ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ

ନିମ୍ବ ପତ୍ରର ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ନିମ୍ବ ପତ୍ରରେ ପ୍ରସ୍ତୁତ ତରକାରି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର।

ଆବଶ୍ୟକୀୟ ସାମଗ୍ରୀ:

୧) କଅଁଳ ନିମ୍ବପତ୍ର

୨) ଅଳ୍ପ ଗୋଟା ଜିରା, ସୋରିଷ, ଆଉ କିଛି କୋଲା ରଶୁଣର ପେଷ୍ଟ।

୩) ଲମ୍ବା ଲମ୍ବା କଟା ହୋଇଥିବା ଦୁଇ ତିନୋଟି ବାଇଗଣ

ଗୋଟିଏ ଟମାଟ ଛୋଟ ଛୋଟ କଟା ହୋଇଥିବା (ନଚେତ ଆମ୍ବୁଲ ଗୋଟିଏ)

୪) ଲୁଣ, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, ଏମ.ଡି.ଏଚ୍‌ କରି ପାଉଡର, ପାଣି

ତିଆରି କରିବା ପ୍ରଣାଳୀ:

ପ୍ରଥମେ ନିମ୍ବପତ୍ରକୁ ଭଲଭାବରେ ଧୋଇ ବାଟି ଦିଅନ୍ତୁ। ତା’ପରେ ଜିରା, ସୋରିଷ, ଆଉ କିଛି କୋଲା ରଶୁଣ ପକାଇ ଆଉ ଗୋଟିଏ ମଧ୍ୟମ ଆକୃତିର ଟମାଟ ମିଶାଇ ବାଟି ଦିଅନ୍ତୁ।

ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ପକାଇ ଦିଅନ୍ତୁ। ସୋରିଷ, ହେଙ୍ଗୁ ଫୁଟଣ କରି କଟାହୋଇଥିବା ବାଇଗଣକୁ ପକାନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ କିଛି ସମୟ ଭାଜି ହୋଇଗଲା ପରେ ସେଥିରେ ବଟାହୋଇଥିବା ନିମ୍ବପତ୍ର ଆଉ ବଟାହୋଇଥିବା ସୋରିଷ ଜିରା ଆଉ ରଶୁଣର ପେଷ୍ଟକୁ ପକାଇ ଭଲଭାବେ କଷି ଦିଅନ୍ତୁ। ଟିକେ କଷିହୋଇଗଲା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ଏମ.ଡି.ଏଚ୍‌ କରି ପାଉଡର ପକାଇବା। ଅଳ୍ପ ପାଣି ଦେଇ ଫୁଟିବାକୁ ଛାଡ଼ିଦେବା। ଏହା ଫୁଟି ଟିକେ ବହଳିଆ ହୋଇଗଲା ପରେ ଗ୍ୟାସର ଆଞ୍ଚକୁ ବନ୍ଦ କରିଦିଅନ୍ତୁ।

ଆମେ ଏହି ତରକାରୀକୁ ଗରମ ଗରମ ଭାତ ସହିତ ଗୋଳାଇ ଖାଇପାରିବା। ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକାରକ ହୋଇଥାଏ ଏବଂ ଏହା ଖାଇବା ଦ୍ୱାରା ଚର୍ମ ରୋଗରୁ ମୁକ୍ତି ମିଳିଥାଏ। ବିଶେଷକରି ଚୈତ୍ର ମାସରେ ନିମ୍ବ ଖାଇବା ବହୁତ ଭଲ ହୋଇଥାଏ।