medical tourism

ଆଜିକାଲି ମେଡିକାଲ ଟୁରିଜିମ୍ ଅର୍ଥାତ୍ ଚିକିତ୍ସା ପର୍ଯ୍ୟଟନ ଖୁବ୍ ପ୍ରସାର ଲାଭ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭ୍ରମଣ ସାଙ୍ଗକୁ ଶାରିରୀକ ଆରାମ। ଖୁବ୍ ଭଲ ସୁବିଧା, କମ୍ ଖର୍ଚ୍ଚ କାରଣରୁ ବିଦେଶର ବହୁ ଲୋକ ଭାରତକୁ ଏଥିପାଇଁ ବାଛୁଛନ୍ତି। ଏକ ଆକଳନ ଅନୁସାରେ ବିଦେଶରେ ହେଉଥିବା ଚିକିତ୍ସା ଖର୍ଚ୍ଚ ଅପେକ୍ଷା ଭାରତରେ ହେଉଥିବା ଚିକିତ୍ସା ଖର୍ଚ୍ଚ ୧୦ ଭାଗରୁ ଏକ ଭାଗ। ଏପରିସ୍ଥଳେ ଭାରତର କେଉଁ କେଉଁ ସ୍ଥାନରେ ମେଡିକାଲ ଟୁରିଜିମ୍ ଲୋକପ୍ରିୟ ତାହା ଆସନ୍ତୁ ଜାଣିବା।

ଚେନ୍ନାଇ: ଚିକିତ୍ସା ଉପଚାର ପାଇଁ ଭାରତର ସବୁଠୁ ଲୋକପ୍ରିୟ ସ୍ଥାନ ମଧ୍ୟରୁ ଚେନ୍ନାଇ ଅନ୍ୟତମ। ଏକ ସର୍ଭେ ଅନୁସାରେ ପ୍ରାୟ ୪୦ ପ୍ରତିଶତ ଲୋକେ ଚେନ୍ନାଇକୁ ଉଚ୍ଚ ଗୁଣବତ୍ତା ଯୁକ୍ତ ଉପଚାର ପାଇଁ ବାଛୁଛନ୍ତି। ସେଠାରେ ଅସ୍ଥି ମଜ୍ଜା ପ୍ରତ୍ୟାରୋପଣ, କାର୍ଡିଆକ୍ ବାଇପାସ୍, ଆଖି, ଅସ୍ତ୍ରୋପଚାର, ହିପ ରିପ୍ଲେସମେଣ୍ଟ ଏବଂ ବୈକଳ୍ପିକ ଚିକିତ୍ସା ପ୍ରଭୃତି କରାଯାଇଥାଏ। ସେହିପରି ଚେନ୍ନାଇର ଐତିହାସିକ ଓ ସାଂସ୍କୃତିକ ବିଭବ ସହିତ ସମୁଦ୍ର ତଟରେ ବୁଲି ପର୍ଯ୍ୟଟକମାନେ ମାନସିକ ଶାନ୍ତି ପାଇଥାନ୍ତି।

ମୁମ୍ବାଇ: ଭାରତରେ ଦ୍ରୁତ ଗତିରେ ଅଭିବୃଦ୍ଧିଶୀଳ ଚିକିତ୍ସା ପର୍ଯ୍ୟଟନସ୍ଥଳ ମଧ୍ୟରେ ମୁମ୍ବାଇ ଅନ୍ୟତମ। ଏଠାରେ ଅର୍ଥୋପେଡିକ୍, ଓଜନ ହ୍ରାସ ପାଇଁ ଅସ୍ତ୍ରୋପଚାର, କସମେଟିକ ସର୍ଜରୀ, ଆୟୁର୍ବେଦୀୟ ଉପଚାରର ଉନ୍ନତତମ ସୁବିଧା ଉପଲବ୍ଧ। ସେହିପରି ଏହାର ସମୁଦ୍ରକୂଳରେ ବୁଲିବା, ଗେଟୱେ ଅଫ୍ ଇଣ୍ଡିଆ ଦେଖିବାକୁ ପର୍ଯ୍ୟଟକମାନଙ୍କର ଭିଡ଼ ଜମିଥାଏ।

ଅହମ୍ମଦାବାଦ: ଚିକିତ୍ସା ପର୍ଯ୍ୟଟକ କଥା ଆସିଲେ ଅହମ୍ମଦାବାଦକୁ ଏଡ଼ାଇ ଯାଇ ହେବନାହିଁ। ଏଠାରେ ଏସିଆର ସବୁଠୁ ବଡ଼ ସିଭିଲ ହସ୍ପିଟାଲ ରହିଛି। ସେହିପରି ଏଠାକାର ସୁନ୍ଦର ଝରଣା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ।

ବେଙ୍ଗାଲୁରୁ: କେବଳ ଔଦ୍ୟୋଗିକ ବାଣିଜ୍ୟ ବିକାଶ ପାଇଁ ନୁହେଁ, ବେଙ୍ଗାଲୁରୁ ଅତ୍ୟନ୍ତ ଆଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା କାରଣରୁ ମଧ୍ୟ ପ୍ରସିଦ୍ଧ। ପେଟ ସମ୍ବର୍ଦ୍ଧିତ ଅସ୍ତ୍ରୋପଚାର ପାଇଁ ଏଠାରେ ଉକ୍ରୃଷ୍ଠ ସେବା ଯୋଗାଇ ଦିଆଯାଇଥାଏ। ଜଟିଳରୁ ଜଟିଳ ଅସ୍ତ୍ରୋପଚାର ପାଇଁ ବେଙ୍ଗାଲୁରୁରେ ଅଭିଜ୍ଞ ଡାକ୍ତରଙ୍କର ଅଭାବ ନାହିଁ।

କୋଏମ୍ବାଟୁର: ହୃତପିଣ୍ଡର ଅସ୍ତ୍ରୋପଚାର ଏବଂ ଇଏନଟି ସମ୍ବନ୍ଧୀୟ ସମସ୍ୟାର ଉପଚାର ପାଇଁ ଏହା ଖୁବ୍ ଭଲ ସ୍ଥାନ। ବିଜିଏମ୍, କେଏମ୍ସିଏଚ୍, ପିଏସଜି ହସ୍ପିଟାଲ ଏହି ଉପଚାର ପାଇଁ ବିଶ୍ୱପ୍ରସିଦ୍ଧ।

ଭେଲୋର: ପାଲର ନଦୀ କୂଳରେ ଭେଲୋର ସହର ଅବସ୍ଥିତ। ଏଠାରେ ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ ଏବଂ ଭିଆଇଟି ଭଳି ପ୍ରସିଦ୍ଧ ମେଡିକାଲ କଲେଜ ରହିିଛି। କାର୍ଡିଓଲୋଜି ପାଇଁ ମେଡିକାଲ ଟୁରିଜମ୍ର ଏହା ଏକ ପ୍ରମୁଖ କେନ୍ଦ୍ର।

ଦିଲ୍ଳୀ: ଭାରତର ରାଜଧାନୀ ଦିଲ୍ଲୀ ନିଜର ଐତିହାସିକ ପର୍ଯ୍ୟଟନସ୍ଥଳ ବ୍ୟତୀତ ଚିକିତ୍ସା ପର୍ଯ୍ୟଟନ ପାଇଁ ବି ପ୍ରସିଦ୍ଧ। ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର, ଆଖିରୋଗର ଚିକିତ୍ସା, ହୃଦରୋଗର ଚିକିତ୍ସା ପାଇଁ ଏହା ଖୁବ୍ ପ୍ରସିଦ୍ଧ।

ଗୋଆ: ବିଦେଶୀ ପର୍ଯ୍ୟଟକ ଅଧିକାଂଶ ସମୟରେ ଗୋଆକୁ ବୁଲିବାକୁ ଆସିଥାନ୍ତି। ଆଜିକାଲି ସେଠାରେ ମେଡିକାଲ ଟୁରିଜିମର ମଧ୍ୟ ବିକାଶ ଦେଖିବାକୁ ମିଳୁଛି। ବିଶେଷ କରି ପ୍ରାକୃତିକ ଚିକିତ୍ସା ଏଠାରେ ଅଧିକ ଭାବେ କରାଯାଉଛି।

ହାଇଦ୍ରାବାଦ: ଚିକିତ୍ସା ପର୍ଯ୍ୟଟକସ୍ଥଳ କଥାଉଠିଲେ ହାଇଦ୍ରାବାଦର ସ୍ଥାନ ସ୍ୱତନ୍ତ୍ର। କମ୍ ଖର୍ଚ୍ଚରେ ଏଠାକାର ହସ୍ପିଟାଲରେ ପ୍ଲାଷ୍ଟିକ୍ ସର୍ଜରୀର ସୁବିଧା ଉପଲବ୍ଧ।