ବ୍ଳାକ୍‌ ଫଙ୍ଗସ୍‌ କ’ଣ? କେଉଁ ବୟସରେ ବା କାହାକୁ ଅଧିକ ଆକ୍ରାନ୍ତ କରୁଛି? ଏଥିରୁ ବର୍ତ୍ତିବା କିପରି? ଏ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ କହିଛନ୍ତି ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା।

କୋଭିଡ୍‌ର ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅନ୍ୟପଟେ ବହୁ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି, ହେଲେ କୋଭିଡ୍‌ରୁ ଭଲ ହେବା ପରେ ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ର ଶିକାର ହେବାର ଖବର ସମ୍ନାକୁ ଆସୁଛି, ଯାହା ଏବେ ଚିନ୍ତା ବଢ଼ାଇଛି।

ବ୍ଲାକ୍ ଫଙ୍ଗସ୍ କ’ଣ? (What is Black Fungus in Odia)

ବ୍ଲାକ୍ ଫଙ୍ଗସ୍ ଏକ ପ୍ରକାରର ଫଙ୍ଗାଲ ସଂକ୍ରମଣ। ମ୍ୟୁକରମାଇସିଟିସ୍‌ ଗ୍ରୁପ୍‌ରେ ଅନ୍ତର୍ଗତ ୬ଟି ଫଙ୍ଗସ୍‌ ଯଥା – ରାଇଜୋପସ୍‌, ରାଇଜୋମ୍ୟୁକର, ମ୍ୟୁକର, କନିଙ୍ଘାମେଲ ଆଦି ଫଙ୍ଗସ୍‌ ଯୋଗୁଁ ହୋଇଥାଏ। ଏହା ଆମ ପରିବେଶରେ ସବୁବେଳ ପାଇଁ ଥାଏ ଯେପରିକି ଓଦା ମାଟି, ମଇଳା ପାଣି, ଚାଷରେ ବ୍ୟବହୃତ ହେଉଥିବା ଖତ, ଗଛରୁ ଛିଡ଼ି ତଳେ ପଡ଼ୁଥିବା ପତ୍ର ତଥା ଫୁଲ ପଚିଗଲା ପରେ ସେଠାରେ ବାସ କରିଥାଏ। ଏହା ସାଧାରଣତଃ ଶ୍ୱାସ ଦ୍ୱାରା ପ୍ରବେଶ କରିଥାଏ ଏବଂ କେତେକ କ୍ଷେତ୍ରରେ ଏହି ଫଙ୍ଗସ୍‌ ଚର୍ମ ଦ୍ଵାରା ଶରୀରକୁ ପ୍ରବେଶ କରିଥାଏ। ଏହି ଫଙ୍ଗସ୍‌ ପ୍ରଥମେ ନାକ ବାଟ ଦେଇ ଶରୀରରେ ପ୍ରବେଶ କରିଥାଏ। ପ୍ରଥମେ ନାକକୁ ନଷ୍ଟ କରିବା ପରେ ଆଖି, ମୁହଁର ତାଳୁ, ମସ୍ତିସ୍କକୁ ନଷ୍ଟ କରି ଦେଇଥାଏ। 

ଅଧିକ ପଢ଼ନ୍ତୁ: ଡାଏବେଟିସ୍‌ ରୋଗୀ କିଭଳି କରିବେ କରୋନା ମୁକାବିଲା?

କାହାକୁ ହୋଇପାରେ ବ୍ଲାକ୍ ଫଙ୍ଗସ୍? (Who can affect by Black Fungus in Odia)

ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତି ତଥା ଡାଏବେଟିସ୍‌ରେ ଆକ୍ରାନ୍ତ ବ୍ୟକ୍ତି, ଦୀର୍ଘ ଦିନ ଧରି ଷ୍ଟେରୋଏଡ୍‌ ବ୍ୟବହାର କରୁଥିଲେ, ଆଣ୍ଟିବାୟୋଟିକ୍‌ ବହୁତ ଦିନ ଧରି ବ୍ୟବହାର କରୁଥିଲେ କିମ୍ବା ହୃଦ୍‌ରୋଗ-କିଡ୍‌ନି-ଲିଭର-ରକ୍ତ କର୍କଟ ରୋଗୀଙ୍କଠାରେ ହୋଇପାରେ। ଏହାଛଡ଼ା ଏଡ୍‌ସରେ ଆକ୍ରାନ୍ତ ବ୍ୟକ୍ତି, ଅପପୁଷ୍ଟି ଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ବ୍ଳାକ୍‌ ଫଙ୍ଗସ୍‌ ହୋଇପାରେ।

ଯେଉଁମାନେ ମଧ୍ୟମରୁ ଗୁରୁତର ଧରଣର କୋଭିଡ୍‌-୧୯ରେ ଆକ୍ରାନ୍ତ ରହିଛନ୍ତି, ଦୀର୍ଘ ଦିନ ଧରି ହ୍ୟୁମିଡିଫାଇଡ୍‌ ଅକ୍ସିଜେନ୍‌ ଥେରାପି ଚିକିତ୍ସା ଗ୍ରହଣ କରିଛନ୍ତି, ସେମାନଙ୍କଠାରେ ମଧ୍ୟ ବ୍ଳାକ୍‌ ଫଙ୍ଗସ୍‌ର ସମ୍ଭାବନା ଅଧିକ ଥାଏ।

ବୟସ୍କ ଲୋକଙ୍କଠାରେ ମ୍ୟୁକରମାଇକୋସିସ୍‌ ହେବାର ଆଶଙ୍କା ଅଧିକ। କିନ୍ତୁ ରକ୍ତଜନିତ କର୍କଟ ରୋଗାକ୍ରାନ୍ତ ଶିଶୁ ଏବଂ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ପିଲାଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ହୋଇପାରେ।

ବ୍ଲାକ୍ ଫଙ୍ଗସ୍‌ର କାରଣ (Causes of Black Fungus in Odia)

ଲମ୍ବା ସମୟ ଧରି ଆଣ୍ଟିବାୟୋଟିକ୍‌ ବ୍ୟବହାର କଲେ ବ୍ଲାକ୍‌ ଫଙ୍ଗସ୍‌ ହେବାର ସମ୍ଭାବନା ବଢ଼ିଯାଏ। କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଯଦି ଫେରିଟିନ୍‌, ଇଣ୍ଟରଲ୍ୟୁକିନ୍‌-୬ ଅଧିକ ରହୁଛି, ସେମାନଙ୍କଠାରେ ମଧ୍ୟ ବ୍ଲକ୍‌ ଫଙ୍ଗସ୍‌ ହେବାର ଆଶଙ୍କା ଅଧିକ ରହିଛି।

ଅଧ୍ୟୟନ ଅନୁଯାୟୀ, ପ୍ରାୟତଃ ୩୦ରୁ ୩୫ ଶତକଡ଼ା ମ୍ୟୁକରମାଇକୋସିସ୍‌ ରୋଗୀଙ୍କଠାରେ ଡାଏବେଟିସ୍‌ ଦେଖାଦେଇଥାଏ। ଅନିୟନ୍ତ୍ରିତ ରକ୍ତ ଶର୍କରା ରହିଲେ ରକ୍ତରେ କିଟୋନ୍‌ ତଥା ଫ୍ରି ଆଇରନ୍‌ ବହୁ ମାତ୍ରାରେ ବଢ଼ିଯାଏ, ଫଳରେ ଫଙ୍ଗସ୍‌ ତାକୁ ନିଜ ଖାଦ୍ୟ ରୂପେ ବ୍ୟବହାର କରି ବଂଶବିସ୍ତାର କରିଥାଏ।

ହସ୍ପିଟାଲରେ ବ୍ୟବହୃତ କପଡ଼ା ଯଦି ସଫା ନାହିଁ କିମ୍ବା ଅକ୍ସିଜେନ୍‌ ଥେରାପିରେ ହ୍ୟୁମିଡିଫାଇ କରୁଥିବା ପାଣି ସଫା ନ ଥିଲେ ମଧ୍ୟ ମ୍ୟୁକରମାଇକୋସିସ୍‌ ହୋଇପାରେ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ସୁସ୍ଥ ହେବା ପରେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

ବ୍ଲାକ୍ ଫଙ୍ଗସ୍‌ର ଲକ୍ଷଣ (Symptoms of Black Fungus in Odia)

ମ୍ୟୁକରମାଇକୋସିସ୍‌ ଫଙ୍ଗସ୍‌ ପ୍ରଥମେ ନାକ ବାଟ ଦେଇ ଶରୀରରେ ପ୍ରବେଶ କରିଥାଏ। ପ୍ରଥମେ ନାକକୁ ନଷ୍ଟ କରିବା ପରେ ଆଖି, ମୁହଁର ତାଳୁ, ମସ୍ତିସ୍କ, ଚର୍ମ, କିଡ୍‌ନି, ଅନ୍ତଃନଳୀକୁ ନଷ୍ଟ କରି ଦେଇଥାଏ। ଏହାର ଲକ୍ଷଣଗୁଡ଼ିକ ଜାଣନ୍ତୁ:

ଜ୍ୱର, କାଶ, କଫ, ଧଇଁସଇଁ ହେବା

ନାକରୁ କଳା ପାଣି ବାହାରିବା

ନାକ ଚୁଣ୍ଟି ହୋଇଯିବା

ମୁଣ୍ଡ ବିନ୍ଧା ହେବା

ଆଖି ତଥା ନାକ ଚାରିପଟ ଫୁଲିଯାଇଥାଏ

ଆଖିକୁ ସ୍ପଷ୍ଟ ଭାବେ ଦେଖା ନଯିବା

ଏସବୁ ଲକ୍ଷଣ ଦେଖାଦେଲେ ପ୍ରାଥମିକ ଅବସ୍ଥାରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ଦ୍ୱିତୀୟ ଲହର – ନୂଆ ଲକ୍ଷଣ କ’ଣ?

ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା (Treatment of Black Fungus in Odia)

ପ୍ରାଥମିକ ଅବସ୍ଥାରେ ଇଣ୍ଟ୍ରାଭେନସ୍‌ ଆମ୍ଫୋଟେରିସିନ୍‌ ବି’ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ। ପରବର୍ତ୍ତୀ ଅବସ୍ଥାରେ କେତେକ ଔଷଧ ଦିଆଯାଏ। ଫଳରେ କମ୍ ମେଡିକେସନ୍‌ରେ ମଧ୍ୟ ରୋଗୀ ଭଲ ହୋଇପାରିବେ। କିନ୍ତୁ, ପ୍ରାଥମିକ ଅବସ୍ଥାରୁ ଏହାର ଚିକିତ୍ସା କରାନଗଲେ ଏବଂ ଫଙ୍ଗସ୍‌ଟି ମସ୍ତିସ୍କ ଭିତରକୁ ପଶିଗଲେ, ସେତେବେଳେ ଆଣ୍ଟିଫଙ୍ଗାଲ ମେଡିସିନ୍‌ କାମ କରେ ନାହିଁ। ଏହି କ୍ଷେତ୍ରରେ ଡିସ୍‌ଫିଗରିଂ ଡିବ୍ରାଇଡ୍‌ମେଣ୍ଟ ସର୍ଜରି କରିବାକୁ ପଡ଼େ, ଯେଉଁଥିରେ ନାକ ତଥା ହନୁହାଡ଼ର କେତେକ ଅଂଶକୁ କାଟିବାକୁ ପଡ଼ିଥାଏ। ତେଣୁ ପ୍ରାଥମିକ ଅବସ୍ଥାରେ ରୋଗର ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ।

ବ୍ଲାକ୍ ଫଙ୍ଗସ୍‌ରୁ ସତର୍କ ରହିବେ କିପରି? (How to beware of Black Fungus in Odia)

  • ମଧୁମେହରେ ଆକ୍ରାନ୍ତ ଲୋକ ଯଦି କରୋନା ସଂକ୍ରମିତ ହୁଅନ୍ତି ତାହେଲେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ହେବ।
  • ଡାକ୍ତରଙ୍କ ପରାମର୍ଶ କ୍ରମେ ଷ୍ଟେରୋଏଡ୍‌ର ବ୍ୟବହାର କରନ୍ତୁ।.
  • ଅକ୍ସିଜେନ୍‌ ଥେରାପିରେ ହ୍ୟୁମିଡିଫିକେସନ୍‌ ପାଇଁ ବ୍ୟବହୃତ ପାଣିକୁ ସଫା ରଖିବା ଆବଶ୍ୟକ।
  • ବହୁତ ଦିନ ଧରି ଆଣ୍ଟିବାୟୋଟିକ୍‌ ଔଷଧ ଖାଆନ୍ତୁ ନାହିଁ। 
  • କୋଭିଡ୍‌ ରୋଗୀଙ୍କୁ ଆଇସିୟୁରେ ଲଗାଯାଉଥିବା ମାସ୍କ ଓ ଅନ୍ୟ ଉପକରଣଗୁଡ଼ିକୁ ଠିକ୍ ଭାବେ ସାନିଟାଇଜ୍ କରାଯିବା ଦରକାର।
  • ଯଦି ବ୍ଲାକ୍‌ ଫଙ୍ଗସ୍‌ର କୌଣସି ଲକ୍ଷଣ ରହୁଛି, ତାହେଲେ ପ୍ରାଥମିକ ଅବସ୍ଥାରେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁନୀଲ କୁମାର କୋଟାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Black Fungus (Mucormycosis), in Odia language, is based on an extensive interview with Endocrinologist Dr Sunil Kumar Kota.