ସ୍ୱାସ୍ଥ୍ୟ ପ୍ଲସ୍‌ ବ୍ୟୁରୋ

kete nua bata_many new paths card
  • କୋଭିଡ୍‌ ସଚେତନତା ପାଇଁ ୩ ମାସ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜନ ୨’
  • ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ
  • କୋଭିଡ୍‌ ସମୟରେ ପିଲାଙ୍କ କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱ
  • ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି ‘ମୋ କଲେଜ’
  • କୋଭିଡ୍‌ ମୁକାବିଲାର ବିଶେଷ ଦିଗ ଏବଂ କୋଭିଡ୍‌ ହିରୋଙ୍କ କାହାଣୀ ସହିତ ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ
  • ସ୍ୱତନ୍ତ୍ର ବିଷୟ ବସ୍ତୁକୁ ନେଇ ରେଡିଓ ଧାରାବାହିକ ଓ ଟିଭି କାର୍ଯ୍ୟକ୍ରମ

କରୋନା ଦ୍ୱିତୀୟ ଲହର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ସଂକ୍ରମଣ ଯୋଗୁଁ ସବୁଠି ନିରାଶା, ବିଷାଦ ଓ ନିରବତା। ତେଣୁ ଏ ସମୟରେ ଲୋକଙ୍କ ମନରେ କିଛି ସକରାତ୍ମକ ଚିନ୍ତା ଭରି ଦେବା ପାଇଁ ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍‌’ ଏବଂ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ବହୁଭାଷୀ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ର ମିଳିତ ସହଯୋଗରେ ଆରମ୍ଭ ହୋଇଛି ମିଡିଆ କ୍ୟାମ୍ପେନ – ‘କେତେ ନୂଆ ବାଟ ସିଜନ ୨’। ଏହି କାର୍ଯ୍ୟକ୍ରମ ପାଇଁ ୟୁନିସେଫ୍‌, ଓଡ଼ିଶା ସହାୟତା ଯୋଗାଇଥିଲା ବେଳେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚିବ। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ଦୂରଦର୍ଶନ ଓ କନକ ନ୍ୟୁଜ୍‌ରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ। ଅଗଷ୍ଟ  ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୧୨ଟି ଅଧ୍ୟାୟ ପ୍ରସାରିତ ହେବ। ଯେଉଁଥିରେ ୬ଟି ରେଡିଓ ଧାରାବାହିକ ଓ ୬ଟି ଭିଡିଓ ସଂସ୍କରଣ ରହିଛି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ମିଡିଆ କ୍ୟାମ୍ପେନ। ଯେଉଁଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘ଓଡ଼ିଶାଲାଇଭ୍‌’ ଏବଂ ‘ସ୍ୱାସ୍ଥ୍ୟ ପ୍ଲସ୍‌’ର ପୋର୍ଟାଲ ସହିତ ଫେସ୍‌ବୁକ୍‌, ଏବଂ ୟୁଟ୍ୟୁବ୍‌ ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ମଧ୍ୟ ଦେଶ ବିଦେଶରୁ ଲୋକେ ଏଥିରେ ଯୋଡ଼ି ହୋଇପାରିବେ।

Monika Nielsen_COF_UNICEF

‘‘କୋଭିଡ୍‌ ୧୯ ପୁଣି ଥରେ ଆମ ସମସ୍ତଙ୍କ ଆଗରେ ବଡ଼ ସମସ୍ୟା ଠିଆ କରିଛି। ବିଶେଷକରି ଏହା ପିଲା ଓ ଯୁବପିଢ଼ିଙ୍କୁ ପ୍ରଭାବିତ କରିଛି। ଦୀର୍ଘଦିନରୁ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଅନେକ ଯୁବକ ଯୁବତୀ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ଅଛନ୍ତି। ତେଣୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହ ମିଶି ୟୁନିସେଫ୍‌ ପିଲାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଛି’’, କହିଛନ୍ତି ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ମୋନିକା ନେଲ୍‌ସନ୍‌।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କୋଭିଡ ସମୟରେ ଅନେକ ଯୁବକ, ଛାତ୍ରଛାତ୍ରୀମାନେ ଆଗକୁ ଆସି ସମାଜ ପାଇଁ କାମ କରୁଛନ୍ତି। ସେମିତି କିଛି କୋଭିଡ ଯୋଦ୍ଧାଙ୍କ କାହାଣୀକୁ ସମସ୍ତ ପାଖରେ ପହଞ୍ଚାଇବାକୁ ସକ୍ଷମ ହେବ ‘କେତେ ନୂଆ ବାଟ’।

‘‘କୋଭିଡ ୧୯ର ଦ୍ୱିତୀୟ ଲହରୀ ଯୋଗୁଁ ଆଜି ଓଡିଶା ସଙ୍କଟ ସମୟ ଦେଇ ଗତି କରୁଛି। ବିଶେଷକରି ପିଲା ଏବଂ ଯୁବପିଢ଼ିଙ୍କ ପାଇଁ କୋଭିଡ୍‌ ଚାଲେଞ୍ଜ୍‌ ସୃଷ୍ଟି କରିଛି। ପାଠପଢ଼ା, ଚାକିରି ସବୁଠି ପ୍ରତବନ୍ଧକ ସାଜିଛି କରୋନା ମହାମାରୀ। ତଥାପି ଏହାର ମୁକାବିଲା ପାଇଁ ଆଗକୁ ଅନେକ ଲୋକ ଆସୁଛନ୍ତି।  ‘କେତେ ନୂଆ ବାଟ’ ହେଉଛି ଏଭଳି ଏକ ଅଭିଯାନ ଯାହା ମହାମାରୀ ସମୟରେ ଯୁବପିଢ଼ି ଏବଂ ପିଲାମାନେ ସମ୍ମୁଖୀନ ହେଉଥିବା ବିଷୟ ଉପରେ ଧ୍ୟାନ ଦେବେ ଏବଂ ସେମାନଙ୍କର କାହାଣୀକୁ ଆପଣଙ୍କ ପାଖରେ ପହଞ୍ଚାଇବ’’, କହିଛନ୍ତି ସ୍ୱାସ୍ଥ୍ୟପ୍ଲସର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ।

