ଡାକ୍ତର ନିଶିଥ କୁମାର ମହାନ୍ତି

କିଡନି ବା ବୃକକ ଆମ ଶରୀରରେ ଫିଲଟର ଭଳି କାମ କରେ। ଶରୀରର ବର୍ଜବସ୍ତୁ ତଥା କ୍ଷତିକାରକ ପଦାର୍ଥ ରକ୍ତରୁ ଛାଣି ପରିଶ୍ରା ଦ୍ୱାରା ବାହାର କରିଥାଏ। ଏପରିକି  ଶରୀରରେ ପାଣିର ମାତ୍ରାକୁ କିଡ୍‌ନୀ ନିୟନ୍ତ୍ରଣ କରିଥାଏ। ସୋଡିୟମ ପୋଟାସିୟମ କ୍ୟାଲସିୟମର ସଞ୍ଚାଳନ କିଡନୀ କରିଥାଏ। ଏଥିରୁ ହରମୋନ ମଧ୍ୟ ବାହାରେ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରେ। ଏହା ଆମ ଶରୀରରେ ଦିନ ରାତି ୨୪ ଘଣ୍ଟା କାମ କରି ଚାଲିଥାଏ।

ମଧୁମେହ ରୋଗୀ କିମ୍ବା ହାଇ ବ୍ଲଡପ୍ରେସର ରୋଗୀଙ୍କର କିଡନି ଖରାପ ହେବାର ବେଶୀ ସମ୍ଭାବନା ଥାଏ। ବଂଶଗତ କାରଣରୁ ମଧ୍ୟ କିଡନି ଖରାପ ହୋଇଥାଏ। ମାତ୍ରାଧିକ ପେନକିଲର ସେବନ ଦ୍ୱାରା ମଧ୍ୟ ପ୍ରଭାବ ପଡିଥାଏ। ବହୁ ବ୍ୟକ୍ତି ଛୋଟମୋଟ ବିନ୍ଧା ଛିଟକା ହେଲେ ଅଧିକାଂଶ ସମୟରେ ପେନ କିଲର ଖାଇଥାନ୍ତି । ଯାହା ମଣିଷ ଶରୀର ପାଇଁ କ୍ଷତିକାରକ। ଆମେ ଏସିଡି କିମ୍ବା ଗ୍ୟାସଟ୍ରିକ ହେଲେ  ଯିଏ ଯାହା ଔଷଧ କହିଲା ତାହା ସେବନ କରିଦେଉ। ଏପରି ଅଧିକ ଦିନ ଖାଇଲେ ମଧ୍ୟ କିଡନି ଉପରେ ପ୍ରଭାବ ପଡିଥାଏ।

କିଡନି ୮୦ ପ୍ରତିଶତ ଖରାପ ନ ହେଲେ ଜଣାପଡେନି ଯେ, କିଡନି ରୋଗ ହୋଇଛି ବୋଲି। ତେଣୁ ଅଧିକାଂଶ ଲୋକ ରୋଗ ସମ୍ପର୍କରେ ଜାଣିପାରନ୍ତି ନାହିଁ।

କିଡନି ଫେଲ୍ ହେଲେ କଣ ସବୁ ଲକ୍ଷଣ ଦେଖାଦିଏ

  • ଦେହ, ହାତ ଓ ମୁହଁ ଫୁଲିବା
  • ଦୁର୍ବଳ ଲାଗିବା ଓ କାମରେ ମନ ନ ଲାଗିବା
  • ରାତିରେ ଅଧିକ ଥର ପରିଶ୍ରା ହେବା
  • ଭୋକ ନ ହେବା
  • ରକ୍ତ ହୀନତା ହେବା

  • କିଡନି ଖରାପ ହେଲେ ହଠାତ୍ ଜଣେ ବ୍ୟକ୍ତିର ରକ୍ତଚାପ ବଢିଯାଏ
  • ଦେହହାତ କୁଣ୍ଡେଇ ହେବ
  • ଅଣନିଶ୍ୱାସ ଲାଗିବା
  • ରାତିରେ ନିଦ ନ ଲାଗିବା ଦିନରେ ନିଦ ଲାଗିବା
  • କିଡନି ସମ୍ପୂର୍ଣ୍ଣ କାମ କରିବା ବନ୍ଦ କରିଦେଲେ ରୋଗୀ ବେହୋସ ହୋଇଯାଇପାରେ

ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

(କିଡନି ବିଶେଷଜ୍ଞ, ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ସ)