ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

Schizophrenia

ସ୍କିଜୋଫ୍ରେନିଆର ଅନୁକୂଳ ଅବସ୍ଥା

କୈଶୋରର ଶେଷ ଓ ଯୌବନର ପ୍ରାରମ୍ଭରେ ସ୍କିଜୋଫ୍ରେନିଆ ଆକ୍ରମଣ କରେ। ସ୍କିଜୋଫ୍ରେନିଆ ରୋଗୀଙ୍କ ଭିତରୁ ଦୁଇ ତୃତୀୟାଂଶ ଲୋକଙ୍କର ୧୫ ଓ ୩୦ ବର୍ଷ ବୟସ ଭିତରେ ରୋଗ ପ୍ରଥମେ ଦେଖାଦେଇଥାଏ। ୨୫ବର୍ଷ ବୟସରେ ସବୁଠାରୁ ସ୍କିଜୋଫ୍ରେନିଆ ହେବାର ବେଶୀ ସମ୍ଭାବନା ଏବଂ ଚାଳିଶି  ବର୍ଷ ପରେ ପ୍ରାୟ ସ୍କିଜୋଫ୍ରେନିଆ ହୁଏ ନାହିଁ। ଯଦିବା ହୁଏ, ତାହା ପ୍ରକୃତରେ ଆଗରୁ ଆରମ୍ଭ ହୋଇଥାଏ ଓ ଗୁପ୍ତ ଭାବରେ ରହିଥାଏ।

ସ୍କିଜୋଫ୍ରେନିଆ କେତେକାଂଶରେ ବଂଶଗତ। କିନ୍ତୁ ବଂଶଗତ କାରଣ ଯୋଗୁଁ ସ୍କିଜୋଫ୍ରେନିଆ  ଯେ ନିଶ୍ଚୟ ହେବ ଏମିତି କିଛି କଥା ନାହିଁ। ସାଧାରଣ ଲୋକଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ହଜାର କରେ ୮ ହେବା ସ୍ଥଳେ ସ୍କିଜୋଫ୍ରେନିଆ ହୋଇଥିବା ବାପା ମା’ଙ୍କର ଛୁଆମାନଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ହଜାର କରେ ୨୨୦। ଜେଜେବାପା, ଜେଜେମା ବା ଅଜା ଆଈଙ୍କୁ ସ୍କିଜୋଫ୍ରେନିଆ ହୋଇଥିଲେ (ଅଥଚ ବାପା ମାଙ୍କୁ ହୋଇନଥିଲେ) ନାତିନାତୁଣୀଙ୍କୁ ସେ ରୋଗ ହେବାର ସମ୍ଭାବନା ଶତକଡ଼ା ୩, ଝିଆରୀ ପୁତୁରାଙ୍କୁ ହେବାର ସମ୍ଭାବନା ଶତକଡ଼ା ୨ ଓ ଦାଦିପୁଅ, ମାମୁଁ ପୁଅ ଓ ପିଉସୀପୁଅ ଭାଇଭଉଣୀମାନଙ୍କୁ ଏ ରୋଗ ହେବାର ସମ୍ଭାବନା ମଧ୍ୟ ଶତକଡ଼ା ୨; ଅର୍ଥାତ ସାଧାରଣଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନାର ତିନିଗୁଣ। ସମ-ଡିମ୍ବାଣୁ ବିଶିଷ୍ଟ ଯମଜମାନଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ଜଣଙ୍କର ସ୍କିଜୋଫ୍ରେନିଆ ଥିଲେ ଅନ୍ୟଟିକୁ ହେବାର ସମ୍ଭାବନା ଶତକଡ଼ା ୬୭। ଅନ୍ୟ ଏକ ଗବେଷଣାରୁ ମିଳିଛି ଯେ ଏ ସମ୍ଭାବନା ଶତକଡ଼ା ୭୬ ହୋଇପାରେ।

