ଚିନାବାଦମକୁ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ବୋଲି କୁହାଯାଏ। କୁଆଡେ ବୁଲିଗଲେ, ସିନେମା ଦେଖିଗଲେ, ବସ୍‌ ବା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଲୋକମାନେ ସାଧାରଣତଃ ଚିନାବାଦମ୍‌ ଖାଇବାକୁ ପସନ୍ଦ କରିଥାନ୍ତି।

Peanuts

ଚିନାବାଦାମ ଖାଇଲେ ଶରୀରକୁ ବେଶ୍‌ ଫାଇଦା ମିଳିଥାଏ। କାରଣ ଏଥିରେ ପ୍ରୋଟିନ୍‌ ସହ ଭିଟାମିନ୍‌ ଏ, ବି, ସି ଏବଂ ୨୬ ପ୍ରକାର ମିନେରାଲ୍ସ ଭରି ରହିଥାଏ। ୧୦୦ ଗ୍ରାମ୍‌ ଚିନାବାଦାମରେ ପାଖାପାଖି ୫୬୭ କ୍ୟାଲୋରି ଥାଏ। ପ୍ରତିଦିନ ଅଳ୍ପ ଅଳ୍ପ ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚିନାବାଦାମ ଖାଇବା ଦ୍ୱାରା ହୃଦ୍‌ରୋଗ, ଡାୟାବେଟିସ୍‌, କ୍ୟାନ୍‌ସର ଓ ଅନ୍ୟାନ୍ୟ ରୋଗ ହେବା ଆଶଙ୍କା କମ୍‌ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚିନାବାଦାମ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ।

ଚିନାବାଦାମ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ:

ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତିଦିନ ଚିନାବାଦାମ ଖାଇଲେ ହୃଦ୍‌ରୋଗ ହେବା ଆଶଙ୍କା କମ୍‌ ହୋଇଥାଏ। ଏଥିରେ ରହିଥିବା ରେସ୍‌ଭେରାଟୋଲ୍‌ ନାମକ ଉପାଦାନ ହୃଦ୍‌ରୋଗର ପ୍ରତିରୋଧ କରିଥାଏ। ସେହିପରି ଏଥିରେ ମହଜୁଦ୍‌ ଟ୍ରାଇଗ୍ଲିସେରାଇଡ୍‌, ମ୍ୟାଗ୍‌ନେସିୟମ୍‌, ପୋଟାସିୟମ୍‌, ଫୋଲେଟ୍‌ ଓ ଭିଟାମିନ୍‌-ଇ, ଆର୍ଜିନିନ୍‌ ବିଭିନ୍ନ ପ୍ରକାରର କାର୍ଡିଓଭାସ୍‌କୁଲାର୍‌ ରୋଗର ଆଶଙ୍କା ଦୂର କରିଥାଏ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହା ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟେରଲ୍‌ର ପରିମାଣ ବୃଦ୍ଧି ପାଏ।

SwasthyaPlus

ଏହା ବ୍ଲଡ୍‌ ସୁଗାର୍ ସ୍ତର ନିୟନ୍ତ୍ରଣ କରିଥାଏ:

ଚିନାବାଦାମର ଗ୍ଲାଇସେମିକ୍‌ ସ୍କୋର ୧୪ ହୋଇଥିବା ବେଳେ ଏହାର ଗ୍ଲାଇସେମିକ୍‌ ଲୋଡ୍‌ ୧ (ଗ୍ଲାଇସେମିକ୍‌ ଲୋଡ୍‌, ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥର ବ୍ଲଡ୍‌ ସୁଗାର୍ ଉପରେ ପ୍ରଭାବ ବିଷୟରେ ସୂଚାଇ ଥାଏ)। ଏଣୁ ଚିନାବାଦାମ ଖାଇଲେ ବ୍ଲଡ୍‌ ସୁଗାର୍ ନିୟନ୍ତ୍ରଣରେ ରହିଥାଏ।  ସେହିପରି ଏଥିରେ ମହଜୁଦ୍‌ ଫାଇବର୍‌, ମ୍ୟାଗ୍‌ନେସିୟମ୍‌ ଓ ଅନ୍ୟ ସ୍ୱାସ୍ଥ୍ୟପ୍ରଦ ତେଲ ଯୋଗୁ ମଧ୍ୟ ବ୍ଲଡ୍‌ ସୁଗର୍‌ ସ୍ତର କମ୍‌ ରହିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ସକାଳୁ ଖାଲି ପେଟରେ ଏକ ମୁଠା ଚିନାବାଦାମ ଖାଇଲେ ଦିନସାରା ବ୍ଲଡ୍‌ ସୁଗାର୍ ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର୍ ସ୍ତର ବୃଦ୍ଧି ପାଉନଥିବାରୁ ଏହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ।

weight lose

ଓଜନ ହ୍ରାସରେ ସହାୟକ ହୋଇଥାଏ:

ଉଚ୍ଚ କ୍ୟାଲୋରୀ ଯୁକ୍ତ ହେବା ସତ୍ତ୍ୱେ ଚିନାବାଦମରେ ଭରପୂର ପରିମାଣର ପ୍ରୋଟିନ୍‌, ଫାଇବର୍‌ ମହଜୁଦ୍‌ ଥିବାରୁ ଏହାକୁ ଖାଇଲେ ବହୁ ସମୟ ପର୍ଯ୍ୟନ୍ତ ଭୋକ ହୁଏନି, ଯାହାଦ୍ୱାରା ଆପଣ ଦିନରେ କମ୍‌ କ୍ୟାଲୋରୀ ଗ୍ରହଣ କରିବେ। ଏହା ସହିତ ଚିନାବାଦାମ୍‌ ଶକ୍ତିର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଏହା ଖାଇବା ଦ୍ୱାରା ଆପଣଙ୍କ ମେଟାବୋଲିଜମ୍‌ ମଧ୍ୟ ବୃଦ୍ଧି ପାଇଥାଏ, ଯାହାଦ୍ୱାରା ଆପଣଙ୍କ ଓଜନ ହ୍ରାସ ହାର ତ୍ୱରାନ୍ୱିତ ହୋଇଥାଏ।

cancer cells

କ୍ୟାନ୍‌ସର୍‌ ହେବା ଆଶଙ୍କା କମ୍‌ ହୋଇଥାଏ:

ଏଥିରେ ପଲିଫେନୋଲିକ୍‌ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏଣୁ ଏହାକୁ ଖାଇଲେ ପାକସ୍ଥଳୀ କ୍ୟାନ୍‌ସର୍‌ ହେବା ଆଶଙ୍କା କମ୍‌ ହୋଇଥାଏ। ଏହା ସହିତ ଚିନାବାଦାମରେ ବି-କମ୍ପ୍ଲେକ୍ସ ଗ୍ରୁପ୍‌ର ବିଭିନ୍ନ ଭିଟାମିନ ଯେପରିକିକ ରାଇବୋଫ୍ଲାବିନ, ନିଆସିନ୍‌, ଥାୟାମିନ୍‌, ପାଣ୍ଟୋଥେନିକ୍‌ ଏସିଡ୍‌ ଓ ଭିଟାମିନ୍‌ ବି-6 ଓ ଫୋଲେଟ୍‌ ଅଛି। ନିଆସିନ୍‌ ଥିବାରୁ ଏହା ମସ୍ତିସ୍କକୁ ରକ୍ତ ପ୍ରବାହ ପାଇଁ ମଧ୍ୟ ସହାୟତା କରିଥାଏ।

ଚିନାବାଦାମରେ ସମସ୍ତ ପ୍ରକାରର ଆମିନୋଏସିଡ୍‌ ତଥା ପ୍ରୋଟିନ୍‌ ମହଜୁଦ୍ ରହିଥିବାରୁ ଏହା କେଶ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ଚିନାବାଦାମ୍‌ ଖାଇଲେ ଶରୀରକୁ ପର୍ଯ୍ୟାପ୍ତ କ୍ୟାଲ୍‌ସିୟମ୍‌ ମଧ୍ୟ ମିଳିଥାଏ, ଯାହା ହାଡକୁ ଶକ୍ତ କରିଥାଏ। ଚିନାବାଦାମ୍‌ ଶକ୍ତିର ଗନ୍ତାଘର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିନକୁ କେବଳ ଗୋଟିଏ ମୁଠା ଚିନାବାଦାମ ଖାଇବା ଦ୍ୱାରା ମଧ୍ୟ ବିଶେଷ ଲାଭ ମିଳିଥାଏ ବୋଲି ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି।