ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ

Schizophrenia

ଏହାକୁ ସବୁଠାରୁ ସାଙ୍ଘାତିକ ମାନସିକ ବ୍ୟାଧି ବୋଲି କୁହାଯାଇପାରେ। ମଣିଷର ସମୁଦାୟ ବ୍ୟକ୍ତିତ୍ୱକୁ ଏହା ଆକ୍ରମଣ କରି ତା’ର ଭାବନା, ଆବେଗ ଓ କାମନାକୁ ବ୍ୟାଧିଗ୍ରସ୍ତ କରି ପକାଏ। ତେଣୁ ତା’କୁ ସାଧାରଣ ଜୀବନରୁ ଅବସର ନେବାକୁ ପଡ଼େ। ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଉତ୍ତେଜନା ଦୂର ହେଲା ପରେ ପୁରାତନ ଓ ଜଟିଳ ରୋଗ ହିସାବରେ ଏହା ଜୀବନର ବାକି ସମୟତକରେ ଦେଖାଦିଏ। ଏ ଅବସ୍ଥାରେ ରୋଗର ସେପରି କୌଣସି ଭୟାବହ ଲକ୍ଷଣ ଦେଖିବାକୁ ମିଳେ ନାହିଁ। ତଥାପି ଏହା ଏତେ ମାନସିକ ଦୌର୍ବଲ୍ୟ ଆଣି ଦେଇଥାଏ ଯେ ରୋଗୀ ଆଜୀବନ ଚିକିତ୍ସାଳୟରେ ଆବଦ୍ଧ ହୋଇ ରହିବାକୁ ବାଧ୍ୟ ହୁଏ। ସେ ଆଉ ସ୍ୱାଭାବିକତା ଫେରିପାଏ ନାହିଁ। ଅବଶ୍ୟ ଶୀଘ୍ର ଜଣାପଡ଼ିଲେ ରୋଗରୁ ଆରୋଗ୍ୟଲାଭ କରିବାର ସମ୍ଭାବନା ବେଶୀ, କିନ୍ତୁ ସାଧାରଣତଃ ରୋଗ ଆରମ୍ଭ ହେଲାବେଳେ ଆଦୌ ଜଣାପଡ଼େନି ଓ ଡାକ୍ତରଙ୍କ ପାଖକୁ ଆସିଲାବେଳକୁ ରୋଗ ଚାରି ପାଞ୍ଚ ବର୍ଷ ପୁରୁଣା ହୋଇଯାଇଥାଏ। ହଜାରକରେ ପ୍ରାୟ ଆଠଜଣଙ୍କୁ ଏ ରୋଗ ହେବାର ସମ୍ଭାବନା ଅଛି।

ସ୍ପିଜୋଫ୍ରେନିଆ ଏକାଧିକ ରୋଗର ସମଷ୍ଟି। ଏ ପ୍ରତ୍ୟେକ ରୋଗର ପୁଣି ବହୁ ପ୍ରକାର ଲକ୍ଷଣ ଅଛି। ଏସବୁକୁ ରୋଗ ବୋଲି ଦେଖିପାରି ଯେ ଏହାର ସାମୁହିକ ସଂଜ୍ଞା ଦେଇଥିଲେ ସେ ନିଶ୍ଚୟ ପ୍ରତିଭାବାନ୍। ୧୮୯୬ ଖ୍ରୀଷ୍ଟାଦ୍ଦରେ ବିଜ୍ଞାନ ଓ ବିଶେଷକରି ଚିକିତ୍ସା ବିଜ୍ଞାନ ଏତେ ଉନ୍ନତ ନଥିଲା। ସେତେବେଳେ କ୍ରାଏପଲିନ୍ ନାମକ ଜଣେ ବିଶିଷ୍ଟ ମାନସିକ ଚିକିତ୍ସକ ଏହାକୁ ଗୋଟିଏ ରୋଗ ବୋଲି ଠିକ୍ କରି ଏହାର ନାଁ ଦେଇଥିଲେ ଡିମେନସିଆ ପ୍ରିକୋକ୍ସ (Dementia praecox) ଯୌବନର ପ୍ରାରମ୍ଭରେ ଏ ମାନସିକ ବ୍ୟାଧି ଦେଖାଯିବାର ସେ ଲକ୍ଷ୍ୟ କରିଥିବାରୁ ଏପରି ନାମ ଦେଇଥିଲେ। କିନ୍ତୁ ଜୀବନର ଅନ୍ୟାନ୍ୟ କାଳରେ ମଧ୍ୟ ଏହା ଦେଖାଯାଉଛି ବୋଲି ଜଣାପଡ଼ିଲା। ତେଣୁ  ବ୍ଲିଉଳର ଏହାର ନୂତନ ନାମ ଦେଲେ ସ୍କିଜୋଫ୍ରେନିଆ। ସ୍କିଜୋଫ୍ରେନିଆର ଅର୍ଥ ହେଉଛି ଖଣ୍ଡବିଖଣ୍ଡିତ ବ୍ୟକ୍ତିତ୍ୱ। ତେଣୁ ଏ ନାମ ଦ୍ୱାରା ବୟସ ଉପରେ ଜୋର ନ ଦିଆଯାଇ ବ୍ୟକ୍ତିତ୍ୱ ଉପରେ ଜୋର୍ ଦିଆଗଲା।

 

ଲକ୍ଷଣ

ସ୍କିଜୋଫ୍ରେନିଆର ଦୈହିକ କାରଣ ଜଣାଯାଇନାହିଁ। ତେଣୁ ଏ ପର୍ଯ୍ୟନ୍ତ ଦୈହିକ ଲକ୍ଷଣ ଉପରେ ବିଶେଷ ଜୋର ନ ଦେଇ ମାନସିକ ଲକ୍ଷଣଗୁଡ଼ିକ ଅନୁସାରେ ରୋଗର ନିର୍ଣ୍ଣୟ କରିବାକୁ ପଡ଼ିବ। ଯେତେବେଳେ ଦୈହିକ କାରଣ ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ିବ, ଆମେ ମାନସିକ କାରଣଗୁଡ଼ିକୁ ଗୌଣ ବୋଲି ଧରିବୁ। ଏହାର ମୁଖ୍ୟ ମାନସିକ ଲକ୍ଷଣଗୁଡ଼ିକ ତଳେ ଦିଆଗଲା।

Schizophrenia

ଭାବନାରେ ବିଶୃଙ୍ଖଳତା

ରୋଗୀର ଭାବନା ସାଧାରଣତଃ ଅସଙ୍ଗତ। ସେ ଗୋଟାଏ କଥା ଠିକ୍ କରି ଭାବିପାରେ ନାହିଁ। ଭାବିବାକୁ ଆରମ୍ଭ କଲେ ବହୁ ପ୍ରକାରର ଅସଙ୍ଗତ ଭାବନା ସବୁ ତା’ ମନରେ ଉଙ୍କିମାରେ। ଗାଧୋଇବା କଥା ଭାବୁଭାବୁ ରେଡିଓ କଥା ଭାବେ। ଏ ଗୋଳମାଳ କଥା ବାର୍ତ୍ତାରେ ସ୍ପଷ୍ଟ ରୂପେ ଦେଖାଦିଏ। ଅମୁକ ଲୋକଙ୍କ ଘର କେଉଁଠି ପଚାରିଲେ ମନେକର ସେ କହିଲା  ହଜାରୀଗଳି, ତା’ପରେ ହଜାରିମଲ ଧର୍ମଶାଳା କଥା ମନେପଡ଼ିଲା। ତା’ ପରେ ଧର୍ମରେ ଶାଳା କାହିଁକି ଲାଗିଛି ଓ ଏହା ଯେ ଅଶ୍ଳୀଳ କଥା ଓ ଏକଥା ଏ ପର୍ଯ୍ୟନ୍ତ କେହି ଲକ୍ଷ୍ୟ କରିନାହାନ୍ତି ଏହା ସେ କହି ବସେ। ତା’ କହିବା ଭିତରେ ଅଳଙ୍କାର ଓ ଅନୁପ୍ରାସ ସବୁ ଦେଖାଦିଏ। ମନେକର କଣ କହୁ କହୁ ସେ ମହାଜନ ଶଦ୍ଦଟି ବ୍ୟବହାର କଲା। ତା’ ପରେ ସେ ଖାଲି ‘ଜନ’ ଲଗାଇ କଥା କହେ- ଯଥା ପରିଜନ, କୂଜନ, ବିଜନ, ସଜ୍ଜନ, ନିଜ୍ଜନ ଇତ୍ୟାଦି। ଆଉ କେବେ କେବେ ସେ ଏକା କଥାକୁ ବାରମ୍ବାର କହୁଥାଏ। ଜଣେ ରୋଗୀ ତା’ର ଜୀବନର ଅନୁଭୂତି ସବୁ ବର୍ଣ୍ଣନା କରୁ କରୁ ସେ କାହାକୁ ‘‘ଜୋ ହୁଆ ସୋ ଠିକ୍ ହୁଆ, କହିଥିବାର ବର୍ଣ୍ଣନା କଲା। ତା’ ପରେ ଆଉ କିଛି ନ କହି କେବଳ ଠିକ୍ ହୁଆ, ଠିକ୍ ହୁଆ ବୋଲି କହିଚାଲିଲା। ନୂତନ ଭାଷା ସୃଷ୍ଟି କରିବାରେ ଓ ନୂଆ ସଙ୍କେତ ଉଦ୍ଭାବନ କରିବାରେ ସ୍କିଜୋଫ୍ରେନିଆ ରୋଗୀ ଖୁବ୍ ପାରଙ୍ଗମ।

ପିଲାମାନଙ୍କ ପରି ସେ ‘ବଫଆଲା’ ଲେଖି ‘ବରଫ ଆଣିଲା’ ବୁଝୁଥିବ। କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହୁଥିବା ବେଳେ ସେ ପିଲାଳିଆ ଥଟ୍ଟା ପରିହାସ କରୁଥିବ। ଅଯଥା ହସୁଥିବ ବା ଖତେଇ ହେଉଥିବ। ତା’ କଥାବାର୍ତ୍ତାରୁ ଅବଶ୍ୟ ଭାବନା ପ୍ରକ୍ରିୟାର ସବୁ ଗୋଳମାଳ ଧରାପଡ଼େନି। ଏମିତିକି ସାଧାରଣ କଥାବାର୍ତ୍ତା ହେଲାବେଳେ ମଧ୍ୟ ରୋଗୀ ଖୁବ୍ ସ୍ୱାଭାବିକ ମନେ ହୁଏ। କିନ୍ତୁ ରୋଗୀକୁ କୌଣସି ପ୍ରବାଦର ମାନେ ପଚାର କିମ୍ବା କୌଣସି ଜଣାଶୁଣା ଗପ କହିବାକୁ ଦିଅ, ତା’ର ଭାବନାର ଅପୂର୍ଣ୍ଣତା ଅବାନ୍ତରତା ଓ ଦାରିଦ୍ର୍ୟ ସହଜରେ ଜଣାପଡ଼େ। ମନେକର ପଚରା ହେଲା ‘‘ଗରଜିଲା ମେଘ ବରଷେ ନାହିଁ’’ ମାନେ କ’ଣ? ସେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେବେ। ସେ ହୁଏତ ’ଗରଜିବା’ ବିଷୟରେ କହି ଚାଲିବ। କିମ୍ବା ରୋଗୀକୁ ପଚାର ବିଲୁଆ ଓ ଅଙ୍ଗୁରକୋଳି ବିଷୟରେ ଗପ କହିବାକୁ। ସେ କେବେ ଠିକ୍ କରି ଗପଟା କହି ପାରିବନି କି ସାରିପାରିବନି।

ମଝିରେ ମଝିରେ ରୋଗୀ କହିବ ଯେ ତା’ ମୁଣ୍ଡରେ ଅନେକ ଭାବନା ଏକାଠି ଦେଖାଯାଉଛି, ଆଉ ସେ କୌଣସିଟା କହି ପାରୁନାହିଁ। ପୁଣି ଅନ୍ୟବେଳେ କହିବ, ଯେମିତି ନିଜେ କିଛି ଭାବୁନାହିଁ, ଜଣେ କିଏ ତା’ ମନରେ ଜବରଦସ୍ତ କ’ଣ ସବୁ କହୁଛି ଓ ସେ କେବଳ ସେହିଗୁଡ଼ିକ ଆଉ ଥରେ ନିଜେ କହୁଛି। ଅଧିକାଂଶ ବେଳେ ରୋଗୀ ଭାବୁକ ଭଳିଆ ବସିଥିଲେ ମଧ୍ୟ ପ୍ରାୟ ଖୁବ୍ କମ୍ ଭାବନା ତା’ ମନକୁ ଆସେ; ପ୍ରକୃତରେ ଭାବନାର ଦାରିଦ୍ର୍ୟ ଓ ଶୂନ୍ୟତା  ଏ ରୋଗର ବିଶେଷତ୍ୱ। ଶୂନ୍ୟତା ହେତୁ ସେ ଯନ୍ତ୍ରଭଳିଆ ଗୋଟିଏ ଦୁଇଟି କଥା କହେ- ଯଥା ‘ମୁଁ ଘରକୁ ଯିବି’, ‘ମୋ ମନ ଖରାପ ଲାଗୁଛି’। ଏହି କଥା ଖାଲି କହୁଥାଏ। ପ୍ରକୃତରେ କିଛି ଆବେଗ ସହିତ କହୁନଥାଏ। କାରଣ ଏମିତି ଗୋଟାଏ ଦୁଇଟା ନିର୍ଦ୍ଦିଷ୍ଟ ଭାବନା ଛଡ଼ା ତା’ ମୁଣ୍ଡରେ ସବୁ ଗୋଳମାଳିଆ ଭାବନା ଦେଖାଯାଏ।

Schizophrenia

ଆବେଗରେ ବିଶୃଙ୍ଖଳତା

ସ୍କିଜୋଫ୍ରେନିଆ ରୋଗୀର ଆବେଗ (emotion) ଅସ୍ୱାଭାବିକ। ପ୍ରଥମେ ଆଖିରେ ପଡ଼ୁଥିବା ଅସ୍ୱାଭାବିକତା ହେଲା ଆବେଗହୀନତା। ରୋଗୀ କ୍ରମେ କ୍ରମେ ସାଧାରଣ ଆବେଗ ଅନୁଭବ କରିପାରେ ନାହିଁ। ମନେକର ରାସ୍ତାରେ ଜଣଙ୍କୁ ମଟର ମାଡ଼ିଗଲା, ତାହା ଦେଖି ରୋଗୀର କୌଣସି ଆବେଗ ଆସେ ନାହିଁ। ଆବେଗ ଅନୁଭବ କରିବା ଶକ୍ତି ଆସ୍ତେ ଆସ୍ତେ କମିଯିବା ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଲକ୍ଷଣ। ଏ ରୋଗ ପ୍ରଥମେ ଆରମ୍ଭ ହେଲାବେଳେ ରୋଗୀ କାହା ପ୍ରତି ସହାନୁଭୂତି ଦେଖାଇ ପାରେ ନାହିଁ। କାହାର ଦୁଃଖରେ ସମଦୁଃଖୀ ହୋଇପାରେ ନାହିଁ। ତା’ପରେ ଏପରି ହୁଏ ଯେ  ନିଜର ଅତି ପ୍ରିୟଜନର ମୃତ୍ୟୁରେ ମଧ୍ୟ ସେ ଅବିଚଳ ରହେ; କୌଣସି ଦୁଃଖ ଅନୁଭବ କରେ ନାହିଁ।

ଏ ପ୍ରକାର ଚରମ ବୈରାଗ୍ୟ ସ୍ୱାଭାବିକ ଭାବରେ ରୋଗୀଠାରେ ଦେଖାଦିଏ। ଜଣାଯାଏ ଯେମିତି ଦୁନିଆରେ କୌଣସି ଜିନିଷ ରୋଗୀର ମନରେ ଆନ୍ଦୋଳନ ସୃଷ୍ଟି କରିବ ନାହିଁ। ନିଜର ଚେହେରା ସମ୍ପର୍କରେ ରୋଗୀ ଆଦୌ ଯତ୍ନ ନିଏନାହିଁ। ତେଣୁ ବିନା ଦ୍ୱିଧାରେ ସେ ଅତି ଅପରିଷ୍କାର ହୋଇପାରେ। ଆବେଗରେ ଜଡ଼ତା ସହିତ ଆବେଗର ଆକସ୍ମିକ ଉତ୍‌ଥାନ ପତନ ମଧ୍ୟ ଦେଖାଯାଏ। ରୋଗୀ ସୁଖ ବା ଦୁଃଖରେ କୌଣସିଥିରେ ବିଚଳିତ ହୁଏ ନାହିଁ। କିନ୍ତୁ ସମୟେ ସମୟେ ହଠାତ୍ ଖୁବ୍ ଖୁସି ହୋଇ ପାଟିତୁଣ୍ଡ କରିପାରେ, ଖୁବ୍ ଡରିଯାଇ ପାରେ ବା ଅଯଥା ଆତଙ୍କରେ ଅଭିଭୂତ ହୋଇପାରେ। ଏହା ଅବଶ୍ୟ ଅଳ୍ପକ୍ଷଣସ୍ଥାୟୀ। ଏହା ସଙ୍ଗେ ସଙ୍ଗେ ଅସଙ୍ଗତ ଆବେଗ ଆଉ ଗୋଟିଏ ଲକ୍ଷଣ ହିସାବରେ ସ୍କିଜୋଫ୍ରେନିଆ ରୋଗୀଠାରେ ଦେଖାଯାଏ। ଦୁଃଖ କଥା କହୁଥିବା ବେଳେ ରୋଗୀ ହସୁଥିବ ବା କୌଣସି ସାଧାରଣ କଥା ବର୍ଣ୍ଣନା କଲାବେଳେ ଦୁଃଖରେ ଅଭିଭୂତ ହୋଇ କାନ୍ଦୁଥିବା ଅର୍ଥାତ୍ ଯାହା କହୁଛି ତା’ ସାଙ୍ଗେ ଯଥାଯଥ ଆବେଗ ପ୍ରକାଶିତ ହେଉନାହିଁ। ରୋଗୀର ଭାବନା ଓ ଆବେଗ ଭିତରେ କୌଣସି ସମ୍ପର୍କ ନଥିଲା ପରି ଜଣାପଡ଼େ।

ଆବେଗର ଜଡ଼ତା ସହିତ ଆବେଗର ଅସଙ୍ଗତତା ମିଶି ରୋଗୀକୁ ଏଭଳି ଏକ ଅବସ୍ଥାକୁ ନେଇ ଆସେ, ରୋଗୀ ଗୁରୁତର ଅପରାଧ କଲେ ବି କିଛି ଅନୁଭବ କରିପାରେ ନାହିଁ। ତେଣୁ ସେ ଅତି ନିଷ୍ଠୁର ଭାବରେ ଜଣଙ୍କୁ ହତ୍ୟା କରିପାରେ ବା ଯେ କୌଣସି ଲୋକ ଘରେ ନିଆଁ ଲଗାଇ ଦେଇପାରେ। ନଈ ପୋଖରୀରେ ନିଜ ଭାଇଭଉଣୀଙ୍କୁ ଠେଲି ଦେବା ମଧ୍ୟ ତା’ ପକ୍ଷରେ ଆଶ୍ଚର୍ଯ୍ୟ  ନୁହେଁ। ଏସବୁ କରିବା ଦ୍ୱାରା ତା’ ମନରେ କୌଣସି ଦୁଃଖ ଆସେ ନାହିଁ। ସୁବିଧା ପାଇଲେ ନିଜର ହାତ ଗୋଡ଼ ମଧ୍ୟ ସେ ନିର୍ବିକାର ଚିତ୍ତରେ କାଟି ପକାଏ। କିନ୍ତୁ ରୋଗୀ କୌଣସି କାମ ନିଶ୍ଚିତ ଭାବରେ କରିପାରେ ନାହିଁ। କାରଣ ତା’ର ଭାବନା ପ୍ରକ୍ରିୟା ସ୍ୱାଭାବିକ ନ ଥିବାରୁ କୌଣସି କାମରେ ପୁରା ମନଯୋଗ ଦେଇପାରେ ନାହିଁ। ତେଣୁ ଖୁବ୍ ଗୁରୁତର ଅପରାଧ କରିବା ପାଇଁ ଯେଉଁ ପ୍ରସ୍ତୁତି ଓ ଯୋଜନା ଆବଶ୍ୟକ ତାହା ରୋଗୀଠାରେ ନଥାଏ। ଏଇଥିପାଇଁ ସ୍କିଜୋଫ୍ରେନିଆ ରୋଗୀ ପ୍ରକୃତରେ ଅପରାଧ କରିବାର ଦୃଷ୍ଟାନ୍ତ ବିରଳ।

ଆବେଗହୀନତା ଯୋଗୁଁ ଚିକିତ୍ସକ ରୋଗୀଠାରୁ କୌଣସି କଥା ଆଦାୟ କରି ପାରନ୍ତି ନାହିଁ। ରୋଗୀ ସାଧାରଣତଃ ବହୁ କଷ୍ଟରେ ଗୋଟିଏ ଦୁଇଟି ଶଦ୍ଦରେ ଉତ୍ତର ଦିଏ। ତେଣୁ ସାଧାରଣ ମଣିଷ ହିସାବରେ ତା’ ସାଙ୍ଗରେ ବ୍ୟବହାର କରିବା ଅସମ୍ଭବ ହୋଇପଡ଼େ।

କାମରେ ନିଃସ୍ପୃହତା

ରୋଗୀର କିଛି କାମ କରିବାକୁ ଇଛା ହୁଏ ନାହିଁ। ସେ ସବୁବେଳେ ନିଷ୍କାମୀ ହୋଇ ବସିବାକୁ ବା ଶୋଇ ରହିବାକୁ ଭଲପାଏ। ପଚାରିଲେ ହୁଏତ କହିବ ନିଗୁଡ଼ ତତ୍ତ୍ୱ କଥା ଭାବୁଛି ବା ଆଧ୍ୟାତ୍ମିକ କଥା କରୁଛି। ତା’ର ବିଚାର ଶକ୍ତି ଦୁର୍ବଳ ହୋଇପଡ଼େ। ‘‘ଏଇ କାମଟା କଲେ ଭଲ, ତେଣୁ ଏଇଟା କରାଯାଉ’’ ଏମିତି ପରିଷ୍କାର ଭାବରେ ସେ ଭାବି ଚିନ୍ତିପାରେ ନାହିଁ। ତେଣୁ କାମ କରିଲେ ମଧ୍ୟ ପୂର୍ଣ୍ଣ ପ୍ରାଣରେ କରି ପାରେ ନାହିଁ। ଅଧିକାଂଶ ସମୟରେ ଅଳସୁଆ ହୋଇ ବସିବାଟା ତା’କୁ ସ୍ୱାଭାବିକ ଲାଗେ। ଏହାଛଡ଼ା ରୋଗୀ ବଡ଼ ଏକଜିଦିଆ ଓ ମନୁଆ ହୋଇଯାଏ। ଯାହା କହିଲେ ସେ କହିବ ’ମୁଁ ଶୁଣିବିନି’ ‘ମୁଁ କରିବିନି’ ଇତ୍ୟାଦି। କାମ କରିବା ଇଛାର ଦୁର୍ବଳତା ଯୋଗୁଁ ରୋଗୀ ସବୁକାମ ଅଧାପାନ୍ତରିଆ କରି ଛାଡ଼ିଦିଏ। ଯଥା ତା’କୁ କୁହ ସାମନାରେ ଥିବା ବହିଟା ଦେବାକୁ। ସେ ବହିଟି ବହୁ ସମୟ ପରେ ଅତି କଷ୍ଟରେ ଉଠେଇବ, ତୁମ ଆଡ଼କୁ ଟିକିଏ ବଢ଼େଇଦେବ, ପୁଣି ଯେଉଁଠି ଥିଲା ସେଇଠି ଥୋଇଦେବ।

