ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’
  • ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେ
  • ଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ
KNB Season Two Thumbnails_2nd episode

କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ ସବୁଠି ଦେଖାଦେଇଛି ସଙ୍କଟମୟ ପରିସ୍ଥିତି। ପ୍ରଥମ ଲହର ବେଳେ କୋଭିଡ ଯେଉଁମାନଙ୍କୁ ଛୁଇଁପାରି ନଥିଲା, ଦ୍ଵିତୀୟ ଲହରରେ ସେଠାରେ ପ୍ରବେଶ କରିଛି ମହାମାରୀ। ବଣ ପାହାଡ଼ ଘେରା ପ୍ରାକୃତିକ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଶାର ଜନଜାତିମାନଙ୍କଠାରେ ଏବେ ସଂକ୍ରମଣର ଭୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ଏଥରର ପ୍ରସଙ୍ଗ ରହିଛି ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ର ଅଡିଓ ସିରିଜ ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ପ୍ରସାରଣ କରାଯାଉଛି।

2nd episode knb speakers

ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ’ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି।ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟରେ ସାମିଲ ହୋଇଛନ୍ତି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ୟୁନିସେଫ୍ ଓଡ଼ିଶାର ନ୍ୟୁଟ୍ରିସନ ସ୍ପେଶାଲିଷ୍ଟ୍ ସୌରଭ ଭଟ୍ଟାଚାର୍ଜୀ, ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ଧନାଇ ଚରଣ ଟୁଡୁ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ (ଓପିଇଏଲ୍ଆଇପି) ଅଧୀନରେ କାମ କରୁଥିବା ଜଣେ କମ୍ୟୁନିଟି ରିସୋର୍ସ ପର୍ସନ ଗୋବର୍ଦ୍ଧନ ଓ୍ଵାଡ୍‌କା ଏବଂ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଦୀପ୍ ଗ୍ରେସ୍ ଏକ୍କା।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ରେଡିଓ ଧାରାବାହିକରେ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

ଅଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଫେସବୁକରେ ଭିଡିଓ ପୋଷ୍ଟ କରାଯିବ। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯିବ।