ପୁଣି କାହିଁକି ବଢ଼ୁଛି କରୋନା ଓ ଏଥିରୁ କିପରି ରହିବେ ସୁରକ୍ଷିତ? ଏନେଇ ବିଶିଷ୍ଟ ଛାତି ଓ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

୨୦୨୦ରୁ ଭାରତରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ସେପ୍ଟେମ୍ବର, ୨୦୨୦ରୁ ସଂକ୍ରମଣର ମାତ୍ରା କମି କମି ଆସୁଥିଲେ ମଧ୍ୟ ବର୍ତ୍ତମାନ ସାରା ଭାରତ ସହିତ ଓଡ଼ିଶାରେ ମଧ୍ୟ ଏହା ପୁଣି ବଢ଼ିବାରେ ଲାଗିଛି, ଯାହାକୁ ଆମେ କରୋନାର ଦ୍ୱିତୀୟ ଲହରି କହୁଛୁ। କରୋନାର ଏହି ଲହରିରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାର ଦେଖାଯାଉଛି। ଡାକ୍ତରଖାନାରେ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କର ଭିଡ଼ ବଢ଼ିବାର ମଧ୍ୟ ଦେଖାଯାଉଛି।

କାର୍ଯ୍ୟାଳୟ, ସ୍କୁଲ୍, କଲେଜ ଧୀରେ ଧୀରେ ଖୋଲିବାରୁ ଏବଂ ଗୋଟିଏ ସ୍ଥାନରେ ଅତ୍ୟଧିକ ଭିଡ଼ ଜମିବା କାରଣରୁ ଏହି ଦ୍ଵିତୀୟ ଷ୍ଟ୍ରେନ୍‌ ବଢ଼ିବାରେ ଲାଗୁଛି।

ଅଧିକ ପଢ଼ନ୍ତୁ: କରୋନାର ଦ୍ୱିତୀୟ ଲହରୀ: ଅଫିସ୍‌ରେ କିପରି ରହିବେ ସୁରକ୍ଷିତ?

କୋଭିଡ୍‌ର ନୂଆ ଲକ୍ଷଣ (New symptoms of Covid19 in Odia) 

କୋଭିଡ୍‌ର ଦ୍ଵିତୀୟ ଷ୍ଟ୍ରେନ୍‌ରେ ଆକ୍ରାନ୍ତଙ୍କଠାରେ କାଶ, କଫ ଭଳି ଲକ୍ଷଣ ନ ରହିଲେ ବି ଲୋକଙ୍କୁ ଦୁର୍ବଳ ଲାଗିବା, ଧଇଁସଇଁ ଲାଗିବା ଓ ପତଳା ଝାଡ଼ା ହେବାର ଲକ୍ଷଣ ଦେଖାଦେଉଛି।

କୋଭିଡ୍‌ର ନୂଆ ଷ୍ଟ୍ରେନଠାରୁ କିପରି ରହିବେ ସୁରକ୍ଷିତ? (How to stay safe from Covid new strain in Odia)

କରୋନାଠାରୁ ମୁକୁଳିବାର ଏକ ମାତ୍ର ରାସ୍ତା ହେଉଛି ସାମାଜିକ ଦୂରତା। ଏହାକୁ ବଜାୟ ରଖିଲେ କରୋନାକୁ ନିୟନ୍ତ୍ରଣ କରିପାରିବା ଏବଂ ସଂକ୍ରମିତଙ୍କ ସଂଖ୍ୟାକୁ ମଧ୍ୟ ରୋକିପାରିବା। ଆପଣ ଯଦି ସାଧାରଣ ଲକ୍ଷଣ ଅନୁଭବ କରୁଛନ୍ତି ଯେପରିକି, କାଶ, ଜ୍ୱର, ଥଣ୍ଡା, କଫ ଇତ୍ୟାଦି, ତେବେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖନ୍ତୁ।

ସୁସ୍ଥ ବ୍ୟକ୍ତିମାନେ ଜରୁରୀ ନ ଥିଲେ ବାହାରକୁ ବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ। ଅତି ଜରୁରୀ ଥିଲେ ଡବଲ ମାସ୍କରେ ନାକ ଓ ପାଟିକୁ ଭଲ ଭାବରେ ଘୋଡ଼ାଇ ବାହାରକୁ ଯାଆନ୍ତୁ। ପାଖରେ ସାନିଟାଇଜର ରଖନ୍ତୁ ଏବଂ ବାରମ୍ବାର ନିଜ ହାତକୁ ସାନିଟାଇଜ କରନ୍ତୁ ବା ସାବୁନରେ ହାତକୁ ଭଲ ଭାବରେ ଧୁଅନ୍ତୁ। 

covid19 vaccine

ଅଧିକ ପଢ଼ନ୍ତୁ: କୋଭିଡ୍‌ ବେଳେ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ

ଟିକା ନେବାପରେ ବିପଦମୁକ୍ତ କି?