Schizophrenia

କାମ କରିବା ଇଛା ଦୁର୍ବଳ ହେବାରୁ ନିଷ୍କ୍ରିୟତା ଦେଖାଯାଏ। ରୋଗୀ ଯାହା ବା କିଛି କାମ କରେ ଭାବେ ଯେ କିଏ ଜଣେ ସେ ସବୁ ତାଦ୍ୱାରା କରାଇ ନେଉଛି। ତା’ ଭିତରେ ଜଣେ କିଏ ତା’କୁ ଯେମିତି ବସି କହୁଛି ହସିବାକୁ, କାନ୍ଦିବାକୁ ଓ ଅବାନ୍ତର କଥା ଗପିବାକୁ। ଅର୍ଥାତ୍ ରୋଗୀ କେତେକ ପରିମାଣରେ ବୁଝୁଛି ଯେ ସେ ଯାହା କହୁଛି ବା କରୁଛି ତାହା ଅପ୍ରାସଙ୍ଗିକ। କିନ୍ତୁ ସେ କୌଣସି ମତେ ବୁଝିପାରୁନି ଯେ ଏ ସବୁ ଅପ୍ରାସଙ୍ଗିକ କାମ କାହିଁକି କରୁଛି। ତେଣୁ ତା’ ଭିତରେ କିଏ ଜଣେ ରହି ଏସବୁ କରାଉଛି ବୋଲି ତା’ର ମନେ ହେଉଛି। ଆଧୁନିକ ସମାଜରେ ବଢ଼ିଥିବା ରୋଗୀ କହେ ଯେ କିଏ ଜଣେ ରେଡିଓ ସାହାଯ୍ୟରେ ବା ସମ୍ମୋହନ କରି ତା’ର ବ୍ୟବହାରକୁ ନିୟନ୍ତ୍ରଣ କରୁଛି; ଆଗକାଳରେ ରୋଗୀ କହୁଥିଲେ ଡାହାଣୀ ବା ଭୂତ ତା’ ଦେହରେ ପଶି ଯାଇଛି। ତେଣୁ ଏସବୁ ସେହି କରାଉଛି। ଜଣେ ସ୍କିଜୋଫ୍ରେନିଆ ରୋଗୀକୁ ପଚାରିବାରୁ ସେ କହିଲା ଯେ ତା’ର ଚନ୍ଦା ମୁଣ୍ଡଟା ଗୋଟିଏ ଟ୍ରାନ୍ସମିଟର ଓ ତେଣୁ ସେ ଯାହା ଭାବୁଛି ସାଙ୍ଗେ ସାଙ୍ଗେ ଚାରିଆଡକୁ ପ୍ରଚାରିତ ହୋଇଯାଉଛି। ଏଥିପାଇଁ ସେ ଆଉ କିଛି ଭାବୁ ନାହିଁ।

ଏ ଧାରଣା ଚରମ ସୀମାରେ ପହଞ୍ଚେ ଯେତେବେଳେ ରୋଗୀ ଭାବେ ଯେ ସେ ଗଛପତ୍ର, ଜୀବଜନ୍ତୁ, ଆକାଶ, ମେଘ ଏ ସବୁର ଗୋଟିଏ ଅଂଶ ଓ ସେଗୁଡ଼ିକ ମଧ୍ୟ ତାହାର ଶରୀରର ଗୋଟିଏ ଅଂଶ। ରୋଗୀ ନିଜର ଏକତ୍ୱ ଓ ପରିଚୟ ହରାଇ ବସେ। ତା’ର ‘ଅସ୍ମିତା’ ଲୋପ ପାଏ। ଫ୍ରଏଡଙ୍କ ମତରେ ଏହା ମୁଖଗତ ଯୌନ-ବିକାଶ ସ୍ତରର ଆରମ୍ଭକୁ ଫେରିଯିବାର ନିଶ୍ଚିତ ଲକ୍ଷଣ।

(ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଜଣେ ପ୍ରଖ୍ୟାତ ମନୋବିଜ୍ଞାନୀ ଓ ଲେଖକ। କାନାଡାସ୍ଥିତ ଆଲ୍‍ବର୍ଟା ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ବର୍ଷ ଅଧ୍ୟାପନା ପରେ ସେ ସମ୍ପ୍ରତି ସେଠାରେ ପ୍ରଫେସର ଏମେରିଟସ ଭାବେ ଅବସ୍ଥାପନ କରୁଛନ୍ତି।)

(ସୌଜନ୍ୟ: ‘ଅସୁସ୍ଥ ମନ’, ପ୍ରକାଶକ: ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୨)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୩)

ସାଙ୍ଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୪)