ତଣ୍ଟି ଦରଜ ହୁଏ କାହିଁକି? ଏଥିରୁ କେମିତି ପାଇବେ ମୁକ୍ତି।

ଗଳା ସମ୍ବନ୍ଧୀୟ ସମସ୍ୟା ଭିତରେ ଗଳା ଦରଜ ହେବା ଓ ଗଳା ବସିଯିବା ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଖରାରୁ ଆସିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଦେଇଥା’ନ୍ତି। ଫଳରେ ଗଳା ଦରଜ ହୋଇଯାଏ। ଟନ୍‌ସିଲ, ଫାରିନ୍ସ ଓ ଲାରିନ୍ସରେ କୌଣସି ସଂକ୍ରମଣ ହେଲେ, ତଣ୍ଟି ଦରଜ ହୋଇଥାଏ। ଟନ୍‌ସିଲାଇଟିସ୍‌ର ଚିକିତ୍ସା କରା ନ ଗଲେ ଏହା ବୃଦ୍ଧାବସ୍ଥା ଯାଏଁ ରହିଥାଏ।

ଯଦି ଜଣେ ଛୋଟ ପିଲାର ବର୍ଷକ ଭିତରେ ତିନି ଥରରୁ ଅଧିକ ଥର ତଣ୍ଟି ବଥା ହୋଇ ଜ୍ୱର ହେଉଛି ଓ ସେ ଖାଦ୍ୟ ଖାଇ ପାରୁ ନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଟନ୍‌ସିଲାଇଟ୍‌ ସମସ୍ୟା ବୋଲି କହିଥାଉ। ଟନ୍‌ସିଲାଇଟିସ୍‌ର ଚିକିତ୍ସା କରାନଗଲେ ଭବିଷ୍ୟତରେ ଆର୍ଥ୍ରାଇଟିସ୍‌, ହାର୍ଟକୁ ସଂକ୍ରମଣ କରିପାରେ। ତେଣୁ ଭବିଷ୍ୟତରେ ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ତଣ୍ଟି ଦରଜର ଚିକିତ୍ସା କରିବା ଦରକାର।

ଅଧିକ ପଢ଼ନ୍ତୁ: କାନ ବିନ୍ଧା, ନାକରୁ ରକ୍ତ ପଡ଼ିବା ଏବଂ ଟନସିଲାଇଟିସ୍ ସମସ୍ୟାର ନିରାକରଣ କେମିତି କରିବେ?

ଅଧିକାଂଶ ଲୋକଙ୍କର ତଣ୍ଟି ବସି ଯାଏ ବା ତଣ୍ଟି ପଡ଼ିଯାଏ। ଯେତେବେଳେ ଲାରିନ୍‌ଜାଇଟିସ୍‌ (Laryngitis) ବା ସ୍ୱରଯନ୍ତ୍ରରେ କୌଣସି ସଂକ୍ରମଣ ହୁଏ, ସେତେବେଳେ ସ୍ୱର ପଡ଼ିଯାଏ ବା ତଣ୍ଟି ବସିଯାଏ। କେତେକ କ୍ଷେତ୍ରରେ ସ୍ୱରଯନ୍ତ୍ରରେ ମାଂସ ବଢ଼ିଲେ ତଣ୍ଟି ପଡ଼ିଯାଏ। ଏଭଳି ସମସ୍ୟା ହେଲେ ୨୧ ଦିନ ଯାଏଁ ଉଷୁମ ପାଣିରେ ଗର୍ଗଲିଂ କରିବା ସହ କଥାବାର୍ତ୍ତା କମ୍‌ କରିବା ଆବଶ୍ୟକ। ଯଦି ୨୧ ଦିନ ପରେ ବି ସ୍ୱର ଫିଟେ ନାହିଁ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ।

ଶିକ୍ଷକମାନେ ଲମ୍ବା ସମୟ ଧରି ଉଚ୍ଚ ସ୍ୱରରେ ପାଠ ପଢ଼ାଇଲେ ତଣ୍ଟି ବସିଯାଏ। ଏହାଛଡ଼ା ସ୍ୱରଯନ୍ତ୍ରରେ ଛୋଟ ଛୋଟ ନ୍ୟୁଡଲ୍ସ (ସିଙ୍ଗର ନ୍ୟୁଡୁଲ୍ସ) ହୋଇଥାଏ। ଏହା ସାଧାରଣତଃ ଅଧିକ ସମୟ ଧରି ଗୀତ ଗାଉଥିବା ଲୋକଙ୍କଠାରେ ଦେଖାଦେଇଥାଏ। କାରଣ ଗାୟକମାନେ ହଠାତ୍‌ ଉଚ୍ଚ ସ୍ୱରରେ ଗୀତ ଗାଇଥା’ନ୍ତି ଫଳରେ ତଣ୍ଟି ପଡ଼ିଯାଏ। ଏଭଳି କ୍ଷେତ୍ରରେ ଯେତେ ସମ୍ଭବ କମ୍‌ କଥାବାର୍ତ୍ତା କରିବେ, ଧୀରେ ଧୀରେ କହିବେ। ଏହାଦ୍ୱାରା ସ୍ୱରଯନ୍ତ୍ରକୁ ବିଶ୍ରାମ ମିଳିଥାଏ।

ତଣ୍ଟି ଦରଜ ହେଲେ ନଖ ଉଷୁମ ପାଣିରେ ଗର୍ଗଲିଂ କରିବା ଦ୍ୱାରା ଉପଶମ ମିଳିଥାଏ। ଯଦି ୨୧ ଦିନ ପରେ ବି ତଣ୍ଟି ଦରଜ ନ କମେ, ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରିବେ।