ମାନସିକ ରୋଗକୁ ଚିହ୍ନିବେ କେମିତି? ରୋଗକୁ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରେସଲ ରାବଣଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା

ମନୁଷ୍ୟର ମସ୍ତିଷ୍କରେ ହରମୋନ୍‌ କ୍ଷରଣ ବାଧାପ୍ରାପ୍ତ ହେଲେ କିମ୍ବା ଏଥିରେ ସମସ୍ୟା ଦେଖାଦେଲେ ମାନସିକ ରୋଗ ଦେଖାଦେଇଥାଏ। ଏହି ମାନସିକ ରୋଗ ବିଷୟରେ ବ୍ୟକ୍ତିର ବ୍ୟବହାରରୁ ଜଣାପଡ଼ିଥାଏ। ମଣିଷ ଶରୀରରେ ଦେଖାଯାଉଥିବା ବିଭିନ୍ନ ମାନସିକ ରୋଗଗୁଡ଼ିକ ହେଲା ସ୍କିଜୋଫ୍ରେନିଆ, ଡିପ୍ରେସନ, ବାଇପୋଲାଇ ଡିସଅଡର୍ର, ଶୂଚୀବାଇ ରୋଗ(ଓସିଡି), ଏଙ୍ଗଜାଇଟି ଡିସ୍‌ଅର୍ଡର, ସୋମାଟୋଫୋମ୍‌ ଡିସ୍‌ଅର୍ଡର ଇତ୍ୟାଦି।

mental stress

ମସ୍ତିଷ୍କର ଲିମ୍ବିକ୍‌ ସିଷ୍ଟମ୍‌ ଏବଂ ପ୍ରି ଫଣ୍ଟାଲ ଲୋପରେ ଯଦି ନ୍ୟୁରୋକେମିକାଲ ବା ସ୍ନାୟୁଗତ ରସର କ୍ଷରଣ ସଠିକ୍‌ ଭାବରେ ହୋଇପାରେ ନାହିଁ, ତାହାହେଲେ ବିଭିନ୍ନ ପ୍ରକାର ମାନସିକ ରୋଗ ଦେଖାଯାଏ। ମଣିଷ ଶରୀରରେ ଦେଖାଯାଉଥିବା ବିଭିନ୍ନ ମାନସିକ ରୋଗଗୁଡ଼ିକ ହେଲା ସ୍କିଜୋଫ୍ରେନିଆ, ଡିପ୍ରେସନ, ବାଇପୋଲାଇ ଡିସଅଡର୍ର, ଶୂଚୀବାଇ ରୋଗ(ଓସିଡି), ଏଙ୍ଗଜାଇଟି ଡିସ୍‌ଅର୍ଡର, ସୋମାଟୋଫୋମ୍‌ ଡିସ୍‌ଅର୍ଡର ଇତ୍ୟାଦି। ଏହିସବୁ ମାନସିକ ସମସ୍ୟା ହେଲେ ଲୋକଙ୍କର ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ।

ମାନସିକ ରୋଗର କାରଣ (Causes of mental illness/ disorders in Odia)

ମାନସିକ ରୋଗ ବିଭିନ୍ନ ପ୍ରକାରର ଓ ଏହାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।

ମାନସିକ ଚାପ ବା ଷ୍ଟ୍ରେସ୍‌ ଯୋଗୁଁ ମସ୍ତିଷ୍କର ନ୍ୟୁରୋ ହରମୋନ କ୍ଷରଣରେ ପରିବର୍ତ୍ତନ ଘଟେ।

ଆନୁବଂଶିକ କାରଣ ଯୋଗୁଁ ଲୋକମାନେ ମାନସିକ ରୋଗର ଶିକାର ହୋଇଥା’ନ୍ତି। ଅର୍ଥାତ୍ ଯଦି ପୂର୍ବରୁ ପରିବାରରେ କାହାକୁ ମାନସିକ ସମସ୍ୟା ଥାଏ ତେବେ ବ୍ୟକ୍ତିଜଣକ ଏହାର ଶିକାର ହେବାର ଆଶଙ୍କା ବଢ଼ିଯାଏ।

ମଦ୍ୟପାନ, ଧୂମପାନ, ହେରୋଇନ୍‌, ଗଞ୍ଜେଇ, ଚରସ ଭଳି ମାଦକ ଦ୍ରବ୍ୟ ଖାଉଥିବା ବ୍ୟକ୍ତିଙ୍କର ମସ୍ତିଷ୍କରେ ଧୀରେ ଧୀରେ କରି ନ୍ୟୁରୋ କେମିକାଲ ପରିବର୍ତ୍ତନ ହୁଏ। ଏହି ପରିବର୍ତ୍ତନ ଅଧିକ ହେଲେ ମାନସିକ ରୋଗ ହେବାର ଆଶଙ୍କା ବଢ଼ିଯାଏ।

ମାନସିକ ରୋଗକୁ ଚିହ୍ନିବା କେମିତି? (How to diagnose mental illness in Odia)

