ଲିଗାମେଣ୍ଟ ଇଞ୍ଜୁରି କ’ଣ? ଯଦି ଆପଣ ଲିଗାମେଣ୍ଟ ଇଞ୍ଜୁରିର ଶିକାର ହୁଅନ୍ତି, ତେବେ କ’ଣ କରିବେ? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଆର୍ଥ୍ରୋସ୍କୋପି ଏବଂ ସ୍ପୋର୍ଟସ୍‌ ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ସାର୍ଥକ ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ଲିଗାମେଣ୍ଟ କ’ଣ? (What is a ligament in Odia)

ହାଡ଼ଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡ଼ି ରଖିବା ପାଇଁ ଏକ ନରମ ଇଲାଷ୍ଟିକ୍ ଟିସ୍ୟୁ ରହିଛି। ଏହାକୁ ଲିଗାମେଣ୍ଟ ବୋଲି କୁହାଯାଏ। ଲିଗାମେଣ୍ଟ ଯୋଗୁଁ ହିଁ ସବୁ ଗଣ୍ଠି ଠିକ୍‌ ଭାବରେ ଚଳନ ହୋଇପାରେ। କୌଣସି କାରଣରୁ ଯଦି ଲିଗାମେଣ୍ଟରେ ଆଘାତ ଲାଗି ଏହା ଛିଡ଼ିଯାଏ, ତେବେ ଗଣ୍ଠିସ୍ଥାନରେ ଅସହ୍ୟ ଯନ୍ତ୍ରଣା ହେବା ସହ କାମ କରିବାରେ ଅସୁବିଧା ହୁଏ।

ଅଧିକ ପଢ଼ନ୍ତୁ: ଲିଗାମେଣ୍ଟ ଇଞ୍ଜୁରିର କେମିତି କରିବେ ଚିକିତ୍ସା

ଲିଗାମେଣ୍ଟରେ ଇଞ୍ଜୁରି ହେବାର କାରଣ କ’ଣ? (Cause of ligament injuries in Odia)

୨୦ରୁ ୩୦ ପ୍ରତିଶତ ଲୋକଙ୍କର ଲିଗାମେଣ୍ଟ ଢିଲା ଥାଏ। ବିନା ଓ୍ୱାର୍ମଅଫ୍‌ରେ ହଠାତ୍‌ କୌଣସି ଖେଳ ଖେଳିବା ଦ୍ୱାରା କିମ୍ବା ବ୍ୟାୟାମ କରିବା ଦ୍ୱାରା ଲିଗାମେଣ୍ଟ ଇଞ୍ଜୁରି ହୋଇପାରେ।

ଛୋଟ ବୟସରେ ଲିଗାମେଣ୍ଟ ଇଞ୍ଜୁରି ସେତେଟା ହୁଏନାହିଁ କାରଣ ଛୁଆବେଳେ ପିଲାମାନେ ଅଳ୍ପ ଅଳ୍ପ କରି ଖେଳିଥାଆନ୍ତି। ସେମାନଙ୍କ ଶରୀର ଓ୍ୱାର୍ମଅଫ୍‌ ହୋଇଥାଏ।

ଯଦି ଜଣେ ଗାଡ଼ିରୁ ପଡ଼ିଯାଆନ୍ତି, ଡେଉଁଥିବା ବେଳେ, ପାଚେରୀରୁ ଡେଇଁବା ବେଳେ ବା ଢ଼େଉ ବାଜିଲେ ଲିଗାମେଣ୍ଟ ଇଞ୍ଜୁରି ହେବାର ଆଶଙ୍କା ରହିଛି। ବେଳେ ବେଳେ ଚାଲିବା ବେଳେ ପାଦ ମୋଡ଼ି ହୋଇଯାଏ, ଗୋଡ଼ ଠିକ୍‌ ଭାବରେ ନ ପଡ଼ିଲେ ଲିଗାମେଣ୍ଟ ଛିଣ୍ଡିଯିବାର ଆଶଙ୍କା ଥାଏ।

ପଡ଼ିବା ଯୋଗୁଁ ହେଉବା କୌଣସି କାରଣ ଯୋଗୁଁ ଜଣଙ୍କର କାନ୍ଧ ଖସିଯାଉଛି, ତେବେ ତୁରନ୍ତ ହସ୍ପିଟାଲ ନେଇ ତାଙ୍କୁ ଆନ୍‌ସଥେସିଆ ଦେଇ କାନ୍ଧକୁ ବସଇେଲେ କାନ୍ଧର ଲିଗାମେଣ୍ଟ ଛିଣ୍ଡିବାର ଆଶଙ୍କା କମିଯାଏ।

ଯଦି ଜଣେ ୪୦ କିମ୍ବା ୫୦ ବର୍ଷ ବୟସର ବ୍ୟକ୍ତିଙ୍କର କାନ୍ଧ ଖସିଯାଇଛି, ତେବେ ତାଙ୍କର ପୁଣିଥରେ ହେବାର ଆଶଙ୍କା ଥାଏ। ତେଣୁ ଥରେ କାନ୍ଧ ଖସିଲେ ତା’ର ଚିକିତ୍ସା କରି ଯତ୍ନ ନେବା ଦରକାର।

