ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ।

  • କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ
  • ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?
  • ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିବା ପାଇଁ ଡାଏଟ୍‌
  • ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅଧିକ ପଢ଼ନ୍ତୁ: କୋଭିଡ୍‌ ବେଳେ ଡାଏବେଟିସ୍‌ ରୋଗୀ କ’ଣ ଖାଇବେ?

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? (What to eat after recovering from COVID in odia)

କୋଭିଡ୍‌ ଭୂତାଣୁ ମଣିଷ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। କୋଭିଡ୍‌ରୁ ସୁସ୍ଥ ହେବା ପରେ ବ୍ୟକ୍ତିର ଇମ୍ୟୁନ୍‌ ସିଷ୍ଟମ୍‌ ଦୁର୍ବଳ ହୋଇପଡ଼ିଥାଏ। ପୁଣି ଥରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ହେଲେ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରିବା ସହ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। କୋଭିଡ୍‌ରୁ ସୁସ୍ଥ ହେବା ପରେ ବ୍ୟକ୍ତି ପ୍ରୋଟିନ୍‌ ଯୁକ୍ତ ଡାଏଟ୍‌ ନେବା ଜରୁରୀ। ଖାଦ୍ୟରେ ସୋୟାବିନ୍‌, ଡାଲିଜାତୀୟ ଜିନିଷ, କ୍ଷୀର ଓ କ୍ଷୀର ଜାତୀୟ ଜିନିଷ, ଅଣ୍ଡାର ଧଳା ଅଂଶ, ମାଛ, ଚିକେନ୍‌ ଆଦି ସାମିଲ କରନ୍ତୁ।ଅଳ୍ପ ଅଳ୍ପ କରି ୬ଟି ମିଲ୍‌ ଖାଆନ୍ତୁ।

ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି? (How to strengthen the immune system in Odia)

ଗୋଟେ କିମ୍ବା ଦୁଇ ଦିନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ନାହିଁ। ଏଥିପାଇଁ ସମୟ ଲାଗିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଖାଇଲେ, ବ୍ୟାୟାମ କଲେ, ମାନସିକ ଚାପ ମୁକ୍ତ ରହିଲେ, ଯଥେଷ୍ଟ ପରିମାଣର ଶୋଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଲାଗିଥାଏ।

 ବଜାରରେ ମିଳୁଥିବା ସପ୍ଲିମେଣ୍ଟ, ଇମ୍ୟୁନିଟି ବୁଷ୍ଟିଂ କାଢ଼ା ପିଇଦେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ନାହିଁ। ସବୁବେଳେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ, ଯାହାକି ଆମକୁ ଖାଦ୍ୟରୁ ମିଳିଥାଏ।

ସେହିପରି ଛୋଟ ପିଲାଙ୍କର ଇମ୍ୟୁନିଟିକୁ ମଜଭୁତ କରିବା ପାଇଁ ସେମାନଙ୍କୁ ଛୋଟ ବେଳୁ ସ୍ଵାସ୍ଥ୍ୟକର ଓ ସନ୍ତୁଳିତ ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଲେମ୍ବୁ ପାଣି

ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିବା ପାଇଁ ଡାଏଟ୍‌ (Diet to strengthen the immune system in Odia)

ଖାଦ୍ୟରେ ଭିଟାମିନ୍‌ ସି’ଯୁକ୍ତ ଖାଦ୍ୟ, ଲବଙ୍ଗ, ଅଦା, ହଳଦୀ, ଡାଳଚିନି ଭଳି ମସଲାକୁ ଖାଦ୍ୟରେ ସାମିଲ କରନ୍ତୁ। ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିବା ପାଇଁ ଡାଏଟ୍‌ରେ କ’ଣ ରହିବା ଆବଶ୍ୟକ, ଜାଣନ୍ତୁ।

ସକାଳୁ ଉଠିବା ପରେ ଖାଲିପେଟରେ ୪ରୁ ୫ଟା ବତୁରା ହୋଇଥିବା ଆଲମଣ୍ଡ ଖାଆନ୍ତୁ। ଗୋଟେ ଗ୍ଲାସ୍‌ ଲେମ୍ବୁ ପାଣି ସହିତ ଗୋଲମରିଚ ଗୁଣ୍ଡ ମିଶାଇ ପିଇପାରିବେ। ବ୍ରେକ୍‌ଫାଷ୍ଟରେ ଲୋ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଫୁଡ୍‌, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍‌, ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ। ଯେପରିକି ରୁଟି ସନ୍ତୁଳା, ଓଟ୍ସ, ମାଣ୍ଡିଆ ଉପମା, ମାଣ୍ଡିଆ ଚକୁଳି, ଅଟା ଚକୁଳି ଆଦି ଖାଇପାରିବେ।

ବ୍ରେକ୍‌ଫାଷ୍ଟରେ ପଇଡ଼ ପାଣି କିମ୍ବା ଦହି ସରବତ କିମ୍ବା ଲେମ୍ବୁ ସରବତ କିମ୍ବା କୌଣସି ଫଳ ଖାଇପାରିବେ।

ମଧ୍ୟାହ୍ନ ଭୋଜନରେ ଭାତ କିମ୍ବା ରୁଟି ଖାଇବେ। ଭାତ ଏବଂ ରୁଟି ଏକାସାଙ୍ଗରେ ଖାଇବେ ନାହିଁ। ଏଥିସହ ଦହି, ସାଲାଡ୍‌ ଖାଇପାରିବେ।

ଅପରାହ୍‌ଣରେ ଛେନା, ସିଝା ଅଣ୍ଡା ଖାଇପାରିବେ। ସେହିପରି ରାତିରେ ରୁଟି ସନ୍ତୁଳା କିମ୍ବା ପରିବା ତରକାରି ନେଇପାରିବେ।

ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ (Importance of Water in Odia)

ସୁସ୍ଥ ଶରୀର ପାଇଁ ଖାଦ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ପାଣି ତା’ଠୁ ବି ବେଶି ଗୁରୁତ୍ୱପୂର୍ଣ୍ଣ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ ୨ରୁ ୩ ଲିଟର ପାଣି ପିଇବା ଜରୁରୀ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ନିହାରିକା ଦାଶଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on COVID Recovery Diet, in Odia language, is based on an extensive interview with Dietician Niharika Dash.