ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଓ ଡକ୍ଟର ଉଦୟନାଥ ଦାଶ

ଜଣେ ମଣିଷର ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୋଳମାଳ ଉପୁଜିଲେ ତୁରନ୍ତ ତା’ର ଚିକିତ୍ସା କରାଯିବା ଜରୁରୀ।

ବିଶେଷକରି ଓଡ଼ିଶାରେ ମାନସିକ ଅସୁସ୍ଥତା ପାଇଁ କୌଣସି ଚିକିତ୍ସାର ବ୍ୟବସ୍ଥା ନାହିଁ। ମୂଳତଃ ଶାରୀରିକ ରୋଗର ଚିକିତ୍ସା ଓ ମାନସିକ ରୋଗର ଚିକିତ୍ସାର ବ୍ୟବସ୍ଥା ସ୍ୱତନ୍ତ୍ର। ମାନସିକ ରୋଗୀର ଅସ୍ୱାଭାବିକ ବ୍ୟବହାର ଓ ରୋଗର ଉତ୍କଟ ଅବସ୍ଥାରେ ସେମାନଙ୍କୁ ଚଳେଇବା କଷ୍ଟକର ହୋଇ ଥିବାରୁ ସେମାନଙ୍କୁ କଡ଼ା ପହରାରେ ରଖା ଯାଉଥିଲା।

mental stress_lockdown

ଏବେ ମାନସିକ ରୋଗୀମାନଙ୍କୁ ଔଷଧ ଦେଇ ନିସ୍ତେଜ କରି ରଖିବା ସମ୍ଭବ ହୋଇ ପାରୁଛି। ଆଗ ପରି ସେମାନେ ପାଗଳା ଗାରଦରେ ନ ରହି ନର୍ସିଂହୋମ୍ ବା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆୟୁର୍ବେଦିକ ଚିକିତ୍ସା ମଧ୍ୟ ହେଉଛି, ମାତ୍ର ମାନସିକ ଅସୁସ୍ଥତା ବିଷୟରେ ବିଶେଷ ଜଣା ନ ଥିବାରୁ, ଅନେକ ଡାଆଣୀ, ଭୂତ ବା କାଳିସୀ ଲାଗିଥିବାରୁ ଏଭଳି ଅବସ୍ଥା ହେଉଛି ବୋଲି ଭାବି ଗୁଣିଆ ଡାକି ଭୂତ ଛଡ଼ାନ୍ତି କିମ୍ବା ଜ୍ୟୋତିଷଙ୍କ ପାଖକୁ ଯାଇ ଜାତକ ଦେଖାଇ ଗ୍ରହଶାନ୍ତି ପାଇଁ ବିଧି ବିଧାନ କରନ୍ତି।

ମାନସିକ ରୋଗର କାରଣ ଓ ନିରାକରଣ ବିଷୟରେ ପାରମ୍ପରିକ ଧାରଣା ଓ ବୈଜ୍ଞାନିକ ଧାରଣା ମଧ୍ୟରେ ବ୍ୟବଧାନ ରହିଥିବାରୁ ରୋଗ ନିର୍ଣ୍ଣୟ ଓ ରୋଗର ଚିକିତ୍ସା ବିଷୟରେ ମଧ୍ୟ ଘୋର ମତଭେଦ ହେଉଛି।

ପ୍ରଥମ କଥା ହେଲା, ଯିଏ ଡାକ୍ତରୀ ଚିକିତ୍ସା ପାଇଁ ଯାଉଛି, ଡ଼ାକ୍ତର ଅଭାବ ଓ ହସ୍ପିଟାଲରେ ବେଡ୍‌ର ଅଭାବ ଯୋଗୁଁ ସେମାନେ ସୁଚିକିତ୍ସା ପାଇ ପାରୁନାହାନ୍ତି।

ଦ୍ୱିତୀୟ କାରଣ ହେଲା ମାନସିକ ଅସୁସ୍ଥତା ବିଷୟରେ ବହୁ ଭୁଲ ଧାରଣା ଥିବାରୁ ଅନେକ ଏଭଳି ରୋଗକୁ ଲୁଚାନ୍ତି। ବାହାଘର ହୋଇ ପାରିବ ନାହିଁ, ଚାକିରି ମିଳିବ ନାହିଁ, ପାଠପଢ଼ା ପିଲାକୁ ହଷ୍ଟେଲରେ ରଖିବେ ନାହିଁ, ବାହା ହେଇଥିଲେ ଆଇନ ଅନୁସାରେ ବିବାହ ବିଚ୍ଛେଦ ହେଇପାରିବ ଭଳି ବିଭିନ୍ନ ଦୁର୍ଯୋଗର ସମ୍ଭାବନା ଥାଏ ବୋଲି ମାନସିକ ରୋଗ ହେଲେ ଘରଲୋକ ଭୂତ, ଡାଆଣୀ ବା କାଳିସୀ ଲାଗିଛି ବୋଲି ଭାବିବାକୁ ଚାହାନ୍ତି।

ଏଥିପାଇଁ ବର୍ତ୍ତମାନ ବିଭିନ୍ନ ଉନ୍ନତିଶୀଳ ଦେଶରେ ଯେଉଁଠି ବୈଜ୍ଞାନିକ ଧାରଣା ସହିତ, ଭୂତପ୍ରେତ, ପିଶାଚ ଡ଼ାହାଣୀ ପରି ଅଶରୀରି ଶକ୍ତିର କୁପ୍ରଭାବ ବିଷୟରେ ଧାରଣା ବଦ୍ଧମୂଳ ହୋଇ ରହିଛି, ସେଠି ଏଭଳି ପାରମ୍ପାରିକ ଚିକିତ୍ସକମାନଙ୍କୁ, ମାନସିକ ରୋଗର ଲକ୍ଷଣ, ରୋଗ ନିର୍ଣ୍ଣୟ ଓ ରୋଗର ଡ଼ାକ୍ତରୀ ଚିକିତ୍ସା ଦ୍ୱାରା ରୋଗର ଉପଶମ ବିଷୟରେ ତାଲିମ ଦିଆଯାଉଛି। ସେମାନେ ମଧ୍ୟ ଦେଖୁଛନ୍ତି ଯେ ତାଙ୍କ ପଦ୍ଧତିରେ ରୋଗ ଭଲ ନ ହେଲେ ସେମାନଙ୍କର ସୁଖ୍ୟାତି ନ ବଢ଼ି କୁଖ୍ୟାତି ବଢ଼ିବ। ତେଣୁ ସେମାନେ କହୁଛନ୍ତି, ଆମେ ଯାହା କରିବାର କଥା କରୁଛୁ। ତୁମେ ଡ଼ାକ୍ତରୀ ଚିକିତ୍ସା ମଧ୍ୟ କର। ଡ଼ାକ୍ତର ମଧ୍ୟ ଦେଖୁଛନ୍ତି ଯେ ଯିଏ ଭୂତ, ପ୍ରେତ ଓ ଗ୍ରହଦଶାରେ ବିଶ୍ୱାସ କରେ ତା’କୁ କେବଳ ଔଷଧ ଦେଇ ସେ ଶାନ୍ତ କରିପାରିବେ ନାହିଁ, ତା’ର ମନର ଭୟ, ଆଶଙ୍କା, ଦୁଃସ୍ୱପ୍ନ ଯଦି ଗ୍ରହରତ୍ନ ଧାରଣ କରି କମିଗଲା ଓ ସେ ରାତି ଅନିଦ୍ରା ନ ହୋଇ ଶାନ୍ତିରେ ଶୋଇଲା, ତାହେଲେ ସେ ଶୀଘ୍ର ଆରୋଗ୍ୟ ଲାଭ କରିବ। ତେଣୁ ବୈଜ୍ଞାନିକ ପଦ୍ଧତିର ଡ଼ାକ୍ତରୀ ଚିକିତ୍ସା ସହିତ, ଦୈବୀଶକ୍ତିର ପ୍ରଭାବକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥାକୁ ମିଶେଇ ମାନସିକ ରୋଗର ଚିକିତ୍ସା ହେଉଛି। ପ୍ରଶ୍ନ ହେଲା ଯେ ଏଭଳି ଅବୈଜ୍ଞାନିକ ଓ ଅଯୌକ୍ତିକ ପ୍ରଥାର ବ୍ୟବହାରକୁ ପ୍ରଶ୍ରୟଦେବା କ’ଣ ଉଚିତ?

