ଏକ୍‌ମୋ ଚିକିତ୍ସା କ’ଣ? କେଉଁ କେଉଁ ରୋଗରେ ଏହି ମେସିନ୍‌ର ଆବଶ୍ୟକତା ପଡ଼ିଥାଏ?

ଏକ୍‌ମୋ କ’ଣ?

ଏହା ହେଉଛି ଏକ ମେସିନ୍। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ମେସିନ୍‌ର ଆବଶ୍ୟକ ପଡ଼ିଥାଏ। ବର୍ତ୍ତମାନ କୋଭିଡ୍ ପରିସ୍ଥିତି ବିପଦଜନକ ହୋଇଥିବାରୁ, ଏବେ ଏହି ମେସିନ୍ ଗୁରୁତର କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଉଛି।

ଏହି ମେସିନ୍‌କୁ କୃତ୍ରିମ ଫୁସ୍‌ଫୁସ୍ ମଧ୍ୟ କୁହାଯାଇଥାଏ। ପୂର୍ବରୁ ଏହାକୁ ମଣିଷ ଶରୀରରେ ଫୁସ୍‌ଫୁସ୍ ପ୍ରତିରୋପଣ ପାଇଁ ବ୍ୟବହାର କରାଯାଉଥିଲା। ଶରୀରର ସମସ୍ତ ଅଙ୍ଗ କିଡ୍‌ନୀ, ହାର୍ଟ, ବ୍ରେନ, ଲିଭର ଆଦି କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଦରକାର ପଡିଥାଏ। ଆଉ ଫୁସ୍‌ଫୁସ୍ ସମସ୍ତ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ। ଯଦି କୌଣସି କାରଣରୁ ଫୁସ୍‌ଫୁସ୍ ଅକାମୀ ହୋଇଯାଏ, ତେବେ ସେହି କ୍ଷେତ୍ରରେ ଏକ୍‌ମୋ ମେସିନ୍‌ର ଆବଶ୍ୟକତା ପଡ଼ିଥାଏ । ଯାହାଦ୍ୱାରା ରୋଗୀର ଶରୀରରୁ ରକ୍ତ ବାହାରକୁ କଢ଼ାଯାଇ, ତାହା ପରିଷ୍କାର କରାଯିବା ପରେ ପୁଣିଥରେ ଅମ୍ଳଜାନ ସହିତ ଶରୀର ଭିତରକୁ ଛଡା ଯାଇଥାଏ।

କେଉଁ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଏ?

ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିବା ଅନୁସାରେ, ଯେଉଁମାନଙ୍କର ଫୁସ୍‌ଫୁସ୍ ପ୍ରତ୍ୟାରୋପଣ ହୁଏ ସେମାନଙ୍କଠାରେ ଏହା ଲଗାଯାଇଥାଏ। କିଛି ଗୁରୁତର କରୋନା ରୋଗୀଙ୍କଠାରେ ଅକ୍ସିଜେନ୍‌ର ଅଭାବ ଓ ଅସାଧାରଣ ନିମୋନିଆ କାରଣରୁ ସେମାନଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ମଧ୍ୟ କାମ କରିନଥାଏ। ତେଣୁ ସେହି କ୍ଷେତ୍ରରେ ଏକ୍‌ମୋ ଯନ୍ତ୍ର ନିହାତି ଆବଶ୍ୟକ ପଡ଼ୁଛି। ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଗୁରୁତର ରୋଗୀମାନେ ଏହି ଚିକିତ୍ସା ଦରକାର କରିଥାନ୍ତି। ତେବେ ଡାକ୍ତର ମହାନ୍ତି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ସୁସ୍ଥ ହେବାର କୌଣସି ଗ୍ୟାରେଣ୍ଟି ଦିଏନାହିଁ।

ଏକ୍‌ମୋ ମେସିନ୍‌ର ଦାମ୍ କେତେ?

ଗୋଟିଏ ଏକ୍‌ମୋ ମେସିନର ଦାମ ପ୍ରାୟ ୩୫ଲକ୍ଷ ଟଙ୍କା। ଏକ୍‌ମୋ କିଟ୍ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀକୁ ଯଦି ହିସାବକୁ ନିଆଯାଏ ଯନ୍ତ୍ରର ଦାମ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ।

ଏକ୍‌ମୋ ଚିକିତ୍ସାର ଫାଇଦା

ବର୍ତ୍ତମାନ କୋରୋନା ଭାଇରସ୍ ଅନେକ ଲୋକଙ୍କ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଛି। ଶରୀରରେ ଅମ୍ଳଜାନ ସ୍ତର କମିଯାଉଥିବା ସହ କୋଭିଡ୍ ପଜିଟିଭ୍ ରୋଗୀଙ୍କର ଫୁସ୍‌ଫୁସ୍ ଖୁବଶୀଘ୍ର ଅକାମୀ ହୋଇପଡୁଛି। ତେଣୁ ଏହି ମେସିନର ଆବଶ୍ୟକତା ଏବେ ବଢିଛି। ଏହି ଚିକିତ୍ସା ପରେ କୌଣସି ଆଭ୍ୟନ୍ତରୀଣ ଅଙ୍ଗ ଅକାମୀ ହୁଏ ନାହିଁ। ଧିରେ ଧିରେ ଫୁସ୍‌ଫୁସ୍ ମଧ୍ୟ ସଂକ୍ରମଣରୁ ସୁସ୍ଥ ହୋଇଥାଏ। ଏହା କେବଳ ଯେ, କୋଭିଡ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇଥାଏ, ତା’ନୁହେଁ ବରଂ କୌଣସି ରୋଗୀଙ୍କ ଫୁସ୍‌ଫୁସ୍ ଅକାମୀ ହେଲେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ।