସବୁପକ୍ଷରୁ ଉଦ୍ୟମ ହେବା ଦରକାର। କିନ୍ତୁ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଏକ ଗୁରୁତର ସମସ୍ୟା। ଅଭିଭାବକମାନେ ପିଲାମାନଙ୍କ ଉପରେ ପାଠପଢ଼ାରେ ଭଲ କରିବା ଲାଗି ଚାପ ଦେଉଛନ୍ତି। ଏହାର ପରିଣତି ଅନେକ ସମୟରେ ଖରାପ ହେଉଛି। ରାଜସ୍ଥାନର କୋଟାରେ ଇଞ୍ଜିନିୟରିଂ ଆଦି ପେଷାଗତ ପାଠ୍ୟକ୍ରମ ପାଇଁ ଯେଉଁ କୋଚିଂ ଦିଆଯାଉଛି ତାହାର ଚାପ ଯୋଗୁଁ ଆତ୍ମହତ୍ୟା ଓ ଅନ୍ୟାନ୍ୟ ସମସ୍ୟା ଘଟୁଥିବା ଜଣାଶୁଣା। ରାଗିଂ ଘଟଣା ଅନେକାଂଶରେ ଲୋକଙ୍କ ଦୃଷ୍ଟିକୁ ଆସୁନାହିଁ। ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ରାଗିଂର ଶିକାର ହେଉଥିବା ୮୪ ପ୍ରତିଶତ ପିଲା ଏହାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣୁନାହାନ୍ତି। ରାଗିଂ ପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସତର୍କଦୃଷ୍ଟି ରଖିବା ଦରକାର ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଲୋଡ଼ା। ସାଧାରଣ ଭାବେ ପାଠପଢ଼ା କ୍ଷେତ୍ରରେ ସିଲାବସ୍‌କୁ ବି ସରକାର ବଦଳାଇବା ଉଚିତ। ଏନସିଆରଟି ଛାତ୍ରଛାତ୍ରୀଙ୍କର ପାଠପଢ଼ା ଚାପ ଅଧା କମାଇବାକୁ ଯୋଜନା କରୁଥିବା ଖୁସିର ବିଷୟ। କିନ୍ତୁ କେବଳ ତଳଶ୍ରେଣୀରେ ପାଠ୍ୟକ୍ରମକୁ ହାଲକା କରିଦେଇ ଉପରଶ୍ରେଣୀର ସିଲାବସକୁ ଅପରିବର୍ତ୍ତିତ ରଖାଗଲେ ଅସଲ ଉଦ୍ଦେଶ୍ୟ ସାଧିତ ହେବନାହିଁ। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବି ପାଠ୍ୟକ୍ରମ ବଦଳିବା ଦରକାର। ଯେପରି ଭାବେ ପିଲାମାନେ କେବଳ ଘୋଷା ପାଠରେ ମନ ନିବେଶ ନକରିବେ ସେହି ଲକ୍ଷ୍ୟରେ ପରିବର୍ତ୍ତନ ଆଣିବାକୁ ହେବ।

SwasthyaPlus

ପାଠପଢ଼ାରେ ଭଲକରି ଚାକିରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବାର ଚାପ ସ୍ୱାଭାବିକ ଭାବେ ଭାରତୀୟ ଛାତ୍ରଛାତ୍ରୀଙ୍କ ଅବସାଦ ବଢ଼ାଉଛି। ଗତ କିଛି ବର୍ଷ ମଧ୍ୟରେ ପାଠପଢ଼ା ଓ କ୍ୟାରିୟର କ୍ଷେତ୍ରରେ ବିକଳ୍ପ ପସନ୍ଦ ସବୁ ଆସିଲାଣି। ଅନେକ ଅନୁଷ୍ଠାନ ଅନ୍‌ଲାଇନ କୋର୍ସ ମଧ୍ୟ ପ୍ରବର୍ତ୍ତନ କରିଛନ୍ତି। ଉଭୟ ଭାରତୀୟ ଓ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ସଂଶ୍ଳିଷ୍ଟ। ଏଣୁ ସ୍କୁଲସ୍ତରରୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଯାଏ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବା ଦରକାର। ସେମାନଙ୍କ ମାନସିକ ଚାପକୁ କମ ରଖି ଆଗ୍ରହର ସହ ସେମାନେ କିପରି ପ୍ରତିଦ୍ୱନ୍ଦିତାରେ ଆଗେଇପାରିବେ ସେହି ପରାମର୍ଶ ସର୍ବାଧିକ ଛାତ୍ରଛାତ୍ରୀଙ୍କ ପାଇଁ ଲୋଡ଼ା। ଏ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ପରାମର୍ଶ ଅପେକ୍ଷା ଶିକ୍ଷା ବିଶାରଦଙ୍କ ଉପଦେଶ ଅଧିକ କାମ ଦେବ। ପାଠପଢ଼ାର ଆପାତତଃ ମୁଖ୍ୟ ଉଦ୍ଦେଶ୍ୟ ନିଯୁକ୍ତି। ଦେଶରେ ଦକ୍ଷତା ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। କିନ୍ତୁ ସେଗୁଡ଼ିକ ସଫଳ ହୋଇନଥିବାରୁ ଯୁବକ ଯୁବତୀ ଉପଯୁକ୍ତ ଚାକିରି ପାଉନାହାନ୍ତି। ଏପରିକି ଇଞ୍ଜିନିୟରିଂ ତଥା ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ହାସଲ କରୁଥିବା ଯୁବଶ୍ରେଣୀର ନିଯୁକ୍ତି ଯୋଗ୍ୟତା ମଧ୍ୟ ରହୁନାହିଁ। ଏସବୁ ସମସ୍ୟାର ସମାଧାନ ଲୋଡ଼ା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ସମସ୍ୟା ବଢ଼ୁଥିବାରୁ ସରକାର ମାନସିକ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ। ଏଥିଲାଗି ଅଧିକ ମାନସିକ ଡାକ୍ତର ମଧ୍ୟ ସୃଷ୍ଟି କରିବାକୁ ପଡ଼ିବ। ଭାରତରେ ପ୍ରତି ୧ଲକ୍ଷରେ ମାତ୍ର ୦.୬ ଜଣ ମାନସିକ ସ୍ୱାସ୍ଥ୍ୟ ସେବାକାରୀ ଅଛନ୍ତି, ଯାହା ଅନ୍ୟ ଦେଶଗୁଡ଼ିକ ତୁଳନାରେ ଖୁବ୍ କମ୍।