ତେବେ ଡ଼ାକ୍ତରୀ ଗବେଷଣାରେ ଦେଖାଯାଉଛି ଯେ ‘ପ୍ଲାସିବୋ’ ଅର୍ଥାତ୍‌ ଯେଉଁ ଚିନି ବଟିକାର ରୋଗ ଭଲ କରିବାର କ୍ଷମତା ନାହିଁ, ତା’କୁ ଖାଇ ଲୋକେ ଜମାରୁ ଔଷଧ ଖାଇନଥିବା ରୋଗୀଙ୍କ ତୁଳନାରେ ଅଧିକ ଉପଶମ ପାଉଛନ୍ତି, ଅଥଚ ଏପରି ରୋଗ ଉପଶମ ହେବାର କୌଣସି କାରଣ ନାହିଁ।

ଆମେ ଯେତେବେଳେ ଆଶା ଭରସା ହରାଉ, ସେତେବେଳେ ଆମ ବ୍ରେନରେ ଯେଉଁ ରସ କ୍ଷରଣ ହୁଏ, ସେ ରସର କ୍ରିୟା ପ୍ରକ୍ରିୟା ଯୋଗୁଁ ମନ ଆହୁରି ଭାରାକ୍ରାନ୍ତ ହୁଏ, ଫଳରେ ମାନସିକ ଦୁଶ୍ଚିନ୍ତା ଓ ବିଷାଦରେ ଆକ୍ରାନ୍ତ ରୋଗୀର ରୋଗ ବଢ଼େ। ଅନ୍ୟ ଦିଗରେ ଅନ୍ୟ ଲୋକର ସାହାଯ୍ୟ ପାଇଲେ, ଅନ୍ୟଠାରୁ ଭରସା ପାଇଲେ ମନରେ ଆଶାର ଉଜ୍ଜ୍ୱଳ ଭାବ ଦେଖାଦିଏ ଓ ବ୍ରେନରେ ଡୋପାମାଇନ ବୋଲି ଏକ ସୁଖପ୍ରଦ ରସର କ୍ଷରଣ ହୋଇଥାଏ।

ଡ଼ାକ୍ତରୀ ଚିକିତ୍ସାରେ ବ୍ରେନ୍ ରସର କ୍ରିୟା ପ୍ରକ୍ରିୟାର ସମତା ରକ୍ଷା କରି ମସ୍ତିଷ୍କର ଦୁର୍ବଳତା ଦୂର କରି ରୋଗୀକୁ ସୁସ୍ଥ ରଖିବାର ପ୍ରଚେଷ୍ଟା କରାଯାଏ। ତେଣୁ ଔଷଧର ଯେପରି ରୋଗଦାୟକ ଗୁଣ ଅଛି, ସେହିପରି ଆଶା, ଭରସାର ମଧ୍ୟ ଆରୋଗ୍ୟଦାୟକ ଗୁଣ ଅଛି। ଯାହା ଉପରେ ବିଶ୍ୱାସ ନାହିଁ, ତା’ ଉପରେ ଆଶାଭରସା ମଧ୍ୟ ନାହିଁ। ଯାହାର ବିଶ୍ୱାସ ତା’କୁ ଡାଆଣୀ ଲାଗିଛି, କିମ୍ବା ବୀର ପେଷି କେହି ତାହାର ଅନିଷ୍ଟ କରୁଛି ସେ ଔଷଧ ଖାଇ ସହଜରେ ଭଲ ହେବ ନାହିଁ। କାରଣ ତା’ର ମନରୁ ସମ୍ପୂର୍ଣ୍ଣ ଭାବରେ ଆଶଙ୍କା ଓ ଭୟ ଯାଏ ନାହିଁ। ଏ କ୍ଷେତ୍ରରେ କାଉନସେଲିଂ ଫଳରେ ମନର ଭୁଲ ଧାରଣା ଦୂର ହେଲେ ଯାଇ ଔଷଧ ଓ ଅନ୍ୟ ଡ଼ାକ୍ତରୀ ଚିକିତ୍ସା ଫଳପ୍ରଦ ହେଇଥାଏ। ସାଇକ୍‌ଆର୍ଟିଷ୍ଟ ପରି ବିଶେଷଜ୍ଞ ମାନସିକ ଚିକିତ୍ସକଙ୍କ ସଂଖ୍ୟା କମ ଓ ଏଭଳି ଚିକିତ୍ସା ପାଇଁ ଦେଶରେ ବ୍ୟବସ୍ଥା କମ, ନୂଆ ଡ଼ାକ୍ତରଖାନା ତିଆରି କରିବାକୁ ଓ ନୂଆ ମେଣ୍ଟାଲ ହେଲ୍‌ଥ ସେଣ୍ଟର ଖୋଲିବାକୁ ସମୟ ଲାଗିବ, କାରଣ ଅନ୍ୟାନ୍ୟ ସଂକ୍ରାମକ ରୋଗ, କ୍ୟାନସର୍‌ ବା ହୃଦ୍‌ରୋଗ ପରି ମାନସିକ ରୋଗ ମାରାତ୍ମକ ନୁହେଁ ଓ ଜନସାଧାରଣ ମାନସିକ ରୋଗର ଚିକିତ୍ସା ପାଇଁ ଦାବି କରୁନାହାନ୍ତି। ଏ କ୍ଷେତ୍ରରେ କ’ଣ କଲେ ସର୍ବସାଧାରଣଙ୍କୁ ମାନସିକ ଚିକିତ୍ସା ପାଇଁ ସୁଯୋଗ ମିଳିବ?

ବର୍ତ୍ତମାନ କେତେକ ଦେଶରେ ଶାରୀରିକ ଓ ମାନସିକ ଚିକିତ୍ସା ସ୍ୱତନ୍ତ୍ର ଭାବରେ ନ କରି ଏକାଠି କରାଯାଉଛି। କାରଣ ଯିଏ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ନିଶ୍ଚିତ ଭାବି ସପରିବାରେ ଆତ୍ମହତ୍ୟା କରୁଛି ସେ ମାନସିକ ବିଷାଦଗ୍ରସ୍ତ ହେଉଛି ବୋଲି କହିହେବ। ଯାହାର ହାତ ବା ଗୋଡ଼ କଟା ଯାଉଛି ସେ ମଧ୍ୟ ବିଷାଦଗ୍ରସ୍ତ ହେଉଛି ନିଜର ଅଚଳ ଓ ଅକର୍ମା ଅବସ୍ଥା ଭାବି। ଏଭଳି ବିଭିନ୍ନ ଲୋକଙ୍କୁ ସାଧାରଣ ଡ଼ାକ୍ତର ଔଷଧ ଦେଇ ଚିକିତ୍ସା କରୁଛନ୍ତି। ଏଇ କ୍ଷେତ୍ରରେ ଡ଼ାକ୍ତରମାନଙ୍କୁ ଯଦି ମାନସିକ ରୋଗର ଚିକିତ୍ସା ବିଷୟରେ ଅଧିକ ଶିକ୍ଷା ଓ ତାଲିମ ଦିଆଯାଏ, ତାହା ହେଲେ ସେମାନେ ସାନ ସହର ଓ ଗାଆଁ ଅଞ୍ଚଳର ଲୋକଙ୍କୁ ଚିକିତ୍ସା କରିପାରିବେ। ଆରମ୍ଭ ଅବସ୍ଥାରେ ରୋଗର ଚିକିତ୍ସା ହେଲେ ଆରୋଗ୍ୟ ହେବାର ସମ୍ଭାବନା ବଢ଼େ ଓ ରୋଗ ଲକ୍ଷଣର ଉପଶମ ହେଲେ ରୋଗୀ ଓ ଘରଲୋକ ମଧ୍ୟ ଉପକୃତ ହୁଅନ୍ତି।

ମାନସିକ ରୋଗଗ୍ରସ୍ତ ଲୋକ ସୁଚିକିତ୍ସା ପାଇଲେ କର୍ମକ୍ଷମ ରୁହନ୍ତି। ନିଜର ଚାକିରୀ, ବ୍ୟବସାୟ ବା ଚାଷବାସ ବୁଝିବାରେ ଅସୁବିଧା ହୁଏ ନାହିଁ କି ରୋଜଗାରରେ କ୍ଷତି ହୁଏ ନାହିଁ। କାଶ, ସର୍ଦ୍ଦି, ପେଟ ଖରାପ ଇତ୍ୟାଦି ରୋଗ ଯେପରି ସାବଧାନରେ ଚଳିଲେ କିମ୍ବା ସାମାନ୍ୟ ଚିକିତ୍ସାରେ ଭଲ ହେଇଯାଏ, ସେପରି ବହୁ ମାନସିକ ବିଚଳନ, ବିକୃତି ବା ଅସୁସ୍ଥତା ସାମୟିକ ହୋଇଥାଏ ଓ ସହଜରେ ଭଲ ହୁଏ। ଉଦାହରଣ ହେଲା – ସ୍ତ୍ରୀ ଲୋକମାନଙ୍କର ଋତୁବନ୍ଦ ବେଳେ ମାନସିକ ଦୁଶ୍ଚିନ୍ତା ଓ ବିଷାଦ ଓ ପିଲାଜନ୍ମ ପରେ ଅଳ୍ପସଂଖ୍ୟକ ସ୍ତ୍ରୀ ଲୋକଙ୍କର ମାନସିକ ଓ ଶାରୀରିକ ଦୁର୍ବଳତା ଓ ପିଲାପ୍ରତି ଅନାଗ୍ରହ। ଦିଓଟି ଅବସ୍ଥା ଜୀବନର ସନ୍ଧିକ୍ଷଣ ଓ ସେ ସମୟରେ ଦେହରେ ହରମୋନ୍‌ ପରି ରସର କ୍ରିୟା ପ୍ରତିକ୍ରିୟା ଯୋଗୁଁ ହେଉଥିବାରୁ ଔଷଧ ଖାଇ ଓ କାଉନସେଲର୍‌ ସହିତ ପରାମର୍ଶ କରି ସହଜରେ ରୋଗୀ ସୁସ୍ଥ ହେଇଥାଏ। ଏଥିପାଇଁ ମାନସିକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ନିହାତି ଦରକାର। ସାଧାରଣ ଶିକ୍ଷାର ଅଙ୍ଗ ରୂପରେ ମାନସିକ ସ୍ୱାସ୍ଥ୍ୟ ଶିକ୍ଷା ପାଠ୍ୟକ୍ରମରେ ରହିଲେ ଭଲ ହେବ। ବିଶେଷରେ ପିଲାଙ୍କର ପରୀକ୍ଷା ଭୟ, ମାନସିକ ଦୁଶ୍ଚିନ୍ତା, ଅନ୍ୟ ପିଲା ସାଙ୍ଗ ନହେଲେ ଏକୁଟିଆ ହେବାରୁ ମନକଷ୍ଟ ଓ ଘରେ ମାଡ଼ ଖାଇବାର ଦୁଃଖ ଇତ୍ୟାଦି କାହିଁକି ମାନସିକ ସ୍ୱାସ୍ଥ୍ୟର ପ୍ରତିକୂଳ ସେକଥା  ସମସ୍ତେ ବୁଝିପାରିବେ।

(ସୌଜନ୍ୟ: ଅସୁସ୍ଥ ମନ ପ୍ରକାଶକ: ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା)