ଗର୍ଭାବସ୍ଥାରେ ଅତ୍ୟଧିକ ମୋଟାପଣକୁ ନିୟନ୍ତ୍ରଣ କେମିତି କରିବେ? ସେନେଇ ଜାଣନ୍ତୁ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ।

ଗର୍ଭାବସ୍ଥାରେ ମେଦବହୁତଳା ସବୁଠାରୁ ବଡ଼ ସମସ୍ୟା। ଯଦି ବଡି ମାସ୍‌ ଇଣ୍ଡେକ୍ସ ୨୫ରୁ ବେଶି ହୁଏ, ତେବେ ତାକୁ ମେଦବହୁଳତା ବୋଲି କହିବା। କେତେକ ମହିଳା ଗର୍ଭଧାରଣ ସମୟରେ ଅତ୍ୟଧିକ ମୋଟା ହୋଇଯାଆନ୍ତି। ହେଲେ ଗର୍ଭାବସ୍ଥାରେ ଅତ୍ୟଧିକ ମୋଟାପଣ ବିଭିନ୍ନ ସମସ୍ୟାର କାରଣ ସାଜେ।

ଗର୍ଭାବସ୍ଥାରେ ଓଜନ ବଢ଼ିବାର କାରଣ (Why do women gain weight during pregnancy in Odia)

ସବୁ ଗର୍ଭବତୀ ମହିଳାଙ୍କର ଗର୍ଭଧାରଣର ୯ମାସ ଭିତରେ ଓଜନ ବଢ଼ିବା ସ୍ୱାଭାବିକ। କାରଣ ଏହି ୯ ମାସ ଭିତରେ ଶିଶୁର ବିକାଶ ହୋଇଥାଏ।  ତେଣୁ ଏହି ସମୟରେ ଶିଶୁର ଓଜନ ବଢ଼ିବା ସହିତ ମା’ର ମଧ୍ୟ ଓଜନ ବଢ଼ିଥାଏ।

ଅଧିକାଂଶ ଗର୍ଭବତୀ ମହିଳାଙ୍କର ଧାରଣା ଥାଏ ଯେ, ଗର୍ଭାବସ୍ଥାରେ ଦୁଇଜଣଙ୍କ ପାଇଁ ଖାଦ୍ୟ ଖାଇବା ଦରକାର ଏବଂ ଅଧିକ ଖାଇବା ଦରକାର। କିନ୍ତୁ, ଏହା ଭୁଲ। ଗର୍ଭାବସ୍ଥାର ୯ ମାସ ଭିତରେ ଗର୍ଭବତୀ ମହିଳାଙ୍କର ଓଜନ ୯ କେଜିରୁ ୧୧ କେଜି ଭିତରେ ବଢ଼ିବା କଥା। ଏହି ଓଜନଠାରୁ ବେଶି ହେଲେ ମେଦବହୁଳତା କୁହାଯିବ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାର ପ୍ରଥମ ମାସରେ ଜାଣନ୍ତୁ ମହିଳାଙ୍କ ଶାରୀରିକ ପରିବର୍ତ୍ତନ

lunch

ଗର୍ଭବତୀ ମହିଳାଙ୍କ ପାଇଁ ଖାଦ୍ୟ (Food for pregnant women in Odia)

ଗର୍ଭଧାରଣର ପ୍ରଥମ ତିନିମାସ ଉଭୟ ମା’ ଓ ଶିଶୁ ପାଇଁ ଗୁରୁତ୍ୱପୂର୍ଣ୍ଣ ଥାଏ। ଏହି ପର୍ଯ୍ୟାୟରେ ଗର୍ଭବତୀ ମହିଳାଙ୍କର ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ମୁଣ୍ଡ ବୁଲେଇବା ଭଳି ଲକ୍ଷଣ ଦେଖାଦିଏ। ତେଣୁ ଏହି ସମୟରେ ସବୁ ଗର୍ଭବତୀ ମହିଳାମାନେ ବାହାର ଖାଦ୍ୟ ଖାଇବାରୁ ନିବୃତ୍ତ ରହିବା ଦରକାର। ଗର୍ଭଧାରଣର ପ୍ରଥମ ତିନିମାସ ଆର୍ଟିଫିସିଆଲ ରଙ୍ଗଯୁକ୍ତ ଖାଦ୍ୟ, ପ୍ୟାକେଟ୍‌ ଫୁଡ୍‌ ଓ ଜଙ୍କ ଫୁଡ୍‌ ନ ଖାଇ ଘରେ ତିଆରି ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ।

