ବହୁ ଗବେଷକଙ୍କ ମତରେ ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ ଅଟେ। ଏଥିରୁ ବିଚ୍ୟୁତି ନିଶ୍ଚିନ୍ତ ରୂପେ କ୍ଷତିକାରକ। ତେଣୁ ପ୍ରକୃତରେ ପର୍ଯାପ୍ତ ପରିମାଣର ନିଦର ଅଭାବରେ କି କି ଅସୁବିଧା ହୁଏ ଜାଣି ରଖନ୍ତୁ।

sleeplessness reason

ସାଧାରଣ ଭାବରେ ରାତିରେ ଯଥେଷ୍ଟ ପରିମାଣର ବିଶ୍ରାମ ପ୍ରତ୍ୟେକ ମନୁଷ୍ୟ ଲାଗି ଆବଶ୍ୟକ। ଦିନ ତମାମରେ ମଣିଷ କରୁଥିବା ଉଭୟ ଶାରୀରିକ ଓ ମାନସିକ ପରିଶ୍ରମ ପାଇଁ ରାତିରେ ଭଲ ନିଦ ହେବା ଜରୁରୀ। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ରହି ଯଥେଷ୍ଟ ପରିମାଣର ନିଦ ଏକ ସ୍ୱପ୍ନ ଭଳି ଲାଗୁଛି। ଠିକ୍ ଭାବେ ନିଦ ନ ହେବା ଏକ ରୋଗର ରୂପ ନେବାକୁ ବସିଲାଣି। କିଛି ଲୋକ ରୋଗକାରଣରୁ ନିଦ ନ ହେଉଥିବା କହୁଥିବା ବେଳେ ଆଉ କିଛି ଲୋକ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଅନିଦ୍ରା ହେବା କଥା କହୁଛନ୍ତି। ବର୍ତ୍ତମାନର ଯୁବପିଢି ଆଧୁନିକୀକରଣ ଓ ସାମାଜିକ ଗଣମାଧ୍ୟମରେ ଏତେ ମାତ୍ରାରେ ମଜି ଯାଉଛି ଯେ ଦିନ ଓ ରାତିର ଅନ୍ତର ଭୁଲି ଯାଉଛି। କେହି କେହି ମଧ୍ୟ ରାତିକୁ ନିଜ ସଫଳତାର ମନ୍ତ୍ର ରୂପେ ବାଛି ନେଇଛନ୍ତି।

କିନ୍ତୁ ଏ ସବୁ ମଧ୍ୟରେ ରାତି ଅନିଦ୍ରା ହେବା ଓ ଡେରି ରାତି ପର୍ଯ୍ୟନ୍ତ ଚାହିଁବା ଯୋଗୁଁ ମନୁଷ୍ୟ ଶରୀର ଉପରେ ପଡୁଥିବା କୁପ୍ରଭାବ ବିଷୟରେ ହୁଏତ ଲୋକମାନେ ଅବଗତ ନାହାନ୍ତି। ଭବିଷ୍ୟତରେ ଏହି କୁ ଅଭ୍ୟାସ କେତେ ଭୟାବହ ରୂପ ନେଇପାରେ ବୋଧହୁଏ ମଣିଷ ତାହା ପାସୋରି ସାରିଛି। ଅନିଦ୍ରା ହେବା ଲାଗି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ, ଏଭଳି କି ଏଥିଲାଗି ମନୁଷ୍ୟ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ମଧ୍ୟ ରହିଛି।

୧. ରୋଗାକ୍ରାନ୍ତ ହେବାର ସମ୍ଭାବନା

ଗବେଷଣାରୁ ଜଣାଯାଏ ଯେ ଦୈନିକ ୬ ଘଣ୍ଟାରୁ କମ ସମୟ ଶୋଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମଧୁମେହ, ଷ୍ଟ୍ରୋକ ଏବଂ ହୃଦ୍‌ଘାତଜନିତ ରୋଗ ବେଶୀ ପରିମାଣରେ ଦେଖାଦେଇଥାଏ।

୨. ଅତ୍ୟଧିକ ରକ୍ତଚାପ

ଉତ୍ତମ ନିଦ ମଣିଷକୁ ମାନସିକ ଚାପ ମୁକ୍ତ କରାଇବାରେ ସହାୟକ ହୁଏ ଏବଂ ଏହା ରକ୍ତଚାପକୁ ନିୟନ୍ତ୍ରଣ ମଧ୍ୟ କରାଇଥାଏ। କିନ୍ତୁ ଅଧିକ ସମୟ ଚାହିଁବା ଫଳରେ ରକ୍ତଚାପ ବଢିବା ସହ ହୃଦ୍‌ଘାତ ଓ ଯକୃତଜନିତ ସମସ୍ୟା ଦେଖାଦେଇଥାଏ।

