ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

Schizophrenia

 

ପ୍ରତିଷେଧ  ଚିକିତ୍ସା

ପ୍ରତିଷେଧ

ସ୍କିଜୋଫ୍ରେନିଆ କେତେକ ସ୍ଥଳରେ ବଂଶଗତ ବୋଲି ଆଗରୁ କୁହାଯାଇଛି। ତେଣୁ ସ୍କିଜୋଫ୍ରେନିଆ ରୋଗୀକୁ ବାହାହେବାକୁ ନ ଦେଲେ ଓ ଅସ୍ତ୍ରୋପଚାର ଦ୍ୱାରା ତା’ର ଜନନଶକ୍ତି ନଷ୍ଟ କରି ଦେଲେ ରୋଗ ନିର୍ମଳ ହେବ ବୋଲି ଭାବନା ସ୍ୱାଭାବିକ। କିନ୍ତୁ ଆମେ ଜାଣୁ ଯେ ସ୍କିଜୋଫ୍ରେନିଆ ରୋଗୀର ଛୁଆକୁ ନିଶ୍ଚୟ ସେ ରୋଗ ହେବ ଏମିତି କିଛି କଥା ନାହିଁ। ଅତି ବେଶୀରେ ଶତକଡ଼ା ୨୦ରୁ ୨୨ ଛୁଆଙ୍କୁ ଏ ରୋଗ ହେବାର କେବଳ ସମ୍ଭାବନା ଅଛି। ତେଣୁ କେବଳ ସମ୍ଭାବନା ଉପରେ ନିର୍ଭର କରି ସବୁ ସ୍କିଜୋଫ୍ରେନିଆ ରୋଗୀଙ୍କୁ ଏ ଦଣ୍ଡ ଦେବା କେତେ ଦୂର ସମିଚୀନ ତାହା ଭାବିବା କଥା। ଯେଉଁ ଦେଶରେ ଏ ପ୍ରକାର ନିୟମ ହୋଇଛି ସେଠାରେ ସ୍କିଜୋଫ୍ରେନିଆ ରୋଗୀଙ୍କ ସଂଖ୍ୟା ଆଖିକୁ ଦେଖାଗଲା ଭଳିଆ କମି ନାହିଁ। ପୁଣି ରୋଗୀର ସନ୍ତାନ ପ୍ରଜନନ ଶକ୍ତି ରୋଗ ଯୋଗୁଁ ସାଧାରଣତଃ ଦୁର୍ବଳ ହୋଇପଡ଼ିଥାଏ ଓ ରୋଗ ହେଲା ପରେ ଏଥିପାଇଁ ଖୁବ୍ କମ୍ ଛୁଆ ହୁଅନ୍ତି। ଆଉ ମଧ୍ୟ ଅଧିକାଂଶ ସ୍କିଜୋଫ୍ରେନିଆ ରୋଗୀ ସ୍କିଜୋଫ୍ରେନିଆ ଦ୍ୱାରା ଆକ୍ରାନ୍ତ ନ ହୋଇଥିବା ବାପାମାଆଙ୍କର ପିଲାଛୁଆ। ଏଣୁ ସାମୂହିକ ନିୟମ  ପ୍ରୟୋଗ କରି ସ୍କିଜୋଫ୍ରେନିଆ ରୋଗୀଙ୍କର ଜନନଶକ୍ତି ନଷ୍ଟ କରିବା ଦ୍ୱାରା ବିଶେଷ କିଛି ଉପକାର ହେବନାହିଁ। ଜଣେ ଡାକ୍ତର ସ୍କିଜୋଫ୍ରେନିଆ ରୋଗୀଙ୍କର ୬୭୦ ଜଣ ପିଲାଙ୍କୁ ନେଇ ଦେଖିଲେ ଯେ ସେଥିରୁ ମୋଟେ ୧୦୭ ଜଣ ରୋଗ ହେଲା ପରେ ଜନ୍ମ ହୋଇଛନ୍ତି ଅର୍ଥାତ୍ ବାଧ୍ୟତାମୂଳକ ଭାବେ ଜନନ ଶକ୍ତି ନଷ୍ଟ କରି ଦେବା  ଦ୍ୱାରା ୬୭୦ରୁ କେବଳ ୧୦୭ ଜଣଙ୍କର ଏ ରୋଗ ହେବା ବନ୍ଦ କରାଯାଇପାରନ୍ତା।

schizophenia during pregnancy

ତଥାପି ସ୍କିଜୋଫ୍ରେନିଆ ରୋଗୀ ସ୍ୱେଚ୍ଛାରେ ଜନନ ଶକ୍ତି ନଷ୍ଟ କରିବାକୁ ଚାହିଁଲେ ତା’ ପାଇଁ ଅସ୍ତ୍ରୋପଚାରର ସମସ୍ତ ସୁବିଧା ଦେବା ଉଚିତ, ଏପରି କି ଏହା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଉଚିତ। କାରଣ ସମ୍ଭାବନା ଯେତେ କମ୍ ଥିଲେ ମଧ୍ୟ ସ୍କିଜୋଫ୍ରେନିଆ ରୋଗୀର ଛୁଆକୁ ଯେ କେବେ ସ୍କିଜୋଫ୍ରେନିଆ ହେବ ନାହିଁ ଏହା କେହି କହିପାରିବେ ନାହିଁ। ତେଣୁ ନିର୍ଦ୍ଦୋଷ ଶିଶୁକୁ ଏ ଭୟାବହ ଭବିଷ୍ୟତ ସହ ପୃଥିବୀକୁ ଆଣିବା ଠିକ୍ ନୁହେଁ। ସେଥିପାଇଁ ସ୍କିଜୋଫ୍ରେନିଆ ରୋଗୀ ସହାନୁଭୂତିଶୀଳ ସେବା ମନୋବୃତ୍ତି ଥିବା ସ୍ତ୍ରୀ-ପୁରୁଷକୁ ବାହା ହୋଇପାରେ କିନ୍ତୁ  ପିଲାଛୁଆ ଯେମିତି ନ ହୁଏ ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଦରକାର।

ସ୍କିଜୋଫ୍ରେନିଆ ରୋଗୀଙ୍କର ବନ୍ଧୁବାନ୍ଧବଙ୍କୁ ବାହା ହେବା କେଡେ ବିପଦଜନକ? ମନେକର ଜଣେ ଝିଅର ଭାଇ ସ୍କିଜୋଫ୍ରେନିଆ ରୋଗୀ, ତା’କୁ ବାହା ହେବା ଉଚିତ କି?

Schizophrenia

ସ୍କିଜୋଫ୍ରେନିଆ ରୋଗଙ୍କର ଭାଇ- ଭଉଣୀଙ୍କୁ ସେ ରୋଗ ହେବାର ସମ୍ଭାବନା ଶତକଡ଼ା ୧୧। ତେଣୁ ବାହା ହେବାରେ ନିଶ୍ଚୟ କିଛିଟା ବିପଦ ଅଛି। ପୁଣି ଝିଅ ୧୫ରୁ ୨୫ ବର୍ଷ  ଭିତରେ ହୋଇଥିଲେ ଓ ତା’ ବ୍ୟବହାରରେ ସାମାନ୍ୟ ଅସ୍ୱାଭାବିକତା ଦେଖା ଯାଉଥିଲେ ରୋଗ ହେବାର ସମ୍ଭାବନା ଆହୁରି ବେଶୀ। ତେବେ ଝିଅର ଯଦି କୌଣସି ଅସ୍ୱାଭାବିକତା ନାହିଁ, ସେଠାରେ ବିଚାର କରିବାକୁ ହେବ ଯେ ଶହକରେ ୧୧ ଜଣଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ଥିଲେ, ଆଉ ୮୯ ଜଣଙ୍କୁ ଏ ରୋଗ ହେବାର ସମ୍ଭାବନା ଆଦୌ ନାହିଁ।

ଆମ୍ଭେମାନେ ସ୍କିଜୋଫ୍ରେନିଆ ରୋଗର କାରଣ ଏ ପର୍ଯ୍ୟନ୍ତ ଜାଣିନାହୁଁ। ତେଣୁ କ’ଣ କଲେ ସ୍କିଜୋଫ୍ରେନିଆ ହେବନାହିଁ ତା’ କହିବା ଅସମ୍ଭବ। ଯେପରି ମେଲେରିଆ କାହିଁକି ହୁଏ ନ ଜାଣିଲେ ତା’ର ପ୍ରତିରୋଧ କରିବା ସମ୍ଭବପର ନୁହେଁ। ଏ ରୋଗ ସାଧାରଣତଃ ସବୁ ଦେଶରେ ଦେଖାଯାଏ। ସଭ୍ୟ ଓ ଆଦିମ ସବୁ ସମାଜରେ ଏହା ଦ୍ୱାରା ଲୋକେ ଆକ୍ରାନ୍ତ ହୁଅନ୍ତି, ପୁଣି ସବୁ ସ୍ଥାନରେ ସ୍କିଜୋଫ୍ରେନିଆ ପ୍ରାୟ ସମାନ ଅନୁପାତର ଲୋକଙ୍କୁ ହୁଏ। ଏ ସବୁରୁ ଅନୁମାନ କରାଯାଉଛି ଯେ ପରିବେଷ୍ଟନୀ ନିୟନ୍ତ୍ରଣ  ଦ୍ୱାରା ବା ମାନସିକ ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ଦ୍ୱାରା ସ୍କିଜୋଫ୍ରେନିଆରୁ ରକ୍ଷା ମିଳେ ନାହିଁ। ତେବେ ଯାହାର ସ୍ପିଜୋଫ୍ରେନିଆ ହେବାର ସବୁ ଲକ୍ଷଣ ଦେଖାଯାଉଛି ତା’କୁ ବିଭିନ୍ନ ସାମାଜିକ କାମରେ ନିୟୋଗ କରିବା କଥା; ଏକୁଟିଆ ରହିବାକୁ ନ ଛାଡ଼ି ଲୋକମାନଙ୍କ ସଙ୍ଗେ ମିଶାଇବା ଓ ଅଯଥା ନିରାଶ ବା ଉତ୍ତେଜିତ ହେବାକୁ ନ ଦେବା ଉଚିତ।

ସ୍କିଜୋଫ୍ରେନିଆ ହେବାର ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ କେବେ ମନୋବିଶ୍ଳେଷଣ କରାଇବା ଉଚିତ ନୁହେଁ। ମନୋବିଶ୍ଳେଷଣ କରୁ କରୁ ଲୁଚି ରହିଥିବା ସ୍କିଜୋଫ୍ରେନିଆ ହଠାତ ବାହାରି ପଡ଼ିବାର ବିପଦ ବହୁତ ବେଶୀ।

