କିଶୋର ଅବସ୍ଥାର ଛଅଟି ବଡ଼ ସମସ୍ୟା ଦୁର୍ଘଟଣା, ନିଶାଦ୍ରବ୍ୟ ସେବନ, ହିଂସା, ଆତ୍ମହତ୍ୟା, ଅବାଞ୍ଛିତ ଗର୍ଭଧାରଣ, ମେଦବହୁଳତାରୁ ସୁରକ୍ଷିତ ରହିବା ପାଇଁ ସେସବୁ କ’ଣ ପ୍ରଥମେ ଜାଣିବା ଦରକାର।

alcohol addiction

ପିଲାମାନଙ୍କ ପାଇଁ ବାପା, ମାଆ ବ୍ୟସ୍ତ ହେବା ସାଧାରଣ କଥା। କିନ୍ତୁ କିଶୋର ଅବସ୍ଥାରେ ପିଲାମାନେ ସ୍ୱାଧୀନ ହୋଇଥାନ୍ତି ତେଣୁ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ସମ୍ଭବ ହୋଇନଥାଏ। ପିଲାମାନେ ନିଜେ ନିଜର ଭଲ ମନ୍ଦ ନିଷ୍ପତ୍ତି ନେଇଥାନ୍ତି।

Schizophrenia

ତେଣୁ ପିତା ମାତା କିଶୋର ଅବସ୍ଥାରେ ଦେଖା ଦେଉଥିବା ଶାରୀରିକ ଓ ମାନସିକ ସମସ୍ୟା ବିଷୟରେ ସଚେତନ ରହିଲେ ସେମାନେ ପିଲାମାନଙ୍କୁ ସହାୟତା କରିପାରିବେ। ପିଲାମାନଙ୍କୁ ମଧ୍ୟ ପିତା ମାତାମାନେ ଏସବୁ ବିଷୟରେ ସଚେତନ କରିପାରିବେ ଓ ଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିପାରିବେ।

accident

  1. ଦୁର୍ଘଟଣା

ଆଜିକାଲି ଦ୍ରୁତ ବେଗରେ ମୋଟର ସାଇକେଲ୍, କାର୍ ଚଳାଇବା କାରଣରୁ ସ୍କୁଲ୍ ଓ କଲେଜ୍ ପିଲା ଦୁର୍ଘଟଣାଗ୍ରସ୍ତ ହେବାର ଖବର, ପ୍ରାୟ ପ୍ରତିଦିନ ଖବରକାଗଜରେ ଦେଖିବାକୁ ମିଳୁଛି। ତେଣୁ ସାନ ସାନ ପିଲାମାନଙ୍କୁ କାର୍ ବା ମୋଟର ସାଇକେଲ୍ ଦେବା ପୂର୍ବରୁ ସେମାନଙ୍କୁ ଦୁର୍ଘଟଣାର ଭୟାବହତା ଓ ଡ୍ରାଇଭିଂର ଦାୟିତ୍ୱ ବିଷୟରେ ବୁଝାଇ ଦିଅନ୍ତୁ। ଆପଣଙ୍କ ସନ୍ତାନ ସୁରକ୍ଷିତ ରହିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ। ଏହାଫଳରେ ଆପଣ ନିଜର ସନ୍ତାନ ସହ ତା’ର ସାଙ୍ଗସାଥୀମାନଙ୍କୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିପାରିବେ।

