ଆଜି ବିଶ୍ୱ ହିମୋଫିଲିଆ ଦିବସ। ଏହା ଏକ ଜିନ୍‌ ତ୍ରୁଟି ଜନିତ ବ୍ୟାଧି। ଏହି ରୋଗାଗ୍ରସ୍ତଙ୍କ ଶରୀରରୁ କୌଣସି କାରଣରୁ ରକ୍ତସ୍ରାବ ହେଲେ, ସହଜରେ ବନ୍ଦ ହୁଏ ନାହିଁ। ତୁରନ୍ତ ଚିକିତ୍ସା ନ କଲେ ରୋଗୀଙ୍କର ଜୀବନ ମଧ୍ୟ ଯାଇପାରେ।

ବିଶ୍ୱରେ ପ୍ରତି ହଜାର ଜଣଙ୍କ ମଧ୍ୟରୁ ଜଣେ ହିମୋଫିଲିଆ ରୋଗରେ ପୀଡ଼ିତ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରୁ ସମ୍ପୁର୍ଣ୍ଣ ମୁକ୍ତ ହେବା ପାଇଁ କୌଣସି ଚିକିତ୍ସା ପଦ୍ଧତି ଆସିପାରିନାହିଁ।

କାହିଁକି ହୁଏ ହିମୋଫିଲିଆ?

ଯେଉଁମାନଙ୍କଠାରେ ଏହି ବ୍ୟାଧି ଥାଏ। ସାମାନ୍ୟ ଆଘାତ ଲାଗିଲେ ବି ରକ୍ତସ୍ରାବ ବନ୍ଦ ହୋଇନଥାଏ। ସେମାନଙ୍କର ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା  ବହୁ  ବିଳମ୍ବ  ହେଉଥିବାରୁ  ଅପେକ୍ଷାକୃତ  ଭାବେ  ଅଧିକ  ସମୟ  ପର୍ଯ୍ୟନ୍ତ  ରକ୍ତସ୍ରାବ  ହୋଇଥାଏ। ଏହି ବ୍ୟାଧିରେ ପୀଡ଼ିତ ବ୍ୟକ୍ତିଙ୍କର ଆଘାତ ନ ଥାଇ ଖଞ୍ଜାରେ (କାନ୍ଧ, ବଳାଗଣ୍ଠି, ଆଣ୍ଠୁ, କହୁଣି) ଓ ମାଂସପେଶୀରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥାଏ। ଏହାର ଚିକିତ୍ସା କରା ନ ଗଲେ ପରିସ୍ଥିତି ଜଟିଳ ହୋଇପାରେ ଏବଂ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇପାରେ।  .

ବିଶେଷଜ୍ଞଙ୍କ ମତରେ ଏହି ରୋଗ ବଂଶଗତ ହୋଇଥାଏ। ହିମୋଫିଲିଆରେ ପୀଡ଼ିତ ରୋଗୀଙ୍କ ଶରୀରରେ ଥ୍ରୋମ୍ବୋପ୍ଲାଷ୍ଟିନ୍ ନାମକ ଏକ ଏନ୍‌ଜାଇମ୍ ଅଭାବରୁ ରକ୍ତ ଜମାଟ ବାନ୍ଧିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଦେଖିବାକୁ ମିଳିଥାଏ।

ହିମୋଫିଲିଆର ଲକ୍ଷଣ କ’ଣ? 

ପାଟିରୁ ରକ୍ତ ବାହାରିବା 

ସାମାନ୍ୟ ଆଘାତରେ ଅତ୍ୟଧିକ ରକ୍ତସ୍ରାବ ହେବା 

ନାକରେ ରକ୍ତ ବାହାରିବା 

ପରିସ୍ରାରେ ଏବଂ ଝାଡ଼ାରେ ରକ୍ତ ପଡ଼ିବା 

କୌଣସି ଆଘାତ ନହୋଇ ମଧ୍ୟ ଗଣ୍ଠିରୁ ରକ୍ତ ବୋହିବା 

ହିମୋଫିଲିଆର ଚିକିତ୍ସା

ରକ୍ତକ୍ଷରଣ ସମୟରେ ରୋଗୀଙ୍କୁ ତୁରନ୍ତ ଆଣ୍ଟି-ହିମୋଫିଲିକ୍ ଫ୍ୟାକ୍ଟର ଇଞ୍ଜେକସନ୍‌ ନେବାକୁ ପଡ଼ିଥାଏ।

ହିମୋଫିଲିଆ ରୋଗୀଙ୍କର ରକ୍ତସ୍ରାବ ହେଲେ ତୁରନ୍ତ ହସ୍ପିଟାଲକୁ ନେଇ ଚିକିତ୍ସା କରାଇବା ଆବଶ୍ୟକ।