କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ଜାଣନ୍ତୁ ଜଣାଶୁଣା ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ପଞ୍ଚସୂତ୍ରୀ ଫର୍ମୁଲା।

corona virus

କରୋନା ବା କୋଭିଡ୍-୧୯ ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ଆଣିଦେଇଛି। କୁହାଯାଉଛି ତୃତୀୟ ବିଶ୍ୱଯୁଦ୍ଧ ହେଲେ ଯେତିକି ଜୀବନ ଯିବାର ଆକଳନ କରାଯାଉଥିଲା, ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ତା’ଠୁ ଅଧିକ ଲୋକେ ପ୍ରାଣ ହରାଇସାରିଲେଣି। ସାଧାରଣତଃ ଯେଉଁ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି, କରୋନା ଭୂତାଣୁ ସେମାନଙ୍କୁ ଅଧିକ ସଂକ୍ରମଣ କରୁଥିବା ଜଣାପଡ଼ିଛି। ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଯେଉଁମାନଙ୍କଠାରେ  ଡାଏବେଟିସ, ଉଚ୍ଚ ରକ୍ତଚାପ, ହୃଦରୋଗ, ଫୁସ୍‌ଫୁସ୍ ରୋଗ ଭଳି ବିଭିନ୍ନ ଦୂରାରୋଗ୍ୟ ରହିଛି, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ଏହି ବ୍ୟକ୍ତିଙ୍କୁ କରୋନା ଭୁତାଣୁ ଅଧିକ ସଂକ୍ରମଣ କରୁଛି ଏବଂ ଆକ୍ରାନ୍ତ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି।

ଆସନ୍ତୁ ଜାଣିବା, ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିଙ୍କୁ କେମିତି ବଢ଼ାଇବା? ଏହା ପୂର୍ବରୁ ଆମକୁ ଜାଣିବାକୁ ହେବ ଯେ, ରୋଗ ପ୍ରତିରୋଧକ ଶକ୍ତି କ’ଣ?

ରୋଗ ପ୍ରତିରୋଧକ ଶକ୍ତି କ‘ଣ? (What is Immunity Power in Odia)

ଆମ ଶରୀରର ରକ୍ତରେ ‘ଶ୍ୱେତ ରକ୍ତ କଣିକା’ ବୋଲି ଏକ କୋଷ ରହିଛି। ଏହି ଶ୍ୱେତ ରକ୍ତ କଣିକା ହେଉଛି ଆମ ଶରୀରର ପ୍ରତିରକ୍ଷା ବାହିନୀ। ଯେକୌଣସି ଜୀବାଣୁ କିମ୍ବା ଭୂତାଣୁ ଆମ ଶରୀରକୁ ଆକ୍ରମଣ କଲେ ଏହି ଶ୍ୱେତ ରକ୍ତ କଣିକା ତାହାର ବାଟକୁ ଅବରୋଧ କରେ ଏବଂ ତାହା ସହ ଯୁଦ୍ଧ କରିଥାଏ। ତେଣୁ ଶ୍ୱେତ ରକ୍ତ କଣିକାକୁ ଆମ ଶରୀରର ଯୋଦ୍ଧା ବୋଲି ମଧ୍ୟ କୁହାଯାଏ।

ଆମ ଶରୀର ହାଡ଼ ଭିତରେ ଥିବା ଅସ୍ଥି ମଜ୍ଜା (Bone marrow) ଏହି ଶ୍ୱେତ ରକ୍ତ କଣିକାକୁ ତିଆରି କରିଥାଏ। ଶରୀରରେ ଥିବା ଥାଇମସ୍ ଗ୍ରନ୍ଥି ଏହି ଶ୍ୱେତ ରକ୍ତ କଣିକାକୁ ଗଚ୍ଛିତ ତଥା ପ୍ରଶିକ୍ଷଣ ଦେଇଥାଏ। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ଲିହା, ଯକୃତ ଆଦି ଅଙ୍ଗ ସହାଯ୍ୟ କରିଥାଏ। ଏ ସମସ୍ତକୁ ମିଶାଇଲେ ଆମେ ଏହାକୁ କହିପାରିବା ରୋଗ ପ୍ରତିରୋଧକ ଅଙ୍ଗ। ଏହାର କାର୍ଯ୍ୟ କରିବା ପ୍ରଣାଳୀକୁ ଆମେ ରୋଗ ପ୍ରତିରୋଧକ ଶକ୍ତି କହିଥାଉ।

