‌ବିଭିନ୍ନ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ଵରରୁ ଶରୀରକୁ ରକ୍ଷା କରିବା ପାଇଁ ସୁଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ। ଏଥିପାଇଁ ନିୟମିତ ସନ୍ତୁଳିତ ଖାଦ୍ୟ ସହିତ ବ୍ୟାୟାମ କରିବା ଜରୁରୀ। ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖାଦ୍ୟରେ ଟମାଟ ସୁପ୍‌ ସେବନ କରନ୍ତୁ।

ଟମାଟ ସୁପ୍

ଟମାଟ ସୁପ୍‌ ଦେହ ପାଇଁ ଭଲ ବୋଲି କୁହାଯାଉଛି। ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିସାର ଭରି ରହିଛି। ଏଥିରେ ଭିଟାମିନ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ରହିଛି। ଟମାଟ ସୁପ୍‌ ପିଇଲେ ଓଜନ ମଧ୍ୟ ହ୍ରାସ ପାଇଥାଏ। ଏହି ସୁପ୍‌ କ୍ୟାନ୍‌ସର୍‌ ଆଶଙ୍କା ବି କମ୍ କରିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନକୁ ତ୍ୱରା୍ନ୍ୱିତ କରିଥାଏ। ଟମାଟ ସୁପ୍‌ରେ ଭିଟାମିନ୍‌ କେ ରହିଥିବାରୁ ହାଡ଼ ମଝବୁତ ହୋଇଥାଏ।

ଟମାଟ ସୁପ୍‌ ପ୍ରସ୍ତୁତ କରିବା ପାଇଁ ଟମାଟ, ଆମ୍ବକୋଷିଆ ଅଦା, ଗୋଲମରିଚ, ହଳଦୀ, ଜିରା, ଭୃସୁଙ୍ଗା ପତ୍ର, ହେଙ୍ଗୁ, ଅଦା, ରସୁଣର ବ୍ୟବହାର ହୋଇଥାଏ। ଏହା ହଜମ କରିବାରେ ସାହାଯ୍ୟ କରିଥାଏ। ଟମାଟରେ ଭିଟାମିନ୍‌ ସି ଓ ଲାଇସୋପିନ୍‌ ନାମକ ରସାୟନ ରହିଛି ଏବଂ ଅଦାରେ ଜିଞ୍ଜେରୋଲ ଓ ହଳଦୀରେ କୁର୍କୁମିନ୍‌ ଭଳି ତତ୍ୱ ରହିଛି, .ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରି, ଆଣ୍ଟିମାଇକ୍ରୋବାୟୋଲ ତତ୍ୱ ରହିଛି, ଯାହାକି ଥଣ୍ଡା, କାଶରୁ ରକ୍ଷା ଦେଇଥାଏ।

ଟମାଟ ସୁପ୍‌ ପ୍ରସ୍ତୁତି ପ୍ରଣାଳୀ

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ଏଥିରେ ଦେଢ଼ ଚାମଚ ଘିଅ କିମ୍ବା ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେଲେ ଏଥିରେ ଅଧ ଛୋଟ ଚାମଚ ସୋରିଷ, ଅଧଚାମଚରୁ କମ୍‌ ଜିରା, ଚିମୁଟାଏ ମେଥି, ଚିମୁଟାଏ ହେଙ୍ଗୁ, ଗୋଟେ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ଏଥରେ ଭୃସୁଙ୍ଗା ପତ୍ର, ୪ କୋଲା ରସୁଣ, ୪ଟି ଲବଙ୍ଗ, ଅଧ ଇଞ୍ଚ ଅଦାକୁ କଦୁକସ୍ କରି ମିଶାନ୍ତୁ। ଏହାପରେ ଏଥିରେ ୨ଟି ବଡ଼ ଟମାଟକୁ କାଟି ମିଶାନ୍ତୁ ଓ ଆବଶ୍ୟକ ମୁତାବକ ଲୁଣ ମିଶାନ୍ତୁ। ଏହାପରେ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ। ଟମାଟ ନରମ ହୋଇଗଲେ ଏହାକୁ କାଢ଼ି ଗରମାଗରମ ଖାଆନ୍ତୁ।

ଟମାଟ ସୁପ୍‌ର ଫାଇଦା

  • ଏଥିରେ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ଥାଏ। ଏଥିସହ ଟମାଟ ସୁପ୍‌ରେ ଭିଟାମିନ-ବି ଓ ପୋଟାସିୟମ ଥାଏ ଯାହା ଆମ ଶରୀରର ହୃଦଯନ୍ତ୍ରକୁ ସୁସ୍ଥ ରଖିଥାଏ।
  • ଟମାଟ ସୁପ୍‌ରେ ଥିବା ସେଲେନିୟମ୍ ଯୋଗୁଁ ଶରୀରରେ ଭଲଭାବରେ ରକ୍ତ ସଞ୍ଚାଳନ ହୋଇଥାଏ।
  • ଏକ ଗବେଷଣାରୁ ଜଣାପଡ଼ିଛି ପ୍ରତି ଦିନ ଟମାଟ ସୁପ୍ ପିଉଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।
  • ଗର୍ଭବତୀ ମହିଳାଙ୍କ ପାଇଁ ଟମାଟ ସୁପ୍ ପିଇବ ବେଶ୍ ହିତକାରୀ। ଏଥିରେ ଥିବା ଭିଟାମିନ-ସି ଗର୍ଭବତୀ ମହିଳାଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ ।