ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’

ସାରାବିଶ୍ୱ ପାଇଁ ଏବେ ଏକ ବଡ଼ ବିପତ୍ତି ପାଲଟିଛି କରୋନା। ଗତଦେଢ଼ ବର୍ଷ ହେଲା ଏହି ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ବିଶେଷକରି ଏ ସମୟରେ ସାନ ସାନ ପିଲାମାନେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ପ୍ରଭାବ ପକାଇଛି କରୋନା। ତେଣୁ ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଡିଓ ସିରିଜ୍‌ର ପଞ୍ଚମ ଅଧ୍ୟାୟରେ ପ୍ରସଙ୍ଗ ଥିଲା ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା’।

କୋଭିଡ୍ ମହାମାରୀ ବେଳେ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’। ନଲେଜ୍‌ ପାର୍ଟନର ‘ମୋ କଲେଜ୍‌’ ଅଭିଯାନ।

5th audio episode of Kete Nua Bata

ଏହି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅଡିଓ ସିରିଜର ପଞ୍ଚମ ଅଧ୍ୟାୟ ଜୁଲାଇ୍‌ ୧୮, ରବିବାର ସକାଳ ୧୦ଟାରେ ଅଡିଓ ସିରିଜର ଏହି ଏପିସୋଡ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହୋଇଛି। ଏହାଛଡ଼ା ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହା ପ୍ରସାରଣ କରାଯାଇଛିା

ଅଡିଓ ସିରିଜ୍‌ର ପଞ୍ଚମ ଅଧ୍ୟାୟରେ ଥିଲେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ୟୁନିସେଫ୍‌ ଓଡ଼ିଶାର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ, ଆକ୍ସନଏଡ୍‌ ଅଧୀନରେ ଚାଲିଥିବା ବାଲ୍ୟ ବିବାହ ନିରୋଧୀ କାର୍ଯ୍ୟକ୍ରମର ନ୍ୟାସନାଲ ମ୍ୟାନେଜର ଘାସିରାମ ପଣ୍ଡା, ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ ସମ୍ବିତ ନନ୍ଦ, ପୁରୀ ଜିଲ୍ଲାରୁ ଜଣେ ଅଙ୍ଗନବାଡ଼ି କର୍ମୀ ସୁଜାତା ବେହେରା ଓ ଭୁବନେଶ୍ୱରର ଜଣେ ଏମ୍‌ଏସ୍‌ସି ନର୍ସିଂ ଛାତ୍ରୀ ଶୁଭ୍ରାଜ୍ୟୋତି ବାରିକ୍‌।

‘‘ଏବେ ଆମେ ସମସ୍ତେ ଏକ କଷ୍ଟକର ପରିସ୍ଥିତି ଦେଇ ଗତି କରୁଛେ। ବଡ଼ଙ୍କ ସହିତ ସାନ ସାନ ପିଲାମାନେ କୋଭିଡ୍‌ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବଡ଼ମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟା ଦେଖାଯାଉଛି’ ତା’ର ପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି। ପିଲାମାନେ ଘରେ ଅଛନ୍ତି। ତେଣୁ ଅଭିଭାବକ ଏ ସମୟରେ ପିଲାଙ୍କ କଥା ଶୁଣନ୍ତୁ, ବୁଝନ୍ତୁ ଏବଂ ସେମାନଙ୍କୁ ସ୍ନେହ ଦିଅନ୍ତୁ। ଯେଉଁଠି ଆବଶ୍ୟକ ସେଇଠି ସରକାରଙ୍କ ଯେଉଁ ବ୍ୟବସ୍ଥା ରହିଛି ତା’ର ସୁଯୋଗ ନିଅନ୍ତୁ’’, ଅଡିଓ ସିରିଜରେ ଭାଗ ନେଇ ଏହା କହିଥିଲେ ୟୁନିସେଫ୍‌ ଓଡ଼ିଶାର ଚାଇଲ୍ଡ ପ୍ରୋଟେକ୍ସନ ସ୍ପେଶାଲିଷ୍ଟ ନେହା ନାଇଡୁ।

‘‘ଯେଉଁ ପିଲାମାନେ ଏପ୍ରିଲ୍‌ ୧, ୨୦୨୦ ପରଠାରୁ ଯେକୌଣସି କାରଣରୁ ବାପା, ମା’ଙ୍କୁ ହରାଇଛନ୍ତି ବା ବାପା, ମା’ଙ୍କ ଭିତରୁ ଜଣଙ୍କୁ ହରାଇଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ରାଜ୍ୟ ସରକାର ‘ଆଶୀର୍ବାଦ’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଉଭୟ ବାପା, ମା’ଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ। ଯଦି ସେହି ପିଲାଙ୍କର କେହି ଯତ୍ନ ନେବାକୁ ନଥିବେ ତେବେ ତାଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବ। ଆଉ ଯଦି ପରିବାରର ଉପାର୍ଜନକ୍ଷମ ମା’, କିମ୍ବା ବାପାଙ୍କ ମୃତ୍ୟୁ ଘଟିଥିବ ତାଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ। ଏହାବାଦ ସେମାନଙ୍କୁ ମଧୁବାବୁ ପେନସନ୍‌ ଜରିଆରେ ୫୦୦ ଟଙ୍କା ଦିଆଯିବ। ସର୍ବ ଶିକ୍ଷା ଯୋଜନାରେ ପିଲାଙ୍କ ପାଠପଢ଼ା ଲାଗି ବନ୍ଦୋବସ୍ତ କରାଯିବ’’, କହିଥିଲେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା।