ଜଣେ ବ୍ୟକ୍ତିଙ୍କୁ ମାନସିକ ରୋଗ ହେଲେ ଧୀରେ ଧୀରେ ତାଙ୍କର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆସିଥାଏ ଯେପରିକି, ନିଦ ହୁଏ ନାହିଁ, ଚେଷ୍ଟା କଲେ ବି ଶୋଇପାରିବେ ନାର୍ହି, ନକରାତ୍ମକ ଚିନ୍ତା ମନକୁ ଆସେ, କାମ କରିବାକୁ ଇଛା ହୁଏ ନାହିଁ, କୌଣସି କାର୍ଯ୍ୟରେ ଏକାଗ୍ରତା ଆସିବ ନାହିଁ, ଖାଇବା ପିଇବା ଠିକ୍‌ ରହିବ ନାହିଁ, ମଣିଷ ନିଜର ଯତ୍ନ ନେଇପାରିବେ ନାହିଁ, କାହାସହ କଥା ହେବେ ନାହିଁ, ବିନା କାରଣରେ କାନ୍ଦ ଲାଗିବା, ଚୁପ୍‌ଚାପ ବସିରହିବା ଭଳି ଲକ୍ଷଣ ଦେଖାଯାଏ।

ମାନସିକ ରୋଗୀଙ୍କର ସଠିକ୍‌ ସମୟରେ ଚିହ୍ନଟ କରି ଏହାର ଚିକିତ୍ସା ନ କରାଗଲେ ପରିସ୍ଥିତି ଅଣାୟତ୍ତ ହୋଇପାରେ। କେତେକ କ୍ଷେତ୍ରରେ ରୋଗ ବଢ଼ିଯାଇ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ପଛାଇବେ ନାହିଁ।

ସ୍କିଜୋଫ୍ରେନିଆ ରୋଗ କ’ଣ? (What is schizophrenia in Odia)

ସ୍କିଜୋଫ୍ରେନିଆ ଏକ ସାଙ୍ଘାତିକ ମାନସିକ ରୋଗ। ସ୍କିଜୋଫ୍ରେନିଆରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବ୍ୟବହାରରେ ଧୀରେ ଧୀରେ ପରିବର୍ତ୍ତନ ଆସିଥାଏ। ବ୍ୟକ୍ତି ଜଣକ ଏକୁଟିଆ ରହିବାକୁ ଆରମ୍ଭ କରେ, କାହା ସହ କଥାବାର୍ତ୍ତା କରେ ନାହିଁ ଏବଂ ଧୀରେ ଧୀରେ କାର୍ଯ୍ୟ କରିବାର ଦକ୍ଷତା କମିଯାଏ। ବ୍ୟକ୍ତି ଏକୁଟିଆ ବସିଥିବା ବେଳେ ତାଙ୍କୁ ଶବ୍ଦ ଶୁଭାଗଲା ଭଳି ଅନୁଭବ ହୁଏ ବା ଶୂନ୍ୟବାଣି ହେଲା ଭଳି ମନେ ହୁଏ। ଏହାଛଡ଼ା ସ୍କିଜୋଫ୍ରେନିଆ ରୋଗୀଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ। ଯାହାଫଳରେ ବ୍ୟକ୍ତି ପଢ଼ାପଢ଼ି କରିପାରନ୍ତି ନାହିଁ, ଧୀରେ ଧୀରେ ହାଲୋସିନେସନ୍‌, ଡିଲ୍ୟୁଜନ୍‌, କଥା କହିବାରେ ଅସୁବିଧା ସୃଷ୍ଟି ହୁଏ। କାରଣ ସ୍କିଜୋଫ୍ରେନିଆ ରୋଗୀଙ୍କର ମସ୍ତିଷ୍କରେ ଡୋପାମିନ୍‌ ଓ ଅନ୍ୟାନ୍ୟ ହରମୋନ୍‌ ଅସନ୍ତୁଳନ ହୋଇଥାଏ।

ଶୂଚୀବାଇ ରୋଗ କ’ଣ?

ଶୂଚୀବାଇ ହେଉଛି ଏକ ମାନସିକ ରୋଗ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ଧୋଇ ହୁଅନ୍ତି, ବାରମ୍ବାର ଗୋଟେ ଜିନିଷକୁ ସଜାଡ଼ୁଥା’ନ୍ତି, ସବୁବେଳେ ସବୁ ଜିନିଷକୁ ବାରମ୍ବାର ତର୍ଜମା କରିଥା’ନ୍ତି। ଯାହାଫଳରେ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯା ବିପର୍ଯ୍ୟସ୍ତ ହୋଇପଡ଼େ।

ଡିମେନ୍‌ସିଆ ରୋଗ କ’ଣ?

ଡିମେନସିଆ ରୋଗରେ ସ୍ମରଣ ଶକ୍ତି ଧୀରେ ଧୀରେ ହ୍ରାସ ପାଇଥାଏ। ଵିଶେଷ କରି ବୟସ ବଢ଼ିଗଲେ ଏହି ସମସ୍ୟା ହୋଇଥାଏ। ଏହି ସମସ୍ୟାରେ  ବ୍ୟକ୍ତି ସମସ୍ତ କଥା ମନେ ରଖିପାରି ନଥାଏ। ଏହା ସାଧାରଣତଃ ୬୦ବର୍ଷରୁ ଅଧିକ ବୟସରେ ଦେଖାଯାଏ।

ଦୁଃଖରେ ଅତ୍ୟଧିକ ଭାଙ୍ଗି ପଡ଼ିଲେ ମାନସିକ ରୋଗ ହୋଇପାରେ (Too much grief can lead to mental illness in Odia)

ମାନସିକ ଚାପ, ଅବସାଦ ଓ ପାରିପାର୍ଶ୍ୱିକ କାରଣ ଯୋଗୁଁ ମଣିଷ ମାନସିକ ରୋଗର ଶିକାର ହୁଅନ୍ତି।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟପ୍ରକାଶ ରସେଲ ରାବଣଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Mental illness, in Odia language, is based on an extensive interview with Psychiatrist Dr. Jayaprakash Russell Ravan.