ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ

କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

‘‘ଦ୍ୱିତୀୟ ଲହର ସଂକ୍ରମଣ ସାରାଦେଶରେ ମାଡ଼ି ଚାଲିଛି। ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ଗତବର୍ଷ ଅପେକ୍ଷା ଢେର ଅଧିକ ରହିଛି। ଏହାକୁ ଆଖି ଆଗରେ ରଖି ପ୍ରତିଟି ଲୋକ କୋଭିଡ୍‌କୁ ନେଇ ସଚେତନ ରହିବା ଦରକାର। ସରକାର ଯାହା ଯାହା ଗାଇଡଲାଇନ ଦେଇଛନ୍ତି ତାକୁ ମାନିବା ଦରକାର। ତେଣୁ ସବୁବେଳେ ମାସ୍କ, ପିନ୍ଧନ୍ତୁ, ଶାରୀରିକ ଦୂରତା ରକ୍ଷା କରନ୍ତୁ, ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ନିଜ ପାଳି ଆସିଲେ ଟିକା ନିଅନ୍ତୁ’’, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

kete nua bata featured image

ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ ସେ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ଏହି ଅଭିଯାନ ପାଇଁ ୟୁନିସେଫ୍‌ ସହାୟତା ଦେଇଥିଲା ବେଳେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଏହାର ନଲେଜ ପାର୍ଟନର ରହିଛି।

କୋଭିଡ ନିୟମ ପାଳିବ ସହ ସେ କରୋନାକୁ ନ ଡରିବା ପାଇଁ ପରାମର୍ଶ ଦେଇଛନ୍ତି। କାହାଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖାଗଲେ ଡରନ୍ତୁ ନାହିଁ। ହୋମ୍‌ ଆଇସୋଲେସନରେ ନିଜର ଚିକିତ୍ସା କରନ୍ତୁ। ଏହାସହିତ ନିଜ ଜିଲ୍ଲାର କୋଭିଡ୍‌ ହେଲ୍‌ପ ଲାଇନ୍‌ ସେଣ୍ଟରକୁ ଯୋଗାଯୋଗ କରନ୍ତୁ। ନିଜର ଲକ୍ଷଣ ସମ୍ପର୍କରେ କହି ଫୋନ୍‌ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି ରାପିଡ୍‌ ରେସପନ୍ସ ଟିମ୍‌ (ଆର୍‌ଆର୍‌ଟି) ଦ୍ୱାରା ଦିଆଯାଉଥିବା ହୋମ୍‌ ଆଇସୋଲେସନ କିଟ୍‌ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍‌ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।