suicide

  1. ଆତ୍ମହତ୍ୟା

କିଶୋର ଅବସ୍ଥାରେ ଆଉ ଏକ ବଡ଼ ସମସ୍ୟା ହୋଇଥାଏ ଆତ୍ମହତ୍ୟା। ଏହି ସମୟରେ ପିଲାମାନଙ୍କର ମନ ଭିତରେ ଭାବାବେଗ ଭରି ରହିଥାଏ। ସେମାନେ ସାମାଜିକ ପ୍ରତ୍ୟାଖ୍ୟାନ, ଅସଫଳତାକୁ ବରଦାସ୍ତ କରିପାରନ୍ତି ନାହିଁ। ବହୁ କିଶୋର କିଶୋରୀଙ୍କ ମନରେ ଆତ୍ମହତ୍ୟା ଭାବନା ଆସିଥାଏ। ଅବଶ୍ୟ ସମସ୍ତେ ସେପରି ପଦକ୍ଷେପ ଗ୍ରହଣ କରିନଥାନ୍ତି। କିଶୋର ଅବସ୍ଥାରେ ଆତ୍ମହତ୍ୟାର ଅନ୍ୟତମ କାରଣ ହୋଇଥାଏ ଏକଲାପଣ, ବିଷାଦ, ପାରିବାରିକ ସମସ୍ୟା ଏବଂ ମାଦକ ଦ୍ରବ୍ୟ ସେବନ। ଏହି ସମସ୍ୟାଗୁଡ଼ିକ ଜଟିଳ ହୋଇଥାଏ ଏବଂ କୌଣସି ଗୋଟିଏ ଦୁଇଟି ବିଷୟ ଯୋଗୁଁ ହୋଇନଥାଏ। କିଶୋର ଅବସ୍ଥାରେ ପିଲାମାନଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରନ୍ତୁ। ବାପା ଏବଂ ମାଆ ଉଭୟେ ବା କେହି ଜଣେ ପିଲାର ନିକଟତର ହୋଇ ରହନ୍ତୁ। ଯାହାଫଳରେ ସେମାନେ ମନ କଥା କହିପାରିବେ ଏବଂ କୁସଙ୍ଗରେ ପଡ଼ିବା ବା କୁଭାବନାର ବଶବର୍ତ୍ତୀ ହେବାରୁ ଦୂରେଇ ରହିବେ।

angry mood

  1. ହିଂସ୍ରଭାବ ବା ଅସହିଷ୍ଣୁତା

କିଶୋର ଅବସ୍ଥାରେ ପିଲାମାନେ ଭାବିଥାନ୍ତି ଯେ ସେମାନେ ଯାହା କରୁଛନ୍ତି ଠିକ୍ କରୁଛନ୍ତି। ଅନ୍ୟ କାହାର ଚାପ ବା ନିର୍ଦ୍ଦେଶ ନିଜର ଇଚ୍ଛା ବିରୋଧରେ ରହିଥିଲେ ବରଦାସ୍ତ କରିପାରନ୍ତି ନାହିଁ। ବେଳେ ବେଳେ ପିଲାମାନେ ଜିନିଷ ପତ୍ର ଭାଙ୍ଗିବା, ଖରାପ ଭାଷା ପ୍ରୟୋଗ କରିବା ଏପରିକି ଘରେ ଓ ବାହାରେ ଗଣ୍ଡଗୋଳ କରିବାର ଦେଖାଯାଇଥାଏ। କିଶୋର ଅବସ୍ଥାରେ ପିଲାଟି ପ୍ରତିକ୍ରିୟା ପ୍ରକାଶ କଲେ ବାପା, ମାଆ ପ୍ରତିକ୍ରିୟାଶୀଳ ନ ହୋଇ ଏହାକୁ ହାଲ୍‌କା ଭାବରେ ଗ୍ରହଣ କରିବେ । ପିଲାଟିକୁ ଶାସନ କରି ଏକୁଟିଆ କରିବା ପରିବର୍ତ୍ତେ ତାହା ସହିତ ଅଧିକରୁ ଅଧିକ କଥାବାର୍ତ୍ତା ହେବେ ଏବଂ ତାକୁ ବୁଝିବେ ଓ ବୁଝାଇବେ। ପିଲାଟି ସହିତ ବନ୍ଧୁ ପରି ଆଚରଣ କରିବେ।

teen age pregency

  1. କିଶୋର ଅବସ୍ଥାରେ ଗର୍ଭଧାରଣ

ଆଜିକାଲିର ମୁକ୍ତ ସମାଜରେ ପିଲାମାନେ ବେଳେ ବେଳେ ବୟସର ମାଦକତାରେ ନିଜର ସଂଯମଶକ୍ତି ହରାଇ ଗର୍ଭବତୀ ହୋଇଥାନ୍ତି। ଯାହାକି ସେମାନଙ୍କ ପାଇଁ ସାରା ଜୀବନ ଏକ କଳାପୃଷ୍ଠା ହୋଇ ରହିଯାଏ। କେତେକ ଝିଅ ଘର ଛାଡ଼ି ଚାଲିଯାନ୍ତି, କେହି ଆତ୍ମହତ୍ୟା କରନ୍ତି, ଆଉ କେହି ପ୍ରଚୁର ସମ୍ଭାବନା ସତ୍ତ୍ୱେ ପାଠପଢ଼ାରେ ଡୋରି ବାନ୍ଧି ଘର ସଂସାର କରିଥାନ୍ତି। କିଶୋର କିଶୋରୀମାନଙ୍କୁ ବାପା ମାଆ ସୁରକ୍ଷିତ ସହବାସ, ଯୌନ ସଂକ୍ରମିତ ରୋଗ ତଥା ଯୌନ ଶିକ୍ଷା ବିଷୟରେ ସୂଚନା ଦେଇ ସଚେତନ କରିବା ଉଚିତ୍। ଯାହାଫଳରେ ସେମାନେ ଅବାଞ୍ଛିତ ଗର୍ଭଧାରଣରୁ ଦୂରେଇ ରହିବେ। ଯୌନ ରୋଗରେ ଆକ୍ରାନ୍ତ ହେବେ ନାହିଁ। ଯଦି କେହି ଏପରି ଅସୁବିଧାରେ ପଡ଼ିଥାନ୍ତି ତେବେ ତାଙ୍କର ପିତାମାତା ଡାକ୍ତରଙ୍କ ପାଖକୁ ଯାଇ ଝିଅଟିର ଚିକିତ୍ସା କରାଇବା ସହ ଝିଅଟିକୁ ସ୍ନେହ ଶ୍ରଦ୍ଧା ଦେଇ ପରିସ୍ଥିତିର ସମ୍ମୁଖୀନ ହେବାରେ ସାହାଯ୍ୟ କରିବେ। ସାମାଜିକ ଓ ପାରିବାରିକ ପ୍ରତ୍ୟାଖ୍ୟାନ ଝିଅଟିର ମୃତ୍ୟୁର କାରଣ ହୋଇପାରେ। ତେଣୁ ପିଲାମାନଙ୍କର ବନ୍ଧୁ ପରି ରହି ବାପାମାଆ ସେମାନଙ୍କୁ ସବୁ ସଙ୍କଟରୁ ରକ୍ଷା କରିପାରିବେ ଓ  ତାଙ୍କ ଚାରିପଟେ ସ୍ନେହର ସୁରକ୍ଷା ବଳୟ ସୃଷ୍ଟି କରିପାରିବେ।

say no to smoke and drink

  1. ସିଗାରେଟ୍, ମଦ ଏବଂ ନିଶାଦ୍ରବ୍ୟ ସେବନ

ଆଜିକାଲି ପିଲାମାନେ ମଦ, ସିଗାରେଟ୍, ନିଶାଦ୍ରବ୍ୟ ସେବନ କରିବା ବହୁଳ ଭାବରେ ପରିଲକ୍ଷିତ ହେଉଛି। ହାଇସ୍କୁଲ୍ ବା ସପ୍ତମ, ଅଷ୍ଟମ ଶ୍ରେଣୀରୁ ଏହି ଅଭ୍ୟାସ ଆରମ୍ଭ କରିଥାନ୍ତି। ଯଦି ସେମାନଙ୍କୁ ବାପା, ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଉଚିତ୍ ଶିକ୍ଷା ତଥା ଅନୁକୂଳ ଉଦାହରଣ ଦେଇ ବୁଝାଇ ପାରନ୍ତେ ତେବେ ଅଧାରୁ ଅଧିକ କିଶୋର କିଶୋରୀ ଏହି ନିଶା ଅଭ୍ୟାସରୁ ଦୂରେଇ ରହିପାରନ୍ତେ। ପିଲାମାନେ ମଜା ମଉଜରେ ନିଶା ଇଞ୍ଜେକ୍ସନ, ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରି ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାନ୍ତି। ବାପା ମାଆ ସାମାନ୍ୟ ସତର୍କ ହେଲେ ଏବଂ ଯଦି କୌଣସି ପିଲା କେବେ ମଦ, ସିଗାରେଟ୍ ଖାଇବାର ଦେଖନ୍ତି ବା ଜାଣନ୍ତି ତାଙ୍କ ପ୍ରତି କଠୋର ମନୋବୃତ୍ତି ପୋଷଣ ପରିବର୍ତ୍ତେ ବନ୍ଧୁ ପରି ବୁଝାଇଲେ ସେ ବୁଝିଯାଇପାରନ୍ତି। ପିଲାମାନଙ୍କୁ ଯଦି କଠୋର ଭାବରେ ଶାସନ କରି କୌଣସି କଥା ପାଇଁ ବାରଣ କରାଯାଏ ସେମାନେ ଜିଦ୍ କରି ସେହି କାମ ବାରମ୍ବାର କରିଥାନ୍ତି। ତେଣୁ ଏହି ମାନସିକତାକୁ ପିତା ମାତା ବୁଝିବା ଉଚିତ୍।

fat in adult age

  1. ଖାଇବା ବିକୃତି ଏବଂ ମେଦବହୁଳତା

ଅଧିକାଂଶ କିଶୋର କିଶୋରୀ ଠିକ୍ ସମୟରେ ଖାଆନ୍ତି ନାହିଁ। ହାଇସ୍କୁଲ୍ ପିଲାମାନଙ୍କ ମଧ୍ୟରୁ କେତେକ ଯଥେଷ୍ଟ ଖାଆନ୍ତି ନାହିଁ ଏବଂ ଜାଣିଶୁଣି ଉପବାସ ରହିଥାନ୍ତି। ଫଳରେ ବାନ୍ତି, ଅତ୍ୟଧିକ ଖାଇବା ଇତ୍ୟାଦି ଦେଖା ଦେଇଥାଏ। ଆଜିକାଲିର ଫାଷ୍ଟଫୁଡ୍ ମଧ୍ୟ କିଶୋର କିଶୋରୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି। ପିଲାଟିବେଳୁ ବାପା ମାଆ ପିଲାମାନଙ୍କୁ ପ୍ରତ୍ୟେକ ଖାଦ୍ୟର ଉପକାରିତା ଓ ଅପକାରିତା ବିଷୟରେ ବୁଝାଇ ଠିକ୍ ସମୟରେ ଖାଇବା ଅଭ୍ୟାସ କରାଇଲେ ଏହା ବହୁ ପରିମାଣରେ ସେମାନଙ୍କୁ ସୁସ୍ଥ ଭାବରେ ବଢ଼ିବାରେ ସାହାଯ୍ୟ କରିବ। ପିଲାମାନେ ପାଠପଢ଼ା ଚାପରେ ବ୍ୟାୟାମ କରିବାକୁ ସମୟ ପାଆନ୍ତି ନାହିଁ, ଠିକ୍‌ରେ ଖିଆପିଆ କରନ୍ତି ନାହିଁ, ତେଣୁ ଓଜନ ବଢ଼ିଥାଏ। ତେଣୁ କିଶୋର କିଶୋରୀମାନଙ୍କୁ ଦୈନିକ ବ୍ୟାୟାମ କାର୍ଯ୍ୟକ୍ରମରେ ତାଲିକାଭୁକ୍ତ କରାଇବା ଭଲ।