Schizophrenia

କୈଶୋରର ପାନ୍ତ ଭାଗରେ ଓ ଯୌବନର ପ୍ରାରମ୍ଭରେ ଏ ରୋଗ ହେଉଥିବାରୁ କ୍ରାଏପଲିନ୍ ଭାବୁଥିଲେ ଯେ ଯୌନଗ୍ରନ୍ଥିର କ୍ଷରଣ ସହିତ ସ୍କିଜୋଫ୍ରେନିଆର ନିଶ୍ଚୟ କିଛି ସମ୍ବନ୍ଧ ଅଛି। କାରଣ ଏହି ସମୟରେ ଯୌନବିକାଶରେ ଯଥେଷ୍ଟ ପରିବର୍ତ୍ତନ ହୁଏ ଓ ତତସଂଲଗ୍ନ ଗ୍ରନ୍ଥ ଗୁଡ଼ିକରେ କ୍ଷରଣରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ। କେହି କେହି ସମଗ୍ର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକରେ କ୍ଷରଣରେ ଗୋଳମାଳ ରହୁଥିବାରୁ ସ୍କିଜୋଫ୍ରେନିଆ ହୁଏ ବୋଲି ମତ ଦିଅନ୍ତି। ଦେଖାଯାଇଛି ଯେ ଅଧିକାଂଶ ସ୍କିଜୋଫ୍ରେନିଆ ରୋଗୀଙ୍କର ଶୁକ୍ରାଣୁ ତିଆରି ହେବା ପୁରାପୁରି ବନ୍ଦ ହୋଇଯାଏ ଓ ଅଣ୍ଡକୋଷରେ ଥିବା ସ୍ନାୟୁକୋଷଗୁଡ଼ିକ ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ। ସ୍ତ୍ରୀଲୋକମାନଙ୍କର ଡିମ୍ବକୋଷରେ ମଧ୍ୟ ଅନୁରୂପ ଲକ୍ଷଣମାନ ଦେଖାଯାଇଛି। ଅବଶ୍ୟ ଏହା ସ୍କିଜୋଫ୍ରେନିଆର କାରଣ ନ ହୋଇ ଆନୁସଙ୍ଗିକ ଅବସ୍ଥା ହୋଇପାରେ ବୋଲି ବହୁ ବିଶେଷଜ୍ଞଙ୍କର ମତ। କାରଣ ଏହା ରୋଗୀର ବୟସ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦୈହିକ ରୋଗ ଉପରେ ନିର୍ଭର କରେ। କେତେକ ସ୍କିଜୋଫ୍ରେନିଆ ରୋଗୀଙ୍କର ଯୌନଗ୍ରନ୍ଥି ସ୍ୱାଭାବିକ ଥିବା ପରୀକ୍ଷା କରି ଦେଖାଯାଇଅଛି। ଏଥିରୁ ଅନୁମାନ କରାଯାଏ ଯଦିଓ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ସ୍କିଜୋଫ୍ରେନିଆ ରୋଗରେ ସ୍ୱାଭାବିକ ଅବସ୍ଥାରେ ନ ଥାନ୍ତି, ତଥାପି ଏଗୁଡ଼ିକର ଅସ୍ୱାଭାବିକତା ଓ ସ୍କିଜୋଫ୍ରେନିଆ ମଧ୍ୟରେ କାର୍ଯ୍ୟକାରଣ ସମ୍ବନ୍ଧ ଅଛି ବୋଲି କୁହାଯାଇ ପାରିବ ନାହିଁ।

ଆଉ କେତେକ ବିଶେଷଜ୍ଞଙ୍କ ମତରେ କେବଳ ଦୈହିକ କାରଣ ସ୍କିଜୋଫ୍ରେନିଆ ସୃଷ୍ଟି କରିବା ପାଇଁ ଯଥେଷ୍ଟ ନୁହନ୍ତି। ଆଗରୁ ବର୍ଣ୍ଣନା କରାଯାଇଥିବା କାରଣ ସବୁ ଯଥା- ବଂଶାନୁକ୍ରମ, ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ଷରଣରେ ଅସ୍ୱାଭାବିକତା କିମ୍ବା ଦୈହିକ ବିକୃତି କୌଣସିଟି ସ୍କିଜୋଫ୍ରେନିଆର  ପ୍ରତ୍ୟକ୍ଷ କାରଣ ନୁହନ୍ତି। ଏ ସବୁ ଦୋଷ ଲୋକଙ୍କୁ ତା’ର ପରିବେଷ୍ଟନୀ ସହିତ ଖାପ୍ ଖୁଆଇ ଚଳିବାରେ ବାଧା ସୃଷ୍ଟି କରନ୍ତି ଓ କ୍ରମାନ୍ୱୟରେ  ଏହିପରି ବାଧା ସୃଷ୍ଟି ହେବା ଦ୍ୱାରା ପରିଶେଷରେ ସ୍କିଜୋଫ୍ରେନିଆ ଦେଖାଦିଏ। ଏହି ବିଶେଷଜ୍ଞଙ୍କ ମତରେ ସୁସ୍ଥ ମଣିଷର ମନୋଭାବ ହେଲା ଜୀବନ ବିଭିନ୍ନ ସମସ୍ୟାକୁ ସାହସର ସହିତ ସମାଧାନ କରିବା ପାଇଁ ଅଗ୍ରସର ହେବା, ପ୍ରତ୍ୟକ୍ଷ ଭାବରେ ବହୁ ବାଧାବିଘ୍ନ ଅତିକ୍ରମ କରି ସନ୍ତୋଷ ଲାଭ କରିବା। ଅଥଚ ସ୍କିଜୋଫ୍ରେନିଆ ରୋଗୀ ପରିବେଷ୍ଟନୀରୁ ଦୂରେଇ ହୋଇ ନିଜ ମନର ସଂକୀର୍ଣ୍ଣ ପ୍ରକୋଷ୍ଠରେ ଆବଦ୍ଧ ହୋଇ ରହେ, ଜୀବନ ସମସ୍ୟାର ସମ୍ମୁଖୀନ ନ ହୋଇ ପରୋକ୍ଷରେ ପରାସ୍ତ ହୋଇଥିବାର ମନୋଭାବକୁ ଆଦରି ନିଏ; ସମାଜଠାରୁ ଦୂରରେ ରହି ନିଜର କଳ୍ପନାପ୍ରସୂତ ଔଦାସ୍ୟନିମଗ୍ନ  ସଂସାରରେ ବାସ କରେ। କ୍ରମେ କ୍ରମେ ଏ ପ୍ରକାର ବ୍ୟବହାର ଅଭ୍ୟାସରେ ପରିଣତ ହୁଏ ଓ ତା’ଠାରେ ପରିଣତ ସ୍କିଜୋଫ୍ରେନିଆର ସମସ୍ତ ଲକ୍ଷଣ ଦେଖାଯାଏ।

ଦୈହିକ କାରଣଗୁଡ଼ିକ  ଠିକ୍ କେଉଁ ପ୍ରକାରରେ ସ୍କିଜୋଫ୍ରେନିଆ ଜାତ କରାନ୍ତି ଏ ବିଷୟରେ ଯଥେଷ୍ଟ ଜ୍ଞାନ ବର୍ତ୍ତମାନ ଆମର ନାହିଁ। ତେଣୁ ଉପରୋକ୍ତ ବ୍ୟାଖ୍ୟା ବର୍ତ୍ତମାନ ପାଇଁ ଗ୍ରହଣୀୟ, କିନ୍ତୁ ଏହା ଖୁବ୍ ସନ୍ତୋଷଜନକ ନୁହେଁ। କାରଣ ସ୍କିଜୋଫ୍ରେନିଆର ଦୈହିକ କାରଣ ସହିତ ଘନିଷ୍ଠ ସମ୍ବନ୍ଧ ଥିବା ନିଃସନ୍ଦେହ। ଦୈହିକ ରୋଗର ଠିକ୍ ପରେ ସ୍କିଜୋଫ୍ରେନିଆ ହେବାର ଦେଖାଯାଇଛି। ଯକ୍ଷ୍ମା ପ୍ରଭୃତି ସଂକ୍ରାମକ ରୋଗ ପରେ, ଗର୍ଭାବସ୍ଥାରେ ବା ସନ୍ତାନ ପ୍ରସବର ପରେ ପରେ ସ୍କିଜୋଫ୍ରେନିଆ ହୁଏ। ତା’ ଛଡ଼ା ମସ୍ତିଷ୍କରେ ଘା’ ବା ସେହିପରି କିଛି ରୋଗରେ ସ୍କିଜୋଫ୍ରେନିଆ ସଦୃଶ ଲକ୍ଷଣ ଦେଖିବାକୁ ମିଳେ। ଅଥଚ କୌଣସି ମାନସିକ ବିପର୍ଯ୍ୟୟ ଯୋଗୁଁ ସ୍କିଜୋଫ୍ରେନିଆ ହୁଏ  ବୋଲି କହି ହେବ ନାହିଁ। ଯୁଦ୍ଧବେଳେ ପ୍ରିୟଜନଙ୍କର ମୃତ୍ୟୁ ବା ବହୁପ୍ରକାର ଭୟାବହ ଅନୁଭୂତି ଭଳି ଯଥେଷ୍ଟ ମାନସିକ କାରଣ ଥାଇ ମଧ୍ୟ ସ୍କିଜୋଫ୍ରେନିଆ ରୋଗୀଙ୍କ ସଂଖ୍ୟା ବଢ଼ିବାର ଜଣାନାହିଁ। ଏଣୁ ଶାରୀରିକ କାରଣ ଯେ ଯଥେଷ୍ଟ ଭାବରେ ସ୍କିଜୋଫ୍ରେନିଆକୁ ପ୍ରଭାବିତ କରେ ତାହା ଠିକ୍; କିନ୍ତୁ କେଉଁ ଉପାୟରେ ପ୍ରଭାବିତ କରେ ତାହା ଭବିଷ୍ୟତରେ ଜଣାପଡ଼ିବ ବୋଲି ଖୁବ୍ ଆଶା ଅଛି।

