ଆଧୁନିକ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ। ସେଥିରୁ କୋଷ୍ଠକାଠିନ୍ୟ ଅନ୍ୟତମ। କୋଷ୍ଠକାଠିନ୍ୟ ବି ଅନେକ ସମସ୍ୟାର କାରଣ।

ପେଟ ଭଲଭାବରେ ସଫା ନ ହେବାର ଅବସ୍ଥାକୁ କୋଷ୍ଠକାଠିନ୍ୟ କୁହାଯାଏ। ଯେତେବେଳେ ବ୍ୟକ୍ତି ୨୪ ଘଣ୍ଟାରେ ଥରେ ମଧ୍ୟ ଝାଡ଼ା ଯାଏ ନାହିଁ କିମ୍ବା ଦୁଇ ତିନି ଦିନରେ ଥରେ ଝାଡ଼ା ହୁଏ କିମ୍ବା ଅଳ୍ପ ମାତ୍ରାରେ ହୁଏ ତାହାକୁ କୋଷ୍ଠବଦ୍ଧତା ବା କୋଷ୍ଠକାଠିନ୍ୟ କୁହାଯାଏ।

କୋଷ୍ଠବଦ୍ଧତାର କାରଣ

ମାନସିକ ଦୁଶ୍ଚିନ୍ତା, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଥାଇରଏଡ, ଜୀବନଶୈଳୀ, ଫାଷ୍ଟଫୁଡ୍ ବା ଜଙ୍କଫୁଡ୍ ଅଧିକ ସେବନ କରିବା, ଖାଦ୍ୟରେ ଅନିୟମିତତା, ବ୍ୟାୟାମ ନ କରିବା, କମ୍‌ ପାଣି ପିଇବା, ଚା ଓ କଫି ଅଧିକ ପିଇବା, ଧୂମପାନ ସେବନ ଯୋଗୁଁ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ।

କୋଷ୍ଠକାଠିନ୍ୟ ଯୋଗୁଁ ଅର୍ଶ, ମଳକଣ୍ଟକ, ଭଗନ୍ଦର, ଏସିଡିଟି, ଗ୍ୟାଷ୍ଟ୍ରିକ୍‌, ମୁଣ୍ଡ ବୁଲାଇବା, ହାର୍ନିଆ, ମୂତ୍ର ରୋଗ, ଆଣ୍ଠୁଗଣ୍ଠି ବାତ, ଉଚ୍ଚ ରକ୍ତଚାପଳ, ଚର୍ମ ଜନିତ ସମସ୍ୟା, ବ୍ରଣ ଆଦି ସମସ୍ୟା ଉପୁଜିଥାଏ।

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଖାଦ୍ୟ

ଖାଦ୍ୟରେ ପିଜୁଳି, ଅଙ୍ଗୁର, ପାଚିଲା ଓ କଞ୍ଚା ଅମୃତଭଣ୍ଡା, ପାଚିଲା ଡାଳିମ୍ବ ଆଦି ସାମିଲ କରନ୍ତୁ।

ପ୍ରଚୁର ପରିମାଣର ସବୁଜ ପନିପରିବା ନିଜ ଖାଦ୍ୟରେ ସାମିଲ କରନ୍ତୁ।

ଖାଦ୍ୟ ଖାଇବାର ଘଣ୍ଟେ ପୂର୍ବରୁ ଓ ଘଣ୍ଟାଏ ପରେ ପାଣି ପିଅନ୍ତୁ।

ସକାଳ ଜଳଖିଆରେ ଅଙ୍କୁରିତ ଶସ୍ୟ ଯଥା- ଗଜାବୁଟ, ଗଜାମୁଗ, ସୋୟାବିନ ଆଦି ଖାଆନ୍ତୁ।

ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ।

ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ଆଦୌ ଖାଆନ୍ତୁ ନାହିଁ।

ଖାଦ୍ୟ ଠିକ୍ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ।

ସପ୍ତାହରେ ଗୋଟିଏ ଓଳି ଉପବାସରେ ରହନ୍ତୁ।

ଶୋଇବାର ଦୁଇଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ।

ଶାରୀରିକ ଶ୍ରମ କରନ୍ତୁ।

ଭୋଜନରେ ସାଲଡ ବ୍ୟବହାର କରନ୍ତୁ।

ସନ୍ଧ୍ୟାବେଳେ ତମ୍ବା ପାତ୍ରରେ ରଖିଥିବା ପାଣିକୁ ଶଯ୍ୟା ତ୍ୟାଗ ପରେ ଅଧୁଆ ମୁହଁରେ ପିଅନ୍ତୁ।

ଚା’ ଏବଂ କଫିରୁ ନିବୃତ୍ତ ରହନ୍ତୁ।

ଠିକ୍ ସମୟରେ ଶୁଅନ୍ତୁ ଏବଂ ଠିକ୍ ସମୟରେ ଉଠନ୍ତୁ ।