ତିନି ମାସ ପରେ ପୁଷ୍ଟିକର ଖାଦ୍ୟ ଯେପରିକି କାର୍ବୋହାଇଡ୍ରେଟ୍ସ, ପ୍ରୋଟିନ୍‌, ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହାଛଡ଼ା ଫଳ, ସବୁଜ ପନିପରିବା ଆଦି ଖାଇବା ଭଲ।ପ୍ରୋଟିନ୍‌ରେ ଛେନା, ଅଣ୍ଡା, ଡାଲିଜାତୀୟ ଖାଦ୍ୟ, ଛୋଟ ମାଛ, ସୋୟାବିନ୍‌, ଆଲମଣ୍ଡ, ପିସ୍ତା, କିସ୍‌ମିସ୍‌ ଓ ଓ୍ୱାଲନଟ୍‌ ଖାଇପାରିବେ। ରିଫାଇନ୍‌ ଯୁକ୍ତ କାର୍ବୋହାଇଡ୍ରେଟ୍ସ ଯେପରିକି ମଇଦା, ଅରୂଆ ଚାଉଳ ଓ ଚିନି ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ଅନୁଚିତ।

pregnant lady exercise

ଅଧିକ ପଢ଼ନ୍ତୁ: ପିସିଓଏସ୍ ଥିଲେ ଗର୍ଭଧାରଣରେ ସମସ୍ୟା ହୁଏ କି?

ମେଦବହୁଳତା ଯୋଗୁଁ ଗର୍ଭଧାରଣରେ ସମସ୍ୟା (Pregnancy problems due to obesity in Odia)

ଗର୍ଭାବସ୍ଥାରେ ମେଦବହୁଳତା ହେତୁ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି ହୋଇପାରେ ଏବଂ ମଧୁମେହ ହେଲେ ଶିଶୁର ମଧ୍ୟ ରକ୍ତ ଶର୍କରା ବଢ଼ିପାରେ। ଏହାସହ ଉଚ୍ଚ ରକ୍ତଚାପ ପିଲାର ବିକାଶ ଉପରେ କୁପ୍ରଭାବ ପକାଇଥାଏ। ଗର୍ଭାବସ୍ଥାରେ ମୋଟାପଣ ଯୋଗୁଁ ପ୍ରସବ ଯନ୍ତ୍ରଣା ଅଧିକ ହୁଏ। ଏହାଛଡ଼ା ପ୍ରସବ ବେଳେ ଅନେକ ସମସ୍ୟା ଉପୁଜିପାରେ।

ଗର୍ଭବତୀ ମହିଳାଙ୍କ ପାଇଁ ବ୍ୟାୟାମ ଜରୁରୀ (Exercise is important for pregnant women in Odia)

ଗର୍ଭବତୀ ମହିଳାଙ୍କର ଓଜନ ବଢ଼ିବା ସ୍ଵାଭାବିକ କଥା। ହେଲେ ଓଜନରେ ନିୟନ୍ତ୍ରଣ ରହିବା ଦରକାର। ତେଣୁ, ସାଧାରଣ ଲୋକ ହୁଅନ୍ତୁ ବା ଗର୍ଭବତୀ ମହିଳା ନିୟମିତ ବ୍ୟାୟାମ କରିବା ଜରୁରୀ। ଯେଉଁମାନେ କେବେ କୌଣସି ବ୍ୟାୟାମ କରିନାହାନ୍ତି, ସେମାନେ କେବଳ ଚାଲିପାରିବେ କିମ୍ବା ଯୋଗ କରିପାରିବେ। ହେଲେ ସଠିକ୍‌ ଯୋଗ ଏକ୍ସପର୍ଟଙ୍କଠାରୁ ଶିଖି କରି ଯୋଗ କରିବା ଦରକାର। ଗର୍ଭାବସ୍ଥାରେ ଯୋଗ କରିବା ସବୁଠୁ ଭଲ।

coconut water

ଅଧିକ ପଢ଼ନ୍ତୁ: ପ୍ରଥମ ତିନିମାସ ଗର୍ଭବତୀ ମହିଳା କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ?