Schizophrenia

ସ୍କିଜୋଫ୍ରେନିଆର ପରିଣତି

ସ୍କିଜୋଫ୍ରେନିଆ ପ୍ରକୃତରେ ଭଲ ହୋଇଛି କି ନାହିଁ ଜାଣିବା ସହଜ ନୁହେଁ। ରୋଗୀ ପ୍ରାୟ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା ଭଳି ଜଣାପଡ଼ୁଥିବ, ଅଥଚ ହଠାତ୍ ଦିନେ ସବୁ ସଂଘାତିକ ଲକ୍ଷଣ ସହ ପୁରୁଣା ରୋଗ ଦେଖାଦେଇପାରେ। କିନ୍ତୁ ରୋଗୀ ବହୁତଦିନ ଡାକ୍ତରଖାନାରେ ରହିଲା ପରେ ରୋଗର ଲକ୍ଷଣଗୁଡ଼ିକ ଆଉ ଏତେ ତୀବ୍ର ଆକାରରେ ଦେଖାଯାଆନ୍ତି ନାହିଁ କି ରୋଗୀ ସେପରି କିଛି ଉଦ୍‌ବେଗ ଦେଖାଏ ନାହିଁ। ମନେହୁଏ ଯେପରି ରୋଗୀ ତା’ ଲକ୍ଷଣ ସହିତ ଗୋଟିଏ ଚୁକ୍ତିରେ ଆବଦ୍ଧ ହୋଇଛି। ଜଣେ ରୋଗୀ ନୂଆ ନୂଆ ଆସିଲା ବେଳେ ଅତ୍ୟନ୍ତ ଉତ୍ତେଜିତ ହୋଇ କହୁଥିଲା, ସେ ୟୁରୋପର ସମ୍ରାଟ ଓ ସେହି ଅନୁସାରେ ଉଚ୍ଛୃଙ୍ଖଳା ବ୍ୟବହାର କରୁଥିଲା। ବହୁତ ବର୍ଷ ପରେ ଦିନସାରା ମାଟିଆ କାଗଜରେ ଇଆଡୁସିଆଡୁ ସଂଖ୍ୟା ଲେଖୁଥାଏ। ଆଉ କିଛି କରୁନଥାଏ। ପଚାରିଲେ କହେ ସେ ତା’ ରାଜ୍ୟର ହିସାବ ଲେଖୁଛି। କିନ୍ତୁ ସମ୍ରାଟ ହେବାର ଉତ୍ତେଜନା ବା ଆନୁସଙ୍ଗିକ ଆଦବକାଇଦା କୁଆଡେ ଲୋପ ପାଇଗଲାଣି। ସବୁ ପୁରାତନ ସ୍କିଜୋଫ୍ରେନିଆ ରୋଗୀଙ୍କର ଭାବନା ଦରିଦ୍ର, ଆଗ୍ରହ ଓ ମନୋଭାବର ପରିଧି ଅତ୍ୟନ୍ତ ସଂକୀର୍ଣ୍ଣ। ନୂଆ ନୂଆ ଯେଉଁ ରୋଗୀକୁ ଭୟଙ୍କର ଓ ବିପଦଜନକ ବୋଲି ଅଲଗା କରି ରଖାଯାଉଥିଲା କିଛି ବର୍ଷ ପରେ ସେ ଅତ୍ୟନ୍ତ ନିରୀହ ହୋଇଯାଏ। ଏମିତିକି ରୋଗୀ ଯାହାକୁ ଦେଖିଲେ ଜୀବନରେ ମାରି ଦେବ ବୋଲି କହୁଥିଲା ତା’ର ଉପସ୍ଥିତି ମଧ୍ୟ ସେ ସହିଯାଏ। ଖାଇବା ପିଇବା ଠିକ୍ ସମୟରେ କରେ ଓ ସାଧାରଣ କଥାବାର୍ତ୍ତା ଚଳିଗଲା ଭଳି କରିପାରେ। ପୂର୍ବର ଭ୍ରାନ୍ତିଧାରଣା ମନରେ ଥାଏ। କିନ୍ତୁ ରୋଗୀ ତା’ ଉପରେ ଆଉ ଜୋର ଦିଏନାହିଁ। ଯଦିଓ ତା’ର ବ୍ୟକ୍ତିତ୍ୱ ନଷ୍ଟ ହୋଇଯାଇଥାଏ, ତା’ର ବୃଦ୍ଧି ଓ  ସ୍ମରଣଶକ୍ତି ଅକ୍ଷୂର୍ଣ୍ଣ ରହିଥିବାର ଦେଖାଯାଏ। ସ୍କିଜୋଫ୍ରେନିଆ ରୋଗୀ କିଛି ବୁଝୁନି ବୋଲି ତା’ ଆଗରେ ଅପମାନ କରି କହିବା କିଛି ଉଚିତ ନୁହେଁ, କାରଣ ସେ କିଛି କହୁ ନଥିଲେ ମଧ୍ୟ ଗୋଟି ଗୋଟି କରି ସବୁ ବୁଝିପାରୁଥାଏ ଓ ମଝିରେ ମଝିରେ ଏମିତି ଉତ୍ତର ଦିଏ ଯେ କଥାବାର୍ତ୍ତା କରୁଥିବା ଲୋକେ ଅପଦସ୍ତ ହୋଇଯାଆନ୍ତି।

mental Pressure

ସ୍କିଜୋଫ୍ରେନିଆ ରୋଗୀ ଡାକ୍ତରଖାନାର ସୁରକ୍ଷିତ ବାତାବରଣରେ ରହି ବୟସରେ କମ୍ ଜଣାପଡ଼ନ୍ତି। ଏମାନଙ୍କର ହାରାହାରି ଆୟୁ ସାଧାରଣ ଲୋକଙ୍କଠାରୁ କମ୍। ଯକ୍ଷ୍ମା ବା ସେହିପରି କୌଣସି ସଂକ୍ରାମକ ରୋଗରେ କେତେକ ସ୍କିଜୋଫ୍ରେନିଆ ରୋଗୀଙ୍କର ମୃତ୍ୟୁ ଘଟେ। ବୋଧହୁଏ ସ୍କିଜୋଫ୍ରେନିଆରେ ସ୍ୱାଭାବିକ ଦୈହିକ ପ୍ରକ୍ରିୟା ବାଧାପାଏ, ତେଣୁ ରୋଗୀ ଶୀଘ୍ର ମରିଯାଏ।