‘‘ପିଲାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ଚାଇଲ୍ଡ ହେଲ୍‌ପ ଲାଇନ୍‌, ଜିଲ୍ଲା ଶିଶୁ ସୁରକ୍ଷା ଅନୁଷ୍ଠାନ, ଶିଶୁ ମଙ୍ଗଳ ସମିତି ପିଲାଙ୍କ ପାଇଁ ରହିଛି। ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି ମଧ୍ୟ ରହିଛି। ପିଲା ହେଉଛନ୍ତି ଅଧିକାରର ଧାରକ। ଆମେ ସମସ୍ତେ ତାଙ୍କୁ ସେଇ ଅଧିକାର ଦେବା ପାଇଁ କାମ କରୁଥିବା ଅଧିକାରୀ। ତେଣୁ ଆମ ସମସ୍ତଙ୍କ ଉତ୍ତର ଦାୟିତ୍ୱ ପିଲାଙ୍କୁ ସୁରକ୍ଷିତ ରଖିବା’’, କହିଥିଲେ ଆକ୍ସନଏଡ୍‌ ଅଧୀନରେ ଚାଲିଥିବା ବାଲ୍ୟ ବିବାହ ନିରୋଧୀ କାର୍ଯ୍ୟକ୍ରମର ନ୍ୟାସନାଲ ମ୍ୟାନେଜର ଘାସିରାମ ପଣ୍ଡା।

‘‘ଆମେ ସମସ୍ତେ କୋଭିଡ ସହ ଦେଢ଼ ବର୍ଷ କାଟିଲେଣି। ଏ ସମୟରେ ନିଜ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ବାଟ ହେଉଛି ଆମେ ସକରାତ୍ମକ ମନୋଭାବ ରଖିବା। ଏଥିପାଇଁ ଆମେ ବିଭିନ୍ନ ସଫଳ ବ୍ୟକ୍ତିଙ୍କ ଜୀବନ କାହାଣୀ ପଢ଼ିପାରିବା, ଅଭିଭାବକଙ୍କ ସଂଘର୍ଷର କାହାଣୀ ଶୁଣିବା ଏହାସହିତ ଆମେ ନିଜ ଭିତରେ ଥିବା କଳାର ବ୍ୟବହାର କରିବା। ତାହେଲେ ଯାଇ ଆମେ ଏ ଅବସାଦରୁ ମୁକୁଳିପାରିବା’’, କହିଥିଲେ ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ ସମ୍ବିତ ନନ୍ଦ।

ସେହିପରି ଏହି ଅଡିଓ ସିରିଜ୍‌ରେ ପୁରୀ ଜିଲ୍ଲାର ଜଣେ ଅଙ୍ଗନବାଡ଼ି କର୍ମୀ ସୁଜାତା ବେହେରା ସାମିଲ ହୋଇଥିଲେ। ସେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚାଲିଥିବା ଅଦ୍ୱିକା କାର୍ଯ୍ୟକ୍ରମର କିଭଳି ପରାଚାଳନ କରୁଛନ୍ତି ସେ ସମ୍ପର୍କରେ କହିଥିଲେ।

‘‘ଅଦ୍ୱିକା କାର୍ଯ୍ୟକ୍ରମଟି ମାସର ପ୍ରତି ଶନିବାର କରାଯାଏ। ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକାଙ୍କୁ ସେମାନଙ୍କ ଶାରୀରିକ, ମାନସିକ ଓ ତାଙ୍କର ସ୍ୱାସ୍ଥ୍ୟଗତ ବିଷୟରେ ଆଲୋଚନା କରୁ। କିଶୋରୀମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସଖି, ସହେଲି ଭାବେ ବଛା ଯାଏ। ସେମାନେ ବିଭିନ୍ନ ଟ୍ରେନିଂ ପ୍ରୋଗ୍ରାମକୁ ଯାଆନ୍ତି। ସେଠାରୁ ଫେରି ଅନ୍ୟ କିଶୋରୀ ବାଳିକାଙ୍କୁ ସେ ବିଷୟରେ ବୁଝାନ୍ତି’’, କହିଥିଲେ ଅଙ୍ଗନବାଡ଼ି କର୍ମୀ।

‘‘କୋଭିଡ ୧୯ ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ହସ୍ପିଟାଲ ଯାଉଛୁ। ରୋଗୀଙ୍କ ସେବାରେ ସହାୟ ହେଉଛୁ। ଏହି ସଙ୍କଟ ସମୟରେ ଲୋକଙ୍କ କାମରେ ଆସିପାରିଥିବାରୁ ମତେ ନିଜକୁ ଗର୍ବିତ ଲାଗୁଛି’’, କହିଥିଲେ  ଭୁବନେଶ୍ୱରର ଜଣେ ନର୍ସିଂ ଛାତ୍ରୀ ଶୁଭ୍ରାଜ୍ୟୋତି ବାରିକ୍‌।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଅଡିଓ ସିରିଜ ‘କେତେ ନୂଆ ବାଟ ସିଜିନ୍‌ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍‌ଏମ୍‌ରେ ରବିବାର ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରୁଛନ୍ତି।

ସେହିପରି ‘କେତେ ନୂଆ ବାଟ’ ସିଜିନ୍‌ ୨ର ଅଭିଯାନ ଅଧୀନରେ ବିଭିନ୍ନ ବିଷୟ ଉପରେ ଆପଣ ବିଭିନ୍ନ ଟିଭି ଚ୍ୟାନେଲ ସହିତ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସ୍‌ର ଫେସବୁକ୍‌, ୟୁଟ୍ୟୁବ୍‌ ସମେତ ବିଭିନ୍ନ ସୋସିଆଲ ଚ୍ୟାନେଲରେ ଭିଡିଓ ମଧ୍ୟ ଦେଖୁଛନ୍ତି।