ବ୍ରେନ୍ ଷ୍ଟ୍ରୋକର କାରଣ କ’ଣ? ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ କ‘ଣ ଏବଂ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା କାହାକୁ ଅଧିକ? ଏନେଇ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ କ’ଣ କହୁଛନ୍ତି, ଜାଣନ୍ତୁ।

ବ୍ରେନ୍‌ ବା ମସ୍ତିଷ୍କ ଆମ ଶରୀରର ମୁଖ୍ୟ ଅଙ୍ଗ। ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ।

 ଏହା ମୁଖ୍ୟତଃ ଦୁଇ ପ୍ରକାର। ଯଦି କୌଣସି କାରଣରୁ ମସ୍ତିଷ୍କର ଶୀରା ପାଟି ରକ୍ତସ୍ରାବ ହୁଏ, ତେବେ ଏହାକୁ ହେମ୍‌ରେଜ୍‌ ଷ୍ଟ୍ରୋକ୍‌ କୁହାଯାଏ। ସେହିପରି ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ସଠିକ୍‌ ଭାବରେ ହୋଇପାରେ ନାହିଁ, ତାହେଲେ ଏହାକୁ ଇସ୍ଚେମିକ୍‌ ଷ୍ଟ୍ରୋକ୍‌ କୁହାଯାଏ।

ଅଧିକ ପଢ଼ନ୍ତୁ: ଷ୍ଟ୍ରୋକ୍‌ ପରେ କିଭଳି ନେବେ ରୋଗୀଙ୍କ ଯତ୍ନ?

ବ୍ରେନ୍‌ ଷ୍ଟ୍ରୋକ୍‌ର କାରଣ (Cause of Brain Stroke in Odia)

ସାଧାରଣତଃ ମଧ୍ୟ ବୟସ୍କରୁ ପରିପକ୍ଵ ବୟସ୍କ ଲୋକଙ୍କ ପାଖରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ। କିନ୍ତୁ ଆଜିକାଲି ୪୫ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ଖାଦ୍ୟରେ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌, ତେଲମସଲା ଜାତୀୟ ଜିନିଷର ଅଧିକ ସେବନ, ଅନିୟନ୍ତ୍ରିତ ରକ୍ତ ଶର୍କରା ଏବଂ ଧୂମପାନ।

ଏହାଛଡ଼ା ବଂଶଗତ କାରଣ, ରକ୍ତଚାପ ଅଧିକ ରହିଲେ, ରକ୍ତ ଶର୍କରା ଅଧିକ ରହିଲେ, ମାନସିକ ଚାପରେ ରହିବା ହିଁ ବ୍ରେନ୍‌ ଷ୍ଟ୍ରୋକ୍‌ ବା ପକ୍ଷାଘାତର କାରଣ।

ବ୍ରେନ୍ ଷ୍ଟ୍ରୋକ୍‌ର ଲକ୍ଷଣ କ’ଣ? (Symptoms of Brain Stroke in Odia)

FAST ଫର୍ମୂଲା ଜରିଆରେ ଜାଣି ହେବ ବ୍ରେନ୍‌ ଷ୍ଟ୍ରୋକର ଲକ୍ଷଣ ସମ୍ପର୍କରେ।

FACE (ମୁହଁ): ମୁହଁ ବଙ୍କା ହୋଇଗଲେ ବା ମୁହଁରେ ଝିମ୍‌ ଝିମ୍‌ ଲାଗିବା।

ARM (ବାହୁ): ହାତରେ କୌଣସି ଜିନିଷ ଉଠାଇ ପାରୁ ନାହାନ୍ତି ବା ହାତ ବଧିରା ଭଳି ଲାଗିବା।

SPEECH: କଥା କହିବା ବେଳେ ଖନି ମାରିଲେ।

TIME (ସମୟ): ଷ୍ଟ୍ରୋକ୍‌ ହେଲେ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିବା ଦରକାର। ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଏକ ଜରୁରୀକାଳୀନ ପରିସ୍ଥିତି। ଷ୍ଟ୍ରୋକ ହେବାର ସାଢ଼େ ୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ପହଞ୍ଚିବା ଦରକାର। ଏହି ୪ ଘଣ୍ଟାର ସମୟକୁ ଗୋଲ୍ଡେନ ଓ୍ୱିଣ୍ଡୋ ପିରିୟଡ୍‌ ବୋଲି କୁହାଯାଏ। କାରଣ ଷ୍ଟ୍ରୋକ୍‌ର ଚିକିତ୍ସା ଯେତେ ଶୀଘ୍ର ହେବ ଏହା ଠିକ୍‌ ହେବାର ସମ୍ଭାବନା ସେତିକି ଜଲଦି। ଡେରିରେ ଚିକିତ୍ସା କରାଗଲେ ରୋଗୀର ଠିକ୍‌ ହେବାରେ ବିଳମ୍ବ ହୋଇଥାଏ।

ଏଥିମଧ୍ୟରୁ କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରିବା ଆବଶ୍ୟକ।

ବ୍ରେନ୍ ଷ୍ଟ୍ରୋକ୍‌ର ଚିକିତ୍ସା (Treatment of Brain Stroke in Odia)

ଯଦି ଜଣେ ରୋଗୀଙ୍କର ବ୍ରେନ୍‌ ଷ୍ଟ୍ରୋକର କୌଣସି ଲକ୍ଷଣ ଦେଖାଦିଏ ତେବେ ଡାକ୍ତର ପ୍ରଥମେ ମସ୍ତିଷ୍କର ସିଟି ସ୍କାନ କରିଥାଆନ୍ତି। ଏହି ଫଟୋ ମାଧ୍ୟମରେ କେଉଁ ପ୍ରକାରର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି ତାହା ନିରୂପଣ କରାଯାଏ। ସେହି ଅନୁସାରେ ଚିକିତ୍ସା ଭିନ୍ନ ଭିନ୍ନ ରହିଛି।

ଷ୍ଟ୍ରୋକ୍ ଅପରେସନ୍ ପରେ ରୋଗୀଙ୍କ ଜୀବନଶୈଳୀ (Lifestyle of patients after stroke operation in Odia)

ଷ୍ଟ୍ରୋକ୍‌ ନ ହେବା ପାଇଁ ହେଲେ ରକ୍ତଚାପ ଏବଂ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

ସପ୍ତାହକୁ ଅତିକମ୍‌ରେ ୫ ଦିନ ବ୍ୟାୟାମ କରନ୍ତୁ।

ଧୂମପାନରୁ ନିବୃତ୍ତ ରହନ୍ତୁ।

ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ।

ଯେଉଁମାନଙ୍କର ଥରେ ଷ୍ଟ୍ରୋକ୍‌ ହୋଇଛି, ତାଙ୍କର ଆଉ ଥରେ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଛି। ଥରେ ପାରାଲାସିସ୍‌ ହେଲା ପରେ ଔଷଧ ଖାଇବା ସହିତ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ସ୍ପିଚ୍‌ ଥେରାପି ଆଦି କରାଯାଏ।

ଷ୍ଟ୍ରୋକ୍‌କୁ ସୁସ୍ଥ ହୋଇଥିବା ବ୍ୟକ୍ତି କୋଭିଡ୍ ଟିକା ନେଇପାରିବେ କି? (Can a person who had a stroke can get a vaccine in Odia)

ସାଧାରଣତଃ ଅଧିକାଂଶ କ୍ଷେତ୍ରରେ ଷ୍ଟ୍ରୋକ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ରକ୍ତ ପତଳକାରୀ ଔଷଧ ଦିଆଯାଇଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତିଙ୍କର ଆଇଏନ୍‌ଆର୍‌ ଟେଷ୍ଟ କରାଯାଏ। ଯଦି ଆଇଏନ୍‌ଆର୍‌ ୧.୫ରୁ ୨.୫ ଭିତରେ ଥିବ, ତାହେଲେ ସେ କୋଭିଡ୍‌ ଟିକା ନେଇପାରିବେ। ଯଦି ଆଇଏନ୍‌ଆର୍‌ ୨.୫ ଉପରକୁ ଥାଏ, ତାହେଲେ ରକ୍ତ ପତଳକାରୀ ଔଷଧର ଡୋଜ୍‌ କମେଇଦିଆଯାଏ ଏବଂ  ଏହାପରେ ବ୍ୟକ୍ତି ଟିକା ନେଇପାରିବେ।

ଡାକ୍ତରଙ୍କ ପରାମର୍ଶ (Doctor’s advice)

ସୁଷମ ଖାଦ୍ୟ ଖାଇବାକୁ ହେବ।

ଡାଏବେଟିସ୍‌ ଥିଲେ ନିଜ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାକୁ ହେବ।

ତେଲ, ମସଲା, ଲୁଣ, ଛଣାଛଣି ଯୁକ୍ତ ଖାଦ୍ୟ କମ୍‌ ଖାଇବେ।

ଧୂମପାନ, ମଦ୍ୟପାନରୁ ନିବୃତ୍ତ ରହନ୍ତୁ।

ଚିନ୍ତାମୁକ୍ତ ରହନ୍ତୁ।

ନିୟମିତ ଯୋଗ, ବ୍ୟାୟାମ କରିବା ଜରୁରୀ।

ମୋଟାପଣ କମ୍‌ କରିବା ପାଇଁ ବ୍ୟାୟାମ ଓ ସଠିକ୍‌ ଡାଏଟ୍‌ ଖାଆନ୍ତୁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Brain Stroke, in Odia language, is based on an extensive interview with Neurosurgeon Dr Soubhagya Ranjan Tripathi.