୩. ରୋଗପ୍ରତିରୋଧକ ଶକ୍ତିରେ ହ୍ରାସ

ପ୍ରତ୍ୟେକ ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ରହିଥାଏ। ଯାହା ବାହ୍ୟ ଜୀବାଣୁ କବଳରୁ ମଣିଷ ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ। କିନ୍ତୁ ୬ ଘଣ୍ଟାରୁ କମ ସମୟ ଶୋଉଥିବା ବ୍ୟକ୍ତିମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହିତ ଦେହ ଅସୁସ୍ଥ ଥିବା ସମୟରେ ନେଉଥିବା ବିଭିନ୍ନ ପ୍ରକାରର ଟୀକାର ପ୍ରଭାବ ଅପେକ୍ଷାକୃତ କମ୍‌ ଦେଖାଯାଇଥାଏ।

depression

୪. ମାନସିକ ଦୁଶ୍ଚିନ୍ତା

କମ ସମୟ ଶୋଉଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ମାନସିକ ଚିନ୍ତାର ଶିକାର ହୋଇଥାନ୍ତି। ଏହାର ପ୍ରମୁଖ କାରଣ ହେଉଛି କମ ଶୋଇବା ଫଳରେ ଶରୀରରେ ଥିବା ଷ୍ଟ୍ରେସ ହରମୋନ ଅଧିକ ମାତ୍ରାରେ ନିର୍ଗତ ହୋଇଥାଏ। ଯାହାଫଳରେ ଲୋକଟି ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥାଏ। ମାନସିକ ଦୁଶ୍ଚିନ୍ତା ଲୋକଟିକୁ ଅଧିକରୁ ଅଧିକ ଦୁର୍ବଳ କରିଦେଇଥାଏ।

୫. ସୃଜନଶୀଳତାରେ ହ୍ରାସ

ବିଜ୍ଞାନ ଅନୁସାରେ ମଣିଷର ମସ୍ତିଷ୍କ ତଥ୍ୟ ସଂଗ୍ରହ କରିବା ଏବଂ ତା’ ସହିତ ତଥ୍ୟଗୁଡ଼ିକୁ ଗଚ୍ଛିତ କରି ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଉପଯୁକ୍ତ ନିଦର ଅଭାବରୁ ମଣିଷର ମସ୍ତିସ୍କ ଠିକ୍‌ ଭାବେ କାମ କରିପାରେ ନାହିଁ ଓ ଏହା ଫଳରେ କେତେକ କ୍ଷେତ୍ରରେ ମଣିଷ ତା’ର ସ୍ମୃତିଶକ୍ତି ହରାଇବସେ।

angry mood

୬. ନକରାତ୍ମକ ଭାବନା ବଢିବା

ଶାରୀରିକ ଥକାପଣ ଯୋଗୁଁ କେତେକ ସମୟରେ ମନୁଷ୍ୟର ଭାବନା ଉପରେ ତାର ନିୟନ୍ତ୍ରଣ ରହିନଥାଏ ଏବଂ ମନୁଷ୍ୟର ମନ ଭିତରେ ନକରାତ୍ମକ ଭାବନା ବଢିବା ଆରମ୍ଭ ହୋଇଯାଏ। ଫଳସ୍ୱରୂପ ବ୍ୟକ୍ତିଟି ଚିଡ଼ିଚିଡ଼ା, ରାଗିବା ପ୍ରଭୃତି ନକରାତ୍ମକ ଦିଗ ଦେଇ ଗତି କରିଥାଏ। ଏହି ନକରାତ୍ମକ ଚିନ୍ତାଧାରା ମନୁଷ୍ୟକୁ ମାନସିକ କ୍ଷେତ୍ରରେ ଦୁର୍ବଳ କରିଦିଏ।

୭. ନିଷ୍ପତି ନେବାରେ ଅପାରଗତା

ମନୁଷ୍ୟର ମସ୍ତିଷ୍କରେ ଥିବା ଅନେକଗୁଡିଏ ବିଶେଷ ଅଂଶ ତା’କୁ ବିଭିନ୍ନ ନିଷ୍ପତି ଓ ଚୟନ ପ୍ରକ୍ରିୟାରେ ସାହାଯ୍ୟ କରନ୍ତି। କିନ୍ତୁ ମସ୍ତିଷ୍କକୁ ଯଥେଷ୍ଟ ପରିମାଣର ଆରାମ ନ ମିଳିବା ଫଳରେ ନିଷ୍ପତି ନେବା ଓ ଭୁଲ୍ ଠିକ୍‌ ନିର୍ଣ୍ଣୟ କରିବାରେ ମଣିଷ ମଧ୍ୟରେ ଅପାରଗତା ଦେଖାଦେଇଥାଏ।

eye care

୮. ଦୃଷ୍ଟିଶକ୍ତିଜନିତ ସମସ୍ୟା

ଅଧିକ ସମୟ ଚେଇଁ ରହିବା ଫଳରେ ମଣିଷର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ। ଆଖିକୁ ଯଥେଷ୍ଟ ଆରାମ ନ ମିଳିବା ଯୋଗୁଁ ଚକ୍ଷୁ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ସେହିଭଳି କେତେଗୁଡ଼ିଏ ସମସ୍ୟା ହେଲା ଆଖିକୁ ଝାପସା ଦେଖାଯିବା, ଆଖିବ୍ୟଥା କରିବା ପ୍ରଭୃତି।

weight lose

୯. ଓଜନ ବୃଦ୍ଧି

ଅନେକଗୁଡିଏ ଅଧ୍ୟୟନ ଅନୁଯାୟୀ ବେଶୀ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଥିବା ଲୋକମାନଙ୍କ କ୍ଷେତ୍ରରେ ଓଜନ ବଢିବା ଭଳି ସମସ୍ୟାମାନ ଦେଖାଦେଇଥାଏ। ଆମେରିକାରେ ପ୍ରକାଶିତ ହୋଇଥିବା “ହ୍ୟୁମାନ ବାୟୋଲୋଜି” ନାମକ ଏକ ଜର୍ନାଲର ତଥ୍ୟ ଅନୁସାରେ ନିଦ କମ ହେବା ଫଳରେ ଶରୀରରେ ଭୋକ ବୃଦ୍ଧି କରାଉଥିବା ହରମୋନ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ। ଯାହାଫଳରେ ଭୋକ ନ ଲାଗିବା ସହିତ ଖାଇବା ପ୍ରତି ଆଗ୍ରହ କମିଯିବା ଭଳି ସମସ୍ୟା ଦେଖାଦିଏ।

accident

୧୦. ଦୁର୍ଘଟଣା ପ୍ରବଣତା

କେତେଜଣ ବୈଜ୍ଞାନିକଙ୍କ ପରୀକ୍ଷା ଅନୁସାରେ ମଦ୍ୟପଙ୍କ ଅପେକ୍ଷା ରାତି ଅନିଦ୍ରା ହୋଇ ଗାଡି ଚଲାଉଥିବା ଲୋକଙ୍କ କ୍ଷେତ୍ରରେ ଦୁର୍ଘଟଣା ଅପେକ୍ଷାକୃତ ଅଧିକ ଦେଖାଯାଏ। ରାତିରେ ଠିକ୍‌ ଭାବରେ ନ ଶୋଇବା ହେତୁ ଗାଡ଼ି ଚଳାଇବା ସମୟରେ ସେମାନଙ୍କର ଧ୍ୟାନ ରାସ୍ତା ଉପରେ ରହିନଥାଏ। ତେଣୁକରି ଏହି ସମସ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଦୁର୍ଘଟଣା ପ୍ରବଣତା ଅଧିକ ରହିଥାଏ।

dry and cracked hand

ଏହି ପ୍ରମୁଖ କାରଣକୁ ବାଦ ଦେଲେ ଆହୁରି ଅନେକ କାରଣ ରହିଛି ଯାହା ନିଦର ଅଭାବରୁ ହୋଇଥାଏ। ଏହି ସମସ୍ୟା ମଧ୍ୟରେ ବିଭିନ୍ନ ଚର୍ମଜନିତ ସମସ୍ୟା, ଯଥା ଚର୍ମ ଶୁଷ୍କ ହୋଇଯିବା, ଚର୍ମଜନିତ ରୋଗ ଦେଖାଦେବା ଇତ୍ୟାଦି ରହିଛି । ଆହୁରି ମଧ୍ୟ ନିଦ ଅଭାବରୁ ବୈବାହିକ ଜୀବନରେ ଅନେକ ଅସୁବିଧା ଦେଖାଦେଇଥାଏ। ତେଣୁ ମନୁଷ୍ୟର ଶରୀର ଓ ମସ୍ତିଷ୍କକୁ ଠିକ୍‌ ଭାବରେ କାମ କରିବା ଲାଗି ନିଦ ନିତ୍ୟାନ୍ତ ଜରୁରୀ ଅଟେ।