ତୁଣ୍ଡ ଘା’ କାହିଁକି ହୁଏ? ତୁଣ୍ଡ ଘା’ କ୍ୟାନ୍‌ସର କରିପାରେ କି? ଏନେଇ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଏଲିନା ଚୌଧୂରୀ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ପାଟିର ଯେକୌଣସି ସ୍ଥାନରେ ଘା’ ସୃଷ୍ଟି ହେଲେ ତାହାକୁ ତୁଣ୍ଡ ଘା’ କୁହାଯାଏ। ସାଧାରଣତଃ ଏହି ଘା‘ ଗୋଟେରୁ ୨ ସପ୍ତାହ ମଧ୍ୟରେ ମନକୁ ମନ ଭଲ ହୋଇଯାଏ। ଯଦି ଏହି ଅବଧିରେ ଘା’ ଭଲ ହେଉନି କିମ୍ବା ଘା’ଟି ସଂକ୍ରମଣ ହୋଇ ବଢୁଛି,  ତେବେ ଏହା ଚିନ୍ତାର କାରଣ। ଏହା କ୍ୟାନସର ହୋଇପାରେ।

ତୁଣ୍ଡ ଘା’ କ’ଣ? (What is Mouth Ulcer in Odia)

ଦାନ୍ତକୁ ଛାଡ଼ି ପାଟିର ଯେକୌଣସି ଅଂଶରେ ଘା’ ହେଲେ, ତାକୁ ତୁଣ୍ଡ ଘା’ କହିଥାଉ। ଏହି ଘା’ ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳାରେ ବି ହୋଇପାରେ।

କାହିଁକି ହୁଏ ତୁଣ୍ଡ ଘା’? (Causes of Mouth Ulcer in Odia)

ପାଟିରେ କୌଣସି ପ୍ରକାରର ସଂକ୍ରମଣ ହେଲେ ତୁଣ୍ଡ ଘା’ ହୋଇପାରେ। ଏହାଛଡ଼ା ଅଧିକ ଦିନ ଧରି କୌଣସି ଔଷଧ ଖାଉଥିଲେ, ଆସ୍ଥମା ରୋଗ ପାଇଁ ଇନ୍‌ହେଲର ନେଉଥିଲେ, ପାଟି ଭଲ କରି ସଫା କରୁ ନଥିଲେ ମଧ୍ୟ ତୁଣ୍ଡ ଘା’ ହୋଇପାରେ।

ପାନ, ଗୁଟ୍‌ଖା, ସିଗାରେଟ୍‌ ଭଳି ମାଦକଦ୍ରବ୍ୟ ସେବନ ଯୋଗୁଁ ତୁଣ୍ଡ ଘା’ ହୋଇପାରେ। ଭିଟାମିନ୍‌ ଅଭାବ ଯୋଗୁଁ ପାଟିରେ ଅଲସର ହୋଇପାରେ।

ତୁଣ୍ଡ ଘା’ଲକ୍ଷଣ (Symptoms of Mouth Ulcer in Odia)

ପାଟିରେ ଅଲସର ହେଲେ ପାଟି ପୋଡ଼ିବା, ଘା’ ହୋଇଥିବା ସ୍ଥାନ ନାଲି ପଡ଼ିଯିବା ଭଳି ଲକ୍ଷଣ ଦେଖାଦିଏ।

ତୁଣ୍ଡ ଘା’ଚିକିତ୍ସା କେମିତି ହୁଏ? (Treatment of Mouth Ulcer in Odia)

ତୁଣ୍ଡ ଘା’ର ଚିକିତ୍ସା କରିବା ପୂର୍ବରୁ କେଉଁ କାରଣ ପାଇଁ ହେଉଛି ତାହା ଦେଖାଯାଏ। ଯଦି ପାଟିରେ ଘା’ ୭ରୁ ୧୫ ଦିନ ଧରି ଶୁଖୁନାହିଁ, ତାହାହେଲେ ନିକଟସ୍ଥ ଦନ୍ତ ଡାକ୍ତରଙ୍କୁ ପରାମର୍ଶ କରିବେ। ଯଦି ଦାନ୍ତ ତୀକ୍ଷ୍ଣ ଥିବା ଯୋଗୁଁ ଓଠ କିମ୍ବା ଗାଲ ଚୋବାଇ ହେଉଛି, ତାହାହେଲେ ଦାନ୍ତ ଗ୍ରାଇଣ୍ଡିଂ କରି ସମାନ କରିବାକୁ ପଡ଼ିଥାଏ।

ଯଦି ମାଦକଦ୍ରବ୍ୟ ସେବନ ଯୋଗୁଁ ପାଟିରେ ଅଲସର ହେଉଛି, ତେବେ ମାଦକଦ୍ରବ୍ୟ ସେବନରୁ ନିବୃତ୍ତ ରହନ୍ତୁ।

ଡାଏବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ପାଟିରେ ଅଲସର ହୋଇଥିଲେ ତାହା ଡେରୀରେ ଶୁଖିଥାଏ। ସେହି ଅନୁଯାୟୀ ଔଷଧ ସେବନ ଦ୍ୱାରା ଉପଶମ ମିଳିଥାଏ।

ତୁଣ୍ଡ ଘା’ କ୍ୟାନ୍‌ସର କରିପାରେ କି? (Can Mouth Ulcer cause cancer in Odia) 

ପାଟି ଭିତରେ ଘା’ ହେଲେ ତାହା ୭ ଦିନ ଭିତରେ ମନକୁ ମନ ଭଲ ହୋଇଯାଏ। ଯଦି ୭ରୁ ୧୫ ଦିନ ଭିତରେ ଘା’ ଶୁଖୁନାହିଁ ଏବଂ ତାହା ବ୍ୟାପୁଛି, ତେବେ ଏହା ଯନ୍ତ୍ରଣାଦାୟକ ହୋଇପାରେ।

ଯଦି ପାଟି ଭିତରେ ଅଲସର ହୋଇ ତା’ର ଆକାର ବଢ଼ୁଛି ଏବଂ କୌଣସି ଲକ୍ଷଣ ଯେପରିକି ଯନ୍ତ୍ରଣା ହେଉ ନାହିଁ ବା ନାଲି ପଡ଼ୁନାହିଁ, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। କାରଣ ଏହା କ୍ୟାନ୍‌ସର ହୋଇପାରେ।

 (ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଏଲିନା ଚୌଧୁରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Mouth Ulcer, in Odia language, is based on an extensive interview with a Dental Surgeon Dr Elina Choudhury.