ଅଟିଜିମ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। (Autism: Causes, Symptoms and Treatment in Odia)

ଅଟିଜିମ୍‌ କ’ଣ?

ଅଟିଜିମର ଲକ୍ଷଣ

ପିଲାଙ୍କଠାରେ ଅନ୍ୟ ମାନସିକ ସମସ୍ୟା

ଅଳ୍ପ ବୟସରୁ ଅଟିଜିମକୁ କିପରି ଚିହ୍ନିବେ?

ଅଟିଜିମ୍‌ ହେବାର କାରଣ

ଅଟିଜିମର ଚିକିତ୍ସା

ଅଟିଜିମ୍‌ ପାଇଁ ବ୍ୟବହୃତ ଔଷଧର ପାର୍ଶ୍ୱପ୍ରତିକ୍ରିୟା ରହିଛି କି?

ଅଟିଜିମକୁ ଓଡ଼ିଆରେ ସ୍ୱପରାୟଣତା ବୋଲି କୁହାଯାଏ। ଏହା ହେଉଛି ଶୈଶବ ଅବସ୍ଥାରେ ଦେଖାଦେଉଥିବା ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ମାନସିକ ସମସ୍ୟା। ଏହି ସମସ୍ୟା ଥିଲେ ପିଲାମାନେ ସବୁବେଳେ ଏକୁଟିଆ ରହିଥା’ନ୍ତି, ଅନ୍ୟ ଲୋକମାନଙ୍କ ସହିତ ସାମାଜିକ ଭାବ ବିନିମୟ କରିପାରନ୍ତି ନାହିଁ , ଗୋଟିଏ କାମକୁ ବାରମ୍ବାର କରିଥା’ନ୍ତି କିମ୍ବା ପିଲାକୁ ଶବ୍ଦ ବ୍ୟବହାରରେ ଅସୁବିଧା ହୋଇଥାଏ। ଭାରତରେ ପାଖାପାଖି ୫୦ ଲକ୍ଷ ପିଲା ଅଟିଜିମ୍‌ ରୋଗ ଦ୍ୱାରା ଆକ୍ରାନ୍ତ। ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ପ୍ରତ୍ୟେକ ୧୦୦ ଜଣ ପିଲାଙ୍କ ମଧ୍ୟରୁ ୧.୬ ଜଣ ପିଲାଙ୍କଠାରେ ଅଟିଜିମ୍‌ ରୋଗ ଦେଖାଦେଉଛି। ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଅଟିଜିମ୍‌ ପାଞ୍ଚଗୁଣା ଅଧିକ ଦେଖାଯାଏ। ଏହାସହ ଭାରତରେ ଅଟିଜିମ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଅଧିକ ପଢ଼ନ୍ତୁ: ପାଠପଢ଼ାରେ ପିଲାର ମନ କେମିତି ଲଗାଇବେ?

ଅଟିଜିମ୍‌ର ଲକ୍ଷଣ (Symptoms of autism in Odia)

ପିଲା ସାମିଜିକ ଭାବ ବିନିମୟ କରିପାରେ ନାହିଁ।

ପିଲା ସବୁବେଳେ ଏକୁଟିଆ ରହିଥାଏ।

କାହା ସହିତ କଥା ହୁଏ ନାହିଁ।

ଗୋଟିଏ ନିର୍ଦ୍ଦିଷ୍ଟ ଖେଳକୁ ଏକୁଟିଆ ଖେଳୁଥାଏ।

ପିଲା ଅନ୍ୟମାନଙ୍କ ହେଉ ବା ନିଜ ମା’ଙ୍କ ସହ କଥା ହେବା ବେଳେ ଆଖିରେ ଆଖି ମିଶାଇ ନଥାଏ।

ପିଲାର ନାମ ଧରି ଡାକିଲେ ପିଲା ଶୁଣିବ ନାର୍ହି।

ଶବ୍ଦର ଚୟନ ସଠିକ୍‌ ବ୍ୟବହାର କରିପାରନ୍ତି ନାହିଁ।

ଗୋଟିଏ ଶବ୍ଦକୁ ବାରମ୍ବାର କହିଥା’ନ୍ତି।

ଦୁଇରୁ ତିନି ବର୍ଷ ପିଲା ବି ଠିକ୍‌ ଭାବରେ କଥା ହୋଇପାରେ ନାହିଁ।

କୌଣସି କାମକୁ ବାରମ୍ବାର କରିଥା’ନ୍ତି କିମ୍ବା ଗୋଟେ ସ୍ଥାନରେ ବସି ବସି ଆଗକୁ ଦୋହଲି ଥା’ନ୍ତି।

ନିଜକୁ କ୍ଷତି ପହଞ୍ଚାଇଥା’ନ୍ତି।

ଶାରୀରିକ ସମସ୍ୟା ବି ହୋଇପାରେ, ଯେପରିକି ଅପସ୍ମାର ବାତ, ପେଟ ଜନିତ ସମସ୍ୟା ଦେଖାଦିଏ।

ପିଲାଙ୍କଠାରେ ଅନ୍ୟ ମାନସିକ ସମସ୍ୟା (Other mental problems in children in Odia)

ଅଟିଜିମ୍‌ ଛଡ଼ା ପିଲାଙ୍କଠାରେ ଅତ୍ୟଧିକ ଚଞ୍ଚଳାମି ଗୁଣ, ନିଦ୍ରାହୀନତା, ଆଙ୍ଗଜାଇଟି ଡିସଅର୍ଡର, ଅବସାଦ ଭଳି ମାନସିକ ସମସ୍ୟା ଦେଖାଦିଏ।

ଅଳ୍ପ ବୟସରୁ ଅଟିଜିମ୍‌କୁ କିପରି ଚିହ୍ନିବେ? (How to diagnose autism from an early age in Odia)

ପିଲା ଜନ୍ମ ହେବାର ବର୍ଷେ ପର୍ଯ୍ୟନ୍ତ ଯଦି କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରିପାରୁ ନାହିଁ କିମ୍ବା କୌଣସି ଜିନିଷକୁ ଆଙ୍ଗୁଠି ଦେଖାଇ ପାରୁ ନାହିଁ, ତେବେ ଅଟିଜିମ୍‌ର ଲକ୍ଷଣ ହୋଇଥାଏ।

ଯଦି ପିଲା ୧୬ ମାସ ସୁଦ୍ଧା ‘ବା’ କିମ୍ବା ‘ମା’ କହିପାରୁ ନାହିଁ। ଅଥବା ୨ ବର୍ଷ ସୁଦ୍ଧା ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ କହିପାରୁ ନାହିଁ, ତେବେ ପରିବାର ଲୋକ ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।

parents child argument

ଅଧିକ ପଢ଼ନ୍ତୁ: ପିଲାର ବୁଦ୍ଧିର କ୍ଷମତା କେତେ?

ଅଟିଜିମ୍‌ ହେବାର କାରଣ (Causes of autism in Odia)

ପିଲାଙ୍କଠାରେ ଅଟିଜିମ୍‌ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ବହୁତଗୁଡ଼ିଏ କାରଣ ମିଶିଲେ ଅଟିଜିମ୍‌ ରୋଗ ହୋଇଥାଏ। ତେବେ ଅଟିଜିମ୍‌ ହେବାର ପ୍ରଥମ କାରଣ ହେଉଛି ଜିନ୍‌ଗତ ସମସ୍ୟା।

ଏହାଛଡ଼ା ଗର୍ଭଧାରଣ ସମୟରେ ବାପା,ମା’ଙ୍କର ବୟସ ଅଧିକା ଥିବ କିମ୍ବା ଗର୍ଭଧାରଣ ସମୟରେ ଗର୍ଭବତୀ ମହିଳା ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇଥିବେ, ତେବେ ପିଲାକୁ ଅଟିଜିମ୍‌ ହେବାର ଆଶଙ୍କା ରହିଛି।

ଗର୍ଭଧାରଣ ସମୟରେ ମା’ ଦୀର୍ଘ ଦିନ ଧରି କୌଣସି ଶାରୀରିକ ଅସୁସ୍ଥତା ଭୋଗ କରିଥିବେ, ତେବେ ମଧ୍ୟ ପିଲାକୁ ଅଟିଜିମ୍‌ ହୋଇପାରେ।

ଜନ୍ମ ବେଳେ ପିଲାର ଓଜନ କମ୍‌ ହୋଇଥିବ।

ଜନ୍ମ ପରେ ପିଲା ଡେରିରେ କାନ୍ଦିଥିବା ଯୋଗୁଁ ମଧ୍ୟ ପିଲାକୁ ଅଟିଜିମ୍‌ ହୋଇପାରେ। କାରଣ ପିଲାର ମସ୍ତିଷ୍କକୁ ଅମ୍ଳଜାନ ଡେରିରେ ପହଞ୍ଚିଥାଏ।

