ଏଣ୍ଡୋମେଟ୍ରିଓସିସ୍ କ’ଣ? ମହିଳାଙ୍କଠାରେ ଏହା ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଗର୍ଭାଶୟର ଭିତର ସ୍ତରକୁ ଏଣ୍ଡୋମେଟ୍ରିୟମ୍‌ କୁହାଯାଏ। ସମୟକ୍ରମେ ଏଣ୍ଡୋମେଟ୍ରିୟମ୍‌ ବୃଦ୍ଧି ପାଇଥାଏ ଓ ୨୮ ଦିନରୁ ମାସେ ପରେ ସେହି ଅଭିବୃଦ୍ଧି ଛିଣ୍ଡିଯାଇ, ଋତୁସ୍ରାବ ହୋଇ ବାହାରିଆସେ, ଯାହାକୁ ଋତୁଚକ୍ର ବୋଲି କହିଥାଉ।

ଯେତେବେଳେ ଏଣ୍ଡୋମେଟ୍ରିୟମ୍‌ ଗର୍ଭାଶୟ ବାହାରେ କିମ୍ବା ପେରିଟୋନିୟମ୍‌ କ୍ୟାଭିଟିରେ ଥାଏ କିମ୍ବା ଅଣ୍ଡକୋଷରେ ଲାଗିକରି ରହିଥାଏ କିମ୍ବା ଅନ୍ତଃନଳୀରେ ଲାଗିକି ରହିପାରେ। ସେତେବେଳେ ତାକୁ ଏଣ୍ଡୋମେଟ୍ରିଓସିସ୍‌ କୁହାଯାଏ।

ପାଖାପାଖି ୧୦ ପ୍ରତିଶତ ମହିଳାଙ୍କଠାରେ ଏଣ୍ଡୋମେଟ୍ରିଓସିସ୍‌ ସମସ୍ୟା ଦେଖାଦିଏ। ଏହି ସମସ୍ୟା ସାଧାରଣତଃ ଋତୁସ୍ରାବ ମହିଳାଙ୍କଠାରେ ଦେଖାଦିଏ।

ଅଧିକ ପଢ଼ନ୍ତୁ: ଋତୁଚକ୍ର ବେଳେ ଅତ୍ୟଧିକ ରକ୍ତସ୍ରାବ ହେଉଛି କି? ହୋଇପାରେ ମେନୋରେଜିଆ

ଏଣ୍ଡୋମେଟ୍ରିଓସିସ୍‌ର କାରଣ (Causes of Endometriosis in Odia)

ଏଣ୍ଡୋମେଟ୍ରିଓସିସ୍‌ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିଛି ଥିଓରି  ଅନୁଯାୟୀ ଏହା ଶରୀରରେ ହରମୋନ୍ ପରିବର୍ତ୍ତନ ହେତୁ ହୋଇଥାଏ। ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ନାମକ ହରମୋନ୍‌ ଅସନ୍ତୁଳନ ଯୋଗୁଁ ଏଣ୍ଡୋମେଟ୍ରିଓସିସ୍‌ ହୋଇଥାଏ।

କେତେକ କ୍ଷେତ୍ରରେ, ଏଣ୍ଡୋମେଟ୍ରିଓସିସ୍ ରୋଗର ଜେନେଟିକ୍ କାରଣ ମଧ୍ୟ ପରିଲକ୍ଷିତ ହୋଇଛି, କିନ୍ତୁ ଆଜିର ଦିନରେ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଏଣ୍ଡୋମେଟ୍ରିଓସିସ୍‌ର ପ୍ରମୁଖ କାରଣ।

ଏଣ୍ଡୋମେଟ୍ରିଓସିସ୍‌ର ଲକ୍ଷଣ (Symptoms of endometriosis in Odia)

ଏଣ୍ଡୋମେଟ୍ରିଓସିସ୍‌ର ପ୍ରମୁଖ ଲକ୍ଷଣ ହେଉଛି ତଳି ପେଟ ଯନ୍ତ୍ରଣା ହେବା, ପିରିୟଡ୍‌ସ ସମୟରେ ସିଭିୟର ଯନ୍ତ୍ରଣା ହେବା, ପିରିୟଡ୍‌ସ ହେବାର କିଛି ଦିନ ପୂର୍ବରୁ ଯନ୍ତ୍ରଣା ହୋଇଥାଏ ବା ପିରିୟଡ୍‌ସ ସରିବାର କିଛି ଦିନ ଯାଏଁ ଯନ୍ତ୍ରଣା ଅନୁଭୂତ ହେବା।

ସାଧାରଣତଃ ବନ୍ଧ୍ୟାଦୋଷର ମୁଖ୍ୟ କାରଣ ଏଣ୍ଡୋମେଟ୍ରିଓସିସ୍‌ ହୋଇଥାଏ।

ଏଣ୍ଡୋମେଟ୍ରିଓସିସ୍‌କୁ ଚିହ୍ନିବା ପାଇଁ ପରୀକ୍ଷା (Test of Endometriosis in Odia)