ଗର୍ଭାବସ୍ଥାରେ ଖାଇବାକୁ ନେଇ ଭୁଲ ଧାରଣା (Misconceptions about eating during pregnancy in Odia)

ଗର୍ଭାବସ୍ଥାରେ ଅନେକଙ୍କର ଖାଇବାକୁ ନେଇ ଭୁଲ ଧାରଣା ରହିଥାଏ। ଅଧିକାଂଶ ଲୋକେ ଗର୍ଭବତୀ ମହିଳାଙ୍କୁ ଭଣ୍ଡା, ସପୁରୀ, ପଇଡ଼ ପାଣି, ନଡ଼ିଆ ନ ଖାଇବାକୁ କହିଥା’ନ୍ତି। କେତେକ ଲୋକଙ୍କର ଧାରଣା ଥାଏ ଯେ, ନଡ଼ିଆ ଖାଇଲେ ଛୁଆର ଆଖିର ରଙ୍ଗ ଚିଲା ହୋଇଯିବ। ଆଉ କେତେକ ଲୋକ ଭାବନ୍ତି ଯେ, କେଶର ଖାଇଲେ ଛୁଆ ଗୋରା ହୋଇଯିବ। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ।

ଗର୍ଭାବସ୍ଥାରେ ପଇଡ଼ ଖାଇ ହେବ। ହେଲେ ସପୁରୀ ଓ ଭଣ୍ଡାରେ ଆଲକାଲଏଡ୍‌ କେମିକାଲ ଥାଏ, ଯାହା ୟୁଟେରସ୍‌କୁ ଟାଇଟ୍‌ କରିପାରେ। ତେଣୁ, ଏସବୁକୁ ଅଧିକ ପରିମାଣରେ ଖାଇବେ ନାହିଁ।

ଯେଉଁ ମହିଳାଙ୍କର ଲୁଣି ମାଛ, ଚିଙ୍ଗୁଡ଼ି ଆଦିରେ ଆଲର୍ଜି ଅଛି, ସେମାନେ ଗର୍ଭାବସ୍ଥାରେ ସେସବୁକୁ ଖାଇବା ଅନୁଚିତ।

pregnant lady

ଗର୍ଭାବସ୍ଥାରେ ମହିଳା ଜଣକ ଯେତିକି ଖାଉଛନ୍ତି, ତା’ର ୫୦୦ରୁ ୧୦୦୦ କ୍ୟାଲୋରି ଅଧିକ ଖାଇବା ଦରକାର। ଗର୍ଭଧାରଣର ୭ରୁ ୯ ମାସ ଭିତରେ ପେଟ ବଡ଼ ହୋଇଯାଇଥାଏ, ଫଳରେ ବଦ୍‌ହଜମୀ, ଗ୍ୟାସ୍‌ ଭଳି ସମସ୍ୟା ହୋଇଥାଏ। ଏହି ସମୟରେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବେ ଓ ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରିବ, ତାକୁ ଖାଇବା ଜରୁରୀ। ୩-୪ ଘଣ୍ଟାରୁ ଅଧିକ ସମୟ ଖାଲି ପେଟରେ ରହିବେ ନାହିଁ।

ଗର୍ଭବତୀ ମହିଳାମାନେ ଘଣ୍ଟେ କିମ୍ବା ଦେଢ଼ ଘଣ୍ଟାରେ ୧ ଗ୍ଲାସ୍‌ ପାଣି ପିଇବା ଦରକାର। ସନ୍ଧ୍ୟା ୬ଟା ପରେ ପାଣି ପିଇବା କମ୍‌ କରିଦେବେ, ଫଳରେ ରାତିରେ ବାରମ୍ବାର ପରିସ୍ରା କରିବା ପାଇଁ ଉଠିବାକୁ ପଡ଼ିବ ନାହିଁ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁଜାତା କରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Obesity during pregnancy, in Odia language, is based on an extensive interview with obstetrician and gynecologist Dr Sujata Kar.