ସୁସ୍ଥ ରହିବା ପାଇଁ କେତେ ପୋଷଣର ଆବଶ୍ୟକତା ରହିଛି? ଏନେଇ ବିଶିଷ୍ଟ ଡାଏଟିସିଆନ୍ ଡାକ୍ତର ମୌସୁମୀ ମିଶ୍ରଙ୍କଠାରୁ ଅଧିକ ଜାଣନ୍ତୁ।

ପୋଷଣ କ’ଣ? (What is nutrition in Odia)

ପୋଷଣ ବା ନ୍ୟୁଟ୍ରିସନ ଅର୍ଥ ହେଉଛି ପୁଷ୍ଟି। ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ମଣିଷ ଶରୀରକୁ ଯେଉଁ ପୁଷ୍ଟି ମିଳୁଛି, ତାକୁ ପୋଷଣ କୁହାଯାଏ। ତେଣୁ ଏକ ସୁସ୍ଥ ଶରୀର ପାଇଁ ପୋଷଣ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆପଣ ଜାଣିଛନ୍ତି କି, ଶରୀରକୁ ସୁସ୍ଥ ରଖିବା ପାଇଁ ସକାଳ ଜଳଖିଆ ଅତ୍ୟନ୍ତ ଆବଶ୍ୟକ।

ଦୈନିକ କେତେ ପୋଷଣ ଦରକାର? (How many nutrients do you need daily in Odia)

ପ୍ରତ୍ୟେକ ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ ମାତ୍ରାର ପୋଷଣ ଆବଶ୍ୟକତା ରହିଛି। ଜଣେ ଶିଶୁ ପାଇଁ ପୋଷଣର ମାତ୍ରା ଅଲଗା, ଜଣେ ଖେଳାଳି ପାଇଁ ପୋଷଣର ମାତ୍ରା ଅଲଗା ଏବଂ ଜଣେ ବୃଦ୍ଧବ୍ୟକ୍ତି ପାଇଁ ମଧ୍ୟ ପୋଷର ମାତ୍ରା ଅଲଗା।

ଜଣେ ମହିଳାଙ୍କ ପାଇଁ ଦୈନିକ ୧୫୦୦ରୁ ୧୮୦୦ କିଲୋ କ୍ୟାଲୋରିର ପୋଷଣ ଦରକାର ହୋଇଥାଏ। ଜଣେ ପୁରୁଷଙ୍କ ପାଇଁ ଦୈନିକ ୨୦୦୦ କିଲୋ କ୍ୟାଲୋରିର ପୋଷଣ ଓ ଜଣେ ଶିଶୁ ପାଇଁ ୧୨୦୦ କିଲୋ କ୍ୟାଲୋରି ଦରକାର ହୋଇଥାଏ।

ପ୍ରତ୍ୟେକ ଦିନ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରାଲ୍ସ, ଫାଇବରକୁ ସାମିଲ କରିବା ଆବଶ୍ୟକ। ଏହାସହ ପ୍ରଚୁର ପରିମାଣର ପାଣି ପିଇବା ଜରୁରୀ।

ଅଧିକ ପଢ଼ନ୍ତୁ: ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମକୁ କରନ୍ତୁ ନାହିଁ ଅଣଦେଖା

ସ୍ୱାସ୍ଥ୍ୟ ପାଇଁ ବ୍ରେକଫାଷ୍ଟର ଗୁରୁତ୍ୱ (Breakfast is a very important meal in Odia)

ବ୍ରେକ୍‌ଫାଷ୍ଟର ଅର୍ଥ ହେଉଛି ‘ବ୍ରେକ୍‌ ଦ ଫାଷ୍ଟ’ ବା ଉପବାସ ଭାଙ୍ଗନ୍ତୁ। ବ୍ରେକ୍‌ଫାଷ୍ଟର ଅର୍ଥ ହେଉଛି ଆଠ ଘଣ୍ଟାର ଉପବାସ ପରେ ଖାଦ୍ୟ ସେବନ କରିବା। ଯଦି ସକାଳୁ ଉଠିବାର ଘଣ୍ଟେ କିମ୍ବା ଦୁଇ ଘଣ୍ଟା ଭିତରେ ବ୍ରେକ୍‌ଫାଷ୍ଟ ନ କରନ୍ତି, ତେବେ ଏହା ପରେ ଯାହା ବି ଆପଣ ଖାଇବେ, ତାହା ଚର୍ବି ଆକାରରେ ଦେହରେ ଲାଗିଯିବ।

ବ୍ରେକ୍‌ଫାଷ୍ଟରେ ଘର ତିଆରି ଜିନିଷ, ଯେପରିକି ରୁଟି ତରକାରୀ, ରୁଟି କ୍ଷୀର, ଉପମା, ଇଟିଲି, ସନ୍ତୁଳା, ଡାଲମା, ବ୍ରାଉନ୍‌ ବ୍ରେଡ୍‌, ଅଣ୍ଡା ଭଳି ଖାଦ୍ୟ ଖାଇବେ। ଚେଷ୍ଟା କରିବେ ବ୍ରେକ୍‌ଫାଷ୍ଟ କମ୍‌ ତେଲରେ ହୋଇଥିବ ଓ ଛଣାଛଣି ଖାଦ୍ୟ ହୋଇନଥିବ।

ସକାଳୁ ଉଠିବା ପରେ ଖାଲିପେଟରେ ଗୋଟେ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ। ଏହାଦ୍ଵାରା ମେଟାବଲିଜିମ୍‌ ସୁଦୃଢ଼ ହୋଇଥାଏ। ଏହାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ କିଛିନା କିଛି ଖାଇ ଦିଅନ୍ତୁ।

ବ୍ରେକଫାଷ୍ଟରେ କ’ଣ ଖାଇବେ ନାହିଁ? (What not to eat for breakfast in Odia)

ବ୍ରେକ୍‌ଫାଷ୍ଟରେ ଚିନି ଖାଆନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପରେ ଚିନିଯୁକ୍ତ ଖାଦ୍ୟ ଖାଇଲେ, ତାହା ବହୁତ ଶୀଘ୍ର ଦେହରେ ଲାଗିଯାଏ। ଚିନିରେ କୌଣସି ପ୍ରକାର ପୋଷଣ ନାହିଁ, ଏହା କେବଳ ଶରୀରରେ ଚର୍ବି ସୃଷ୍ଟି କରିଥାଏ। ଏହାଛଡ଼ା ତେଲ ମସଲା ଏବଂ ଛଣାଛଣି ଖାଦ୍ୟ ବିଲକୁଲ ଖାଆନ୍ତୁ ନାହିଁ।

food healthy lunch

ଅଧିକ ପଢ଼ନ୍ତୁ: ଭ୍ରମଣ ସମୟରେ ଖାଆନ୍ତୁ ଘରୋଇ ଖାଦ୍ୟ

ବାଲାନ୍ସ ଡାଏଟ୍‌ କ’ଣ? (What is a balanced diet in Odia)

ଶରୀରର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ପରିମାଣର ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣକୁ ବାଲାନ୍ସ ଡାଏଟ୍‌ କୁହାଯାଏ। ତା’ଠାରୁ ବେଶୀ ଖାଇଲେ ତାହା ଦେହରେ ଚର୍ବି ହୋଇ ଲାଗି ରହିବ। ଗୋଟେ ଥାଳିରେ ଭାତ, ଡାଲି, ତରକାରି, ସବୁଜ ପନିପରିବା, ଭିଟାମିନ୍‌, ମିନେରାଲ୍ସ ଉପଯୁକ୍ତ ପରିମାଣରେ ଥିଲେ ତାକୁ ବାଲାନ୍ସ ଡାଏଟ୍‌ କୁହାଯାଏ।