ଏହିସବୁ କାରଣଗୁଡ଼ିକ ମିଶିକରି ପିଲାକୁ ଅଟିଜିମ୍‌ ହୋଇଥାଏ। କେତେକ କ୍ଷେତ୍ରରେ ବିନା କୌଣସି କାରଣରେ ପିଲାକୁ ଅଟିଜିମ୍‌ ହୋଇଥାଏ, ଯାହାକୁ ଇଡିଓପାଥିକ କାରଣ ବୋଲି କହିଥାଉ।

ଅଟିଜିମ୍‌ର ଚିକିତ୍ସା (Treatment of autism in Odia)

ପିଲାର ଅଟିଜିମ୍‌ ରୋଗକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନିପାରି ଚିକିତ୍ସା କରାଗଲେ ସୁଫଳ ମିଳିଥାଏ। ଅନେକ ଲୋକ ଡାକ୍ତରଙ୍କୁ ପଚାରିଥା’ନ୍ତି ଯେ, ପିଲାକୁ କିଛି ଔଷଧ ଦେଇ ଅଟିଜିମ୍‌କୁ ଭଲ କରିଦିଅନ୍ତୁ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଅଟିଜିମ୍‌ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ଏଥିପାଇଁ ପ୍ରଥମେ ପିଲାର ସମସ୍ୟାକୁ ନିରିକ୍ଷଣ କରାଯାଏ। ସମସ୍ୟାକୁ ଦୃଷ୍ଟିରେ ରଖି ଚିକିତ୍ସା କରାଯାଏ।

ଅଟିଜିମ୍‌ର ଚିକିତ୍ସା ପାଇଁ ପ୍ରଥମେ ଅକୁପେସନାଲ ଥେରାପି କରାଯାଏ। ଏଥିରେ ପିଲାର ବ୍ୟବହାରିକ ଚିକିତ୍ସା     କରାଯାଏ। ଏଥିରେ ପିଲାକୁ ସାମାଜିକ ଭାବ ବିନିମୟ, ଆଖିରେ ଆଖି ମିଶାଇ କଥା ହେବାରେ ତାଲିମ ଦିଆଯାଏ। ଏହାସହ ସ୍ପିଚ୍‌ ଥେରାପିରେ ପିଲାର କଥାବାର୍ତ୍ତା ଉପରେ ଧ୍ୟାନ ଦିଆଯାଏ। ଏହାଛଡ଼ା ପିଲା ଅସ୍ଥିର ହେଉଥିଲେ କେତେକ ଔଷଧ ଦିଆଯାଏ।

ଅଟିଜିମ୍‌ ପାଇଁ ବ୍ୟବହୃତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି?

ବତ୍ତର୍ମାନ ସମୟରେ ଅଟିଜିମ୍‌ ପାଇଁ ବ୍ୟବହାର କରାଯାଉଥିବା ଔଷଧ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଏହାଛଡ଼ା ଅଟିଜିମ୍‌ ପିଲାଙ୍କଠାରେ ପେଟ କାଟିବା, ବାନ୍ତି ହେବା, ନିଦ୍ରାହୀନତା ଏବଂ ବାତ ମାରିବା ଭଳି ସମସ୍ୟା ଦେଖାଯାଏ। ଏଭଳି କ୍ଷେତ୍ରରେ ଶିଶୁ ବିଶେଷଜ୍ଞଙ୍କ ସେହି ଅନୁଯାୟୀ ଔଷଧ ପରାମର୍ଶ କରିଥା’ନ୍ତି। ଅଟିଜିମ୍‌ ପିଲାଙ୍କର ବାପାମା’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଯଦି ଠିକ୍‌ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା କରିବେ ଏବଂ ଔଷଧ ଦେବେ ତେବେ ପିଲାର ଧୀରେ ଧୀରେ ସୁଧାର ଆସିଥାଏ। ଏହାଛଡ଼ା ପିଲାକୁ ସମୟ, ଯତ୍ନ, ବାହାର ପିଲାଙ୍କ ସହିତ ମିଳାମିଶା କଲେ ପିଲାର ବ୍ୟବହାରରେ ସୁଧାର ଆସିପାରିବ। ଅଟିଜିମ୍‌ ମସ୍ତିଷ୍କ ସମସ୍ୟା ହେଲେ ମଧ୍ୟ ଏହାର ଚିକିତ୍ସା ସମ୍ଭବ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Autism, in Odia language, is based on an extensive interview with Neurologist, Dr. Satyakam Mohapatra.