ରୋଗ ପ୍ରତିରୋଧକ ଶକ୍ତି କେବେ ରାତାରାତି ବଢ଼ିବ ନାହିଁ। ଏହା ବ୍ୟତୀତ ବଜାରରେ ମିଳୁଥିବା ଇମ୍ୟୁନିଟି ବୁଷ୍ଟର ଭଳି ଔଷଧ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ନାହିଁ। ତେବେ କୌଣସି ଔଷଧ ଖାଇ ଆପଣ ତତ୍‌କ୍ଷଣାତ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇପାରିବେ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆମେ ଜୀବନଶୈଳୀ ଓ ଖାଦ୍ୟପେୟ ଉପରେ ଉନ୍ନତି ଆଣିବାକୁ ହେବ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆସନ୍ତୁ ଜାଣିବା ପଞ୍ଚସୂତ୍ରୀ ଫର୍ମୁଲା। ଏହି ଫର୍ମୁଲାକୁ ଦୈନନ୍ଦିନ ଜୀବନରେ ଅପଣାଇଲେ ଆପଣ ମଜବୁତ ରହିପାରିବେ ଏବଂ କରୋନା ଭଳି ଭୂତାଣୁ କିମ୍ବା ଜୀବାଣୁ ସାଙ୍ଗରେ ଭଲ ଭାବେ ଲଢ଼େଇ କରିପାରିବେ।

ରୋଗ ପ୍ରତିରୋଧକ ଶକ୍ତି ପଞ୍ଚସୂତ୍ରୀ ଫର୍ମୁଲା (Formula for Boosting Immunity in Odia)

. ସୁଷମ ଖାଦ୍ୟ ଖାଇବେ

ରୋଗ ପ୍ରତିରୋଧକ ଶକ୍ତି ପାଇଁ ଥିବା ଶ୍ୱେତ ରକ୍ତ କଣିକା ଜୀବାଣୁ ବା ଭୂତାଣୁ ସହିତ ଲଢ଼େଇ କରିବା ପାଇଁ କେମୋକାଇନ୍, ସାଇଟୋକାଇନ୍, ଆଣ୍ଟିବଡି ଭଳି ରସାୟନ ବ୍ୟବହାର କରଥା’ନ୍ତି। ଏଗୁଡ଼ିକ କାମ କରିବା ପାଇଁ କେତେଗୁଡ଼ିଏ ଖାଦ୍ୟ ପଦାର୍ଥର ଆଶ୍ୟକତା ରହିଛି, ଯାହାକୁ ଆମେ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ବୋଲି କହିଥାଉ। ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ଯଥା, ସେଲେନିୟମ୍, କପର, ଆଇରନ୍, ଭିଟାମିନ୍-ଏ,ଡି, ବି-୬ ଏବଂ ଫୋଲିକ୍ ଏସିଡ୍। ତାଜା ଫଳ ଏବଂ ପନିପରିବା ଅଧିକ ଖାଇଲେ ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ଆପଣକୁ ମିଳିଥାଏ।

ଅଙ୍ଗୁର, କମଳା, ଲେମ୍ବୁ, ବ୍ରୋକଲି, ରେଡ୍‌ କ୍ୟାପ୍‌ସିକମ୍ ଆଦି ଖାଦ୍ୟ ଖାଇଲେ ଆପଣଙ୍କୁ ଭିଟାମିନ୍-ସି ଅଧିକ ମିଳିବ। ଆଲ୍‌ମଣ୍ଡ୍ ଅଏଲ, ଆଭାକାଡୋ ଖାଇଲେ ଭିଟାମିନ୍-ଇ ଅଧିକ ମିଳିବ। ସେହିପରି ନିୟମିତ ଦହି ବା କ୍ଷୀର ଖାଇଲେ ଆପଣଙ୍କୁ ଭିଟାମିନ-ଡି ମିଳିବ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣଙ୍କୁ ଏହି ଭଳି ସୁଷମ ଖାଦ୍ୟ ଖାଇବାକୁ ଦରକାର। ଜଙ୍କ୍ ଫୁଡ୍‌ଠାରୁ ଦୂରେଇ ରହିବାକୁ ହେବ।

. ନିୟମିତ ବ୍ୟାୟାମ କରିବା ଦରକାର

ଆମ ଶରୀରର ଦୁଇ ପ୍ରକାରର ନର୍ଭସ ସିଷ୍ଟମ ରହିଛି। ସିମ୍ପାଥେଟିକ୍ ନର୍ଭସ ସିଷ୍ଟମ ଏବଂ ପାରା ସିମ୍ପାଥେଟିକ୍ ନର୍ଭସ ସିଷ୍ଟମ। କର୍ମକ୍ଷେତ୍ରରେ କାମ କରିବା ବେଳ ଆମେ ଅନେକ ସମୟରେ ଚାପରେ ରହିଥାଉ। ଫଳରେ ଏହି ସ୍ନାୟୁ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ଭାବେ କାମ କରିବାକୁ ଦେଇନଥାଏ। ଆମେ ନିୟମିତ ଯୋଗ କିମ୍ବା ପ୍ରାଣାୟମ କଲେ ଏହି ସମସ୍ୟାରୁ ମୁକୁଳି ପାରିବା।

ଅନୁଲୋମ ବିଲୋମ ଭଳି ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣାୟମ କଲେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଭାବେ କାମ କରିବାରେ ସାହାଯ୍ୟ କରିଥାଏ। ତେଣୁ ନିୟମିତ ଯୋଗ ପ୍ରାଣାୟମ କରୁଥିବା ବ୍ୟକ୍ତିଙ୍କ ରୋଗ ସଂକ୍ରମଣର ସମ୍ଭାବନା କମ ଥାଏ।

. ନିଦ୍ରାରେ ସଂଜମ ଆଣିବେ

ଆପଣଙ୍କୁ ଦୈନିକ ୬ରୁ ୮ ଘଣ୍ଟା ଶୋଇବାକୁ ହେବ। ଶୋଇବା ପୂର୍ବରୁ କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର କରିବେ ନାହିଁ। ଶୋଇବାର ୧ ଘଣ୍ଟା ପୂର୍ବରୁ ମୋବାଇଲ କିମ୍ବା ଟିଭି ଦେଖିବେ ନାହିଁ। ହାଲ୍‌କା ଭୋଜନ ଗ୍ରହଣ କରିବେ। ସେହିପରି ଚା’, କଫି, ଚକୋଲେଟ୍, ମଦ୍ୟପାନ ଭଳି ଦ୍ରବ୍ୟଠାରୁ ଦୂରେଇ ରହିବେ। ଗବେଷଣାରୁ ଜଣାପଡ଼ିଛି ଯେ, ଆମେ ଶୋଇଥିବା ସମୟରେ ଆମ ଶରୀରରୁ ଅନେକ ହରମୋନ୍ ଓ ରସାୟନ ନିର୍ଗତ ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ଭାବେ କାମ କରାଇବାରେ ସାହାଯ୍ୟ କରିଥାଏ।

. ଚାପ ମୁକ୍ତ ରହିବେ

ରୋଗ ପ୍ରତିରୋଧକ ଶକ୍ତି ସଠିକ୍ ଭାବେ କାମ କରିବା ପାଇଁ ଆପଣଙ୍କୁ ମାନସିକ ଭାବେ ଚାପ ମୁକ୍ତ ରହିବା ଦରକାର। ଆମେ ଚାପମୁକ୍ତ ରହିଲେ ଆମ ଶରୀରରେ ଥିବା ଇମ୍ୟୁନିଟି ସିଷ୍ଟମ ଭଲ ଭାବେ କାମ କରିଥାଏ। ଚାପଗ୍ରସ୍ତ ହେଲେ ଏହାର କ୍ଷମତା କମିଯାଇଥାଏ। ବର୍ତ୍ତମାନ କରୋନା ଲକ୍‌ଡାଉନ୍ ଯୋଗୁଁ ଅନେକଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ତେବେ ଏହି ସମୟରେ ନିଜ ପରିବାର ସହ ସମୟ କାଟି ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ।

. ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିବେ

ଆମ ଶ୍ୱାସନଳୀରେ ପହଁରା ଭଳି ଏକ ଅଙ୍ଗ ରହିଛି, ଯାହାକୁ ଆମେ ସିଲିଆ କହିଥାଉ। ଆମେ ନିଶ୍ୱାସ ପ୍ରଶ୍ୱାସ ସମୟରେ ବାୟୁରେ ଥିବା ୯୦ରୁ ୯୫ ପ୍ରତିଶତ ଜୀବାଣୁକୁ ସିଲିଆ ଠେଲି ବାହାରରୁ ବାହାର କରିଦେଇଥାଏ। ତେବେ ନିୟମିତ ଧୂମପାନ କରୁଥିଲେ ଏହି ସିଲିଆ ଏବଂ ଫୁସ୍‌ଫୁସ୍‌ରେ ଥିବା କୋଷଗୁଡ଼ିକୁ କ୍ଷତି ପହଞ୍ଚିଥାଏ। ଫଳରେ ସେମାନଙ୍କୁ ଜୀବାଣୁ ବା ଭୂତାଣୁ ଶୀଘ୍ର ଆକ୍ରମଣ କରିବାର ସମ୍ଭାବନା ରହିଥାଏ।

ସେହିପରି ମଦ୍ୟପାନ କରୁଥିଲେ ଆମ ପାକସ୍ଥଳୀରେ ଥିବା ଶରୀର ଉପଯୋଗୀ ଜୀବାଣୁଗୁଡ଼ିକ ମରିଯା’ନ୍ତି। ଫଳରେ ଶରୀରକୁ କ୍ଷତି ପହଞ୍ଚାଉଥିବା ଜୀବାଣୁଗୁଡ଼ିକ ବଢ଼ି ରୋଗ ସୃଷ୍ଟି କରିଥା’ନ୍ତି। ତେଣୁ ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିଲେ ଆମେ ଆମ ରୋଗ ପ୍ରତିରୋଧକ ଶକ୍ତିଙ୍କୁ ମଜବୁତ କରିପାରିବା।

ଉପରୋକ୍ତ ଏହି ୫ଟି ଫର୍ମୁଲାକୁ ଆମେ ଆମ ନିତିଦିନିଆ ଜୀବନରେ ଆପଣାଇପାରିଲେ, ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ। ଏହା ସହିତ ଆମେ ବାହ୍ୟ ଆକ୍ରମଣ କରୁଥିବା ଜୀବାଣୁ ଏବଂ ଭୂତାଣୁକୁ ଠିକ୍ ଭାବରେ ମୁକାବିଲା କରିପାରିବା।

ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାର ଲକ୍ଷଣ (Symptoms of low immunity in Odia)

ଛୋଟ ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ନିମ୍ନ ଲିଖିତ ଲକ୍ଷଣ ଦେଖାଦେଇଥାଏ;

– ବାରମ୍ବାର ଥଣ୍ଡା ହେବ

– ନିମୋନିଆ ହୋଇପାରେ

– କାନ ସଂକ୍ରମଣ ହୋଇ ପୁଜ ବାହାରିବ

– ବାରମ୍ବାର ଜ୍ୱର ଆସିବ

– ବାରମ୍ବାର ଝାଡ଼ା ହେବ

ବିଭିନ୍ନ ସଂକ୍ରମଣରୁ ଛୋଟ ପିଲାଙ୍କ ବାରମ୍ବାର ଦେହ ଖରାପ ହେଲେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥିବ ବୋଲି ଆମେ ଜାଣିବା। ଅନ୍ୟପକ୍ଷରେ ବୟସ୍କ ବ୍ୟକ୍ତିଙ୍କଠାରେ ଡାଏବେଟିସ୍ ଭଳି ଦୂରାରୋଗ୍ୟ ଥିଲେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ। ସେହିପରି ଜିମ୍‌ ଯାଉଥିବା ଅନେକ ବ୍ୟକ୍ତି ଷ୍ଟେରୋଏଡ୍ ଔଷଧ ଖାଇଥା’ନ୍ତି। ବହୁଦିନ ଧରି ଏହି ଔଷଧ ଖାଇଲେ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଅପଣଙ୍କୁ ବାରମ୍ବାର ଜ୍ୱର, କାଶ, ସର୍ଦ୍ଦି ହେବା, ସାଧାରଣ ଔଷଧ ଖାଇଲେ ମଧ୍ୟ ଭଲ ନହେବା ଭଳି ଲକ୍ଷଣ ଦେଖାଯାଇଥାଏ।

କେତେ ଦିନରେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? (In how many days does the immunity system grow in Odia)

ରୋଗ ପ୍ରତିରୋଧକ ଶକ୍ତି ହେଉଛି ଏକ ଜଟିଳ ପ୍ରକ୍ରିୟା। ଅଧିକ ଖାଇଲେ ଓ ଶାରୀରିକ ପରିଶ୍ରମ ନକଲେ ଯେମିତି ଆମ ଓଜନ ବଢ଼ିଥାଏ ଏବଂ ବ୍ୟାୟାମ କଲେ ଓଜନ କମିଥାଏ। ଓଜନ କମିବା ବା ବଢ଼ିବା ଭଳି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏକ ସାଧାରଣ ପ୍ରକ୍ରିୟା ନୁହେଁ। ଆମେ ରାତାରାତି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବା ନାହିଁ। ଆମର ଅଭ୍ୟାସ ଠିକ୍ ରହିଲେ, ଖାଦ୍ୟ ପାନୀୟ, ବ୍ୟାୟାମ ଠିକ୍ ରହିଲେ ଭବିଷ୍ୟତରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସୁଧାର ଆସିଥାଏ।

ଏହା ଏକ ଅଭ୍ୟାସ, ଦିନ ଦୁଇ ଦିନରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ନାହିଁ। ନିୟମିତ ସୁଷମ ଖାଦ୍ୟ ଖାଇଲେ, ବ୍ୟାୟାମ କରିଲେ, ନିଦ୍ରାରେ ସଂଜମ ଆଣିଲେ, ଚାପ ମୁକ୍ତ ରହିଲେ, ମଦ୍ୟପାନ ଓ ଧୂମପାନଠାରୁ ଦୂରେଇ ରହିଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଭଲ ଭାବରେ କାମ କରିଥାଏ। ଆପଣ ରୋଗରୁ ମୁକ୍ତ ରହିବେ, ରୋଗ ସଂକ୍ରମଣ କମ ହେବ ଏବଂ କରୋନା ଭଳି ଭୂତାଣୁ ସହ ଲଢ଼ି ପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: In the human body Immunity or immune power plays a vital role in fighting against any kind of infection. So, with adequate immune power, we keep ourselves away from many diseases and stay fit and healthy. Dr Jyoti Ranjan Parida, an expert from the field of Immunology and Rheumatology, talks on the reasons behind low immune rates and advises on how to keep the bar up.