କେତେବେଳେ କ’ଖାଇବେ? (When to eat in Odia)

ପ୍ରତ୍ୟେକ ଦିନ ତିନୋଟି ମୁଖ୍ୟ ଭୋଜନ ରହିବା ଦରକାର। ସକାଳ ୮ରୁ ସାଢ଼େ ୮ଟା ଭିତରେ ବ୍ରେକ୍‌ଫାଷ୍ଟ, ଗୋଟେରୁ ଦୁଇଟା ଭିତରେ ମଧ୍ୟାହ୍ନ ଭୋଜନ, ରାତି ୮ଟାରୁ ୯ଟା ଭିତରେ ରାତି ଭୋଜନ ଖାଇବା ଦରକାର।

ସୁସ୍ଥ ଶରୀର ପାଇଁ ପୋଷଣର ଯେତିକି ଆବଶ୍ୟକ, ପାଣି ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ମଝିରେ ପାଣି ପିଅନ୍ତୁ ନାହିଁ। ସବୁବେଳେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ଓ ଖାଇସାରିବାର ଅଧ ଘଣ୍ଟା ପରେ ପାଣି ପିଅନ୍ତୁ।

ସଠିକ ପୋଷଣ ସଠିକ ବିକାଶ (Proper nutrition and proper development in Odia)

ଉଭୟ ଶାରୀରିକ ଓ ମାନସିକ ବିକାଶ ପାଇଁ ସଠିକ ପୋଷଣର ଆବଶ୍ୟକତା ରହିଛି। କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରାଲ୍ସ, ଫାଇବର ଯେତିକି ମାତ୍ରାରେ ଦରକାର, ସେତିକି ହିଁ ଖାଇବା ଦରକାର। ଫଳରେ ଶାରୀରିକ ବିକାଶ ହେବା ସହ ମାନସିକ ବୃଦ୍ଧି ମଧ୍ୟ ହୋଇଥାଏ।

ଡାକ୍ତରଙ୍କ ଟିପ୍ସ (Doctor’s tips in Odia)

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯା ମଧ୍ୟରେ ସ୍ୱାସ୍ଥ୍ୟ ପ୍ରାୟତଃ ଅବହେଳିତ ହେଉଛି। ଆମେ ସୁସ୍ଥ ଓ ଖୁସି ଜୀବନଯାପନ କରିବା ପାଇଁ ବ୍ୟସ୍ତ ରହୁଛେ। ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ନିଜ ହାତରେ। ଯେତେ କାମ ଥାଉ ନା କାହିଁକି, ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିଲେ, ଆପଣ ଅନ୍ୟମାନଙ୍କର ଯତ୍ନ ନେଇପାରିବେ।

ପ୍ରତ୍ୟେକ ଦିନ ଖାଦ୍ୟ ତାଲିକାରେ ଦହି, ଘୋଳ ଦହି, ସବୁଜ ପନିପରିବା, ଗ୍ରୀନ୍‌ ସାଲାଡ୍‌, କଞ୍ଚା ଲଙ୍କାକୁ ସାମିଲ କରନ୍ତୁ। ଆପଣ ଚାହିଁଲେ, ଦିନର ପ୍ରତ୍ୟେକ ମିଲ୍‌ରେ ସବୁଜ ସାଲାଡ୍‌, ଫ୍ରୁଟ୍ସ ସାଲାଡ୍‌କୁ ସାମିଲ କରିପାରିବେ। ନିୟମିତ ସାଲାଡ୍‌ ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ ରହିଥାଏ।

ଖାଇବା ବେଳେ ଟିଭି, ମୋବାଇଲ ଦେଖନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହାଛଡ଼ା ନିୟମିତ ବ୍ୟାୟାମ ନିଶ୍ଚୟ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ମୌସୁମୀ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Nutrition, in Odia language, is based on an extensive interview with a dietitian Dr Mousumi Mishra.