ଲୋକମାନଙ୍କର ଏକ ଭୁଲ ଧାରଣା ରହିଛି ଯେ, କୋଭିଡ୍‌ ଟିକା ନେବା ପରେ ସେମାନଙ୍କୁ ଆଉ କରୋନା ହେବ ନାହିଁ, କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ ଧାରଣା। ଟିକା ନେବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ବଢ଼ିଥାଏ ଏବଂ କରୋନା ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ। କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ କରୋନା ଆକ୍ରାନ୍ତ ହେଲେ ଗୁରୁତର ହେବାର ସମ୍ଭାବନା କମ୍ ଥାଏ କିନ୍ତୁ ସାବଧାନତା ଅବଲମ୍ବନ ନ କଲେ ପୁନଃ କରୋନା ହୋଇପାରେ।  

ବ୍ରିଦିଙ୍ଗ ଏକ୍ସରସାଇଜ୍ କେତେ ଭଲ? (How good is breathing exercise in Odia)

ଯୋଗକୁ ଆମେମାନେ ଏକ ଭଲ ବ୍ରିଦିଙ୍ଗ ଏକ୍ସରସାଇଜ୍ ବୋଲି କହୁ। ଏହି ବ୍ୟାୟାମ କରିବା ଦ୍ୱାରା ଫୁସ୍‌ଫୁସ୍‌ ଭାବରେ ପ୍ରସାରିତ ହୁଏ, ଯେଉଁଥିପାଇଁ ଅଙ୍ଗାରକାମ୍ଳ ଏବଂ ଅମ୍ଳଜାନ ଠିକ୍ ଭାବରେ ବ୍ୟବହାର ହୋଇଥାଏ। ବ୍ରିଦିଙ୍ଗ୍ ଏକ୍ସରସାଇଜର ଶ୍ରେଷ୍ଠ ଉପାୟ ହେଉଛି ଯୋଗ ଏବଂ ବ୍ୟାୟାମ। ଏଭଳି କରିବା ଦ୍ୱାରା ଆପଣଙ୍କ ବ୍ରିଦିଙ୍ଗ୍ ଏକ୍ସରସାଇଜ୍ ଭଲ ହୋଇଥାଏ। ଏହାଛଡ଼ା ଯେତେପାରୁଛନ୍ତି ଧୂଆଁ ଏବଂ ଧୂଳିଠାରୁ ଦୂରେଇ ରହନ୍ତୁ।। 

କରୋନାରେ ଆକ୍ରାନ୍ତ ହେଲେ କ’ଣ କରିବେ? (What to do if you are affected with corona in Odia)

କରୋନାରେ ଆକ୍ରାନ୍ତ ହେଲେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସାବଧାନତା ବଜାୟ ରଖି ଠିକ ଭାବରେ ଚିକିତ୍ସା କଲେ ଆପଣ ଏବଂ ଆପଣଙ୍କ ପରିବାର ସୁସ୍ଥ ରହିବେ। ଆପଣ ଯଦି କରୋନାରେ ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ରହୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ସବୁବେଳେ ନିଅନ୍ତୁ। ଯେତେବେଳେ ବି ଗୁରୁତର ଲକ୍ଷଣ ଦେଖାଯାଉଛି ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଯାଆନ୍ତୁ। 

ଡାକ୍ତରଙ୍କ ପରାମର୍ଶ (Doctor’s advice in Odia)

ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ଶରୀରକୁ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ। ତେଣୁ ଶରୀରର ଇମ୍ୟୁନ୍‌ ସିଷ୍ଟମ୍‌କୁ ବଢ଼ାଇବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। ତେଣୁ ଠିକ୍‌ ସମୟରେ ଖାଆନ୍ତୁ, ଠିକ୍‌ ସମୟରେ ଶୁଅନ୍ତୁ ଓ ଉଠନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଏବଂ ନିଶାଦ୍ରବ୍ୟରୁ ନିବୃତ୍ତ ରହନ୍ତୁ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଲେ କେବଳ କରୋନା ନୁହେଁ, ଅନ୍ୟ ରୋଗଠାରୁ ନିଜକୁ ରକ୍ଷା କରିପାରିବା। ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜକୁ ସୁରକ୍ଷିତ ରଖିବା। କାରଣ ନିଜେ ସୁରକ୍ଷିତ ରହିଲେ ଅନ୍ୟମାନେ ବି ସୁରକ୍ଷିତ ରହିବେ। ତେଣୁ ସାବଧାନ ରହନ୍ତୁ ଏବଂ କରୋନାଠାରୁ ଦୂରେଇ ରହନ୍ତୁ। 

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସମ୍ପତ ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Covid-19 in Odia language, is based on an extensive interview with a Pulmonologist Dr Sampath Dash.