ଅଧକପାଳୀ ହେବାର କାରଣ କ’ଣ? ଏହାର ନିରାକରଣ କେମିତି କରିବେ? ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।

ମାଇଗ୍ରେନ ବା ଅଧକପାଳୀ। ଆମ ସମାଜରେ ଅଧକପାଳୀ ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ପରିସଂଖ୍ୟନରୁ ଜଣାପଡ଼ିଛି କି, ବିଶ୍ୱରେ ପ୍ରାୟ ୧୫ ପ୍ରତିଶତ ବ୍ୟକ୍ତି ମାଇଗ୍ରେନ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ମାଇଗ୍ରେନ ବା ଅଧକପାଳୀ ବର୍ତ୍ତମାନ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି।

ମାଇଗ୍ରେନ୍‌ ବା ଅଧକପାଳୀ ସମସ୍ୟା ବିଶେଷକରି ମହିଳାଙ୍କଠାରେ ଅଧିକ ଦେଖାଦିଏ। ୨୦ରୁ ୫୦ ବର୍ଷ ବୟସର ମହିଳାଙ୍କଠାରେ ଅଧକପାଳୀ ସମସ୍ୟା ହୋଇଥାଏ। ଏହାସହ ମେନୋପଜ୍‌ ପରେ ମୁଣ୍ଡବିନ୍ଧା ବା ମାଇଗ୍ରେନ୍‌ ସମସ୍ୟା କମିଯାଇଥାଏ।

Migraine

ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ ମାଗାଜିନ୍‌। ଲିଙ୍କରେ କ୍ଲିକ୍‌ କରନ୍ତୁ:https://bit.ly/SubscribeToSwasthyaPlusOdia

ମୁଣ୍ଡ ବିନ୍ଧାର ପ୍ରକାର (Types of Headache in Odia)

ମୁଣ୍ଡ ବ୍ୟଥା ମୁଖ୍ୟତଃ ଦୁଇ ପ୍ରକାରର। ପ୍ରାଇମୋରୀ ଓ ସେକେଣ୍ଡାରୀ।

ପ୍ରାଇମେରୀ ମୁଣ୍ଡବିନ୍ଧାର ମୁଖ୍ୟ କାରଣ ହେଲା ମାଇଗ୍ରେନ୍‌ ବା ଅଧକପାଳୀ। ଏହାଛଡ଼ା ଷ୍ଟ୍ରେସ୍‌ ବା ମାନସିକ ଚାପ ଯୋଗୁଁ ମୁଣ୍ଡ ବିନ୍ଧା, କ୍ଲଷ୍ଟର ମୁଣ୍ଡ ବିନ୍ଧା (ଟ୍ରାଇଜେମିନାଲ ନ୍ୟୁରାଲଜିଆ) ପ୍ରାଇମେରୀ ମୁଣ୍ଡବିନ୍ଧାରେ ଅନ୍ତର୍ଭୁକ୍ତ।

ସେକେଣ୍ଡାରୀ ମୁଣ୍ଡବିନ୍ଧାର କାରଣ ହେଉଛି ମସ୍ତିଷ୍କରେ ରକ୍ତସ୍ରାବ ହେଲେ ବା ଷ୍ଟ୍ରୋକ୍‌, ମସ୍ତିଷ୍କରେ କୌଣସି ସଂକ୍ରମଣ, ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ବିନ୍ଧା ହେବା। ସେକେଣ୍ଡାରୀ ମୁଣ୍ଡ ବିନ୍ଧା ଜାଣିବା ପାଇଁ ମସ୍ତିଷ୍କର ସ୍କାନ ଓ ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇଥାଏ।

Migraine

ଅଧିକ ପଢ଼ନ୍ତୁ: ମାଇଗ୍ରେନ ସମସ୍ୟା, ଔଷଧ ଖାଇବା ସହ ଅଭ୍ୟାସ କରନ୍ତୁ ଏହି ୩ଟି ଯୋଗ

ଅଧକପାଳୀର ଲକ୍ଷଣ କ’ଣ? (Symptoms of Migraine in Odia)

ଆସନ୍ତୁ ଜାଣିବା ମାଇଗ୍ରେନ୍‌ ବା ଅଧକପାଳୀର ଲକ୍ଷଣଗୁଡ଼ିକ କ’ଣ?

ମୁଣ୍ଡ ବ୍ୟଥା

ଡାହାଣ, ବାମ ଓ ପଛ ପାର୍ଶ୍ଵ ମୁଣ୍ଡ ବ୍ୟଥା ହେବା

ରହି ରହି ମୁଣ୍ଡ ବ୍ୟଥା ହେବା

ମୁଣ୍ଡ ବିନ୍ଧା ସମୟରେ ବାନ୍ତି ଲାଗିବା ବା ବାନ୍ତି ହେବା

ଲାଇଟ୍‌କୁ ଦେଖିଲେ ବା ଅଧିକ ସାଉଣ୍ଡ ଶୁଣିଲେ ମୁଣ୍ଡ ବ୍ୟଥା ଅଧିକ ହେବା

ବେଳେ ବେଳେ ଆଖିକୁ ଜାଲିଜୁଲିଆ ଦେଖାଯାଏ

ସାଧାରଣତଃ ଅଧକପାଳୀ ତିନି ଘଣ୍ଟାରୁ ତିନି ଦିନ ପର୍ଯ୍ୟନ୍ତ ରହିପାରେ। ବେଳେ ବେଳେ ତିନି ଦିନ ଧରି ମୁଣ୍ଡ ବ୍ୟଥା ହୁଏ, କିନ୍ତୁ ମଝିରେ ମଝିରେ ହୋଇଥାଏ।

ମାଇଗ୍ରେନ୍‌ ମୁଣ୍ଡ ବିନ୍ଧା ଅଧିକ ଦିନ ଧରି ରହିଲେ ବ୍ୟକ୍ତି ଏଙ୍ଗଜାଇଟି ଓ ମାନସିକ ଅବସାଦର ଶିକାର ହୋଇଥା’ନ୍ତି।

Migraine

ଅଧିକ ପଢ଼ନ୍ତୁ: ଗୋଟେ ପାଖ ମୁଣ୍ଡ ବିନ୍ଧୁଛି କି? ହୋଇପାରେ ମାଇଗ୍ରେନ ରୋଗର ଲକ୍ଷଣ

କାହିଁକି ହୁଏ ଅଧକପାଳୀ (Causes of Migraine in Odia)

ମାଇଗ୍ରେନ୍‌ ଆରମ୍ଭ ହେବାର କେତେଗୁଡ଼ିଏ ଟ୍ରିଗର ରହିଛି। ଯେପରିକି – ଋତୁ ପରିବର୍ତ୍ତନ ହେଲେ, ପ୍ରଦୂଷଣ, ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ, ବାରମ୍ବାର ବାରମ୍ବାର ମୁଣ୍ଡ ଧୋଇବା କାରଣରୁ, ଅଧିକ ସାଉଣ୍ଡ ଶୁଣିବା କାରଣରୁ, କିଛି କିଛି କଡ଼ା ଗନ୍ଧ ସଂସ୍ପର୍ଶରେ ଆସିଲେ, କେତେଗୁଡ଼ିଏ ଜିନିଷ ଖାଇବା ଯୋଗୁଁ ଯେପରିକି ଚକୋଲେଟ୍‌, ଛେନା ଜାତୀୟ ଖାଦ୍ୟ, ଅଧିକ ଲୁଣ ଖାଇବ ଦ୍ଵାରା, ମାନସିକ ଚାପ ଯୋଗୁଁ ମଧ୍ୟ ମୁଣ୍ଡ ବିନ୍ଧା ହୋଇଥାଏ, ଶୋଇବାରେ ଅସୁବିଧା ହେଲେ, ଠିକ୍‌ ସମୟରେ ନ ଖାଇଲେ, ଉପବାସରେ ରହିଲେ ମାଇଗ୍ରେନ୍‌ ହୋଇଥାଏ।