ଅଧିକ ପଢ଼ନ୍ତୁ: ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

ଗଣ୍ଠିରେ ଆଘାତ ଲାଗିଲେ ପ୍ରାଥମିକ ଚିକିତ୍ସା କ’ଣ? (First aid for ligament injuries)

ଆମେ ପଡ଼ିଗଲେ ଆମ ହାଡ଼ରେ, ଗଣ୍ଠିରେ କିମ୍ବା ଲିଗାମେଣ୍ଟରେ ଆଘାତ ଲାଗେ। ଯଦି ହାଡ଼ କିମ୍ବା ଜଏଣ୍ଟ ଭାଙ୍ଗିଯାଏ, ନିକଟରେ ଥିବା କୌଣସି ସିଧା ବସ୍ତୁ, ବାଡ଼ି ବା ପଟାକୁ ସିଧାକରି ଲଗାଇଦେବେ। ଆଣ୍ଠୁ ଭାଙ୍ଗିଥିଲେ ଆଣ୍ଠୁକୁ ସିଧା କରି ରଖିବାକୁ ଚେଷ୍ଟା କରିବେ। ଯଦି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯିବାର ସୁବିଧା ନଥାଏ, ତେବେ କେବଳ ବରଫ ସେକ ଦେବେ। ବରଫ ସେକ ଲଗାତାର ୧୫ ମିନିଟ୍‌ ପାଇଁ ଦେବେ, ପୁଣି ଅଧଘଣ୍ଟା ବ୍ରେକ୍‌ ଦେଇ ପୁନଃ ବରଫ ସେକ ଦେବେ। ଆଣ୍ଠୁକୁ ବେଶୀ ହଲେଇବେ ନାହିଁ।

ଆଣ୍ଠୁ, ଗଣ୍ଠି, କହୁଣୀ କିମ୍ବା କାନ୍ଧରେ ଆଘାତ ଲାଗିଲେ କେବେ ବି ଗରମ ସେକ ଦେବେ ନାହିଁ।

ଲିଗାମେଣ୍ଟ ଇଞ୍ଜୁରି ହେଲେ କେଉଁ ପରୀକ୍ଷା କରାଯାଏ? (Diagnosis of ligament injuries in Odia)

ଲିଗାମେଣ୍ଟ କେତେ ମାତ୍ରାରେ ଛିଣ୍ଡିଛି ଜାଣିବା ପାଇଁ ଏମ୍‌ଆର୍‌ଆଇ ଦରକାର ପଡ଼େ। ଅବସ୍ଥା ଦେଖି ଚିକିତ୍ସା କରାଯାଏ।

ଅଧିକ ପଢ଼ନ୍ତୁ: ଗଣ୍ଠିବାତ ରୋଗ କାହିଁକି ହୁଏ? ଏହାର ନିରାକରଣ ସମ୍ପର୍କରେ ଜାଣନ୍ତୁ

ଲିଗାମେଣ୍ଟ ଇଞ୍ଜୁରିର ଚିକିତ୍ସା (Treatment of ligament injuries in Odia)

ଯେଉଁ ବ୍ୟକ୍ତିଙ୍କର ବାରମ୍ବାର କାନ୍ଧ ଖସିଯାଏ, ତେବେ କାନ୍ଧରେ ଥିବା କାର୍ଟିଲେଜ୍‌ ଛିଣ୍ଡିଯାଏ। ଏଥିପାଇଁ ଆର୍ଥ୍ରୋସ୍କୋପି ସର୍ଜରି କରାଯାଏ।

ସାଧାରଣତଃ ଆଣ୍ଠୁରେ ଆକ୍ସିଆଲ ଲିଗାମେଣ୍ଟ ଓ ମେନିସ୍‌କସ୍‌ ଲିଗାମେଣ୍ଟ ଛିଣ୍ଡିଯାଏ। ଏଭଳି କ୍ଷେତ୍ରରେ ଦେହରୁ ଅନ୍ୟ ଅଂଶରୁ ଗୋଟେ ଲିଗାମେଣ୍ଟ କାଢ଼ି ଆକ୍ସିଆଲ ଲିଗାମେଣ୍ଟକୁ ଠିକ୍‌ କରିପାରିବା।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ଖେଳିବା ପୂର୍ବରୁ ଫଙ୍କ୍‌ସନାଲ ମୋଟର ସ୍କୋରିଂ କରିବା ଦରକାର।

ଖେଳିବା ପୂର୍ବରୁ ଅଧଘଣ୍ଟାର ଓ୍ୱାର୍ମଅପ୍‌ କରିବେ।

୪୦ ବର୍ଷ ପରେ ସପ୍ଲିମେଣ୍ଟ ନେବା ଜରୁରୀ। ଯଦି କୌଣସି ଇଞ୍ଜୁରି ହୁଏ, ତେବେ ବରଫ ସେକ ଦେବେ, ସେହି ସ୍ଥାନକୁ ହଲଚଲ କରିବେ ନାହିଁ ଏବଂ ଡାକ୍ତରଙ୍କୁ ଦେଖାଇବା ନିହାତି ଜରୁରୀ।

ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍‌ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ ସହିତ ଡାକ୍ତର ସାର୍ଥକ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।

Note: This information on Treatment of Ligament injury, in Odia language, is based on an extensive interview with an arthroscopy & sports medicine Dr Sarthak Patnaik.