ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ହଲଚଲ ସୃଷ୍ଟି କରିଛି। ଦ୍ୱିତୀୟ ଲହରର ଭୟାବହତାରେ ସାରାଦେଶ ଆତଙ୍କିତ ହୋଇଥିଲା ବେଳେ ଏବେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି। ଏହି ଆଶଙ୍କା କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ ବିଜୟ ରାଘବନ।

ତୃତୀୟ ଲହରରେ କରୋନାର ନୂଆ ରୂପ ଦେଖାଦେଇପାରେ। ଏହା ଯେକୌଣସି ମାଧ୍ୟମରେ ସଂକ୍ରମିତ କରିପାରେ। ଏହା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ବୋଲି ସେ ସନ୍ଦେହ କରିଛନ୍ତି।

ଦେଶରେ ତୃତୀୟ ଲହର କରୋନା ସଂକ୍ରମଣ କେତେବେଳେ ଆସିବ ତାହା କହି ହେବ ନାହିଁ। ତେଣୁ ଏବେଠାରୁ ସତର୍କତା ଆପଣାଇବାକୁ ପଡ଼ିବ ବୋଲି ଡକ୍ଟର ରାଘବନ ପରାମର୍ଶ ଦେଇଛନ୍ତି।

ଡକ୍ଟର ରାଘବନଙ୍କ ତୃତୀୟ ଲହର ଆଶଙ୍କା ପରେ ସମ୍ପୂର୍ଣ୍ଣ ଦେଶରେ ଲକ୍‌ଡାଉନ ଘୋଷଣା କରିବାକୁ ଦାବି ଉଠିଛି। ଦ୍ୱିତୀୟ ଲହରରେ ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍‌ କରିଛି। ତେଣୁ ତୃତୀୟ ଲହରରେ ସ୍ଥିତି କ’ଣ ହେବ ତାକୁ ନେଇ ସମସ୍ତେ ଭୟଭୀତ ଅଛନ୍ତି। ତେଣୁ ଦେଶରେ ଲକଡାଉନ୍‌ ନିମନ୍ତେ ବିଭିନ୍ନ ମହଲରୁ ଦାବି ଉଠୁଛି।

ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ହରିଆଣା, ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ ଏବେ ଲକଡାଉନ୍‌ ଜାରି ରହିଛି। ତେଣୁ ଦେଶରେ ପୁଣି ଥରେ ଲକଡାଉନ୍‌ ଘୋଷଣା ହେବା ନେଇ କଳ୍ପନା, ଜଳ୍ପନା ପ୍ରକାଶ ପାଇଛି।

ସୌଜନ୍ୟ: ଓଡ଼ିଶାଲାଇଭ୍‌