ସ୍ଵାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  •  ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ନଲେଜ୍‌ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ସୁରକ୍ଷା’
Kete Nua Bata

କରୋନା ଯୋଗୁଁ ଘରେ ଘରେ ଏବେ ଆର୍ଥିକ ସମସ୍ୟା ଦେଖାଦେଇଛି। ଫଳରେ ଅନେକ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଏହାର ସିଧାସଳଖ ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି। କରୋନା ପାଇଁ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସୁରକ୍ଷା ସବୁ କିଛି ପ୍ରଭାବିତ ହୋଇଛି। ସେମାନଙ୍କର ଅଧିକାର ମଧ୍ୟ କ୍ଷୁଣ୍ଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ ଭିଡିଓ ସିରିଜର ଚତୁର୍ଥ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’।

ଶନିବାର ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିଛନ୍ତି ‘କେତେ ନୂଆ ବାଟ ସିଜିନ୍‌ ୨’ର ଚତୁର୍ଥ ଭିଡିଓ ସିରିଜ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’। ଏହାଛଡ଼ା ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହା ପ୍ରସାରିତ ହୋଇଛି ।

ଚତୁର୍ଥ ଅଧ୍ୟାୟରେ ସାମିଲ ହୋଇଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ୟୁନିସେଫ୍‌ ଓଡ଼ିଶାର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ, ଅନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ସଂଗଠନ ଏଡ୍ ଏଟ୍ ଆକ୍ସନର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି ପ୍ରକାଶ ବ୍ରହ୍ମା, ମାଲକାନଗିରି ଜିଲ୍ଲାରେ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ ‘ବଡ଼ଦିଦି’ର ସଦସ୍ୟ ଦୀପାରାଣୀ ନାୟକ, ରାୟଗଡ଼ା ଜିଲ୍ଲାରୁ ‘ଅଦ୍ଵିକା’ କାର୍ଯ୍ୟକ୍ରମର ସଖୀ ଚାନ୍ଦିନୀ କୈବର୍ତ୍ତ ଓ ସହେଲୀ କେ ପାଓ୍ଵନୀ ଏବଂ ନୂଆପଡ଼ାର ଜଣେ ଅଙ୍ଗନବାଡ଼ି କର୍ମୀ ଅମ୍ଵା ସାହୁ।

‘‘ଲକଡାଉନ୍‌ ସମୟରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି ସାନ ସାନ ପିଲାମାନେ ପ୍ରଭାବିତ ହୋଇଛନ୍ତି। କରୋନା କାଳରେ ବାଲ୍ୟ ବିବାହ, ଯୌନ ନିର୍ଯାତନା ଭଳି ମାମଲା ବଢ଼ିଛି। ପିଲାମାନଙ୍କ ଶିକ୍ଷା ଅଧିକାର ପ୍ରଭାବିତ ହୋଇଛିା ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜିଲ୍ଲାସ୍ତରରେ କାମ କରୁଥିବା ଶିଶୁ ଯତ୍ନ ଅନୁଷ୍ଠାନ, ଶିଶୁ ସୁରକ୍ଷା ସମିତି ମଧ୍ୟ ସଜାଗ ରହିଛି। କୌଣସି ପିଲାର କିଛି ଅସୁବିଧା ହେଲେ ତୁରନ୍ତ ଜଣାଇବାକୁ କୁହାଯାଇଛି’’, କହିଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

‘‘ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଏ ସମୟରେ ସାନ ସାନ ପିଲାମାନେ ବିଶେଷ ଯତ୍ନର ଆବଶ୍ୟକତା କରୁଛନ୍ତିା ଏ ସମୟରେ ପିଲାଙ୍କ ସୁରକ୍ଷା ପାଇଁ ଜିଲ୍ଲାସ୍ତରରେ ଶିଶୁ ମଙ୍ଗଳ ସମିତି କାର୍ଯ୍ୟ କରୁଛିା ଯେଉଁ ପିଲାମାନେ ଅସୁବିଧାର ଶିକାର ହୋଇଛନ୍ତି ସେମାନଙ୍କୁ ସହଯୋଗ କରିବା କ୍ଷେତ୍ରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି କାମ କରୁଛି। ପିଲାଙ୍କ ପାଇଁ ୧୦୯୮ ହେଲ୍‌ପ ଲାଇନ ମଧ୍ୟ କାମ କରୁଛିା ’’, କହିଥିଲେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା।

‘‘କୋଭିଡ ସମୟରେ ସ୍କୁଲ ବନ୍ଦ, ବାହାରେ ବୁଲାବୁଲି ବନ୍ଦ ଥିବାରୁ ପିଲାମାନେ ମାନସିକ ଭାବେ ପ୍ରଭାବିତ ହୋଇଛନ୍ତି। ଲୋକ ଜୀବିକା ହରାଇଛନ୍ତିା ରୋଜଗାର କମିଛି। ଏହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିଛି। ଏହାଛଡ଼ା କରୋନା କାଳରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଭଳି ମାମାଲା ପୁଣିଥରେ ମୁଣ୍ଡ ଟେକିଛି। ଏ ସମୟରେ ପିଲାଙ୍କୁ ବିଭିନ୍ନ ପ୍ରକାର ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ କାମ କରୁଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ୟୁନିସେଫ୍‌ ସହଯୋଗ କରିଆସୁଛି’’, କହିଥିଲେ ୟୁନିସେଫ୍‌ ଓଡ଼ିଶାର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ।

ସେହିପରି ଏହି ଅଧ୍ୟାୟରେ ମାଲକାନିଗରିର ‘ବଡ଼ଦିଦି’ ସ୍ୱେଚ୍ଛାସେବୀ ସଙ୍ଗଠନର ଜଣେ କର୍ମୀ ଦୀପାରାଣୀ ନାୟକ ଯୋଡ଼ି ହୋଇଥିଲୋ ଜିଲ୍ଲାରେ ବାଲ୍ୟ ବିବାହ ରୋକିବାରେ ‘ବଡ଼ଦିଦି’ କିଭଳି ପ୍ରମୁଖ ଭୂମିକା ନେଇଛି ସେ ବିଷୟରେ କହିଥିଲେ ଦୀପାରାଣୀ।

ଏହାଛଡ଼ା ଭୁବନେଶ୍ଵରରେ ସ୍ଵେଚ୍ଛାସେବୀ ସଂଗଠନ ସିସିଡବ୍ଲ୍ୟୁଡି ଏବଂ ଆକ୍ସନ ଏଡ୍‌ ସହାୟତାରେ ‘ଭୁବନେଶ୍ଵର ୟଙ୍ଗ୍ ଅର୍ବାନ ଫୋରମ୍’ କିପରି ବସ୍ତି ଅଞ୍ଚଳରେ କୋଭିଡ୍ ସଚେତନତାର ବାର୍ତ୍ତା ପହଞ୍ଚାଉଛି, ତାହା ଏହି ଅଧ୍ୟାୟରେ ଆପଣ ଦେଖିଛନ୍ତି।

ସେହିପରି ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ଦାଦନ ପରିବାରକୁ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଙ୍ଗଠନ କିଭଳି ସହାୟତା ଯୋଗାଇ ଦେଉଛି ଓ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଜଗମୁଣ୍ଡା ଗାଁରେ ‘ଅଦ୍ୱିକା’ କାର୍ଯ୍ୟକ୍ରମ କେମିତି ଚାଲିଛି ସେ କାହାଣୀ ମଧ୍ୟ ଦେଖାଯାଇଛି।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, ସାହସ ଓ ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।