ସାଧାରଣତଃ ଯୁବପିଢ଼ିଙ୍କ କ୍ଷେତ୍ରରେ ମାଇଗ୍ରେନ୍‌ ସମସ୍ୟା ଅଧିକ ହୋଇଥାଏ। ମଦ୍ୟପାନ, ଧୂମପାନ ଯୋଗୁଁ ମାଇଗ୍ରେନ୍‌ ହୋଇପାରେ। ଏହାସହ ଯେଉଁମାନେ ଅଧିକା ସମୟ ମୋବାଇଲ, ଟିଭି, କମ୍ପ୍ୟୁଟର ଦେଖନ୍ତି। ସେଥିରୁ ବାହାରୁଥିବା ଆଲୋକ ମାଇେଗ୍ରେନ୍‌ ହେବାର କାରଣ ହୋଇପାରେ।

ଅଧକପାଳୀର ଜଟିଳତା (Complications of Migraine in Odia)

ଅଧିକ ଦିନ ଧରି ମୁଣ୍ଡବିନ୍ଧା ଲାଗି ରହିଲେ ଓ ଏହାର ଚିକିତ୍ସା କରା ନ ଗଲେ ବ୍ୟକ୍ତି ମାନସିକ ରୋଗର ଶିକାର ହୋଇଥା’ନ୍ତି। ଏହାଛଡ଼ା ମାନସିକ ଚାପ ବଢ଼ିଥାଏ, ଏଙ୍ଗଜାଇଟି ବଢ଼ିଥାଏ, ମାନସିକ ଅବସାଦର ଶିକାର ହୋଇଥା’ନ୍ତି ଓ ସେମାନଙ୍କୁ ନିଦ ଠିକ୍‌ ଭାବେ ହୁଏ ନାହିଁ।

ମାଇଗ୍ରେନ୍‌ ସହ ବାତ ମାରିବା ସମସ୍ୟା ଓ ବ୍ରେନ୍‌ ଷ୍ଟ୍ରୋକ୍‌ର ମଧ୍ୟ ସମ୍ପର୍କ ରହିଛି। ମାଇଗ୍ରେନ୍‌ ହେଉଛି ଭାସ୍କୁଲାର ଡିଜିଜ୍‌। ଅଧିକ ଦିନ ଧରି ମୁଣ୍ଡ ବିନ୍ଧା ହେଲେ ମସ୍ତିଷ୍କକୁ ରକ୍ତ ପ୍ରବାହରେ ଅସୁବିଧା ହୁଏ। ଫଳରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ। ଏଣୁ, ମାଇଗ୍ରେନ୍‌ ରୋଗକୁ ହେଳା କରନ୍ତୁ ନାହିଁ। ଏହାର ସଠିକ୍‌ ଭାବେ ଚିକିତ୍ସା କରାଗଲେ ଏଥିରୁ ଉପଶମ ପାଇପାରିବା।

Migraine

ଅଧିକ ପଢ଼ନ୍ତୁ: ବ୍ରେନ୍‌ ଟ୍ୟୁମର ଲକ୍ଷଣ ସମ୍ପର୍କରେ ଜାଣିଲେ ସିନା ଜିଣିବା

ମୁଣ୍ଡ ବିନ୍ଧା କାହିଁକି ବିପଦ? (Why are headaches dangerous in Odia)

ପ୍ରାୟ ସମସ୍ତଙ୍କଠାରେ ମୁଣ୍ଡ ବିନ୍ଧା ଦେଖାଦେଇଥାଏ। ଯଦି ସକାଳୁ ଉଠିବା ପରେ ମୁଣ୍ଡ ବିନ୍ଧା ହେଉଛି, ତେବେ ଏହା ଅଧିକ ବିପଦ। ସକାଳୁ ଉଠିବା ପରେ ଯଦି ତୀବ୍ର ମୁଣ୍ଡ ବିନ୍ଧା ସାଙ୍ଗକୁ ବାନ୍ତି ଲାଗୁଛି ବା ବାନ୍ତି ହେଉଛି ଓ ମୁଣ୍ଡବିନ୍ଧା ପାଇଁ ଉପଯୋଗ ଔଷଧ ଖାଇ ଯଦି ମୁଣ୍ଡ ବିନ୍ଧା କମୁନାହିଁ, ଆଖିକୁ ଜାଲିଜୁଲିଆ ଦେଖାଯାଉଛି, ହାତ ଗୋଡ଼ ଝିମ୍‌ ଝିମ୍‌ ବା ଦୁର୍ବଳ ଲାଗୁଛି ଓ କେତେକ କ୍ଷେତ୍ରରେ ବାତ ମାରୁଛି ବା ବେହୋସ ହୋଇପଡ଼ୁଛିନ୍ତି, ତେବେ ଏହା ସବୁଠୁ ଅଧିକ ବିପଦ। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରି ରୋଗ ନିରୂପଣ କରି ଔଷଧ ଖାଇବା ଜରୁରୀ।

ଅଧକପାଳୀର ଚିକିତ୍ସା ଓ ନିରାକରଣ (Treatment and Prevention of migraine in Odia)

ଡାକ୍ତର ପ୍ରଥମେ ରୋଗୀଙ୍କର କେଉଁ ଜାଗାରେ ମୁଣ୍ଡ ବିନ୍ଧା ହେଉଛି, କେତେ ସମୟ ଯାଏଁ ମୁଣ୍ଡ ବିନ୍ଧା ହେଉଛି ଓ କେଉଁ ଜିନିଷ ସଂସ୍ପର୍ଶରେ ଆସିଲେ ମୁଣ୍ଡ ବିନ୍ଧା ଅଧିକ ହେଉଛି ତାହା ପଚାରି ବୁଝାଯାଏ। କେତେକ କ୍ଷେତ୍ରରେ ମସ୍ତିଷ୍କର ସ୍କାନିଂ କରାଯାଏ ଓ ଏହାର ଚିକିତ୍ସା କରାଯାଏ। ମାଇଗ୍ରେନ୍‌ ପାଇଁ ପ୍ରୋଫାଇଲାକ୍ଟିକ୍‌ ଔଷଧ ଦିଆଯାଏ। ଏହା ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ହେବା କମ୍‌ ରହିବ। ଏହାଛଡ଼ା ମୁଣ୍ଡ ବିନ୍ଧା ଆରମ୍ଭ ହେବା ବେଳେ ଆଉ ଏକ ଔଷଧ ଦିଆଯାଏ, ଯାହାକୁ ଖାଇଲେ ମାଇଗ୍ରେନ୍‌ର ମୁଣ୍ଡ ବିନ୍ଧା କମିଯାଏ।

ଏହାଛଡ଼ା ମୁଣ୍ଡ ବିନ୍ଧା ଯେଉଁ ଟ୍ରିଗର ଯୋଗୁଁ ହେଉଛି, ତାହାକୁ ଏଡ଼ାଇବା ଦରକାର। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର ଏବଯ ଯେଉଁ ଖାଦ୍ୟ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ହେଉଛି, ତାକୁ ଖାଆନ୍ତୁ ନାହିଁ। ପ୍ରଚୁର ପରିମାଣର ପାଣି ପିଇବା ଦରାକର। ପ୍ରଦୂଷଣ ଓ ଅଧିକ ଖରା ସଂସ୍ପର୍ଶରେ ଆସନ୍ତୁ ନାହିଁ। ସବୁବେଳେ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ। ନିୟମିତ ବ୍ୟାୟାମ, ଯୋଗ ଓ ପ୍ରାଣାୟାମ କରିବା ଜରୁରୀ। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଔଷଧ ଖାଇବାର ଆବଶ୍ୟକତା ରହିଛି।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on causes, symptoms, treatment & prevention of Migraine, in Odia language, is based on an extensive interview with neurologist Dr Subhransu Sekhar Jena.