କାହିଁକି ଜରୁରୀ କୋଭିଡ୍‌ ଟିକା? କେଉଁମାନେ ନେଇପାରିବେ ଏହି ଟିକା? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।

ପ୍ରତିଷେଧକ ଟିକା (The COVID19 vaccine in Odia)

ଦୀର୍ଘ ଦଶମାସ ହେଲା କୋଭିଡ୍-୧୯ ଜାଲରେ ଦେଶବାସୀ। ଏହି ଜାଲରୁ ମୁକୁଳିବା ପାଇଁ ଅର୍ଥାତ୍‌ କରୋନାକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍।

କାହିଁକି ନେବେ ଟିକା? (Why do you need to take the vaccine in Odia)

ଲୋକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଯେ, ଯେହେତୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି, ହୁଏତ ଟିକା ନେବା ଦରକାର ନାହିଁ। କେତେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଯେ, ଟିକା ନେବା ପରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ!

ଟିକା ନେବା ଦ୍ୱାରା ହର୍ଡ ଇମ୍ୟୁନିଟି ହୋଇପାରେ। ଯଦି ୬୦ରୁ ୭୦ ପ୍ରତିଶତ ଲୋକ ଟିକା ନେଇଯିବେ, ତାହାହେଲେ ମହାମାରୀ କରୋନାରୁ ମୁକ୍ତି ମିଳିପାରିବ। ତେଣୁ କରୋନା ଟିକା ନେବା ଜରୁରୀ।

ବର୍ତ୍ତମାନ କରୋନାର ନୂଆ ଷ୍ଟ୍ରେନ୍‌ ଆସୁଛି। ତେଣୁ ସେଥିରୁ ନିଜକୁ ସୁସ୍ଥ ରଖିବାକୁ ହେଲେ କରୋନା ଟିକା ନେବା ଜରୁରୀ।

ଏହି ଟିକାର ପାର୍ଶ୍ଵପ୍ରତିକ୍ରିୟା ନାହିଁ! (Information regarding side effects of the Vaccine in Odia)

ଅନ୍ୟ ସମସ୍ତ ପ୍ରକାର ଟିକାର ଯେମିତି ଅଳ୍ପ କିଛି ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ, ସେହିପରି କରୋନା ଟିକା ନେବା ପରେ ସ୍ୱଳ୍ପ ଜ୍ୱର, ଟିକା ନେଇଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ଓ ଫୁଲା ଆଦି ଦେଖାଦେଇପାରେ। ଏହାଛଡ଼ା ବଡ଼ ଧରଣର କିଛି ପାର୍ଶ୍ୱପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦେଖାଦେଇନାହିଁ। ତେଣୁ ଡରିବାର ଆବଶ୍ୟକତା ନାହିଁ। ଟିକା ନିଅନ୍ତୁ, ନିଜେ ସୁରକ୍ଷିତ ରହନ୍ତୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ।

କେଉଁମାନେ ନେଇପାରିବେ ଟିକା? (Who can get the vaccine in Odia)

୧୮ ବର୍ଷରୁ ୬୫ ବର୍ଷ ବୟସର ଲୋକମାନେ କୋଭିଡ୍‌ ଟିକା ନେଇପାରିବେ।

ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେବେ ନାହିଁ।

କାହାର ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଅଛି ବା ଟିକେ କଟିଗଲେ ଅତ୍ୟଧିକ ରକ୍ତସ୍ରାବ ହେଉଥିବ କିମ୍ବା ହିମୋଫେଲିଆ ଭଳି ସମସ୍ୟା ରହିଛି, ତେବେ କରୋନା ଟିକା ନେବା ଉଚିତ ନୁହେଁ।

ଯେଉଁମାନଙ୍କର ମଧୁମେହ, ହୃଦ୍‌ରୋଗ ଅଛି, ସେମାନେ କରୋନା ଟିକା ନେଇପାରିବେ।

କେମିତି ନେବେ କରୋନା ଟିକା? (How to get the COVID-19 vaccine in Odia)

କରୋନା ଟିକା ଦୁଇଟି ଡୋଜ୍‌ରେ ଦିଆଯାଉଛି। ପ୍ରଥମ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଟିକା ନେବେ। ପ୍ରଥମ ଡୋଜ୍‌ ଟିକା କୋଭାକ୍ସିନ୍‌ ନେଇଥିଲେ ଦ୍ୱିତୀୟ ଟିକା ବି କୋଭାକ୍ସିନ୍‌ ନେବା ଜରୁରୀ। ପ୍ରଥମ ଡୋଜ୍‌ ଟିକା କୋଭାକ୍ସିନ୍‌ ଓ ଦ୍ୱିତୀୟ ଡୋଜ୍‌ ଟିକା କୋଭାସିଲ୍ଡ ନେବା ଉଚିତ ନୁହେଁ।

ଟିକା ନେବା ପରେ ବି କୋଭିଡ୍‌ ନିୟମ ମାନନ୍ତୁ (Follow COVID-19 safety protocol even after taking the vaccine in Odia)

ଟିକା ନେବା ପରେ ବି କୋଭିଡ୍‌ ନିୟମ ମାନନ୍ତୁ। କାରଣ ଟିକା ନେବା ପରେ ଆପଣଙ୍କୁ ସିନା କିଛି ହେବ ନାହିଁ, ହେଲେ ଆପଣଙ୍କ ଦ୍ୱାରା ଅନ୍ୟ କାହାକୁ ସଂକ୍ରମଣ ହୋଇପାରେ। ତେଣୁ, ଟିକା ନେବା ପରେ ବି ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on COVID-19 Vaccine, in Odia language, is based on an extensive interview with medicine specialist Dr Niroj Kumar Mishra.