twins baby

ଗୋଟିଏ ପିଲାର ଠିକ୍ ଭାବେ ପାଳନ ପୋଷଣ କରିବା ବହୁତ ବଡ଼ କାମ। ଏପରିସ୍ଥଳେ ଘରେ ଯାଁଳା ପିଲା ଜନ୍ମ ନେଲେ ଖୁସି ଦୁଇଗୁଣା ହେବା ସହ ଦାୟିତ୍ୱ ବି ଦୁଇଗୁଣ ହୋଇଯାଏ। ଏକାସାଙ୍ଗରେ ଦୁଇଜଣଙ୍କର ଯତ୍ନନେବାଠାରୁ ଆରମ୍ଭ କରି ସେମାନଙ୍କର ପାଳନ ପୋଷଣ କରିବା ପରି ବହୁତ ସମସ୍ୟା ସାମ୍ନାକୁ ଆସିଥାଏ। ଏପରିସ୍ଥଳେ କିଭଳି ସେମାନଙ୍କର ଠିକ୍ ଭାବେ ଯତ୍ନ ନେବେ ତାହା ଜାଣନ୍ତୁ।

ଯଦି ଆପଣଙ୍କର ଯାଁଳା ପିଲାଙ୍କ ମଧ୍ୟରୁ ଦୁଇଜଣଯାକ ଝିଅ ହୋଇଥାନ୍ତି ତା’ ହେଲେ ଆପଣଙ୍କ ପାଇଁ ଏହା ସାମାନ୍ୟ ଆଶ୍ୱସ୍ତିର ଖବର। କାରଣ ପୁଅମାନଙ୍କ ତୁଳନାରେ ଝିଅମାନେ ସାମାନ୍ୟ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଭୋକ କରିବା ଏବଂ ଶୋଇବା ସମୟରେ ସେମାନେ ଖୁବ୍ କମ୍ କାନ୍ଦିଥାନ୍ତି। ସେହିପରି ସେମାନେ ପରସ୍ପରକୁ ବନ୍ଧୁ ଭାବେ ଗ୍ରହଣ କରନ୍ତି। ତେଣୁ କୌଣସି ଜିନିଷ ପାଇଁ ସେତେ ଅଧିକ ଜିଦ୍ କରନ୍ତି ନାହିଁ। ଯେକୌଣସି ଖେଳନାରେ ବି ସନ୍ତୁଷ୍ଟ ହୁଅନ୍ତି। ଏପରିସ୍ଥଳେ ଆପଣ ସେମାନଙ୍କୁ ମୂଳରୁ ପରସ୍ପରକୁ ବୁଝିବାକୁ ତାଲିମ ଦିଅନ୍ତୁ। କୌଣସି ଜିନିଷ ପାଇଁ ଜିଦ୍ କଲେ ବୁଝାଇ କରି ଚୁପ୍ କରାନ୍ତୁ। ମନସ୍ତତ୍ତ୍ୱବିଦ୍ଙ୍କ ଅନୁସାରେ ଯାଁଳା ପିଲା ଝିଅ ହୋଇଥିଲେ ସେମାନେ ସକରାତ୍ମକ କାମରେ ଖୁବ୍ ଅଧିକ ମନୋନିବେଶ କରନ୍ତି। ବିଶେଷକରି କଳାତ୍ମକ କ୍ଷେତ୍ର ଯେପରିକି ନୃତ୍ୟ, ସଙ୍ଗୀତ, ଅଭିନୟରେ ସେମାନେ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ଅଧିକ ଥାଏ। ତେଣୁ ଅତି ସାନବେଳକୁ ସେମାନଙ୍କୁ ସେହି ଦିଗ ପ୍ରତି ଯିବାପାଇଁ ଉତ୍ସାହିତ କରନ୍ତୁ। ଏହାଦ୍ୱାରା ସେମାନେ ସେଥିରେ ମଜ୍ଜି ରହିବା ସହିତ ଧୀରେ ଧୀରେ ଏହା ସେମାନଙ୍କର ରୁଚି ପାଲଟିଯିବ। ଆପଣ ବି ସେତେ ଅଧିକ ଅସୁବିଧାରେ ପଡ଼ିବେ ନାହିଁ। ଯାଁଳା ପିଲା ପୁଅ ହୋଇଥିଲେ ମଧ୍ୟ ଆପଣ ସେତେ ଅସୁବିଧାରେ ପଡ଼ିବେ ନାହିଁ। କାରଣ ସେମାନଙ୍କର ରୁଚି ଓ ପସନ୍ଦ ପାଖାପାଖି ସମାନ ହୋଇଥାଏ। ତେବେ ଯାଁଳା ଦୁଇଜଣଙ୍କ ମଧ୍ୟରୁ ଜଣେ ପୁଅ ଓ ଜଣେ ଝିଅ ଥିଲେ ଆପଣ ଅଧିକ ସମସ୍ୟାରେ ପଡ଼ିବେ। କାରଣ ଉଭୟଙ୍କର ପସନ୍ଦ ବିଲକୁଲ ସମାନ ହୋଇନଥାଏ। ତେଣୁ ସେମାନଙ୍କର ଅଧିକ ଯତ୍ନ ଆବଶ୍ୟକ ହୋଇଥାଏ।