ସ୍କିଜୋଫ୍ରେନିଆ ଆଦୌ ଭଲ ହୁଏ ନାହିଁ ବୋଲି ଆଗେ ଧାରଣା ଥିଲା ଓ ପ୍ରକୃତରେ କିଛି ବର୍ଷ ତଳେ ସେ ରୋଗ କ୍ୱଚିତ ଭଲ ହେଉଥିଲା। ଆଧୁନିକ ଚିକିତ୍ସା ପ୍ରଣାଳୀ ପ୍ରୟୋଗ ନ କଲେ ରୋଗୀର ବ୍ୟକ୍ତିତ୍ୱ ଆସ୍ତେ ଆସ୍ତେ ନଷ୍ଟ ହୋଇଥାଏ; ରୋଗୀର ଅବସ୍ଥା ଖୁବ୍ ଖରାପ ହୁଏ ଓ ତା’ ପାଇଁ ଆଜୀବନ ଡାକ୍ତରଖାନାରେ ରହିବାର ବ୍ୟବସ୍ଥା କରିବାକୁ ପଡ଼େ। କିଛି ଦିନ ପାଇଁ ରୋଗ ଛାଡ଼ିଯାଇ ପୁଣି ହୋଇପାରେ। ୩/୪ ଥର ରୋଗ ଲେଉଟିଲେ ଭଲ ହେବାର ସମ୍ଭାବନା ଆଦୌ  ରହେ ନାହିଁ କହିଲେ ଚଳେ। ଅବଶ୍ୟ ଜଣେ ସ୍କିଜୋଫ୍ରେନିଆରୁ ଆରୋଗ୍ୟ ଲାଭ କରିଛି ବୋଲି କେମିତି ଜାଣିବ? ମନେକର ଜଣେ ଚାଷୀକୁ ଏ ରୋଗ ହୋଇ ଆପାତତଃ ଭଲ ହୋଇଗଲା। ସେ ପୁଣି ଯାଇ ଚାଷବାସ କରି ରହିଲା, କେହି ତା’ ବ୍ୟବହାରରେ ବିଶେଷ କିଛି ଦୋଷ ଦେଖିପାରିଲେ ନାହିଁ। ଅଥଚ ଯଦି ଜଣେ ରାଷ୍ଟ୍ରଦୂତଙ୍କୁ ସ୍କିଜୋଫ୍ରେନିଆ ହେଲା, ଆପାତତଃ ଭଲ ହେବା ପରେ ସେ ଆଉ ରାଷ୍ଟ୍ରଦୂତର କାମ ତୁଲାଇ ପାରିବେ ନାହିଁ, ରୋଗ ହେତୁ ବ୍ୟବହାରରେ ରହି ଯାଇଥିବା ତ୍ରୁଟି ଚାଷ କାମ ପାଇଁ କିଛି ନୁହେଁ; କିନ୍ତୁ ରାଷ୍ଟ୍ରଦୂତର କାମ ପାଇଁ ବେଶ୍ ଗୁରୁତର।

ସ୍କିଜୋଫ୍ରେନିଆ ଅଗୋଚରରେ ଆସ୍ତେ ଆସ୍ତେ ଆରମ୍ଭ ହେଲେ ସେଥିରୁ ଭଲ ହେବାର ସମ୍ଭାବନା ଅତ୍ୟନ୍ତ ଅଳ୍ପ। କିନ୍ତୁ ବିଷମ ଓ ସାଙ୍ଘାତିକ ଭାବରେ ଆରମ୍ଭ ହୋଇଥିଲେ ଭଲ ହେବା ଅପେକ୍ଷାକୃତ ସହଜ।

(ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜଣେ ପ୍ରଖ୍ୟାତ ମନୋବିଜ୍ଞାନୀ ଓ ଲେଖକ। କାନାଡାସ୍ଥିତ ଆଲ୍‍ବର୍ଟା ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ବର୍ଷ ଅଧ୍ୟାପନା ପରେ ସେ ସମ୍ପ୍ରତି ସେଠାରେ ପ୍ରଫେସର ଏମେରିଟସ ଭାବେ ଅବସ୍ଥାପନ କରୁଛନ୍ତି।)

(ସୌଜନ୍ୟ: ‘ଅସୁସ୍ଥ ମନ’, ପ୍ରକାଶକ: ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୧)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୨)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୪)