ରୋଗୀ ସେବାରେ ଦିନ ରାତି ଏକ କରିଛନ୍ତି ଭୁବନେଶ୍ୱର କିମ୍‌ସ ହସ୍ପିଟାଲର ଜଣେ ଷ୍ଟାପ ନର୍ସ ଶର୍ମିଷ୍ଠା ସୂତାର। ‘କେତେ ନୂଆ ବାଟ’ ଅଭିଯାନରେ ସାମିଲ ହୋଇ ସେ ନିଜର ଅନୁଭୂତି କହିଛନ୍ତି।

kete nua bata_covid warrior sharmishta sutar

ଦେଢ଼ ବର୍ଷ ହେଲା ମହାମାରୀ କରୋନାରେ ଛଟପଟ ହେଉଛନ୍ତି ଲୋକେ। ଏହି ସଙ୍କଟ ସମୟରେ ମାନବ ସମାଜର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି କରୋନା ଯୋଦ୍ଧା। ଆଗଧାଡ଼ିରେ ରହି ଅଦୃଶ୍ୟ ଶକ୍ତି ସହ ସେମାନେ ଲଢ଼େଇ କରୁଛନ୍ତି। କରୋନାକୁ ପରାସ୍ତ କରିବାକୁ ଦିନ ରାତି ଏକ କରି ଦେଇଛନ୍ତି ଏମାନେ। ସେମିତି ଜଣେ କୋଭିଡ୍‌ ଯୋଦ୍ଧା ହେଲେ ଭୁବନେଶ୍ୱର କିମ୍‌ସ ହସ୍ପିଟାଲରେ ଷ୍ଟାଫ୍‌ ନର୍ସ ଥିବା ଶର୍ମିଷ୍ଠା ସୂତାର।

କୋଭିଡ ସମୟରେ ସଚେତନତା ବାଣ୍ଟିବା ପାଇଁ  ‘ଓଡ଼ିଶାଲାଇଭ୍’ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ଏହାର ନଲେଜ୍ ପାର୍ଟନର ରହିଛି। ଏହି ଅଭିଯାନରେ ସାମିଲ ହୋଇ କୋଭିଡ ଯୋଦ୍ଧା ଶର୍ମଷ୍ଠା ସୂତାର ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି।

‘‘ମହମାରୀ କରୋନା ପାଇଁ ଏବେ ସମସ୍ତେ ଭୟଭୀତ ହୋଇ ଅଛନ୍ତି। ମତେ ବି ଭୟ ଲାଗୁଛି। କାରଣ ପ୍ରତିଦିନ ମୁଁ  କୋଭିଡ ରୋଗୀଙ୍କ ସଂସ୍ପର୍ଶରେ ଆସୁଛି। ହେଲେ ଜଣେ ନର୍ସ ହୋଇଥିବାରୁ ରୋଗୀଙ୍କ ସେବା କରିବା ମୋର ପ୍ରଥମ କର୍ତ୍ତବ୍ୟ। ସେଥିପାଇଁ ଡ୍ୟୁଟିକୁ ଆସିଲା ବେଳକୁ ମନରୁ ସବୁ ଭୟ କାଢ଼ି ମୁଁ ମୋର କାମ କରିଚାଲିଛି’’, କହିଛନ୍ତି ଶର୍ମିଷ୍ଠା ସୂତାର।

ସେ ଆହୁରି ମଧ୍ୟ କହିଛନ୍ତି,‘‘ଏହି କୋଭିଡ ଡ୍ୟୁଟି କରିବା ଭିତରେ ମୋର ବହୁତ ସହଯୋଗୀ ଆକ୍ରାନ୍ତ ହୋଇଛନ୍ତି। କେତେ ଜଣ ଆଖି ମଧ୍ୟ ବୁଜିଛନ୍ତି। ଏହି ଖବର ଗଭୀର ଆଘାତ ଦେଇଛି।  ହେଲେ ମୁଁ ହାର ମାନିନି’’।

‘‘କୋଭିଡ୍‌ ସମୟରେ ଲୋକଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି। ଯେଉଁଠି କରୋନା ହୋଇଛି ଶୁଣିଲେ ନିଜ ପରିବାର ଲୋକ, ସମ୍ପର୍କୀୟ ପାଖକୁ ଆସୁନାହାନ୍ତି, ସେଇଠି ଆମେ ସେମାନଙ୍କା ସେବା କରୁଛୁ। ଏହି କାମ କରି ମତେ ଆତ୍ମ ସନ୍ତୋଷ ମିଳୁଛି’’, କହିଛନ୍ତି ଶର୍ମିଷ୍ଠା।

କୋଭିଡ ମହାମାରୀ ଆସିଛି। ଦିନେ ନା ଦିନେ ଏହି ମହାମାରୀ  ଯିବ। ତେଣୁ ଡରନ୍ତୁ ନାହିଁ। ନିଜ ସହିତ ନିଜ ପରିବାରର ଯତ୍ନ ନିଅନ୍ତୁ। ସଚେତନ ହୁଅନ୍ତୁ। ସୁରକ୍ଷିତ ରହନ୍ତୁ ବୋଲି ଶର୍ମିଷ୍ଠା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ସିଜିନ୍ ୨। ଏଥିରେ କୋଭିଡ ହିରୋଙ୍କ କାହାଣୀ, ପିଲାଙ୍କ ସ୍ୱର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେବ।