ପିଲାମାନଙ୍କ ତ୍ୱଚା ସାଧାରଣତଃ ଖୁବ୍ ନରମ ଏବଂ ସମ୍ବେଦନଶୀଳ ହୋଇଥାଏ। ତେଣୁ ସେମାନଙ୍କ ପାଇଁ ସ୍କିନ୍ କେୟାର ସାମଗ୍ରୀ କିଣିବାବେଳେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ।

baby skin

-ଜନ୍ମରୁ ୫ ବର୍ଷ ଯାଏ ଶିଶୁମାନଙ୍କର ତ୍ୱଚା ଖୁବ୍ କୋମଳ ରହିଥାଏ। ତେଣୁ ସେମାନଙ୍କ ପାଇଁ କୌଣସି ଉତ୍ପାଦ କିଣିବା ସମୟରେ ସର୍ବପ୍ରଥମେ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ନ ହେଲେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ। ଏସବୁ ଛଡା ଯଦି କୌଣସି ଉତ୍ପାଦ ବ୍ୟବହାର ପରେ ପିଲାର ଶରୀରରେ ସଂକ୍ରମଣର ଚିହ୍ନ ଦେଖାଯାଏ ତା’ହେଲେ ତୁରନ୍ତ ତାର ବ୍ୟବହାର ବନ୍ଦ କରନ୍ତୁ।

-ସେହିପରି ମଏଶ୍ଚରାଇଜର କିଣୁଥିଲେ ତାକୁ ଲଗାଇଲେ ଯେପରି ଅଧିକ ତେଲିଆ ନ ଲାଗିବ ଏବଂ ତ୍ୱଚାରେ ସହଜରେ ମିଶିଯିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ତାହା ରସାୟନମୁକ୍ତ ହୋଇଥିଲେ ଭଲ।

-ପିଲାମାନଙ୍କ ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଆଲର୍ଜିମୁକ୍ତ ହେବା ଆବଶ୍ୟକ। ନହେଲେ ସେମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ। ଏପରିସ୍ଥଳେ ଉତ୍ପାଦ କିଣିବା ବେଳେ ତାହା କେଉଁଥିରୁ ପ୍ରସ୍ତୁତ ହେଉଛି ତାକୁ ଜାଣିରଖନ୍ତୁ। ସାମଗ୍ରୀର ଲେବଲରେ ଲେଖାଯାଇଥିବା ସାମଗ୍ରୀ ତାଲିକା ପଢ଼ିଲେ ଆପଣ ତାହା ଜାଣିପାରିବେ।

-ଜନ୍ମହେବା ପରଠାରୁ ପିଲାମାନେ ଶୁଘିଂବା ଗୁଣକୁ ସବୁଠୁ ଅଧିକ ଉପଯୋଗ କରିଥାନ୍ତି। ଭଲ ବାସ୍ନା ହେଲେ ସେମାନେ ଶାନ୍ତ ରହିଥାନ୍ତି। ସେମାନଙ୍କର ମାନସିକ ବିକାଶ ପାଇଁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ତେବେ ଅତ୍ୟଧିକ ବାସ୍ନାଯୁକ୍ତ ଉତ୍ପାଦ ପିଲାପାଇଁ ଭଲ ନୁହେଁ।

-ସାବୁନ ଓ ସାମ୍ପୁ ଟିଅର ଫ୍ରି ହେବା ଆବଶ୍ୟକ। ଏକ କପରେ ତିନି ଚତୁର୍ଥାଂଶ ପାଣି ଓ ସାମ୍ପୁକୁ ଭଲ ଭାବେ ମିଶାଇ ପିଲାର କେଶ ଓ ଶରୀରରେ ଲଗାନ୍ତୁ। ଯଦି କୌଣସି ପ୍ରକାର ଲାଲ ଚିହ୍ନ ଦେଖାଯାଏ ତା’ ହେଲେ ସେଥିରେ ପାଣି ଛଡ଼ା ଅନ୍ୟ କିଛି ନ ଲଗାଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ଖେଳନା କିଣିବାବେଳେ ମଧ୍ୟ ଏହିପରି ସତର୍କତା ଆବଶ୍ୟକ। ସେଥିରେ ଯେପରି ବହୁତ ଓଜନିଆ କଡ଼ା ବା ଲୁହାର ଜିନିଷ ନଥିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।