ଅଧିକ ପଢ଼ନ୍ତୁ: ସୁଆଦିଆ ଓ ସ୍ଵାସ୍ଥ୍ୟକର ମାଣ୍ଡିଆ ପକୁଡ଼ି – ଜାଣନ୍ତୁ, ଏହାର ଫାଇଦା

ପୁଷ୍ଟିରେ ଭରପୂର ଚିନ୍ନା ଚାଉଳରେ ପ୍ରସ୍ତୁତ ଦହି ଭାତ।

ଚିନ୍ନା ଚାଉଳ (ପ୍ରୋସୋ ମିଲେଟ୍‌) ହେଉଛି ଏକ ପୁଷ୍ଟିଶସ୍ୟ। ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରି ରହିଛି। ଚିନ୍ନା ଚାଉଳ ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ, ଯାହା ଡାଏବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଭଲ। ଏହାଛଡ଼ା ଏଥିରେ ତନ୍ତୁ, କ୍ୟାଲସିୟମ୍‌, ଲୌହ ଭରପୂର ପରିମାଣରେ ରହିଛି। ଏଥିସହ ଏହା ଗ୍ଲୁଟେନ୍‌ ମୁକ୍ତ, ଯାହା ଗ୍ୟାସ୍‌ ବା ଏସିଡିଟି କରାଇନଥାଏ।

ଆଜି ଆସନ୍ତୁ ଜାଣିବା ଚିନ୍ନା ଚାଉଳରେ ପ୍ରସ୍ତୁତ ଦହି ଭାତ।

ଆବଶ୍ୟକୀୟ ସାମଗ୍ରୀ

ଚିନ୍ନା ଚାଉଳ – ୫୦ ଗ୍ରାମ୍‌, ଦହି – ୫୦୦ ଗ୍ରାମ୍‌, ହେଙ୍ଗୁ – ୧ ଚିମୁଟାଏ, ତେଲ – ୫୦ଗ୍ରାମ୍‌, ଜିରା – ଅଧା ଚାମଚ, ସୋରିଷ – ୧/୪ ଚାମଚ, ବିରି- ଅଧା ଚାମଚ, ବୁଟ – ଅଧା ଚାମଚ, ଭୁର୍ସୁଙ୍ଗ ପତ୍ର – ୨୦ ଗ୍ରାମ୍‌, ଶୁଖିଲା ଲଙ୍କା -୫ଟା, ଚିନାବାଦାମ – ୧ ମୁଠା, ଧନିଆ ପତ୍ର – ୫ଟି ଛୋଟ ଛୋଟ କଟା ହୋଇଥିବ ଏବଂ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ଚିନ୍ନା ଚାଉଳକୁ ବାଛି ଭଲରେ ଧୋଇ ଦିଅନ୍ତୁ।

ଗୋଟିଏ ମଧ୍ୟମ ଧରଣର ପାତ୍ରରେ ପାଣି ନେଇ ଗରମ କରନ୍ତୁ।

ଧୁଆ ହୋଇଥିବା ଚିନ୍ନା ଚାଉଳକୁ ଏହି ଗରମ ପାଣିରେ ପକାନ୍ତୁ ଓ ଏହାକୁ ୧୫ ମିନିଟ୍‌ ନରମ ହେବା ଯାଏଁ ରାନ୍ଧନ୍ତୁ।

ସିଝା ଚିନ୍ନା ଚାଉଳରେ ଦହିକୁ ଭଲ ଭାବରେ ଗୋଳାନ୍ତୁ।

ଗ୍ୟାସ୍‌ରେ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ।

ଚିନାବାଦାମ, ବିରି, ବୁଟକୁ ସେଥିରେ ପକାନ୍ତୁ ଏବଂ ଅଳ୍ପ ଆଞ୍ଚରେ ୨ ମିନିଟ୍‌ ଭାଜନ୍ତୁ। ଏହାପରେ ଭୁର୍ସୁଙ୍ଗ ପତ୍ର, ସୋରିଷ, ଜିରା, ଶୁଖିଲା ଲଙ୍କା ଓ ହେଙ୍ଗୁ ମିଶାଇ ଅଳ୍ପ ଆଞ୍ଚରେ ୧୦ ସେକେଣ୍ଡ ଭାଜନ୍ତୁ।

ସଙ୍ଗେ ସଙ୍ଗେ ଏହାକୁ ଚିନ୍ନା ଭାତ ଦହି ଥିବା ପାତ୍ରରେ ଓଜାଡ଼ି ଭଲଭାବରେ ଗୋଳାନ୍ତୁ।

ଧନିଆ ପତ୍ରରେ ସଜାଇ ପରଶନ୍ତୁ।

ସୌଜନ୍ୟ: ଓଡ଼ିଶା ମିଲେଟ୍ସ ମିଶନ୍