କାନକୁ ଠିକ୍‌ରେ ଶୁଣା ନ ଯିବା ବା କମ୍‌ ଶୁଣାଯିବା ସମସ୍ୟାକୁ ଶ୍ରବଣ ଦୋଷ କୁହାଯାଏ। ଏହି ସମସ୍ୟା ନବଜାତ ଶିଶୁଠାରେ ଦେଖାଯାଇପାରେ, ବୟସ ବଢ଼ିଲେ କିମ୍ବା ଅନ୍ୟ କାରଣ ଯୋଗୁଁ ବି ହୋଇପାରେ। କିପରି ଏହାର ଚିକିତ୍ସା କରାଯାଏ? ବିଶିଷ୍ଟ ଶ୍ରବଣ ବିଶେଷଜ୍ଞ ଡାକ୍ତର ସ୍ୱରୂପ ବିକାଶ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା।

ଶ୍ରବଣ ଦୋଷ ଅର୍ଥ ହେଉଛି କାନକୁ ଶୁଣା ନ ଯିବା। ଜନ୍ମରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ହୋଇପାରେ।

କାନକୁ ନ ଶୁଭିବାର କାରଣ (Causes of Deafness in Odia)

କାନକୁ ନ ଶୁଭିବାର କାରଣ ବିଭିନ୍ନ ପ୍ରକାରର। ଯଦି ଗର୍ଭାବସ୍ଥାରେ ମହିଳାଙ୍କର ଉଚ୍ଚରକ୍ତଚାପ, ଥାଇରଏଡ କିମ୍ବା ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ମେଡିସିସ୍ ଖାଉଛନ୍ତି କିମ୍ବା ମଦ୍ୟପାନ ଭଳି ନିଶାଦ୍ରବ୍ୟର ସେବନ କରୁଛନ୍ତି, ତାହାହେଲେ ଜନ୍ମତ ଶିଶୁର ବଧିରତାର କାରଣ ହୋଇପାରେ।

କେତେକ କ୍ଷେତ୍ରରେ ଜେନେଟିକ୍ କାରଣରୁ ମଧ୍ୟ ବଧିରତା ହୋଇପାରେ। କିନ୍ତୁ, ଜଣକୁ ୬୦ ବର୍ଷ ବୟସ ପରେ କାନକୁ ଶୁଭାଯାଉନି। ତେବେ ତାଙ୍କର ଅନ୍ତଃ କର୍ଣ୍ଣ ଭିତରେ ଥିବା ଲିକ୍ୟୁଡ୍ ବା ତରଳଅଂଶ ନଷ୍ଟ ହୋଇଯାଏ।

କେତେକ ଲୋକଙ୍କର ଅଳ୍ପ ବୟସରୁ କାନ ପଚା ରୋଗ ହୋଇଥାଏ। କେତେକ ଲୋକଙ୍କର ଅତ୍ୟଧିକ ଶବ୍ଦ ବା କାନରେ ଆଘାତ ଲାଗିବା ଫଳରେ କାନର ପରଦା ଫାଟିଗଲେ ମଧ୍ୟ କାନକୁ ଶୁଭାଯାଏ ନାହିଁ।

ଶ୍ରବଣ ଦୋଷକୁ ଚିହ୍ନିବେ କିପରି? (How to identify Hearing loss in Odia)

