ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଜୀବିକା ଉପରେ କୋଭିଡର ପ୍ରଭାବ’

ଜୀବନ, ଜୀବିକା, ମହାମାରୀ – ଗତ ଦେଢ଼ ବର୍ଷ ଭିତରେ ଏ ସବୁରେ ଛନ୍ଦି ହୋଇଯାଇଛି ମଣିଷ। କରୋନା ମହାମାରୀ ସାରାବିଶ୍ୱକୁ ଏଭଳି ପ୍ରଭାବିତ କରିଛି ଯେ, ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ଦୋହଲି ଯାଇଛି। ଫଳରେ ଦୁଃଖ ଓ ହତାଶା ଭିତରେ ଅନେକଙ୍କ ଦିନ କଟୁଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ’ ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘ଜୀବିକା ଉପରେ କୋଭିଡର ପ୍ରଭାବ’।

ଶନିବାର ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିଛନ୍ତି ‘କେତେ ନୂଆ ବାଟ ସିଜିନ୍‌ ୨’ର ଷଷ୍ଠ ଭିଡିଓ ସିରିଜ ‘ଜୀବିକା ଉପରେ କୋଭିଡର ପ୍ରଭାବ’। ଏହାଛଡ଼ା ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହା ପ୍ରସାରିତ ହୋଇଛି।

ଭିଡିଓ ସିରିଜର ଷଷ୍ଠ ଅଧ୍ୟାୟରେ ଥିଲେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ୟୁନିସେଫ୍ ଓଡ଼ିଶାର ସୋସିଆଲ ପଲିସି ସ୍ପେଶାଲିଷ୍ଟ ସୌମେନ ରାୟ, ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର, ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ, ଅଡ଼ଶପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ହିରଣ୍ମୟୀ ମିଶ୍ର, ଭୁବନେଶ୍ୱର ସରକାରୀ ଆଇଟିଆଇର ଛାତ୍ରୀ ରିନା ବାଘ, ରାୟଗଡ଼ା ଜିଲ୍ଲାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ ମହାପାତ୍ର।

‘‘କୋଭିଡ ବେଳେ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଦ୍ୱିତୀୟ ଲହର ବେଳେ ଶ୍ରମିକ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇ ଦେବାକୁ ଏପ୍ରିଲ, ମେ’, ଜୁନ୍ ମାସରେ ୭ କୋଟି ୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏଥିରେ ୩୨ ଲକ୍ଷ ୧୮ ହଜାର ୫ ଜଣଙ୍କୁ କାମ ଯୋଗାଇ ଦିଆଯାଇଛି। ମନରେଗାରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ନିକଟରେ ରାଜ୍ୟ ସରକାର ୩୫୨ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଥିଲେ। ଫଳରେ ଶ୍ରମିକ ଶ୍ରେଣୀର ଲୋକ ଉପକୃତ ହୋଇଛନ୍ତି’’, କହିଥିଲେ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

ଏହି ଅଧ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ମନରେଗାକୁ କିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ା ଯାଇ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଉଛି ଏବଂ ତା’ଦ୍ୱାରା ଶ୍ରମିକ ଶ୍ରେଣୀର ଲୋକେ କିଭଳି ଉପକୃତ ହେଉଛନ୍ତି ସେ ବିଷୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ କହିଥିଲେ, ‘‘ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାର ୧ ଲକ୍ଷରୁ ଊର୍ଦ୍ଧ୍ୱ ଜବ୍‌କାର୍ଡଧାରୀଙ୍କୁ ମନରେଗା ଅଧୀନରେ କାମ ମିଳିଥିଲା। ଆଗାମୀ ଦିନରେ କିଭଳି ଆହୁରି ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ କାମ ଯୋଗାଇ ଦିଆଯିବ ସେଥିପାଇଁ ଯୋଜନା ଚାଲିଛି।’’

“ଲକଡାଉନ୍‌ ଘୋଷଣା ହେବା ପରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ କାମ ଛାଡ଼ି ରାଜ୍ୟକୁ ଫେରିଥିଲେ। ତାକୁ ନଜରରେ ରଖି ସରକାର ବିଭିନ୍ନ ପ୍ରକାର ଯୋଜନା ଘୋଷଣା କଲେ। ମାତ୍ର ଅନେକ ଲୋକ ଏହି ଯୋଜନା ବିଷୟରେ ଜାଣିପାରୁନଥିଲେ। ଏହିସମୟରେ ୟୁନିସେଫ୍‌ ବିଭିନ୍ନ ସଂସ୍ଥା ସହାୟତାରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଲା। ଲୋକେ କେମିତି ସରକାରଙ୍କ ଯୋଜନାର ଲାଭ ନେଇପାରିବେ ସେ ଦିଗରେ ଆମେ କାମ କରୁଛୁ’’, କହିଥିଲେ ୟୁନିସେଫ୍‌ ଓଡ଼ିଶାର ସୋସିଆଲ ପଲିସି ସ୍ପେଶାଲିଷ୍ଟ ସୌମେନ ରାୟ।

‘‘ଆମ ରାଜ୍ୟରେ କୋଭିଡ୍‌ ସଂଖ୍ୟା କମିବାରେ ଲାଗିଛି। କିନ୍ତୁ ଆମେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାରେ ଢିଲା କରିବା ନାହିଁ। ଆମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପଦ। ତେଣୁ ଆମେ କୋଭିଡର ସମସ୍ତ ଗାଇଡଲାଇନ୍‌ ପାଳନ କରିବା। ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମଜିକ ଦୂରତା ରଖିବା। ଏହାସହିତ ଟିକାକରଣ ପ୍ରକ୍ରିୟାରେ ନିଜକୁ ନିଶ୍ଚୟ ସାମିଲ କରିବା’’ କହିଥିଲେ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ।

ସେହିପରି ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର ମଧ୍ୟ ସାମିଲ ହୋଇଥିଲେ। ରାଜ୍ୟର କେତେକ ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବାରୁ ଏଥରୁ ଆମେ କେମିତି ରକ୍ଷା ପାଇପାରିବ ସେ ବିଷୟରେ ସୂଚନା ଦେଇ ଡାକ୍ତର ଶ୍ରୀକାନ୍ତ ଧର କହିଥିଲେ, ‘‘ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ। ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ହୋଇଥାଏ। ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ଆମକୁ ଆମ ପାରିପାର୍ଶ୍ୱିକ ପରିବେଶକୁ ସଫା ରଖିବାକୁ ହେବ। ଘର ଆଖପାଖରେ ଯେମିତି ମଶା ବଂଶ ବିସ୍ତାର ନକରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସତର୍କତା ଅବଲମ୍ବନ କଲେ ଆମେ ଡେଙ୍ଗୁରୁ ରକ୍ଷା ପାଇପାରିବା’’।

ଏହାଛଡ଼ା ଆପଣ ଏହି ଭିଡିଓ ସିରିଜରେ ମିଶନ ଶକ୍ତି ମହିଳାଙ୍କ ସଫଳତାର କାହାଣୀ, ରାୟଗଡ଼ାର ଜଣେ କିଶୋର ଶୁଭମ ମହାପାତ୍ରଙ୍କ କୋଭିଡ୍‌ ଡାଏରି ମଧ୍ୟ ଦେଖିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କିଭଳି ଏକ କାଫେ ପରିଚାଳନା କରୁଛନ୍ତି ତାହା ମଧ୍ୟ ଦେଖିଛନ୍ତି।

ବୌଦ୍ଧର ଜଣେ ଝିଅ ରିନା ବାଘ ଭୁବନେଶ୍ୱର ପଢ଼ିବାକୁ ଆସିଥିଲା ବେଳେ କୋଭିଡ୍‌ ଯୋଗୁଁ ଆଉ ଘରକୁ ନଯାଇ ପାରି କେମିତି ଏକ ଓ୍ୱେଲ୍ଡିଂ ଦୋକାନରେ କାମ କଲେ ପରେ ତାଙ୍କୁ ଭୁବନେଶ୍ୱରରେ ଥିବା ସରକାର ଆଇଟିଆଇରେ ପଢ଼ିବାର ସୁଯୋଗ ମିଳିଲା ସେ ସେ କାହାଣୀ ମଧ୍ୟ ଏହି ଅଧ୍ୟାୟରେ ଦେଖାଯାଇଛି।

କୋଭିଡ୍ ମହାମାରୀ ବେଳେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’। ଏହି କାର୍ଯ୍ୟକ୍ରମରେ ନଲେଜ୍‌ ପାର୍ଟନରଭାବେ ଯୋଡ଼ି ହୋଇଛି ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, ସାହସ ଓ ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।