ବର୍ତ୍ତମାନ ସମୟରେ ଗ୍ୟାସ୍‌ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ତେବେ କେମିତି ଗ୍ୟାସ ଓ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବେ? ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ସାଧାରଣତଃ ମଣିଷ ଶରୀରରେ ୨୦୦ଏମ୍‌ଏଲ୍‌ଠୁ ଅଧଲିଟର ଗ୍ୟାସ୍‌ ଥାଏ, ଯାହା ସାଧାରଣ।

ଗ୍ୟାସ୍‌ ଓ ଏସିଡିଟିର ଲକ୍ଷଣ (Symptoms of Gas and Acidity in Odia)

ଗ୍ୟାସ୍‌ ହେବାର ସାଧାରଣ ଲକ୍ଷଣ ହେଉଛି ହାକୁଟି ହେବା, ପେଟ ଫୁଲିବା ଓ ବାୟୁଦୋଷ।

ସାଧାରଣତଃ ପେଟରେ ଏସିଡ୍‌ ତିଆରି ହୁଏ। ପେଟର ଏସିଡ୍‌ ଇସୋଫାଗସ୍‌କୁ ଗଲେ ଏସିଡିଟି ହୁଏ। ଫଳରେ ଛାତି ଯନ୍ତ୍ରଣା ହେବା, ମୁହଁରେ ଖଟା ପାଣି ଆସିବା ଭଳି ଲାଗିବା, କାଶ ହେବା, କାଶ ଯୋଗୁଁ ରାତିରେ ନିଦ ନ ହେବା ଭଳି ଲକ୍ଷଣ ଦେଖାଦିଏ।

ଗ୍ୟାସ୍‌ ଏସିଡିଟିର କାରଣ (Causes of Gas and Acidity in Odia)

ଏସିଡିଟିର ମୁଖ୍ୟ କାରଣ ହେଉଛି ଜୀବନଶୈଳୀ। ଗର୍ଭାବସ୍ଥାରେ ପେଟ ଉପରେ ଚାପ ପଡ଼ିବା ଯୋଗୁଁ ଏସିଡ୍‌ ଉପରକୁ ଯାଇ ଏସିଡିଟି କରାଯାଏ। ଏହାଛଡ଼ା ମୋଟାପଣ, ତେଲମସଲା ଖାଦ୍ୟ, ଚା’, କଫି, ଚକୋଲେଟ୍‌, ପେନ୍‌କିଲର, ଉଚ୍ଚ ରକ୍ତଚାପ ଲାଗି ଖାଉଥିବା ଔଷଧ ଓ ଏଚ୍‌ପାଇଲୋରି ସଂକ୍ରମଣ ଯୋଗୁଁ ଏସିଡିଟି ହୋଇପାରେ। ମଦ୍ୟପାନ, ଧୂମପାନ କରୁଥିବା ଲୋକଙ୍କଠାରେ ଏସିଡିଟି ହୋଇପାରେ।

ଏହାଛଡ଼ା କେତେକ ଲୋକ କ୍ଷୀର, ରାଜ୍‌ମା, ଫୁଲକୋବି, ପତ୍ର କୋବି ହଜମ କରିପାରନ୍ତି ନାହିଁ, ସେମାନଙ୍କୁ ଗ୍ୟାସ୍‌ ହୋଇପାରେ। ଏହାଛଡ଼ା ଅଦା ଓ ରସୁଣରେ ପଲିଅଲ୍ସ ଥାଏ, ଯାହା ଗ୍ୟାସ୍‌ ସୃଷ୍ଟି କରିଥାଏ।

ଆମିଷ ଖାଉଥିବା ଲୋକଙ୍କଠାରେ ଗ୍ୟାସ୍‌ ସମସ୍ୟା ଅଧିକ ଦେଖାଦିଏ।

ଏସିଡିଟି ଯୋଗୁଁ ହେଉଥିବା ସମସ୍ୟା (Problems caused by Acidity in Odia)

ଆସ୍ଥମା ଥିବା ଲୋକଙ୍କର ଏସିଡିଟି ହେଲେ ତାହା ଆସ୍ଥମା ଆଟାକ୍‌କୁ ବଢ଼ାଇଦିଏ। ଫଳରେ ବ୍ୟକ୍ତିଙ୍କୁ କାଶ ହୁଏ।

କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? (When to go to the doctor in Odia)

ପେଟରେ ଗ୍ୟାସ୍‌ ହେବା ସାଧାରଣ କଥା। ହେଲେ ଗ୍ୟାସ୍‌ ସହିତ ଯଦି ପେଟ ଯନ୍ତ୍ରଣା ହେଉଛି, ଓଜନ କମିଯାଉଛି, ହିମୋଗ୍ଲୋବିନ୍‌ କମିଯାଉଛି, ଝାଡ଼ାରେ ରକ୍ତ ପଡ଼ୁଛି, ଜ୍ୱର ଆସୁଛି, ଦୁର୍ବଳ ଲାଗୁଛି, ତେବେ ଏହାର କାରଣ ଅନ୍ୟ କୌଣସି ରୋଗ ଯୋଗୁଁ ହୋଇପାରେ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଗ୍ୟାସ୍‌ ଓ ଏସିଡିଟିର ଚିକିତ୍ସା (Treatment of Gas and Acidity in Odia)

ଗ୍ୟାସ୍‌ ଓ ଏସିଡିଟିର ପ୍ରଥମ ଚିକିତ୍ସା ହେଉଛି ଜୀବନଶୈଳୀରେ ପରିବର୍ତ୍ତନ। ତେଣୁ, ମଦ୍ୟପାନ, ଧୂମପାନ କରନ୍ତୁ ନାହିଁ।

ଏକାଥରକେ ବେଶୀ ଖାଦ୍ୟ ଖାଆନ୍ତୁ ନାହିଁ।

ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ।

ଖାଇବାର ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ।

ମୋଟା ଲୋକ ଓଜନ କମ୍‌ କରିବା ଜରୁରୀ।

ପେନ୍‌କିଲର ଖାଆନ୍ତୁ ନାହିଁ।

ରାଗଯୁକ୍ତ ଖାଦ୍ୟ, ଚକୋଲେଟ୍‌ ଖାଇବା କମ୍‌ କରନ୍ତୁ।

ଟାଇଟ୍‌ ପୋଷାକ ପିନ୍ଧନ୍ତୁ ନାହିଁ।

କୋଷ୍ଠକାଠିନ୍ୟ ଥିବା ଲୋକଙ୍କଠାରେ ଗ୍ୟାସ୍‌ ସମସ୍ୟା ଅଧିକ ଦେଖାଦିଏ। ତେଣୁ କୋଷ୍ଠକାଠିନ୍ୟକୁ ଦୂର କରିବା ଦ୍ୱାରା ଗ୍ୟାସ୍‌ ସମସ୍ୟା କେତେକାଂଶରେ ଦୂର ହୋଇଥାଏ।

ଗ୍ୟାସ୍‌ ଓ ଏସିଡିଟିକୁ ରୋକିବେ କେମିତି? (How to prevent Gas and Acidity in Odia)

ଗ୍ୟାସ୍‌ ଓ ଏସିଡିଟି ଲାଇଫ୍‌ଷ୍ଟାଇଲ ଜନିତ ରୋଗ। ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ।

ମୋଟାପା ଥିଲେ ଓଜନ କମ୍‌ କରନ୍ତୁ।

ଗ୍ୟାସ୍‌ ସୃଷ୍ଟି କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ।

ମଦ୍ୟପାନ ଓ ଧୂମପାନରୁ ଦୂରେଇ ରହନ୍ତୁ।

ଯଦି ଗ୍ୟାସ୍‌ ସହିତ ଓଜନ କମ୍‌ ହେଉଛି, ଝାଡ଼ାରେ ରକ୍ତ ପଡ଼ୁଛି, ହିମୋଗ୍ଲୋବିନ୍‌ କମ୍‌ ରହୁଛି ଏବଂ ପେଟ ଯନ୍ତ୍ରଣା ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Gas & Acidity , in Odia language, is based on an extensive interview with Gastroenterologist Dr Shakti Prasad Choudhury.