ପିଲାମାନେ ଖାଇବା ସମୟରେ କୌଣସି ଖାଦ୍ୟ ଭୁଲବଶତଃ ତଣ୍ଟିରେ ଲାଗିଯାଏ। ଏପରି ସ୍ଥଳେ କ’ଣ କରିବେ ଆସନ୍ତୁ ଜାଣିବା।
ତଣ୍ଟିରେ ଖାଦ୍ୟ କାହିଁକି ଲାଗେ?
ଅନେକ ସମୟରେ ପିଲାମାନେ ବାପାମା’ଙ୍କ ଭୟରେ ଖାଦ୍ୟ ଖାଇଥାନ୍ତି। ଏପରି ଖାଇବା ଫଳରେ ତଣ୍ଟିରେ ଖାଇବା ଲାଗିଯାଇଥାଏ।
କୌଣସି ଜିନିଷ ଛୁଆମାନେ ଲୁଚେଇ ଖାଉଥିବା ସମୟରେ ଏପରି ହୋଇଥାଏ।
ଖେଳିବା ସମୟରେ ଖାଦ୍ୟ ପ୍ରତି ସେମାନଙ୍କର ଧ୍ୟାନ ନ ଥାଏ। ଫଳରେ ସେମାନେ ଖାଉଥିବା ଖାଦ୍ୟ ତଣ୍ଟିରେ ଲାଗି କଷ୍ଟ ଦେଇଥାଏ।
ଛୋଟ ବେଳେ ପିଲାମାନେ କୌଣସି ଜିନିଷ ବାବଦରେ ଅବଗତ ନଥାନ୍ତି। ତେଣୁ ସବୁ ଜିନିଷକୁ ଖାଇବା ଜିନିଷ ଭାବି ଖାଇ ଦିଅନ୍ତି। ଫଳରେ ଚୋବାଇ ନ ପାରିବା ଯୋଗୁଁ ତଣ୍ଟିରେ ଖାଦ୍ୟ ଲାଗି ଅସୁବିଧା କରିଥାଏ।
ଅଧିକାଂଶ ପିଲା କଟା ସେଓ ଏବଂ ବିଭିନ୍ନ ଫଳକୁ ଖାଇବାକୁ ଜିଦି କରିଥାନ୍ତି। ଏହା ଦ୍ୱାରା ସେଓ ଖଣ୍ଡ ତଣ୍ଟିରେ ଲାଗି କଷ୍ଟ ଦେଇଥାଏ।
ପିଲାମାନେ ସବୁବେଳେ କିଛି ନା କିଛି ଖାଇବା ପାଇଁ ପସନ୍ଦ କରିଥାନ୍ତି। ସେମାନେ ନିଜ ପସନ୍ଦର ଜିନିଷ ଖାଇବା ବେଳେ ନିଜେ ଖାଇବା ପାଇଁ ଜିଦି ମଧ୍ୟ କରନ୍ତି। ଫଳରେ ପ୍ରାୟତଃ ଖାଇବା ବେଳେ ଛୁଆଙ୍କ ତଣ୍ଟିରେ ଖାଦ୍ୟ ଅଟକି ଯାଇଥାଏ।
– ଛୁଆଙ୍କ ତଣ୍ଟିରେ ଖାଦ୍ୟ କିମ୍ବା କିଛି ଜିନିଷ ଅଟକିଗଲେ ବାପା ମା’ ବ୍ୟସ୍ତ ହୋଇ ପାଣି କିମ୍ବା କିଛି ଅନ୍ୟ ଜିନିଷ ପିଆଇ ଦେଇଥାନ୍ତି। ଫଳରେ ସମସ୍ୟା ଆହୁରି ବଢ଼ିଯାଏ।
– ଏପରି ପରିସ୍ଥିତି ଯଦି ସୃଷ୍ଟି ହେଉଛି ତେବେ ଆପଣ ଅଧିକ ପାଟିତୁଣ୍ଡ କରନ୍ତୁ ନାହିଁ। ଏହା ଦ୍ୱାରା ଛୁଆ ଭୟ କରିଯିବ ଏବଂ ଖାଦ୍ୟ କାଢ଼ିବାକୁ ଦେଖାଇନଥାଏ।
– ପ୍ରଥମେ ଛୁଆକୁ କୋଳରେ ବସାନ୍ତୁ ଓ ପରେ ଛୁଆର ମୁହଁକୁ ତଳକୁ କରି ଧରନ୍ତୁ। ଏହା ଦ୍ୱାରା ତଣ୍ଟିରେ ଅଟକି ଥିବା ଜିନିଷ ବାହାରି ଆସିବ।
– ହାତରେ ଧୀରେ ଧୀରେ ଛୁଆର ପିଠି ଓ କାନ୍ଧ ମଝି ସ୍ଥାନକୁ ଥାପୁଡ଼ାନ୍ତୁ। ଫଳରେ ଅଟକିଥିବା ଖାଦ୍ୟ ବାହାରକୁ ବାହାରି ଆସିଥାଏ।
ତଥାପି ଯଦି ଖାଦ୍ୟ ବାହାରୁ ନାହିଁ ତେବେ ଛୁଆକୁ ସିଧା କରି ବସାନ୍ତୁ। ନିଜ ଦୁଇ ଆଙ୍ଗୁଳିରେ ଛୁଆର ଛାତିକୁ ଧୀରେ ଧୀରେ ଦବାନ୍ତୁ। ମନେ ରଖନ୍ତୁ ଛୁଆକୁ ଯେପରି କୌଣସି ଆଘାତ ନ ଲାଗେ।
– ଏପରି କରିବା ପରେ ଯଦି ଖାଦ୍ୟ ନ ବାହାରୁଛି ତେବେ ଏହି ପ୍ରକ୍ରିୟାକୁ ୫-୬ ଥର କରନ୍ତୁ।
– ଯଦି ଅସଫଳ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।