କାନର ଶୁଣିବାର ତୀବ୍ରତା -୧୦ଠାରୁ ୧୨୦ ଡେସିବେଲ ପର୍ଯ୍ୟନ୍ତ ରହିଛି। ଆମେ ଦୈନନ୍ଦିନ ଜୀବନରେ ଯାହା କଥାବାର୍ତ୍ତା କରୁ ତା’ର ତୀବ୍ରତା ପାଖାପାଖି ୬୦ରୁ ୭୦ ଡେସିବାଲ ମଧ୍ୟରେ ଥାଏ। ଯଦି ଜଣକର ଶୁଣିବା ଶକ୍ତି ୨୦ରୁ ୩୦ ଡେସିବେଲ ମଧ୍ୟରେ ଥାଏ, ତେବେ ଜାଣିବେ ଏହା ଶ୍ରବଣ ସମସ୍ୟା। ଯେହେତୁ ଲୋକଙ୍କୁ ଅଳ୍ପ ଶୁଭାଯାଏ, ଲୋକେ ଏହାକୁ ଅଣଦେଖା କରିଥାଆନ୍ତି। ଯଦି ଜଣଙ୍କର କାନ ପାଚିଲା ବା କାନରୁ ପୂଜ ବାହାରିଲା, ତାହାହେଲେ ସେମାନେ ଇଏନ୍‌ଟି ବିଶେଷଜ୍ଞଙ୍କୁ ଦେଖାନ୍ତି ଏବଂ ଇନ୍‌ଟି ଡାକ୍ତର ଶ୍ରବଣ ବିଶେଷଜ୍ଞଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥାଆନ୍ତି। ତେଣୁ, ଯେତେବେଳେ କାନକୁ କମ୍ ଶୁଭାଯାଉଛି ବା କାନ ଜାମ ହେଲା ଭଳି ଲାଗୁଛି ବା କାନରେ ଟିଁ… ଭଳି ଶବ୍ଦ ହେବା ଭଳି ଲାଗୁଛି, ତାହାହେଲେ ସଙ୍ଗେ ସଙ୍ଗେ ଇନ୍‌ଟି ଡାକ୍ତରଙ୍କୁ ଦେଖାନ୍ତୁ ଏବଂ ଯଦି କାନକୁ ନ ଶୁଭିବା ଭଳି ସମସ୍ୟା ଥାଏ, ଶ୍ରବଣ ବିଶେଷଜ୍ଞ ବା ଅଡିଓଲୋଜିଷ୍ଟଙ୍କ ପରାମର୍ଶ କରନ୍ତୁ।

ଅଧିକ ପଢ଼ନ୍ତୁ: ବିଶ୍ୱ ଶ୍ରବଣ ଶକ୍ତି ଦିବସ – ବଧିରତା ସମସ୍ୟା ଦୂର କରିବେ କିପରି?

ଛୋଟ ପିଲାଙ୍କଠାରେ ଶ୍ରବଣ ଦୋଷ ଥିଲେ କେମିତି ଜାଣିବେ? (Hearing loss in new-born in Odia)

ବର୍ତ୍ତମାନ ସବୁ ହସ୍ପିଟାଲଗୁଡ଼ିକରେ ନବଜାତ ଶିଶୁଙ୍କର OAE (Otoacoustic emission) ଟେଷ୍ଟ କରାଯାଉଛି। ଏହାଦ୍ବାରା ଜାଣିହୁଏ ଯେ, ପିଲାକୁ ଶୁଭୁଛି ନା ନାହିଁ। ଯଦି ପିଲାକୁ ଶୁଭୁନାହିଁ, ତାହାହେଲେ ବେରା (Brain Evoked Response Auditory) ପରୀକ୍ଷା କରାଯାଏ।

କାନକୁ ଶୁଭା ନ ଗଲେ କେଉଁ ଚିକିତ୍ସା କରାଯାଏ? (Treatment of hearing loss in Odia)

ଯଦି ଗୋଟେ ପିଲାକୁ ଶୁଭାଯାଉନି, ତାହାହେଲେ କେଉଁ କାରଣ ପାଇଁ ଶୁଭୁନି ତାହା ଦେଖାଯାଏ। ବାହ୍ୟ କର୍ଣ୍ଣ କିମ୍ବା ଅନ୍ତଃକର୍ଣ୍ଣରେ ସମସ୍ୟା ଥିଲେ ଇଏନ୍‌ଟି ବିଶେଷଜ୍ଞ ପାଖକୁ ପଠାଯାଏ। ସେମାନେ ବିଭିନ୍ନ ସର୍ଜରି ଦ୍ବାରା କାନର ସମସ୍ୟାକୁ ଠିକ୍ କରିପାରନ୍ତି। କିନ୍ତୁ, ଯେଉଁମାନଙ୍କର ଜନ୍ମ ବେଳୁ ଅନ୍ତଃକର୍ଣ୍ଣରେ ସମସ୍ୟା ଥାଏ, ସେମାନଙ୍କୁ କୌଣସି ସର୍ଜରି କିମ୍ବା ଚିକିତ୍ସା ଦ୍ବାରା ଚିକିତ୍ସା କରାଯାଏ ନାହିଁ। ସେମାନଙ୍କୁ ଶ୍ରବଣ ଯନ୍ତ୍ର ଦିଆଯାଏ, ଯାହାଫଳରେ ସେମାନେ କେତେ ମାତ୍ରାରେ ଶୁଣିପାରିବେ।

କେତେକ ପିଲାଙ୍କୁ ଆଦୌ ଶୁଣାଯାଏ ନାହିଁ ଓ ଶ୍ରବଣ ଯନ୍ତ୍ର ଦେଲେ ମଧ୍ୟ ଶୁଭାଯାଏ ନାହିଁ। ତେଣୁ ସେମାନଙ୍କ କ୍ଷେତ୍ରରେ କକ୍‌ଲିଆର ଇମ୍‌ପ୍ଲାଣ୍ଟ ସର୍ଜରି କରାଯାଏ। ଜଣେ ଅଡିଓଲୋଜିଷ୍ଟ ଓ ଇଏନ୍‌ଟି ସ୍ପେଶାଲିଷ୍ଟ ମିଶିକି ଏହି ସର୍ଜରି କରାଯାଏ।

ଅଧିକ ପଢ଼ନ୍ତୁ: ପିଲାଙ୍କ କାନ ପାଚିଲେ କ’ଣ କରିବେ? ଜାଣିରଖନ୍ତୁ

ବୟସ୍କ ଲୋକଙ୍କଠାରେ ବଧିରତାର ଚିକିତ୍ସା (Treatment of hearing loss in older people in Odia)

ବୟସ୍କ ଲୋକଙ୍କ କାନକୁ ଶୁଭା ନ ଯାଉଥିଲେ ପିଓର୍ ଟୋନ୍ ଅଡିଓମେଟ୍ରି କରାଯାଏ। ଏହି ପଦ୍ଧତିରେ ବ୍ୟକ୍ତିଙ୍କ କାନରେ ହେଡ୍‌ଫୋନ୍ ଲଗାଯାଏ ଓ କେତେକ ଶବ୍ଦ ବଜାଯାଏ। ଏହାଦ୍ବାରା ବ୍ୟକ୍ତିଙ୍କ କାନକୁ କେତେ ମାତ୍ରାରେ ଶୁଭାଯାଉଛି, ତାହା ଜାଣିପାରୁ। ତାକୁ ଆଧାର କରି ଶ୍ରବଣ ଯନ୍ତ୍ର ଲଗାଇବାକୁ ଦେଇଥାଉ। ବର୍ତ୍ତମାନ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ରକମର ଶ୍ରବଣଯନ୍ତ୍ର ମିଳୁଛି।

କେଉଁ ଭୁଲ ଯୋଗୁଁ ହୋଇପାରେ ବଧିରତା (Causes of deafness in Odia)

ଅଧିକାଂଶ ଲୋକଙ୍କର କାନରେ ତୂଳା କାଠି ବା ବଡ୍ସ ପୂରାଇ କାନକୁ ସଫା କରିବାକୁ ଚେଷ୍ଟା କରିଥାଉ। ହେଲେ ବଡ୍ସ କାନ ଭିତରେ ଭର୍ତ୍ତି କରିବା ଦ୍ବାରା କାନରେ ଲାଗିଥିବା ମଇଳା ଆହୁରି ଭିତରକୁ ଯାଇଥାଏ ଓ ବାରମ୍ବାର ବଡ୍ସ ମାରିବା ଯୋଗୁଁ କାନର ଭିତର ଅଂଶ ସମ୍ବେଦନଶୀଳ ହୋଇଯାଏ। ଫଳରେ କାନ ନଳୀ ସଂକ୍ରମଣ ହୋଇ ପୂଜ ବା ପାଣି ବାହାରେ। ଏହାଛଡ଼ା ଅତ୍ୟଧିକ ଶବ୍ଦ ପ୍ରଦୂଷଣ, ଡିଜେ ସାଉଣ୍ଡ, ବାଣ ଶବ୍ଦ ଯୋଗୁଁ ମଧ୍ୟ ବଧିରତା ବା ଶ୍ରବଣ ଦୋଷ ହୋଇପାରେ।   

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସ୍ୱରୂପ ବିକାଶ ମିଶ୍ରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Hearing Loss in Odia, is based on an extensive interview with Audio-Vestibular Specialist Dr Swarup Bikash Mishra.