painkiller

ସାଧାରଣତଃ ଲୋକମାନଙ୍କୁ କୌଣସି ପ୍ରକାର ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ପେନକିଲର ଖାଇ ଦେଇଥାନ୍ତି। ତାହା ଯନ୍ତ୍ରଣାରୁ ଉପଶମ ଦିଏ ସତ କିନ୍ତୁ ଶରୀର ଉପରେ ତାର ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିଥାଏ। ଏପରିସ୍ଥଳରେ କିଛି ପ୍ରାକୃତିକ ପେନକିଲର ସଂପର୍କରେ ଜାଣନ୍ତୁ ଯାହା ଆପଣଙ୍କ ଶରୀରର କୌଣସି ପ୍ରକାର କ୍ଷତି କରିବ ନାହିଁ।

ହଳଦୀ:ଏଥିରେ ଥିବା ଆଣ୍ଟିବାଇଓଟିକସ ଏବଂ କରକ୍ୟୁମିନ୍ ନାମକ ତତ୍ତ୍ୱ କ୍ଷତପୂରଣ ହେବାରେ ସାହାଯ୍ୟ କରିବା ସହ ଯନ୍ତ୍ରଣାରୁ ଉପଶମ ଦିଏ । ତେଣୁ ହଳଦୀକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।

ଚେରି: ଏଥିରେ ଜ୍ୱଳାପୋଡ଼ା ନିବାରକ ଗୁଣ ଥିବାଯୋଗୁ ଏହାକୁ ‘ପାୱାରହାଉସ୍ ଅଫ୍ ନ୍ୟୁଟ୍ରିସନ୍) ବୋଲି ମଧ୍ୟ କୁହାଯାଏ। ଚେରିରେ ଥିବା ଏନ୍ଥୋକାଇନିନ୍ ନାମକ ତତ୍ତ୍ୱ ଯନ୍ତ୍ରଣା ସୃଷ୍ଟି କରୁଥିବା ଏନଜାଇମ୍କୁ ଅଟକାଇବାରେ ସହାୟକ ହୁଏ। ଏହାଛଡ଼ା ଚେରି ଖାଇବା ଯୋଗୁ ମାଂସପେଶୀକୁ ଆରାମ ମିଳିଥାଏ। ଖାସ୍ ସେଥିପାଇଁ ଖେଳାଳିମାନେ ନିଜ ଡାଏଟ୍ରେ ଚେରି ଖାଇଥାନ୍ତି।

ଲେମ୍ବୁ: ଲେମ୍ବୁରେ ଏଭଳି ଯନ୍ତ୍ରଣାନାଶକ ଉପାଦାନ ରହିଛି ଯାହାକି ତୁରନ୍ତ ଯନ୍ତ୍ରଣାରୁ ଉପଶମ ଦେଇଥାଏ । ଏଥିଲାଗି ହାଲ୍କା ଉଷୁମ ପାଣିରେ ଲେମ୍ବୁ ରସ ମିଶାନ୍ତୁ। ସେଥିରେ ଏକ କପଡ଼ା ବୁଡ଼ାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ରଖନ୍ତୁ। ୫-୭ ମିନିଟ୍ ଧରି ଏପରି କଲେ ଯନ୍ତ୍ରଣାରୁ ଉପଶମ ପାଇବେ।

ଅଦା: ଜ୍ୱଳାପୋଡ଼ା ନିବାରକ ଗୁଣରେ ଭରପୁର ଅଦା ପେଟଦରଜ ଏବଂ ପେଟ ସମ୍ବନ୍ଧୀୟ ରୋଗ ଦୂର କରିବା ଲାଗି ସହାୟକ ହୋଇଥାଏ। ଜ୍ୱର ଏବଂ ଗଳାଦରଜ ହୋଇଥିଲେ ଅଦା ଖାଇଲେ ଆରାମ ଲାଗେ।

କଫି: ନିକଟରେ କରାଯାଇଥିବା ଏକ ଗବେଷଣା ଅନୁସାରେ କଫିରେ ଥିବା କାଫାଇନ୍ ଶରୀରରେ ଫୁଲା ସୃଷ୍ଟି କରୁଥିବା ରକ୍ତ କୋଷିକାକୁ କମ୍ କରିବାରେ ସହାୟକ ହୋଇଥାଏ। ଏହାଛଡ଼ା ମୁଣ୍ଡବିନ୍ଧା ହେଉଥିଲେ କଫି ପିଇବା ଦ୍ୱାରା ତୁରନ୍ତ ଆରାମ ଲାଗେ।

ଲବଙ୍ଗ:ଏହା ମୁଣ୍ଡବିନ୍ଧା ଏବଂ ଦାନ୍ତବିନ୍ଧାରୁ ଉପଶମ ଦେବାରେ ସାହାଯ୍ୟ କରେ।

ହେଙ୍ଗୁ: ଏଥିରେ ମଧ୍ୟ ଜ୍ୱଳାପୋଡ଼ା ନିବାରକ ଗୁଣ ଥାଏ ଯାହାକି ପେଟଦରଜ, ବାନ୍ତି, ଗ୍ୟାସ୍, ବଦହଜମି ଭଳି ସମସ୍ୟାକୁ ଦୂର କରେ। ପେଟ ଦରଜ ହେଉଥିଲେ ହେଙ୍ଗୁରେ କିଛି ପାଣି ମିଶାଇ ନାଇର ଆଖପାଖରେ ଲଗାଇଲେ କିଛି ସମୟ ପରେ ଆରାମ ମିଳେ।

ଲୁଣ: ଗଳା କୁଣ୍ଡାଇ ହେବା ଏବଂ ଦରଜ ହେଲେ ଲୁଣ ପାଣିରେ କିଛି ସମୟ କୁଳୁକୁଳୁ କରନ୍ତୁ। ଏହାଛଡ଼ା ଲୁଣମିଶା ପାଣିରେ ଗାଧୋଇଲେ ଥକ୍କାପଣ ମଧ୍ୟ ଦୂର ହୋଇଥାଏ।

ମେଥି:ମେଥି ଏକ ଭଲ ପ୍ରାକୃତିକ ପେନକିଲର କାମ କରିଥାଏ। ଗ୍ୟାସ୍ ହୋଇଥିଲେ ଉଷୁମ ପାଣି ସହ କିଛି ମେଥିଗୁଣ୍ଡ ପିଇଲେ ତୁରନ୍ତ ଆରାମ ଲାଗେ। ଏହାଛଡ଼ା ମଧୁମେହ ରୋଗୀମାନେ ଏହାକୁ ଖାଦ୍ୟ ତାଲିକାରେ ନିହାତି ସାମିଲ କରିବା ଆବଶ୍ୟକ।