ଚିକିତ୍ସା

ମାନସିକ ଓ ଶାରୀରିକ

ମନୋବିଶ୍ଳେଷଣ ବା ସେହିପରି କୌଣସି ଚିକିତ୍ସା ସ୍କିଜୋଫ୍ରେନିଆରେ କ୍ଷତିକାରକ ବୋଲି ଆଗରୁ କୁହାଯାଇଛି। ମନୋବିଶ୍ଳେଷଣରେ ରୋଗୀ ନିଜ ବିଷୟରେ ଭାବିବା ପାଇଁ ଉତ୍ସାହ ପାଏ ଓ  ଟିକିନିଖି କରି ନିଜର ବ୍ୟବହାରକୁ ବିଶ୍ଳେଷଣ କରେ ଏହା ଦ୍ୱାରା ରୋଗୀ ସମାଜଠାରୁ ବେଶୀ ବେଶୀ ଦୂରେଇ ଯାଏ। ସ୍କିଜୋଫ୍ରେନିଆ ରୋଗୀ ସାଧାରଣତଃ ସମାଜଠାରୁ ଦୂରରେ ରହିବାକୁ ଭଲପାଏ, ତା’ ଉପରେ ମନୋବିଶ୍ଳେଷଣ କଲେ ଏ ଅସ୍ୱାଭାବିକତା ଆହୁରି ବଢ଼େ ଓ ରୋଗର ପୂର୍ଣ୍ଣ  ବିକାଶ ହୁଏ।

ରୋଗ ଆରମ୍ଭ ହେବାର ଦୁଇବର୍ଷ ଭିତରେ ମାନସିକ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ। କିନ୍ତ ଅଧିକାଂଶ ରୋଗୀ ଡାକ୍ତରଖାନାକୁ  ପୁରାତନ ରୋଗ ନେଇଆସନ୍ତି। ତାଙ୍କ ଭିତରୁ କେତେକ ରୋଗର ସାଙ୍ଘାତିକ  ଅବସ୍ଥା ପାରିହୋଇ ଯାଇଥାଆନ୍ତି। ଏହି ପ୍ରକାର ରୋଗୀମାନେ ଯଦି କୌଣସି  ଛୋଟକାଟର କାମ କରୁଥାଆନ୍ତି ତାହାହେଲେ ସେମାନଙ୍କୁ ସେ କାମ କରିବାକୁ ଦିଆହେବା ଉଚିତ। କାମରୁ କାଢ଼ି ଡାକ୍ତରଖାନାରେ ଭର୍ତ୍ତି କରିବା ଉଚିତ ନୁହେଁ। ବରଂ ସେ କିଛି କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍। ଏ ଅବସ୍ଥାରେ ଡାକ୍ତର ସାଧାରଣତଃ ରୋଗୀକୁ ପରାମର୍ଶ ଦିଅନ୍ତି ଯେ, “ତମର  ଯେଉଁ ଭ୍ରାନ୍ତଧାରଣା ସବୁ ରହିଛି ସେ ସବୁ ବିଷୟରେ ବିଶେଷ ଭାବି କିଛି ଲାଭ ନାହିଁ; ବରଂ ସେ ସବୁ ଭାବିବା ଅପେକ୍ଷା ନିଜ କାମରେ ଅଧିକ ମନ ଦେବା ଭଲ।’’ ଅବଶ୍ୟ ସେମାନଙ୍କୁ ସ୍କୁଲ୍‌ ଶିକ୍ଷକତା, ଘରୋଇ ଭାବରେ ପିଲାମାନଙ୍କୁ ଟିଉସନ କରିବା ବା ଡାକ୍ତରୀ କରିବା ଭଳି ଦାୟିତ୍ୱପୂର୍ଣ୍ଣ କାମ ଦିଆଯିବା ଉଚିତ୍ ନୁହେଁ। ଅଥଚ ସେମାନେ ବୈଷୟିକ କାମ, ଲାଇବ୍ରେରୀରେ ବହି ତଦାରଖ କାମ ବା ଅଫିସ କାମ ଭଲଭାବେ କରିପାରିବେ। ଅଶିକ୍ଷିତ ଓ ଅଳ୍ପଶିକ୍ଷିତ ରୋଗୀମାନଙ୍କୁ ଏବଂ ଟିକିଏ ବେଶୀ ଖରାପ ଅବସ୍ଥାର ରୋଗୀଙ୍କୁ ହାତକାମ ଓ ବୁଣାବୁଣି ପ୍ରଭୃତି ଶିଖାଇବ। ଏହାଦ୍ୱାରା କେବଳ ତାଙ୍କୁ ଜୀବିକାର୍ଜନ ପାଇଁ ପ୍ରସ୍ତୁତ କରାଯାଏ ନାହିଁ, ଏକାଠି ମିଳିମିଶି କାମ କରିବା ଦ୍ୱାରା ସେମାନଙ୍କର ସାମାଜିକ ବୋଧ ଦେଖାଦିଏ ଓ ଶକ୍ତିସାମର୍ଥ୍ୟ ଏକାକି ବସିରହି ବୃଥା ଭାବନାରେ ଅଯଥା ଖର୍ଚ୍ଚ ନ ହୋଇ ଦରକାରୀ କାମରେ ଲାଗେ। ପ୍ରକୃତରେ କାମ ଯୋଗାଇବା ଦ୍ୱାରା ସ୍କିଜୋଫ୍ରେନିଆ ରୋଗୀ ବେଶ୍ ସୁସ୍ଥ ଓ ସ୍ୱାଭାବିକ ଅବସ୍ଥାରେ ଥାଏ। କେତେକ ଜାଗାରେ ସାଧାରଣ ଲୋକଙ୍କ ଭିତରେ ସ୍କିଜୋଫ୍ରେନିଆ ରୋଗୀଙ୍କୁ ରଖାଯାଇଛି। ସେମାନଙ୍କୁ ଚାଷ କାମରେ ନିଯୁକ୍ତ କରାଯାଇ ଜଣେ ଚାଷୀଙ୍କ ପାଖେ ରଖାଯାଇଛି। ଡାକ୍ତର ମାସକରେ ଥରେ ଦିଥର ଦେଖିବାକୁ ଯାଆନ୍ତି ଓ ସେମାନେ କେମିତି ଅଛନ୍ତି ବୁଝିଆସନ୍ତି। ସେଠାରେ ରୋଗୀମାନେ ବେଶ୍ ଭଲରେ ଥିବାର ଓ କାମଦାମରେ ଯଥେଷ୍ଟ ସାହାଯ୍ୟ କରୁଥିବାର ଖବର ମିଳେ।

sleeping pills

ସ୍କିଜୋଫ୍ରେନିଆର ଶାରୀରିକ ଚିକିତ୍ସା ମଧ୍ୟରେ ଇନସୁଲିନ୍ ଦେଇ ଅଚେତନ କରିବା, ଇଲେକ୍ଟ୍ରିକ୍ ଶକ୍ ଦେବା ଓ ନିଦ ଔଷଧ ଦେଇ କ୍ରମାଗତ ଶୁଆଇ ରଖିବା ପ୍ରଧାନ। ଇନସୁଲିନ୍ ଏକପ୍ରକାର ରାସାୟନିକ ଦ୍ରବ୍ୟ। ଇନସୁଲିନ୍ ଇଞ୍ଜେକସନ ମାଂସପେଶୀରେ ବା ଶିରାରେ ଦିଆଯାଏ। ଇଞ୍ଜେକସନ ଦେଲାପରେ ଦେହର ସର୍କରା ଅଂଶ ଖୁବ୍ କମିଯାଏ ଓ ଏଥିଯୋଗୁଁ ଆସ୍ତେ ଆସ୍ତେ ତାହାର ସଂଜ୍ଞା ଲୋପ ପାଏ। ସେ ସମ୍ପୂର୍ଣ୍ଣ ଅକ୍ଷମ ଓ ଅସମର୍ଥ ହୋଇପଡ଼େ। ଇଞ୍ଜେକସନ ଦେବାର ଦୁଇ ତିନି ଘଣ୍ଟାପରେ ଏପରି ଅବସ୍ଥାର ସୃଷ୍ଟି ହୁଏ। ଏ ସମୟରେ ନିଆଁ ପାଖରୁ ହାତ ଟାଣି ନେବା, ଶକ୍ ଦେଲେ ଘୁଞ୍ଚିଯିବା ପ୍ରଭୃତି କେବଳ କେତେକ ସ୍ୱୟଂଚାଳିତ ପ୍ରକ୍ରିୟା ବ୍ୟତୀତ ରୋଗୀ ମୃତପ୍ରାୟ ପଡ଼ିରହିଥାଏ। ଏ ଅଚେତ ଅବସ୍ଥାକୁ କୋମା(Coma) କହନ୍ତି। କୋମା ହେବା ଆଗରୁ ରୋଗୀ କ୍ଲାନ୍ତି ବୋଧ କରେ, ବିଛଣାରେ ଛଟପଟ ହୁଏ ଓ ବାତ ମାଇଲା ଭଳି ତା’ ଦେହ ସାରା ଆଙ୍କୁଚନ ପ୍ରସାରଣ ଦେଖାଦିଏ। ଏହି ଅବସ୍ଥାରେ କାଳେ ବିଛଣାରୁ ପଡ଼ିଯିବ ବୋଲି ତା’ର ଗୋଡ ହାତ ଭଲ କରି ଖଟ ସାଙ୍ଗରେ ବାନ୍ଧି ଦିଅନ୍ତି। ଇନସୁଲିନ୍ ଦେଲେ ମସ୍ତିଷ୍କର ସୂକ୍ଷ୍ମ ଓ ଉଚ୍ଚସ୍ତରର କ୍ରିୟାକଳାପ ଯଥା ଚିନ୍ତା କରିବା ପ୍ରଭୃତି ବନ୍ଦ ହୋଇଯାଏ।

କିନ୍ତୁ ସ୍ୱୟଂକ୍ରିୟ ସ୍ନାୟୁମଣ୍ଡଳୀ ପ୍ରକ୍ରିୟା ଯଥା-ପାକସ୍ଥଳୀ, ହୃତ୍‌ପିଣ୍ଡ ଓ ନାଳଗ୍ରନ୍ଥି ପ୍ରଭୃତି ଅତ୍ୟଧିକ କାମ କରେ। ୩୦। ୪୦ ମିନିଟ୍ ପରେ ଅଚେତ ଅବସ୍ଥାରେ (କୋମା) ରହିଲା ପରେ ରୋଗୀକୁ ଶର୍କରା ବା ଗ୍ଲୁକୋଜ ମିଶା ଚାହା ନାକବାଟେ ରବର ନଳୀଦ୍ୱାରା ଖାଇବାକୁ ଦିଆଯାଏ ଓ ରୋଗୀର ଚେତା ଫେରିଆସେ। ଏଥିରେ ଚେତନା ନ ଆସିଲେ ଗ୍ଲୁକୋଜ ଇଞ୍ଜେକସନ ଦେଇ ଚେତା ଫେରାଇ ଅଣାହୁଏ। ଶର୍କରା ବା ଗ୍ଲୁକୋଜ ଦେବାର ୨୦।୩୦ ମିନିଟ ପରେ ରୋଗୀ ଚେତାପାଏ। ଟିକିଏ ସୁସ୍ଥ ଲାଗିଲେ ରୋଗୀକୁ ପାଉଁରୁଟି ଶ୍ୱେତସାର ଥିବା ଖାଦ୍ୟ ଦିଆଯାଏ। ସାଧାରଣତଃ  ସକାଳଓଳି ଇନସୁଲିନ୍ ଚିକିତ୍ସା କରାହୁଏ ଓ ଓପରଓଳିକୁ ରୋଗୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଥାଏ। କୋମାରୁ ଉଠିବା ପରେ ପରେ ରୋଗୀ ଖୁବ୍ ଉତ୍‌ଫୁଲ ଦେଖାଯାଏ, ଭଲରେ କଥାବାର୍ତ୍ତା କରେ ଓ ସୁସ୍ଥଲୋକ ଭଳି ବ୍ୟବହାର କରେ। କିନ୍ତୁ ଏହା ଅଳ୍ପ ସମୟ ରହେ। ଚିକିତ୍ସକ ଏହି ସମୟଟିକୁ ଭଲଭାବରେ ଉପଯୋଗ କରନ୍ତି। ରୋଗୀର ଭ୍ରାନ୍ତ ଧାରଣା ଯେ ଅଳୀକ ଓ ତା’ର ଯେ ପ୍ରକୃତରେ କେହି କ୍ଷତି କରୁନାହାନ୍ତି-ଏ ସବୁ କଥା ଚିକିତ୍ସକ ରୋଗୀକୁ ବୁଝାନ୍ତି, ତା’କୁ ଆଦର କରନ୍ତି ଓ ଅନ୍ୟ ରୋଗୀମାନଙ୍କ ସଙ୍ଗେ ତା’କୁ ମିଳାମିଶା କରାନ୍ତି। ଇନସୁଲିନ୍ ଚିକିତ୍ସା ପାଉଥିବା ରୋଗୀ ପରସ୍ପର ସହିତ ବେଶ୍ ସାଙ୍ଗ ହୋଇଯାଆନ୍ତି ଓ ଏ ବନ୍ଧୁତ୍ୱ ଓ ମିଳାମିଶାକୁ ଡାକ୍ତର ଉତ୍ସାହିତ କରିବା କଥା।

insulin

ରୋଗୀମାନଙ୍କୁ ୩୦ରୁ ୫୦ଥର ପର୍ଯ୍ୟନ୍ତ ଇନସୁଲିନ୍ ଦିଆହୁଏ। ୫୦ଥରରୁ ବେଶୀ ଇନସୁଲିନ୍ ଦେଲେ ଯେ ଆହୁରୀ ଶୀଘ୍ର ରୋଗ ଭଲ ହୋଇଯିବ ଏକଥା ଠିକ୍ ନୁହେଁ। ସାଧାରଣତଃ ସ୍କିଜୋଫ୍ରେନିଆ ହେବାର ବର୍ଷକ ଭିତରେ ଏ ଚିକିତ୍ସା ସବୁଠାରୁ ଫଳପ୍ରଦ। ତଥାପି ଦୁଇବର୍ଷର ପୁରୁଣା ସ୍କିଜୋଫ୍ରେନିଆ ରୋଗୀକୁ ମଧ୍ୟ ଏ ଚିକିତ୍ସା ଦେଇ କିଛି ସୁଫଳ ମିଳିଛି। କିନ୍ତୁ ତା’ଠାରୁ ପୁରୁଣା ରୋଗୀକୁ ପ୍ରାୟ ଇନସୁଲିନ୍ ଚିକିତ୍ସା କରାଯାଏ ନାହିଁ। ଯକୃତ, ହୃତପିଣ୍ଡ ବା ମୂତ୍ର ଯନ୍ତ୍ରରେ ସାଂଘାତିକ ରୋଗ ଥିଲେ ବା ଯକ୍ଷ୍ମା ହେବାର ଲକ୍ଷଣ ଦେଖାଯାଉଥିଲେ ଇନସୁଲିନ୍ ଦିଆଯାଏ ନାହିଁ। ପାକସ୍ଥଳି ବା ଗ୍ରହଣୀରେ ଘା’ ହୋଇଥିଲେ ଇନସୁଲିନ୍ ତା’କୁ ବଢ଼ାଏ। ତେଣୁ ଏ ଅବସ୍ଥାରେ ଇନସୁଲିନ୍ ଦିଆହୁଏ ନାହିଁ। ୪୫ ବର୍ଷ ଠାରୁ ବୟସ୍କ ରୋଗୀଙ୍କୁ ଇନସୁଲିନ୍ ଆଦୌ ଦିଆହୁଏ ନାହିଁ।

ଇନସୁଲିନ୍ ପ୍ରକୃତରେ କିପରି ସ୍କିଜୋଫ୍ରେନିଆ ଭଲ କରେ ତାହା ଠିକ୍ ଜଣାନାହିଁ। ରୁଷିଆରେ ପାଭଲଭ୍‌ଙ୍କ ତତ୍ତ୍ୱ ଅନୁସରଣ କରି ଇନସୁଲିନର ଗୁଣ ବିଷୟରେ କିଛି ତଥ୍ୟ ପ୍ରକାଶିତ ହୋଇଛି। ପାଭଲଭଙ୍କ ମତରେ ସମଗ୍ର ସ୍ନାୟୁ ମଣ୍ଡଳୀର ଦୌର୍ବଲ୍ୟ ଯୋଗୁଁ ସ୍କିଜୋଫ୍ରେନିଆ ହୋଇଥାଏ। ଇନସୁଲିନ୍ ଦେଇ ସ୍ନାୟୁରେ ଅତିଶୟ ଅବସାଦ ଆଣିବା ଦ୍ୱାରା ଦୁର୍ବଳ ସ୍ନାୟୁମଣ୍ଡଳୀ କିଛି ବେଳ ପାଇଁ ପ୍ରାୟ ପୂର୍ଣ୍ଣ ବିଶ୍ରାମ ଲାଭ କରେ। ବିଶେଷତଃ ମସ୍ତିଷ୍କରେ ଥିବା ସ୍ନାୟୁଗୁଡ଼ିକ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଆନ୍ତି ଯେଉଁଟା ଜାଗ୍ରତାବସ୍ଥାରେ ସମ୍ଭବପର ନୁହେଁ। ଏହିପରି ୩୦।୪୦ଥର କୋମା ହେତୁ ମସ୍ତିଷ୍କର ସ୍ନାୟୁମଣ୍ଡଳୀ ପୁରାପୁରି ନିର୍ଜିବ ଅବସ୍ଥାରେ ରହି ଯଥେଷ୍ଟ ବିଶ୍ରାମ ପାଇଲେ ପୁଣି ସ୍ୱାଭାବିକତା ଫେରି ପାଆନ୍ତି। ଏ ତତ୍ତ୍ୱ ଉପରେ ନିର୍ଭର କରି ରୁଷୀୟ ଚିକିତ୍ସକମାନେ ନିଦ ଔଷଧ ଦେଇ କିଛିଦିନ ପାଇଁ ରୋଗୀକୁ ଶୁଆଇ ରଖନ୍ତି ଓ ରୋଗୀର ସ୍ନାୟୁମଣ୍ଡଳୀକୁ ବିଶ୍ରାମ ଦିଅନ୍ତି। କୁହାଯାଏ ଯେ ଏଥିରେ ଇନସୁଲିନ୍ ଚିକିତ୍ସା ଭଳି ସୁଫଳ ମିଳେ ଏବଂ ଏହା ସହଜ ଓ ଆଦୌ ବିପଦଜନକ ନ ହୋଇଥିବାରୁ ଇନସୁଲିନଠାରୁ ଭଲ ଚିକିତ୍ସା ବୋଲି  କେତେକ ଚିକିତ୍ସକଙ୍କର ମତ। ବେଳେ ବେଳେ ଇନସୁଲିନ୍ ଓ ଦୀର୍ଘସ୍ଥାୟୀ ନିଦ୍ରା ଉଭୟ ଚିକିତ୍ସା ପ୍ରଣାଳୀ ନିଯୁକ୍ତ କରାଯାଏ। ରୁଷୀୟ ଚିକିତ୍ସକଙ୍କ ମତରେ ସ୍କିଜୋଫ୍ରେନିଆର ସାଂଘାତିକ ଅବସ୍ଥାରେ ରୋଗୀକୁ ଶାନ୍ତିପୂର୍ଣ୍ଣ ବାତାବରଣରେ ରଖିବା ଉଚିତ୍। ତୀବ୍ର ଆଲୋକ ବା ଶବ୍ଦଠାରୁ ଦୂରରେ ଗୋଟିଏ ଛୋଟ କୋଠରୀରେ ଦୁଇଜଣ ଲେଖାଁଏ ରୋଗୀଙ୍କୁ ରଖିବା ବାଞ୍ଛନୀୟ। ସେମାନଙ୍କୁ ହାତକାମ ବା ଅନ୍ୟାନ୍ୟ ବ୍ୟାୟାମ ଶିକ୍ଷାରେ ଯୋଗଦେବା ପାଇଁ ନ ଡାକିବା ଉଚିତ୍।

ତା’ଛଡ଼ା ଇନସୁଲିନ ବା ନିଦ ଔଷଧ ଦେଇ ରୋଗୀର ସ୍ନାୟବିକ ପ୍ରକ୍ରିୟାକୁ ବିଶ୍ରାମ ଦେବା ଉଚିତ୍। କାରଣ ସେମାନଙ୍କ ମତରେ ସ୍କିଜୋଫ୍ରେନିଆ ରୋଗୀର ସ୍ନାୟୁ ଅତ୍ୟଧିକ ଦୁର୍ବଳ ଓ କୌଣସି ଉତ୍ତେଜନା ପାଇଁ ଅନୁପଯୁକ୍ତ।

ଇଲେକଟ୍ରିକ ଶକ୍ ଦେବା ସ୍କିଜୋଫ୍ରେନିଆର ଆଉ ଗୋଟିଏ ଚିକିତ୍ସା। ରୋଗୀକୁ ଶୁଆଇ ରଖି ତା’ର ଦୁଇ କାନମୁଣ୍ଡାରେ ଦୁଇଟି ଇଲେକଟ୍ରୋଡ ଲଗାଇ ଦିଅନ୍ତି। ଇଲେକଟ୍ରୋଡଗୁଡ଼ିକ ଛୋଟ ଛୋଟ ଧାତବ ଖଣ୍ଡ ଯାହା ଦେହରେ ଇଲେକଟ୍ରିକ କରେଣ୍ଟ ଦିଆଯାଇପାରିବ। ୭୦ରୁ ୧୨୦ ଭୋଲ୍‌ଟ ପର୍ଯ୍ୟନ୍ତ ଇଲେକ୍ଟ୍ରିକ କରେଣ୍ଟ ଏହା ଦେହରେ  ୪ରୁ ୬ ସେକେଣ୍ଡ ପର୍ଯ୍ୟନ୍ତ ଦିଆହୁଏ।ତା ରୋଗୀ ବାତ ମାରିବା ଭଳି ଛଟପଟ କରେ। ପ୍ରଥମେ ସମସ୍ତ ଶରୀର ମୁହୂର୍ତ୍ତକ ପାଇଁ ଆକୁଞ୍ଚିତ ଓ ଅନ୍ୟ ମୁହୂର୍ତ୍ତ ପାଇଁ ପ୍ରସାରିତ ହେଉଥାଏ। ତାତା’ ପରେ ଶରୀରର ପ୍ରତ୍ୟେକ ଅଂଶ ଆକୁଞ୍ଚିତ ଓ ପ୍ରସାରିତ ହୋଇଥାଆନ୍ତି। ଶେଷକୁ କରେଣ୍ଟ କମିଗଲା ପରେ ରୋଗୀ ଖୁବ୍ ଜୋରରେ ନିଶ୍ୱାସ ପ୍ରଶ୍ୱାସ ନିଏ। ପାଟିରୁ ନାଳ ବୁହେ ଓ ନାକ ଘଡ଼ ଘଡ କରେ। ସ୍ୱାଭାବିକ ଶ୍ୱାସକ୍ରିୟା ଶକ୍ ପରେ ପରେ ଆରମ୍ଭ ନ ହେଲେ ପୁଣି ଟିକିଏ ଶକ୍ ଦେଇ ଶ୍ୱାସ ପ୍ରକ୍ରିୟା ଚାଲୁ କରାହୁଏ। ଇଲେକଟ୍ରିକ୍ ଶକ ଚିକିତ୍ସାର ନିର୍ବିଚାର ପ୍ରୟୋଗ କେତେକ ଚିକିତ୍ସାଳୟରେ ହେବା ଦ୍ୱାରା ଏଥିପ୍ରତି ଲୋକଙ୍କର ଆସ୍ଥା କମିଯାଉଛି। ଗୁଡ଼ାଏ ଶକ୍ ଦେବା ଠିକ୍ ନୁହେଁ। କାରଣ ଇଲେକଟ୍ରିକ ଶକ୍ ଦ୍ୱାରା ଶରୀରର ସ୍ଥାୟୀ କ୍ଷତି ହେବାର ଦେଖାଯାଇଛି। ସ୍ମରଣଶକ୍ତି ଲୋପପାଇବା ଓ ବ୍ୟକ୍ତିତ୍ୱ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ନଷ୍ଟ ହୋଇଯିବା ଏହାର ଦୁଇଟି ହାନିକାରକ ଫଳ। କେତେକ ଜାଗାରେ ରୋଗୀ ଟିକିଏ ଦୁଷ୍ଟାମି କଲେ ବା ଶୃଙ୍ଖଳା ନରଖିଲେ ତା’କୁ ଶାସନ କରିଲାଭଳି ଇଲେକଟ୍ରିକ ଶକ୍ ଦିଅନ୍ତି। ଏଥିରେ ରୋଗୀ ଭଲ ହେବା ଦୂରେ ଥାଉ, ତା’ର ଆହୁରି ବେଶୀ କ୍ଷତି ହୁଏ। ଇନସୁଲିନ୍ ଚିକିତ୍ସା ଯାହାଠାରେ ଫଳପ୍ରଦ ନ ହୋଇଛି ତାକୁ ଶକ୍ ଦେଇ କିଛି ଲାଭ ନାହିଁ ବୋଲି କେତେକ ବିଶେଷଜ୍ଞଙ୍କର ମତ। ଶକ ଚିକିତ୍ସା ଇନସୁଲିନ୍ ପରି ଅପେକ୍ଷାକୃତ ସ୍ଥାୟୀ ସୁଫଳ ଦିଏ ନାହିଁ। ତେଣୁ ନୂଆ ନୂଆ ସ୍କିଜୋଫ୍ରେନିଆ ରୋଗୀଙ୍କୁ ପ୍ରଥମେ ଇନସୁଲିନ୍ ଦେବା କଥା। ଶକ୍ ଦେଇ ମିଛରେ ସମୟ ନଷ୍ଟ କରି ଲାଭ ନାହିଁ।

Schizophrenia

ରୁଷୀୟ ଚିକିତ୍ସକମାନେ ସ୍କିଜୋଫ୍ରେନିଆ ଓ ଅନ୍ୟାନ୍ୟ ମାନସିକ ବ୍ୟାଧିର ଚିକିତ୍ସା ପାଇଁ କେତେକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ମସ୍ତିଷ୍କ ଓ ମେରୁଦଣ୍ଡ ଭିତରେ ଥିବା ତରଳ ରସରେ ପ୍ରତ୍ୟକ୍ଷ ଭାବରେ ଔଷଧ ପ୍ରୟୋଗ କରିବା ଏଥିମଧ୍ୟରୁ ଗୋଟିଏ। ଇଞ୍ଜେକସନ ନ ଦେଇ ବା ପାଟିବାଟେ ଔଷଧ ନଖୁଆଇ ଏହା କରିବା ଦ୍ୱାରା ଶୀଘ୍ର ଫଳ ମିଳିବାର ସେମାନେ କହନ୍ତି। ଏହାଛଡ଼ା ବିଶେଷକରି ସ୍କିଜୋଫ୍ରେନିଆ  ଭଲ କରିବା ପାଇଁ ସେମାନେ ଏକପ୍ରକାର ସେରମ(Serum) ଉଦ୍ଭାବନ କରିଛନ୍ତି। ମଣିଷର ପ୍ଲୀହା ଓ ଅସ୍ଥିମଜ୍ଜାରେ ଥିବା ଏକପ୍ରକାର ଟିସୁକୁ ଠେକୁଆ ଦେହରେ ଦେଇ ଗୋବୀଜ ଟିକା ତିଆରି କଲା ଭଳିଆ ଏ.ଆର.ସି (antireticulocytotoxic)ନାମକ ସେରମ ପ୍ରସ୍ତୁତ ହେଉଛି। ଅଳ୍ପମାତ୍ରାରେ ଏହା ଇଞ୍ଜେକସନ ଦେବା ଦ୍ୱାରା ପ୍ରାୟ ଶତକଡ଼ା ୫୦ ସ୍କିଜୋଫ୍ରେନିଆ ରୋଗୀ ଭଲ ହେଉଛନ୍ତି ବୋଲି ଦେଖାଯାଇଛି।

ମସ୍ତିଷ୍କରେ ଅସ୍ତ୍ରୋପଚାରର ସ୍କିଜୋଫ୍ରେନିଆ ଉପରେ ପ୍ରଭାବ ଏବେ ବି ବିଚାରାଧୀନ। ନୂଆ ସ୍କିଜୋଫ୍ରେନିଆ ରୋଗୀଙ୍କଠାରେ ଚିକିତ୍ସା ଆଦୌ କରାଯିବା ଉଚିତ୍ ନୁହେଁ। କିନ୍ତୁ ପୁରାତନ ସ୍କିଜୋଫ୍ରେନିଆ ରୋଗୀଙ୍କଠାରେ ଏ ଚିକିତ୍ସା କରାଯାଇପାରେ। ଏହା ସବୁବେଳେ ଖୁବ୍ ଫଳପ୍ରଦ ନୁହେଁ। ଦେଖାଯାଇଛି ଯେ ଏହା ଦ୍ୱାରା ପ୍ରାୟ ଏକ ତୃତୀୟାଂଶ ପୁରାତନ ରୋଗୀଙ୍କୁ ସମାଜରେ ରହିପାରିବା ପାଇଁ ଯେତିକି ସ୍ୱାଭାବିକତା ଦରକାର ତାହା ଦିଆଯାଇପାରିବ। ଅନ୍ୟମାନେ ଅସ୍ତ୍ରୋପଚାର ଦ୍ୱାରା ସମ୍ପୂର୍ଣ୍ଣ ଭଲ ନ ହେଲେ ମଧ୍ୟ ବେଶ୍ କିଛି ଉପକାର ପାଆନ୍ତି। ପାରାନୋଇଆ ଓ କାଟାଟୋନିଆ ରୋଗୀ ଏହାଦ୍ୱାରା ଅପେକ୍ଷାକୃତ ବିଶେଷ ଉପକୃତ ହୁଅନ୍ତି। ମସ୍ତିଷ୍କ ଅସ୍ତ୍ରୋପଚାର ପରେ ରୋଗ ବେଳେ ବେଳେ କିଛି ସମୟ ପାଇଁ ଉପଶମ ହୋଇ ପୁଣି ଲେଉଟିବାର ଦେଖାଯାଏ। ମୋଟାମୋଟି କହିବାକୁ ଗଲେ ଅସ୍ତ୍ରୋପଚାର ପ୍ରଣାଳୀ, ସଠିକ ସ୍ଥାନ ଓ ଅସ୍ତ୍ରୋପଚାର କ୍ଷତର ଆୟତନ ବିଷୟରେ ମତଦ୍ୱେଧ ଥିବାରୁ ଏହାର ଫଳାଫଳ ବିଷୟରେ ବିଶେଷ କିଛି ଜାଣି ହେଉନାହିଁ। କିନ୍ତୁ ସ୍କିଜୋଫ୍ରେନିଆର କାରଣ ନିର୍ଦ୍ଦିଷ୍ଟ ରୂପେ ନିରୁପିତ ନ ହେଲା ପର୍ଯ୍ୟନ୍ତ ଏହାର ନିଶ୍ଚିନ୍ତ ଓ ଫଳପ୍ରଦ ଚିକିତ୍ସା ବାହାରି ପାରିବ ନାହିଁ।

(ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜଣେ ପ୍ରଖ୍ୟାତ ମନୋବିଜ୍ଞାନୀ ଓ ଲେଖକ। କାନାଡାସ୍ଥିତ ଆଲ୍‍ବର୍ଟା ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ବର୍ଷ ଅଧ୍ୟାପନା ପରେ ସେ ସମ୍ପ୍ରତି ସେଠାରେ ପ୍ରଫେସର ଏମେରିଟସ ଭାବେ ଅବସ୍ଥାପନ କରୁଛନ୍ତି।)

 (ସୌଜନ୍ୟ: ‘ଅସୁସ୍ଥ ମନ’, ପ୍ରକାଶକ: ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୧)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୨)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୩)