ଏହାସହିତ ୟୁନିସେଫ୍‌, ଓଡ଼ିଶାଙ୍କ ସହଯୋଗ ଏହି ଅଭିଯାନକୁ କେବଳ ନୂଆ ରୂପ ଦେଇନାହିଁ, ବରଂ ଅଧିକ ମହତ୍ତ୍ୱପୂର୍ଣ୍ଣ କରିପାରିଛି ବୋଲି ସେ କହିଛନ୍ତି। ଏଥିପାଇଁ ସେ ୟୁନିସେଫ୍‌ ଓଡ଼ିଶା ଓ ‘ମୋ କଲେଜ’ କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

Akash Dasnayak_Chairperson_Mo College

‘‘କେତେ ନୂଆ ବାଟ ସିଜନ ୨’ରେ ‘ମୋ କଲେଜ’ ପାର୍ଟନର ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଅଗଣିତ ଛାତ୍ରଛାତ୍ରୀ ଏବଂ ଅନେକଙ୍କୁ ଏକ ନୂଆ ରାସ୍ତା ଦେଖାଇବାରେ ସହାୟକ ହେବ। ବର୍ତ୍ତମାନ ଆମେ ସମସ୍ତେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛେ ଏହି ସମୟରେ ସମସ୍ତଙ୍କୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବାକୁ ହେବ। ତା’ ସହିତ ଆମ ଜୀବନରେ କେତେ ଯେ ନୂଆ ବାଟ ଅଛି ତାକୁ ଖୋଜିବାକୁ ହେବ। ଏହି ମହତ ଅଭିଯାନରେ ‘ମୋ କଲେଜ’ର ଅଧ୍ୟକ୍ଷ ଭାବେ ମୁଁ ସ୍ୱାଗତ କରୁଛି’’, କହିଛନ୍ତି ‘ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ।

‘‘ଏବେ ଚାରିଆଡ଼େ କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ନେଇ ଚିନ୍ତା। କିନ୍ତୁ ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିସ୍ଥିତିର ମୁକାବିଲା ଲାଗି ଲୋକଙ୍କୁ ସଚେତନ ଓ ପ୍ରସ୍ତୁତ କରିବା। ଏ ଦିଗରେ ମିଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଭଳି ଏକ ଜଟିଳ ସମୟରେ ‘ଓଡ଼ିଶାଲାଇଭ୍‌’ ଏବଂ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ମିଳିତ ଭାବରେ ଆରମ୍ଭ କରିଛନ୍ତି ‘କେତେ ନୂଆ ବାଟ ସିଜନ ୨’ ଅଭିଯାନ। ଏହାର ପ୍ରଥମ ସିଜନକୁ ଲୋକଙ୍କ ବେଶ୍ ଆଦର ମିଳିଥିଲା। ଏବେ ପୁଣି ଦ୍ୱିତୀୟ ଲହରର ଭୟ। ତେଣୁ ପୁଣିଥରେ ସିଜନ୍ ୨କୁ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି’’, କହିଛନ୍ତି ଓଡ଼ିଶାଲାଇଭ୍‌ର ବାର୍ତ୍ତା ସମ୍ପାଦକ ସରୋଜ ମହାପାତ୍ର।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବା ସହ ଟିଭି କାର୍ଯ୍ୟକ୍ରମର ଉପସ୍ଥାପକ ରହିଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ରେଡିଓ ଧାରାବାହିକରେ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

ରେଡିଓ ଧାରାବାହିକ, ଓ ଭିଡିଓ ସଂସ୍କରଣ ଛଡ଼ା ‘କେତେ ନୂଆ ବାଟ’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଫେସବୁକରେ ଭିଡିଓ ପୋଷ୍ଟ କରାଯିବ। ଏହାସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯିବ।

ଏହି ରବିବାର ଅର୍ଥାତ୍‌ ମେ’ ୨୩ ତାରିଖରେ ‘କେତେ ନୂଆ ବାଟ’ ସିଜିନ୍‌ ୨ର ରେଡିଓ ଧାରାବାହିକ ପ୍ରସାରିତ ହେବ। ପ୍ରଥମ ଅଧ୍ୟାୟରେ ଆପଣ ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍‌, ‘ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଏସ୍‌ସିବି ମେଡିକାଲ କଲେଜର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା, କୋଭିଡ ଯୋଦ୍ଧା ଶର୍ମିଷ୍ଠା ସୂତାର, ଓ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ କଳାହାଣ୍ଡିର ସ୍ୱେଚ୍ଛାସେବୀ ପଦ୍ମାବତୀ ପଟେଲଙ୍କୁ ଶୁଣିପାରିବେ।