shy kid with father

ଅଧିକାଂଶ ସମୟରେ ବାପା ମା’ ମାନେ ସେମାନଙ୍କ ପିଲା ଖୁବ୍ ଲାଜକୁଳା ବୋଲି କହୁଥିବାର ଆପଣମାନେ ଶୁଣିଥିବେ। ଏଭଳି ପିଲାମାନେ ବାହାରର ଲୋକଙ୍କର ସାମ୍ନା କରନ୍ତି ନାହିଁ, ଖୁବ୍ କମ୍ କଥା ହୋଇଥା’ନ୍ତି। ସ୍କୁଲରେ କମ୍ ସାଙ୍ଗସାଥୀଙ୍କ ସହ ମିଶନ୍ତି। ଶିକ୍ଷକ ପ୍ରଶ୍ନ ପଚାରିଲେ ଉତ୍ତର ଦେବାକୁ ସଙ୍କୋଚ ଅନୁଭବ କରନ୍ତି। ପିଲାର ଏଭଳି ବ୍ୟବହାର ଦେଖି ଅନେକ ବାପାମା’ ଆତ୍ମଗ୍ଲାନିର ଶିକାର ହୁଅନ୍ତି। କାରଣ ଆଜିକାଲି ଭଲ ସ୍କୁଲରେ ନାମ ଲେଖାଇବା, ଗ୍ରୁପ୍ ଆକ୍ଟିଭିଟିଜ୍, ଷ୍ଟେଜ୍ ପରଫରମାନ୍ସ ପାଇଁ ପିଲାର ଏଭଳି ଲାଜୁଆ ଗୁଣ ଛାଡ଼ିବା ଖୁବ୍ ଜରୁରୀ। ଏପରିସ୍ଥଳରେ ପିଲାକୁ ଗାଳି ନୁହେଁ, ଅଧିକ ସ୍ନେହ ଓ ଯତ୍ନ ନିଅନ୍ତୁ।

ମନୋବୈଜ୍ଞାନିକମାନଙ୍କ ମତରେ ସବୁ ମହିଳା ଏବଂ ପୁରୁଷ ଭିନ୍ନ ଭିନ୍ନ ସ୍ୱଭାବର ହୋଇଥା’ନ୍ତି। ଅର୍ଥାତ୍ କିଏ କମ୍ କଥାକହେ ତ କିଏ ଅଧିକ। କେତେଜଣ ଅନ୍ତର୍ମୁଖୀ ହୋଇଥିବାବେଳେ କେତେଜଣ ବହିର୍ମୁଖୀ ହୋଇଥା’ନ୍ତି। କିଛି ଲୋକ ଅଳ୍ପ ସମୟ ମଧ୍ୟରେ ବନ୍ଧୁତା ସ୍ଥାପନ କରୁଥିବାବେଳେ ଆଉ କିଛି ଏଥିପାଇଁ ବହୁତ ସମୟ ନେଇଥାନ୍ତି। ଆପଣଙ୍କ ପିଲା ହୁଏତ ଦ୍ୱିତୀୟ ପ୍ରକାରର ବ୍ୟକ୍ତି ହୋଇ ଥାଇପାରେ। ତେଣୁ ତା’ର ଅଧିକ ଯତ୍ନ ନିଅନ୍ତୁ ଏବଂ ତା’ର ଏଭଳି ସ୍ଥିତିର କାରଣ କ’ଣ ତାହା ଜାଣନ୍ତୁ।

shyness and mental health

ପିଲା ଲାଜୁଆ ହେବାର କାରଣ

ପିଲା ଲାଜୁଆ ହେବା ପଛରେ ଆନୁବଂଶିକ କାରଣର ଖୁବ୍ ଅଧିକ ପ୍ରଭାବ ଥାଏ। ଘରେ ଜେଜେ ବାପା, ଜେଜେମା’ ବା ଅନ୍ୟ କେହି ସେଭଳି ଚରିତ୍ରର ହୋଇଥିଲେ ପିଲା ମଧ୍ୟ ସେଭଳି ବ୍ୟବହାର କରିଥାଏ।

-ଯଦି ଘରର ବାତାବରଣ ବିଲକୁଲ୍ ଶାନ୍ତ ଥିବ, ପିଲା ଘରେ କୌଣସି ବାହାରର ଲୋକଙ୍କୁ ଦେଖୁ ନଥିବ ତା’ ହେଲେ ପିଲା ଉପରେ ଏହାର ପ୍ରଭାବ ପଡ଼େ ଏବଂ ସେ ଲାଜୁଆ ହୋଇଯାଏ।

-ପିଲା ଖୁବ୍ ସାନ ଥିବାବେଳେ ତାକୁ ଡରାଇବା, ଧମକାଇବା ଦ୍ୱାରା ପିଲା ମନରେ ଭୟ ସୃଷ୍ଟି ହୋଇଥାଏ। ଏହି ଭାବନା ହିଁ ତାକୁ ଲାଜୁଆ କରିଦିଏ।

-ପିଲାଙ୍କୁ ଘରେ ଅତ୍ୟଧିକ ସୁରକ୍ଷିତ ବାତାବରଣ ଦେବା ବି ଏହାର ଏକ କାରଣ। ଆଜିକାଲି ବାପାମା’ମାନେ ପିଲାମାନଙ୍କୁ ଖୁବ୍ ଶୀଘ୍ର ବ୍ୟାଡ୍ ଟଚ୍ ଓ ଗୁଡ୍ ଟଚ୍ କଥା ଶିକ୍ଷା ଦେଉଛନ୍ତି। ଏଭଳି ଭାବନା ଯୋଗୁଁ ପିଲା ଅନ୍ୟ କାହା ସହ ମିଶିବାକୁ ଭୟ କରିଥାଏ ଓ ଲାଜୁଆ ହୋଇଯାଏ।

-ଏହାଛଡ଼ା ବାପା ମା’ଙ୍କ ମଧ୍ୟରେ ଝଗଡ଼ା, ଘରେ ପାରିବାରିକ ଅଶାନ୍ତି, ବାରମ୍ବାର ଘର ବଦଳାଇବା, ସ୍କୁଲ ବଦଳାଇବା ଯୋଗୁଁ ପିଲା ଉପରେ କୁପ୍ରଭାବ ପଡ଼େ ଏବଂ ପିଲା ନିଜକୁ ଅସୁରକ୍ଷିତ ମନେ କରେ। ଏହି ଅସୁରକ୍ଷିତ ମନୋଭାବ ତାକୁ ଲାଜୁଆ କରେ।

shyness and children

କିପରି ତାକୁ ବଦଳାଇବେ

-ପିଲାର ବନ୍ଧୁ ହେବାକୁ ଚେଷ୍ଟା କରନ୍ତୁ । ତା’ ପାଇଁ ଦିନରେ କିଛି ସମୟ ନିଶ୍ଚିତ ଭାବେ ବାହାର କରନ୍ତୁ।

-ସନ୍ଧ୍ୟାରେ ପାର୍କକୁ ବୁଲାଇବାକୁ ନେଇଯା’ନ୍ତୁ। ସେଠାରେ ନିଜ ବୟସର ପିଲା ସହ ତା’ର ବନ୍ଧୁତା କରାନ୍ତୁ। ଏହାଦ୍ୱାରା ପିଲାମନରେ ଟିମ୍ ଭାବନା ବିକଶିତ ହେବ।

-ଆଜିକାଲି ଅଧିକାଂଶ ପିଲା ଏକକ ପରିବାରରୁ ଆସୁଛନ୍ତି । ତେଣୁ ସପ୍ତାହରେ ଥରେ ଅତି କମ୍ରେ ସେମାନଙ୍କୁ ବାହାରକୁ ନିଜର ଆତ୍ମୀୟଙ୍କ ଘରକୁ ନେଇଯାନ୍ତୁ ।

-ଘରେ ଥିବା ଜେଜେବାପା, ଜେଜେମା’, କକା, ଖୁଡ଼ୀ, ମଉସା, ମାଉସୀଙ୍କ ସହ ପିଲାଙ୍କୁ ଫୋନରେ କଥା କରନ୍ତୁ। ପିଲା ସେମାନଙ୍କ ସହ ମିଶିବା ଦ୍ୱାରା ଲାଜୁଆ ଗୁଣ ପରିତ୍ୟାଗ କରିବ।

-ସ୍କୁଲରେ ନାମ ଲେଖାଇବା ପୂର୍ବରୁ ଘରେ ତାକୁ ସମ୍ଭାବିତ ପ୍ରଶ୍ନର ବାରମ୍ବାର ଅଭ୍ୟାସ କରନ୍ତୁ। ବୁଲାଇ ବଙ୍କାଇ କଥା କହିବାକୁ ପ୍ରୋତ୍ସାହିତ କରନ୍ତୁ।

children painting

-ନିଜର ଆଖପାଖରେ ଥିବା ଥିଏଟର ଗ୍ରୁପ୍, ଡ୍ରଇଂ, ଡ୍ୟାନ୍ସିଂ ସ୍କୁଲ କିମ୍ବା ଗ୍ରୁପ୍ ଆକ୍ଟିଭିଟିଜରେ ତାର ନାମ ଲେଖାନ୍ତୁ। ଏହାଦ୍ୱାରା ସେ ନିଜ ବୟସର ପିଲାଙ୍କ ସହ କଥାବାର୍ତ୍ତା କରିବ ଏବଂ ତାର ଲାଜୁଆ ଗୁଣ କମିବ।

-କେବେହେଲେ ପିଲାକୁ ଅନ୍ୟ ସାମ୍ନାରେ ଗାଳି କରନ୍ତୁ ନାହିଁ କିମ୍ବା ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ। ତା’ ବଦଳରେ ନିଜେ ପିଲାର ରୋଲ୍ ମଡେଲ୍ ହେବାକୁ ଚେଷ୍ଟା କରନ୍ତୁ।

parents-argue-children

-ପିଲାଙ୍କ ସାମ୍ନାରେ ବାପା, ମା’ ଝଗଡ଼ା କରିବା ଅନୁଚିତ୍। କଳହପୂର୍ଣ୍ଣ ବାତାବରଣରେ ପିଲା ଭାବନାତ୍ମକ ରୂପରେ ନିଜକୁ ଅସୁରକ୍ଷିତ ମନେ କରେ।

-ଆଙ୍ଗୁଳି ଚୋବାଇବା ମଧ୍ୟ ଲାଜୁଆ ପିଲାଙ୍କର ଏହି ଲକ୍ଷଣ। ଛୋଟ ପିଲା ଏପରି କଲେ ସାଧାରଣ କଥା। କିନ୍ତୁ ୨-୩ ବର୍ଷ ପରେ ପିଲା ଏହି ଅଭ୍ୟାସକୁ ନଛାଡ଼ିଲେ ତାହା ଚିନ୍ତାର ବିଷୟ ପାଲଟିଥାଏ। ଏପରି ହେଲେ ତା’ ସହିତ ବନ୍ଧୁ ଭଳି ମିଶନ୍ତୁ। ବାରମ୍ବାର ସେ ଅଭ୍ୟାସକୁ ଛାଡ଼ିବାକୁ କହିଲେ ପିଲାଟି ପରିବର୍ତ୍ତନ ହୋଇଥାଏ।