ଏଣ୍ଡୋମେଟ୍ରିଓସିସ୍‌କୁ ଚିହ୍ନିବା ପାଇଁ ହେଲେ ପ୍ରଥମେ ରୋଗୀଙ୍କର ଲକ୍ଷଣ ଜାଣିବାକୁ ପଡ଼ିଥାଏ। ଏହାସହ ଅଲଟ୍ରାସାଉଣ୍ଡ ମାଧ୍ୟମରେ ଆଡିନୋସିସ୍‌, ଚକୋଲେଟ୍‌ ସିଷ୍ଟ ଅଛି କି ନାହିଁ ତାହା ଜଣାପଡ଼ିଥାଏ। ଏହାଛଡ଼ା ଗର୍ଭାଶୟର କେଉଁ ପାଖରେ ଏଣ୍ଡୋମେଟ୍ରିଓସିସ୍‌ ଅଛି, ତାହା ଜାଣିବା ପାଇଁ ଏମ୍‌ଆର୍‌ଆଇ କରିଥାଉ।

ଏହାଛଡ଼ା ଲାପ୍ରୋସ୍କୋପି ସାହାଯ୍ୟରେ ଏଣ୍ଡୋମେଟ୍ରିଓସିସ୍‌ ଦେଖିବା ସହ ଚିକିତ୍ସା ମଧ୍ୟ କରାଯାଇଥାଏ।

ଏଣ୍ଡୋମେଟ୍ରିଓସିସ୍‌ର ଚିକିତ୍ସା (Treatment of Endometriosis in Odia)

ରୋଗୀର ବୟସ, ଲକ୍ଷଣ, ଆବଶ୍ୟକତା ଓ ଅନ୍ୟାନ୍ୟ ଜଟିଳତାକୁ ଦୃଷ୍ଟିରେ ରଖି ଚିକିତ୍ସା କରାଯାଇଥାଏ। ରୋଗୀଙ୍କୁ କେତେକ ହରମୋନ୍‌ ମେଡିସିନ୍‌ ଦିଆଯାଇଥାଏ, ଯାହା ଇଷ୍ଟ୍ରୋଜେନ୍‌ ହରମୋନ୍‌କୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ। ଏହାସହ ପ୍ରୋଜେଷ୍ଟେରୋନ୍‌ ବଟିକା ମଧ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ ଓ ତା’ ସହ ଗର୍ଭାଶୟ ଭିତରେ କପର ଟି ଦିଆଯାଇଥାଏ।

ଏହାଛଡ଼ା ଲାପ୍ରୋସ୍କୋପି ସର୍ଜରି ଜରିଆରେ ଏଣ୍ଡୋମେଟ୍ରିଓସିସ୍‌ର ଚିକିତ୍ସା ମଧ୍ୟ କରାଯାଏ।

ଏଣ୍ଡୋମେଟ୍ରିଓସିସ୍ ଚିକିତ୍ସା ପରେ ପିଲାଛୁଆ ହେବାରେ ସମସ୍ୟା (Problems with childbirth after endometriosis treatment in Odia)

ଏଣ୍ଡୋମେଟ୍ରିଓସିସ୍‌ ସର୍ଜରି ପରେ ସଙ୍ଗେ ସଙ୍ଗେ ପିଲାଛୁଆ ପାଇଁ ଚେଷ୍ଟା କରନ୍ତୁ। ଥରେ ଗର୍ଭାଶୟରେ ପିଲା ରହିଗଲେ ପୁଣି ଏଣ୍ଡୋମେଟ୍ରିଓସିସ୍‌ ହେବାର ଆଶଙ୍କା କମ୍‌।

ଡାକ୍ତରଙ୍କ ପରାମର୍ଶ (Doctor’s Advice in Odia)

ଏଣ୍ଡୋମେଟ୍ରିଓସିସ୍‌ର ନିରାକରଣ ପାଇଁ ହେଲେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇନିଅନ୍ତୁ। ଅଧିକାଂଶ କିଶୋରୀ ଓ ମହିଳାମାନେ ପିରିୟଡ୍‌ସ ସମୟରେ ପେଟ କାଟିଲେ ମନଇଛା ପେନ୍‌କିଲର ଆଣି ଖାଉଛନ୍ତି। କିନ୍ତୁ ଏହାଦ୍ୱାରା ବହୁତ ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ରହିଛି। ତେଣୁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଆଣି ଖାଆନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜୟ ପ୍ରକାଶ ପାଣିଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Endometriosis, in Odia language, is based on an extensive interview with Gynaecologist Dr Jaya Prakash Pani.