ଶୁଆଇବେ କିପରି: ସାଧାରଣତଃ ଯାଁଳା ପିଲା ହେଲେ ମା’ ମାନେ ଶୋଇପାରିବେ ନାହିଁ ବୋଲି ମନେକରି ଚିନ୍ତିତ ହୋଇଯାନ୍ତି। ପ୍ରକୃତରେ କିନ୍ତୁ ଏହା ଠିକ୍ ନୁହେଁ। ଆପଣ ଯଦି ସେମାନଙ୍କୁ ଭିନ୍ନ ଭିନ୍ନ ବିଛଣାରେ ଶୁଆଇଦେବେ ତା’ ହେଲେ ନିଜେ ଶାନ୍ତିରେ ଶୋଇପାରିବେ। ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କୁ ଶୁଆଇବାକୁ ଉଦ୍ୟମ କରନ୍ତୁ। ଏପରିହେଲେ ସେହି ସମୟ ଆସିଲେ ସେମାନଙ୍କୁ ଆପେ ଆପେ ନିଦ ଆସିଯିବ। ଏହାଦ୍ୱାରା ଆପଣ ଆରାମ କରିବାକୁ ବି କିଛି ସମୟ ପାଇବେ।

ସ୍ତନ୍ୟପାନ କରାଇବେ କିପରି: ଯାଁଳା ପିଲାଙ୍କୁ ସନ୍ତ୍ୟପାନ କରାଇବା ସବୁଠୁ କଷ୍ଟକର କାମ। କାରଣ ସେମାନଙ୍କୁ ପ୍ରାୟତଃ ପାଖାପାଖି ସମୟରେ ଭୋକ ଲାଗିଥାଏ। ତେଣୁ ଜଣକ ପରେ ଜଣକୁ ସ୍ତନ୍ୟପାନ କରାନ୍ତୁ। ଛଅମାସ ମଧ୍ୟରେ ସେମାନଙ୍କୁ ଶିଝା ଖାଦ୍ୟ ଖୁଆଇବା ଅଭ୍ୟାସ କରନ୍ତୁ।

oil massage twins baby

ତେଲ ମାଲିସ: ମା’ ପେଟରେ ଥିବାବେଳେ ଯାଁଳା ପିଲାମାନଙ୍କୁ ଠିକ୍ ଭାବେ ବୁଲିବା ପାଇଁ ଅଧିକ ସ୍ଥାନ ମିଳେନାହିଁ। ତେଣୁ ନବଜାତ ଯାଁଳାଙ୍କ ପାଇଁ ତେଲମାଲିସ ଖୁବ୍ ଜରୁରୀ। ଏହାଦ୍ୱାରା ସେମାନଙ୍କର ଶାରିରୀକ ବିକାଶ ଭଲ ଭାବେ ହୋଇଥାଏ। ତେବେ ସେମାନଙ୍କୁ ସଂକ୍ରମଣର ଆଶଙ୍କା ବି ଅଧିକ ଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କ ପାଇଁ ତେଲ ବାଛନ୍ତୁ। ଉଭୟଙ୍କୁ ଏକା ସାଙ୍ଗରେ ନୁହେଁ, ବରଂ ଭିନ୍ନ ଭିନ୍ନ ସମୟରେ ତେଲ ମାଲିସ କରିବାର ଅଭ୍ୟାସ କରନ୍ତୁ। ସେମାନଙ୍କୁ ଗାଧୋଇଦେବା ପାଇଁ ଟବ୍ ବ୍ୟବହାର କରନ୍ତୁ। ଏହାଦ୍ୱାରା ଗାଧୋଇବା ସମୟରେ ସେମାନେ ପରସ୍ପର ସହ ଖେଳିପାରିବେ।

ଉଭୟଙ୍କ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦିଅନ୍ତୁ: ଅନେକ ଲୋକ ଯାଁଳା ପିଲାଙ୍କୁ ସମାନ ପୋଷାକ ପିନ୍ଧାଇଥାନ୍ତି। ନାଁରେ ମଧ୍ୟ ସମାନତା ରଖିଥାନ୍ତି। ତେବେ ସେମାନଙ୍କର ବ୍ୟକ୍ତିତ୍ୱର ବିକାଶ ପାଇଁ ଏହା ଉପଯୋଗୀ ନୁହେଁ। ତେଣୁ ସେମାନଙ୍କୁ ସେମାନଙ୍କର ପସନ୍ଦ ଅନୁସାରେ ଖେଳଣା କିଣି ଦିଅନ୍ତୁ, ସେମାନଙ୍କ ଇଚ୍ଛା ଅନୁସାରେ ପୋଷାକ ପିନ୍ଧାନ୍ତୁ। ଯଦି ଗୋଟିଏ ସ୍କୁଲରେ ସେମାନଙ୍କର ନାମ ଲେଖାଉଛନ୍ତି ତା’ ହେଲେ ସେକ୍ସନ୍ ଯେପରି ଭିନ୍ନ ଭିନ୍ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଏପରିହେଲେ ସେମାନଙ୍କର ବନ୍ଧୁମାନେ ବି ଅଲଗା ରହିବେ। ଏହାଦ୍ୱାରା ସେମାନେ ପରସ୍ପର ଉପରେ ନିର୍ଭରଶୀଳ ନୁହେଁ ବରଂ ସ୍ୱୟଂସଂପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବେ ଗଢ଼ିହେବେ।

ପିଲାଙ୍କୁ ବୁଝନ୍ତୁ: ଯାଁଳା ପିଲା ହେବାର ଅର୍ଥ ସେମାନଙ୍କର ପସନ୍ଦ, ବ୍ୟକ୍ତିତ୍ୱ ଓ ସ୍ୱଭାବ ଯେ ଏକାପରି ହେବ ଏପରି ନୁହେଁ। ତେଣୁ ଯାଁଳା ପିଲାଙ୍କ ସ୍ୱାସ୍ଥ୍ୟ, ସ୍ୱଭାବ ଓ ଅନ୍ୟ କଥାକୁ ଲକ୍ଷ୍ୟ କରନ୍ତୁ। ସେମାନଙ୍କ ମଧ୍ୟରୁ ଜଣେ ଶାନ୍ତ ଏବଂ ଅନ୍ୟଜଣେ ଦୁଷ୍ଟ ହୋଇପାରେ। ଏପରିସ୍ଥଳେ ଶାନ୍ତ ପିଲାକୁ ଅଧିକସୁରକ୍ଷା ଦିଅନ୍ତୁ ନାହିଁ। ତାକୁ ତାର ପକ୍ଷ ଉପସ୍ଥାପନ କରିବା ଲାଗି ପ୍ରୋତ୍ସାହିତ କରନ୍ତୁ।

twin baby care

ପିଲାଙ୍କ ଝଗଡ଼ାରେ ପଶନ୍ତୁ ନାହିଁ: ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା। ପୁଣି ଯାଁଳା ହୋଇଥିଲେ ଏହି ଆଶଙ୍କା ଆହୁରି ବଢ଼ିଯାଏ। ତେବେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ ଅଭିଭାବକମାନେ ସେଥିରେ ପଶିବା କଥା ନୁହେଁ। ଯଦି ଆପଣ କାହାର ପକ୍ଷ ନେଇ କହିବେ ତା’ ହେଲେ ଏହା ଅନ୍ୟ ପିଲାର ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇବ। ତେଣୁ ଜରୁରୀ ନ ହେଲେ ସେମାନେ ନିଜେ ଯେପରି ଏହାର ସମାଧାନ କରିବେ ସେଥିପ୍ରତି ଦୃଷ୍ଟି ରଖନ୍ତୁ।

 ତୁଳନା କରନ୍ତୁ ନାହିଁ: କେତେବେଳେ ମଧ୍ୟ ଯାଁଳା ପିଲାଙ୍କର ପରସ୍ପର ସହ ତୁଳନା କରନ୍ତୁ ନାହିଁ। ପାଖ ପଡ଼ୋଶୀଙ୍କୁ ମଧ୍ୟ ଏପରି କରିବାକୁ ଦିଅନ୍ତୁ ନାହିଁ। ଏପରି ହେଲେ ପିଲାର ମନରେ ହୀନମନ୍ୟତା ସୃଷ୍ଟି ହେବ।